ପ୍ରମୂଖ ଖବର
  • ଇଣ୍ଡିଆ-ଇଂଲଣ୍ଡ ତୃତୀୟ ଟି-ଟ୍ବେଣ୍ଟି, ସିରିଜ କବଜା ଲକ୍ଷ୍ୟରେ ସୂର୍ଯ୍ୟସେନା, କର ବା ମର ସ୍ଥିତିରେ ବଟଲରବାହିନୀ
  • ||
  • ରାଜ୍ୟରେ ଉଭାନ ହେଲାଣି ଶୀତ, କଲବଲ କରୁଛି କୁହୁଡି: ଫେବ୍ରୁଆରୀ ପହିଲାରୁ ଆହୁରି ବଢ଼ିବ ରାତି ତାପମାତ୍ରା
  • ||
  • ଆଜି ନିବେଶ ମହାକୁମ୍ଭ, ଦୁଇ ଦିନିଆ ଉତ୍କର୍ଷ ଓଡିଶା କନକ୍ଲେଭର ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||

ଆତ୍ମହତ୍ୟା ନୁହେଁ, ସୁପରିକଳ୍ପିତ ହତ୍ୟାକାଣ୍ଡ: ପ୍ରେମିକା ଓ ତାଙ୍କ ପରିବାରକୁ ଦୋଷ ଦେଲେ ୱାର୍ଡେନ୍‌ଙ୍କ ପତ୍ନୀ

Published By : Prameya | November 3, 2024 10:48 AM

କେନ୍ଦ୍ରାପଡ଼ା/ଚୌଦ୍ୱାର-ଗୁରୁଡ଼ିଝାଟିଆ,୦୩/୧୧: କେନ୍ଦ୍ରାପଡ଼ା ଉପକଣ୍ଠ ବାରିମୂଳ ଜେଲ୍‌ରେ  ୱାର୍ଡେନ୍‌ ଭାବେ କାର୍ଯ୍ୟରତ ଗୁରୁଡ଼ିଝାଟିଆ ଖଣ୍ଡାୟତ ସାହିର ସ୍ୱର୍ଗତ ନବକିଶୋର ପରିଡ଼ାଙ୍କ ଏକମାତ୍ର  ପୁଅ ବିଜୟ ପରିଡ଼ା(୨୫)ଙ୍କ ସନ୍ଦେହଜନକ ମୃତ୍ୟୁକୁ ନେଇ ନାନା ପ୍ରଶ୍ନ ଉଠିଛି । ଏହା ଆତ୍ମହତ୍ୟା ନୁହେଁ, ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି ବିଜୟଙ୍କ ପତ୍ନୀ ରୂପାଲି ଧଳ ଅଭିଯୋଗ କରିଛନ୍ତି । 

ଶୁକ୍ରବାର ସନ୍ଧ୍ୟାରେ ପଙ୍ଖାରେ ଗାମୁଛା ବନ୍ଧାଯାଇ ବିଜୟଙ୍କ ମୃତଦେହ ଝୁଲୁଥିବା ଦେଖିବାକୁ ମିଳିଥିଲା । ତାଙ୍କୁ ଉଦ୍ଧାର କରାଯାଇ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେବା ପରେ ଡାକ୍ତର ତାଙ୍କୁ ଘୋଷଣା କରିଥିଲେ ।  ବିଜୟଙ୍କୁ ତାଙ୍କ ପ୍ରେମିକା ଓ ପ୍ରେମିକାଙ୍କ ପରିବାର  ଲୋକେ ମାରି ଫ୍ୟାନ୍‌ରେ ଟାଙ୍ଗି ଦେଇଥିବା ପତ୍ନୀ  ରୂପାଲି ଏତଲାରେ ଦର୍ଶାଇଛନ୍ତି । ମୃତଦେହ  ବ୍ୟବଚ୍ଛେଦ ହୋଇ ଶନିବାର ଅପରାହ୍ନରେ ଆସିବା ପରେ ଗୁରୁଡ଼ିଝାଟିଆ ଗ୍ରାମରେ ଶୋକାକୁଳ  ପରିବେଶ ସୃଷ୍ଟି ହୋଇଛି । ସ୍ୱାମୀଙ୍କୁ ହରାଇ ପତ୍ନୀ  ବାରମ୍ବାର ଅଚେତ ହୋଇଯାଉଥିଲେ । ବିଜୟଙ୍କ  ଶେଷ ଦର୍ଶନ ପାଇଁ ହଜାର ହଜାର ଲୋକ ରୁଣ୍ଡ  ହୋଇଥିଲେ । ଗ୍ରାମ ଶ୍ମଶାନରେ ତାଙ୍କ ଅନ୍ତିମ  ସଂସ୍କାର କରାଯାଇଛି । ଦାଦା ପୁଅ ଭାଇ ସ୍ମୃତି  ରଞ୍ଜନ ପରିଡ଼ା ମୁଖାଗ୍ନି ଦେଇଥିଲେ ।  

