ପାତ୍ରପୁର ୨୭/୦୧: ବ୍ରହ୍ମପୁର ପୋଲିସ ଜିଲ୍ଲା ଚିକିଟି ଗଡ଼ରେ ଚାରିଜଣଙ୍କୁ ଅପହରଣ ଘଟଣା ରାଜ୍ୟ ସାରା ଚହଳ ପକେଇଛି । ଘଟଣା ସର୍ବପ୍ରଥମେ ପ୍ରମେୟ ପୋର୍ଟାଲରେ ପ୍ରକାଶ ପାଇବା ପରେ ସାଧାରଣରେ ଘଟଣାର ଚର୍ଚ୍ଚା ବଢିଥିଲା । ରବିବାର ଅପହୃତ ଚାରିଜଣ କେ.ନୂଆଗାଁ ପୋଲିସ ଦ୍ୱାରା ଉଦ୍ଧାର ହେବା ପରେ ଧୀରେ ଧୀରେ ଘଟଣା ଉପରୁ ପରଦା ଉଠିବାରେ ଲାଗିଛି । ୪ ଜଣଙ୍କୁ ଉଦ୍ଧାର କରାଯାଇଥିବା ସ୍ଥାନରେ ବ୍ୟାପକ ପରିମାଣର ଗଞ୍ଜେଇ ଚାଷ ହୋଇଥିବା ଜଣାପଡିଛି। ଯାହା ଘଟଣାକୁ ଆହୁରି ଜଟିଳ କରିଦେଇଛି ।
ରବିବାର ଚିକିଟି ତହସିଲଦାର, ପୋଲିସ ଏସଡିପିଓ,କେ.ନୂଆଗାଁ ଥାନା ଅଧିକାରୀ ଅପହୃତଙ୍କୁ ମାନଙ୍କୁ ବନ୍ଧକ ରଖାଯାଇଥିବା ସ୍ଥାନକୁ ଯାଇ ତଦନ୍ତ କରିବା ବେଳେ ସେଠାରେ ଗଞ୍ଜେଇ ଗଛକଟା ଯାଇଥିବା ଦେଖିବାକୁ ମିଳିଥିଲା । ସୋମବାର ଗଞ୍ଜେଇ ଚାଷ ହୋଇଥିବା ଜମିର ରାଜସ୍ୱ ବିଭାଗ ତରଫରୁ ସୀମାଙ୍କନ କରାଯାଇଛି । ଚିକିଟି ଅତିରିକ୍ତ ତହସିଲଦାରଙ୍କ ସହିତ ଅନ୍ୟ ରାଜସ୍ୱ , ପୋଲିସ,ଅବକାରୀ ଓ ବନ ବିଭାଗର କର୍ମଚାରୀଙ୍କ ଉପସ୍ଥିତିରେ ଜମି କାହା ନାମରେ ଅଛି ଓ କେତେ ପରିମାଣର ଯାଗାରେ ଗଞ୍ଜେଇ ଚାଷ ହୋଇଛି ତାହା ଅନୁଧ୍ୟାନ କରାଯାଇଛି ।
ଅନ୍ୟପକ୍ଷେ, ଅପହରଣ ଘଟଣାର ମୂଖ୍ୟ କୁହାଯାଉଥିବା ଏବଂ ଯାହା ବାଡ଼ି ପଟରେ ଚାରିଜଣ ଅପହୃତଙ୍କୁ ବନ୍ଧକ ରଖାଯାଇଥିଲା ସେହି ନୂତନ ସାହୁର ସ୍ତ୍ରୀ ଓ ଝିଅଙ୍କୁ ଘନ ଘନ ଜେରା କରାଯାଇଛି। ଉଭୟେ ପୋଲିସକୁ ସନ୍ତୋଷଜନକ ଉତ୍ତର ନଦେଇ ଉଲଟା ନାଲି ଆଖି ଦେଖାଇଛନ୍ତି । ଘଟଣା ପ୍ରମେୟ ପୋର୍ଟାଲରେ ଲୋକଲୋଚନକୁ ଆସିବା ପରେ ଚିକିଟି ଗଡ଼ ଠାରେ ସୋମବାର ମିଡିଆ ଵାଲାଙ୍କ ପ୍ରବଳ ଭିଡ ଦେଖିବାକୁ ମିଳିଥିଲା । ଅପରପକ୍ଷେ ମୂଖ୍ୟ ଅଭିଯୁକ୍ତ ଭାବେ ଉଭୟ ଅପହରଣ ଓ ଗଞ୍ଜେଇ ଚାଷ କରିଥିବା ନୂତନ ସାହୁ ତାର ପୁରା ସହଯୋଗୀ ଟିମକୁ ଧରିବା ପାଇଁ କେ.ନୂଆଗାଁ ପୋଲିସର ଏକାଧିକ ଟିମ ବିଭିନ୍ନ ଯାଗାରେ ପଇଁତରା ମାରୁଛି । ଅପହରଣ ଘଟଣାକୁ ନେଇ ଯେତିକି ଚର୍ଚ୍ଚା ହେଉଛି ତାଠାରୁ ଅଧିକ ଚର୍ଚ୍ଚାରେ ଉଭୟ ଅବକାରୀ ଓ ବନ ବିଭାଗ ରହିଛି । ଚିକିଟି ତହସିଲ,ବନ ବିଭାଗ ଓ ଅଵକାରୀ ବିଭାଗ ଏତେବଡ଼ ଗଞ୍ଜେଇ ଚାଷ ଘଟଣା କେମିତି ଜାଣିପାରିଲେ ନାହିଁ ତାକୁ ନେଇ ସବୁଠି ଚର୍ଚ୍ଚା ଲାଗିଛି ।ସ୍ଥାନୀୟ ପୋଲିସ ଘଟଣା ନେଇ ମିଡିଆ ଆଗରେ କିଛି କହୁନଥିବା ବେଳେ ଉଦ୍ଧାର ଅପହୃତ ୪ଜଣଙ୍କୁ ଚିକିଟି ଫାଣ୍ଡିରେ ରଖି ମାରାଥନ ଜେରା ଚାଲିଛି । ଘଟଣାରେ ଆଗକୁ ଅନେକ ରହସ୍ୟ ଉନ୍ମୋଚିତ ହେବ ବୋଲି ସାଧାରଣରେ ଚର୍ଚ୍ଚା ବଢିଛି ।