କଟକସଦର, ୪/୬ : ଶ୍ରୀମନ୍ଦିରକୁ ବିରଳ ସାମଗ୍ରୀ ଦେବେ କଟକ ଯୋବ୍ରାରେ ଘର ଭଡ଼ା ନେଇ ରହୁଥିବା ବାଙ୍କୀ ବୈଦେଶ୍ୱର ଗ୍ରାମର ଗାଡି ଚାଳକ ସୂର୍ଯ୍ୟକାନ୍ତ ସାହୁ। ଭସା ପଥର, ପୁରାତନ ଶଙ୍ଖ, ବୀରହନୁମାନ ଓ ଶ୍ରୀଜଗନ୍ନାଥଙ୍କ ଆଖି ଭଳି ଦୃଶ୍ୟମାନ ହେଉଥିବା ଶାଳଗ୍ରାମ, ଇଷ୍ଟ୍ ଇଣ୍ଡିଆ କମ୍ପାନିର କଏନ୍ ଆଦି ଦୁର୍ଲଭ ସାମଗ୍ରୀ ଗୁଡ଼ିକୁ ସେ ପୁରୀ ଜଗନ୍ନାଥ ମନ୍ଦିରକୁ ଦାନ କରିବାକୁ ନିଷ୍ପତ୍ତି ନେଇଛନ୍ତି।
ସୂର୍ଯ୍ୟକାନ୍ତଙ୍କ କହିବା ମୁତାବକ, ବହୁ ପୂର୍ବରୁ ତାଙ୍କ ବାପା ଭିକାରୀ ସାହୁ ବ୍ୟବସାୟ କରିବାକୁ ମହାନଦୀରେ ଡଙ୍ଗା ନେଇ ବୌଦ୍ଧ ଏବଂ ଆଠମଲ୍ଲିକକୁ ଯାଉଥିଲେ । ୧୯୮୨ ବନ୍ୟା ହୋଇଥିଲା । ସେତେବେଳକୁ ବାପାଙ୍କ ଦେହାନ୍ତ ଘଟି ସାରିଥିଲା । ବନ୍ୟାରେ ବୈଦେଶ୍ୱର ଗ୍ରାମ ପ୍ରଭାବିତ ହୋଇଥିଲା । ବହୁ ଲୋକଙ୍କ ଘର ଭାଙ୍ଗିଯିବା ସହ ଘରେ ଥିବା ଜିନିଷପତ୍ର ନଷ୍ଟ ହୋଇଯାଇଥିଲା । ଭିକାରୀଙ୍କ ଘରେ ପାଣି ପଶିବା ସହ ଧନ ସମ୍ପତ୍ତି ନଷ୍ଟ ହୋଇଥିଲା । ଏହି ସମୟରେ ସୂର୍ଯ୍ୟକାନ୍ତ ନିଜ ଘରେ ଏକ ପିତ୍ତଳ ହାଣ୍ଡି ଦେଖିବାକୁ ପାଇଥିଲେ । ସେଥିରେ ଯାହା ଥିଲା ତାକୁ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ହାଣ୍ଡି ଭିତରେ ବିଭିନ୍ନ ପ୍ରକାରର ଶାଳଗ୍ରାମ ମୂର୍ତ୍ତି ଓ ପଥର, ପଞ୍ଚଜନ୍ୟ ଭଳି ଦିଶୁଥିବା ଶଙ୍ଖ, ଗଣେଶ ଆକୃତିର ଦୁଇମୁଖିଆ ଶଙ୍ଖ(ଏହାକୁ କାନ ପାଖରେ ରଖିଲେ ସମୁଦ୍ର ଲହଡ଼ିର ଶବ୍ଦ ଶୁଣାଯାଉଛି), ଇନ୍ଦ୍ରଜାଲ, ମାୟାଜାଲ(ସମୁଦ୍ର ଥିବା ବୃକ୍ଷର ଅଂଶବିଶେଷ), ଚନ୍ଦନ କାଠରେ ଶିବ ଲିଙ୍ଗ, ପାଣିରେ ଭାସୁଥିବା ପଥର, ବ୍ରିଟିଶ୍ ଅମଳରେ ପ୍ରଚଳିତ ଇଷ୍ଟ୍ ଇଣ୍ଡିଆ କମ୍ପାନି ଲେଖାଥିବା ପଇସା, ସେଥିରେ ବିଭିନ୍ନ ଦେବଦେବୀଙ୍କ ମୂର୍ତ୍ତି, ବହୁ ପୁରୁଣା ତମ୍ବା ପଇସା ଆଦି ଅନେକ ଦୁର୍ଲ୍ଲଭ ସାମଗ୍ରୀ। ସେବେଠାରୁ ସୂର୍ଯ୍ୟକାନ୍ତ ଏସବୁକୁ ନିଜ ପାଖରେ ରଖିଛନ୍ତି। ଥରେ ଏହି ସାମଗ୍ରୀକୁ ଧରି ବିରୂପା ନଦୀରେ ଧୋଇ ସଫାକରି ନଦୀ ନିକଟରେ ଥିବା ଏକ ବୁରୁଜରେ ପୂଜାର୍ଚ୍ଚନା କରୁଥିଲେ। ଏତିକି ବେଳେ ହଠାତ୍ ଜଣେ ଜୈନ ଧର୍ମାବଲମ୍ବୀ ସାଧୁ ଧର୍ମୀ ନାଥଙ୍କ ସହ ତାଙ୍କର ସାକ୍ଷାତ ହୋଇଥିଲା । ସାଧୁ ତାଙ୍କୁ ଏକ ମାଳ ଓ ଆସନ ଦେଇ ଏହି ଦେବତୁଲ୍ୟ ସାମଗ୍ରୀକୁ ପୂଜାର୍ଚ୍ଚନା କରିବାକୁ ପରାମର୍ଶ ଦେଇଥିଲେ । ଏବେ ସୂର୍ଯ୍ୟକାନ୍ତ ନିଜ ପରିବାର ସହ ଯୋବ୍ରା ନୂଆସାହିରେ ଘରଭଡ଼ା ନେଇ ରହୁଛନ୍ତି । ପେସା ଭାବେ ଗାଡ଼ି ଡ୍ରାଇଭିଂ କରୁଛନ୍ତି । ପାଖରେ ରଖିଥିବା ଏହି ସାମଗ୍ରୀକୁ ପୁରୀ ଜଗନ୍ନାଥ ମନ୍ଦିରକୁ ଦେବାକୁ ଇଚ୍ଛା ପ୍ରକାଶ କରିଥିଲେ ବି ଏହା କିପରି ସମ୍ଭବ ହେବ ତାହା ସେ ଜାଣି ନଥିବା କହିଛନ୍ତି ସୂର୍ଯ୍ୟକାନ୍ତ ।