ବିଜୟଙ୍କ ପତ୍ନୀ ରୂପାଲି ଦେଇଥିବା ଏତଲା  ମୁତାବକ ବିଜୟ ୨ ବର୍ଷ ହେବ ଗୁରୁଡ଼ିଝାଟିଆ  ଥାନା ଓରନ୍ଦା-କପୁରସିଂର ଜଣେ ଯୁବତୀଙ୍କୁ ଭଲ ପାଇଥିଲେ । ଘର ଲୋକେ ଏହା ଜାଣିବାରୁ ଦୁଇ ପରିବାର ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ଦୁଇ ପକ୍ଷର ଭଦ୍ରଲୋକ ବସି ନିଷ୍ପତ୍ତି ନେଇଥିଲେ  କି ସେମାନେ ଆଉ ମିଳାମିଶା କରିବେ ନାହିଁ  କି ଉଭୟଙ୍କ ମଧ୍ୟରେ କୌଣସି ସମ୍ପର୍କ ରହିବ ନାହିଁ । ପରସ୍ପରଠାରୁ ସେମାନେ ଦୂରେଇ ରହିବେ । ହେଲେ କିଛିଦିନ ପରେ ସମ୍ପୃକ୍ତ ପ୍ରେମିକା ତାଙ୍କ ବାପା ଓ ଭାଇଙ୍କୁ ଧରି ବିଜୟ ରହୁଥିବା ବାରିମୂଳ ଜେଲ୍‌ ବାରାକ୍‌କୁ ଆସିଥିଲେ । ପ୍ରେମିକାଙ୍କ ବାପା ଓ  ଭାଇ ବିଜୟଙ୍କୁ ତଥାକଥିତ ପ୍ରେମିକାଙ୍କୁ ପାଖରେ ରଖିବାକୁ ବାଧ୍ୟ କରିଥିଲେ । ନ ହେଲେ ହତ୍ୟା କରିବାକୁ ଧମକ ଦେଇଥିଲେ । ଏହି ସମୟରେ ସେ ନିଜେ ଉପସ୍ଥିତ ଥିଲେ । ଜେଲ୍‌ର ଅନ୍ୟ  କର୍ମଚାରୀମାନେ ସେମାନଙ୍କୁ ବୁଝାଶୁଝା କରି ସେଠାରୁ ବିଦା କରିଥିଲେ ।ବିଜୟଙ୍କ ସହିତ ରହୁଥିବା ସହକର୍ମୀ ମଧ୍ୟ ସମ୍ପୃକ୍ତ ପ୍ରେମିକାଙ୍କ ସହ ଫୋନ୍‌ରେ କଥା ହୁଅନ୍ତି । ତେଣୁ ବିଜୟଙ୍କ ପ୍ରେମିକା, ତାଙ୍କ ପରିବାର ଓ ଜେଲ୍‌ ସହକର୍ମୀ ସମସ୍ତେ ମିଳିମିଶି ତାଙ୍କ ସ୍ୱାମୀଙ୍କୁ ମାରିଦେଇଛନ୍ତି ବୋଲି ରୂପାଲି  ଅଭିଯୋଗ କରିଛନ୍ତି । 

