କଟକ,୪/୬ : କଟକ ବୟାଳିଶ ମୌଜା ଅଞ୍ଚଳରେ ବ୍ୟାପକ ଚୋରା ବାଲି ଚାଲାଣ ଓ ଆଇନ୍ ଶୃଙ୍ଖଳା ପରିସ୍ଥିତର ପ୍ରତିବାଦରେ କଂଗ୍ରେସ ପକ୍ଷରୁ ବୟାଳିଶ୍ ମୌଜା ଥାନା ଘେରାଉ । କଟକ ସଦର ନିର୍ବାଚନ ମଣ୍ଡଳୀର ବରିଷ୍ଠ କଂଗ୍ରେସ ନେତା ରାମ ଚନ୍ଦ୍ର ଗୋଚ୍ଛାୟତଙ୍କ ନେତୃତ୍ୱରେ କଂଗ୍ରେସର ଏକ ପ୍ରତିନିଧି ମଣ୍ଡଳୀ ବୟାଳିଶ୍ ମୌଜା ଥାନାରେ ପହଞ୍ଚିଥିଲା । ପରେ ଥାନା ଘେରାଉ କରିବା ସହ ଚୋରା ବାଲି ଚାଲାଣ ସମ୍ପୂର୍ଣ୍ଣ ବନ୍ଦ କରିବାକୁ ଦାବି କରି ପୋଲିସ ମହାନିର୍ଦ୍ଦେଶକଙ୍କ ଉଦ୍ଦେଶ୍ୟରେ ଏକ ଲିଖିତ ଦାବିପତ୍ର ପ୍ରଦାନ କରାଯାଇଥିଲା ।
ବୟାଳିଶ୍ ମୌଜା ଦେଇ ପ୍ରବାହିତ ହେଉଥିବା କାଠ ଯୋଡ଼ି ଓ ସିଢୁଆ ନଦୀର ବିଭିନ୍ନ ସ୍ଥାନରେ ନଦୀ ଶଯ୍ୟାରୁ ସରକାର ବାଲିଘାଟ ନିଲାମ କରି ରାଜକୋଷକୁ ଟିକସ ପାଆନ୍ତି । ପୂର୍ବରୁ ଏହି ବାଲିଘାଟ ନିଲାମ ତହସିଲ ଅଧିନରେ ହେଉଥିବା ବେଳେ ଏବେ କିଛି ମାସ ହେବ ସରକାର ତହସିଲ ପରିବର୍ତ୍ତେ ଖଣି ବିଭାଗକୁ ଦାୟିତ୍ବ ହସ୍ତାନ୍ତର କରିଛନ୍ତି । ଏବେ ଅନେକ ସ୍ଥାନରେ ବାଲିଘାଟ ନିଲାମ ପ୍ରକ୍ରିୟା ବନ୍ଦ ରହିଛି । ରାସ୍ତା ଘାଟ, ଘର ଦ୍ୱାର, ପୋଲ ଇତ୍ୟାଦି ପାଇଁ ବାଲି ଅପରିହାର୍ଯ୍ୟ । ସଂପ୍ରତି ଦୈନନ୍ଦିନ ବିଭିନ୍ନ ବାଲି ଶଯ୍ୟାରୁ ବାଲି ମାଫିଆମାନେ ବଡ଼ବଡ଼ିଆ ସରକାରୀ ବାବୁ, ସ୍ଥାନୀୟ ଥାନା ଓ ରାଜନୈତିକ ବ୍ୟକ୍ତିଙ୍କ ପୃଷ୍ଠ ପୋଷକତାରେ ଶହ ଶହ ଟ୍ରିପ୍ ଚୋରା ବାଲି ଚାଲାଣ ହେଉଛି । ଫଳରେ ବାଲି ମାଫିଆମାନେ ମାଲେମାଲ ହେଉଥିବାବେଳେ ସାଧାରଣ ଲୋକେ ଶୋଷିତ ହେବା ସହ ସରକାର ଲକ୍ଷଲକ୍ଷ ଟଙ୍କା ଟିକସ ହରାଉଛନ୍ତି ।
ଏହି କାର୍ଯ୍ୟକ୍ରମରେ ଜିଲ୍ଲା କଂଗ୍ରେସର ବରିଷ୍ଠ ଉପ ସଭାପତି ଶିଶିର ରଥ, ମନୋଜ ବିଶ୍ଵାଳ ଓ ରାଜେଶ୍ ସ୍ୱାଇଁ, କଟକ ନଗର(ଜିଲ୍ଲା)କଂଗ୍ରେସର ମୁଖ୍ୟ ମୁଖପାତ୍ର ମାନସ ପରିଡ଼ା, ନଗର କଂଗ୍ରେସ ସାଧାରଣ ସମ୍ପାଦକ ନିର୍ମଳ ସ୍ୱାଇଁ ଓ ଜୟ ନାରାୟଣ ତ୍ରୀପାଠୀ, ବ୍ଲକ୍ ସଭାପତି ବିପନ ପଶାୟତ, କଟକ ନଗର ଯୁବ କଂଗ୍ରେସ ସଭାପତି ଆଡ଼ଭୋକେଟ୍ ବିପ୍ଳବ ଶିଳାଦିତ୍ୟ, ବରିଷ୍ଠ କଂଗ୍ରେସ ନେତା ଦୁର୍ଗା ଶଙ୍କର ଦାସ, ମଧୁସୂଦନ ସେନାପତି, ସଦର ବ୍ଲକ୍ କଂଗ୍ରେସର କାର୍ଯ୍ୟକାରୀ ସଭାପତି ସୀତାକାନ୍ତ ପଣ୍ଡାଙ୍କ ସମେତ ରଜନୀକାନ୍ତ ବସ୍ତିଆ, ୠଷି କାଣ୍ଡି, ସବୀର ମହମ୍ମଦ, ସୁବ୍ରତ ଦାଙ୍କ ସହ ଅନ୍ୟମାନେ ଉପସ୍ଥିତ ଥିଲେ ।