ଫୁଲବାଣୀ,୨୮/୧୨: ଗୁରୁବାର ରାତି ଫୁଲବାଣୀ ସର୍କିଟ ହାଉସ ପରିସରରେ ଦୁଇଟି ବାଇକ ପୋଡି ଦେଇଥିଲେ ଦୁର୍ବୃତ୍ତ । ଶୁକ୍ରବାର ରାତିରେ ପୁଣି ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ଗୋଟିଏ ବାଇକ ପୋଡି ଦେଇଛନ୍ତି ଦୁର୍ବୁତ୍ତ। କନ୍ଧମାଳ ଜିଲ୍ଲା ଫୁଲବାଣୀ ଅଞ୍ଚଳରେ ଏଭଳି ଘଟଣା ଘଟିଛି ।
ସୂଚନା ଅନୁସାରେ, ଗତକାଲି ରାତିରେ କିଛି ଯୁବକ କାର୍ଯ୍ୟାଳୟ ପରିସରରେ ପଶି ମଦ ପିଉଥିଲେ । ଏହା ଦେଖିପାରି ରାତ୍ରି ଜଗୁଆଳି ରମାକାନ୍ତ ମଲିକ ସେମାନଙ୍କୁ ବାରଣ କରିଥିଲେ । ଫଳରେ ଯୁବକ ମାନଙ୍କ ସହିତ ତାଙ୍କର ଯୁକ୍ତିତର୍କ ହୋଇଥିଲା । ଏହାପରେ ସେମାନେ ସେଠାରୁ ଚାଲି ଯାଇଥିଲେ। ପରେ ଫେରିଆସି ଅଫିସ ପରିସରରେ ଥିବା ରମାକାନ୍ତଙ୍କ ବାଇକରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲେ । ରମାକାନ୍ତ ଏହା ଜାଣିପାରି ବାହାରକୁ ଆସିବା ପାଇଁ ଚେଷ୍ଟା କରିଥିଲେ ବି ତାଙ୍କ ଘରର କବାଟ ବାହାରୁ ବନ୍ଦ କରି ଦେଇଥିଲେ ଦୁର୍ବୁତ୍ତ । ପରେ ରମାକାନ୍ତ ପୁଲିସକୁ ଫୋନ କରିବାରୁ ପେଲିସ ଆସି କବାଟ ଖୋଲିବା ସହିତ ନିଆଁ ଲିଭାଇ ଥିଲେ । ତେବେ ସେତେବେଳକୁ ବାଇକଟି ସମ୍ପୂର୍ଣ୍ଣ ଜଳି ଯାଇଥିଲା । ଟାଉନ ପୋଲିସ ମାମଲାର ତଦନ୍ତ ଆରମ୍ଭ କରିଛି । ତେବେ ଲଗାତାର ଦୁଇ ଦିନ ଧରି ଏଭଳି ଘଟଣା ସହରର ଆଇନ ଶୃଙ୍ଖଳା ପରିସ୍ଥିତି ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।