ବିଜୟଙ୍କ ଦାଦା କୃଷ୍ଣଚନ୍ଦ୍ର ପରିଡ଼ା  ଓ ଶିବରାମ ପରିଡ଼ା କହିଛନ୍ତି, ବିଜୟ ସରକାରୀ ଚାକିରି  କରିବା ପରେ ଯୁବତୀ(ପ୍ରେମିକା) ଜଣକ ତାଙ୍କୁ ବିବାହ  କରିବାକୁ ବାଧ୍ୟ କରୁଥିଲା । ଏନେଇ ବିଜୟଙ୍କ ପରିବାର  ଲୋକେ ଯୁବତୀଙ୍କ ପରିବାର ଲୋକଙ୍କୁ ଡାକି ଏଥିରୁ  ନିବୃତ୍ତ ରହିବାକୁ କହିଥିଲେ । ହେଲେ କିଛି ସୁଫଳ  ମିଳି ନ ଥିଲା । ଏପରିକି ଯୁବତୀଙ୍କ ବାପା ୫ଲକ୍ଷ ଟଙ୍କା  ଦେଲେ ଏଥିରୁ ଓହରିଯିବୁ ବୋଲି କହିଥିବା ବିଜୟଙ୍କ  ଦୁଇ ଦାଦା ଅଭିଯୋଗ କରିଛନ୍ତି । 

ଅନ୍ୟପକ୍ଷରେ,  ବିଜୟଙ୍କ ପଡ଼ୋଶୀ ଓ ତାଙ୍କ ଗ୍ରାମବାସୀଙ୍କଠାରୁ ଯାହା  ସୂଚନା ମିଳିଛି ବିଜୟ ଛୋଟ ଥିବା ବେଳେ ତାଙ୍କ ବାପାଙ୍କ  ନବକିଶୋର ପରିଡ଼ାଙ୍କର ଦୁର୍ଘଟଣାରେ ମୃତ୍ୟୁ ଘଟିଥିଲା ।  ବିଜୟଙ୍କ ଦାୟିତ୍ୱ ବଡ଼ବାପା ଓ ଦାଦା ବୁଝୁଥିଲେ । ବିଜୟ  କଲେଜରେ ପଢୁଥିବା ବେଳେ ସମ୍ପୃକ୍ତ ଯୁବତୀଙ୍କୁ ଭଲ  ପାଉଥିଲେ । ପରିବାର ଲୋକେ ରୂପାଲିଙ୍କ ସହ ତାଙ୍କ  ବିବାହ କରିଥିଲେ । ବିବାହ ପରେ ମଧ୍ୟ ପ୍ରେମିକା ଓ  ବିଜୟଙ୍କ ମଧ୍ୟରେ ପୂର୍ବବତ୍‌ ସମ୍ପର୍କ ରହିଥିଲା । ପ୍ରେମିକା  ବେଙ୍ଗାଲୁରୁର ଏକ କଲ୍‌ ସେଣ୍ଟର୍‌ରେ କାମ କରୁଥିବା  ବେଳେ ବିଜୟଙ୍କ ସହ ଫୋନ୍‌ରେ କଥା ହେଉଥିଲେ ।  ଏପରିକି ତାଙ୍କୁ କଲ୍‌ କରି ବେଙ୍ଗାଲୁରୁ ଡାକିଥିଲେ ।  କେବଳ ସେତିକି ନୁହେଁ, ପ୍ରେମିକା ଜଣକ କେତେଥର  ବାରିମୂଳ ଜେଲ ବାରାକ୍‌କୁ ମଧ୍ୟ ଆସିଛନ୍ତି । କୌଣସିମତେ  ସେ ବିଜୟଙ୍କୁ ବିବାହ କରିବାକୁ ଚାହୁଁଥିଲେ ।

 ଗତକାଲି  ବିଜୟ ସକାଳ ୬ଟାରୁ ୧୨ଟା ଯାଏ ଡ୍ୟୁଟି ସାରି ବାରାକ୍‌କୁ  ଫେରିଥିଲେ । ଉକ୍ତ ବାରାକ୍‌ରେ ତାଙ୍କର ଅନ୍ୟ ଦୁଇ  ଜଣ ସହକର୍ମୀ ରହୁଥିଲେ । ସେମାନେ ମଧ୍ୟାହ୍ନ ୧୨ଟାରୁ  ସନ୍ଧ୍ୟା ୬ଟା ଯାଏ ଡ୍ୟୁଟି ସାରି ଫେରିବା ପରେ ୬ଟା ୪୫  ମିନିଟ୍‌ରେ ବାରାକ୍‌କୁ ଫେରିଥିଲେ । ବାରାକ୍‌ରେ ବିଜୟଙ୍କୁ  ଫ୍ୟାନ୍‌ରେ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ପାଇଥିଲେ ।  ବିଜୟଙ୍କ ମୃତଦେହ ଆଜି ଉଦ୍ଧାର କରାଯିବା ପରେ ତାଙ୍କ  କାନରେ ଇୟର୍‌ଫୋନ୍‌ ଲାଗି ରହିଥିବାର ଦେଖାଯାଇଥିଲା ।  ସେ ଫୋନ୍‌ରେ କଥା ହେଉଥିବାବେଳେ ତାଙ୍କର ମୃତ୍ୟୁ  ହୋଇଥିବା ସନ୍ଦେହ କରାଯାଉଛି । ମୃତ୍ୟୁ ପୂର୍ବରୁ ସେ  ଫୋନ୍‌ରେ କଥା ହେଉଥିବା ବ୍ୟକ୍ତି ନିହାତି ତାଙ୍କ ମୃତ୍ୟୁ  ବାବଦରେ ଜାଣି ଥାଇପାରନ୍ତି ଅବା ତାଙ୍କ ସହ କୌଣସି  ମତଭେଦ କାରଣରୁ ସେ ଜୀବନ ହାରି ଥାଇପାରନ୍ତି  ବୋଲି ଆଶଙ୍କା କରାଯାଉଛି ।

ଏନେଇ ବାରିମୂଳ ଜେଲ୍‌  ଅଧୀକ୍ଷକ ବାବୁଲି ବାରିକ୍‌ଙ୍କୁ ପଚାରିବାରୁ ସେ କହିଛନ୍ତି  କି, ଅଭିଯୋଗ ଆଧାରରେ ତଦନ୍ତ ଏବେ ଚାଲିଛି । ତଦନ୍ତ  ସରିବା ପରେ ସତ ଜଣାପଡ଼ିବ । ବିଜୟଙ୍କ ପାରିବାରିକ  ଜୀବନ ଓ ପ୍ରେମ ସମ୍ପର୍କ ବାବଦରେ ତାଙ୍କ ପାଖରେ  କୌଣସି ସୂଚନା ନଥିବା ଜେଲ୍‌ ଅଧୀକ୍ଷକ କହିଛନ୍ତି ।  ସଦର ଥାନା ଆଇଆଇସି ବିମଳ ମଲ୍ଲିକ କହିଛନ୍ତି, ମୃତ  ଜେଲ୍‌ ୱାର୍ଡେନ୍‌ଙ୍କ ପତ୍ନୀଙ୍କ ଏତଲା ଆଧାରରେ ହତ୍ୟା  ମାମଲା ରୁଜୁ କରି ତଦନ୍ତ ଚଳାଇଛୁ । ବ୍ୟବଚ୍ଛେଦ  ରିପୋର୍ଟ ମିଳିବା ପରେ ମୃତ୍ୟୁର କାରଣ ସ୍ପଷ୍ଟ ହେବ । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.