ବାଲିପାଟଣା ୧୬/୦୮: ସମ୍ପତ୍ତି ପାଇଁ ଯୁବକଙ୍କୁ ପେଟ୍ରୋଲ ଢ଼ାଳି ଜୀଅନ୍ତା ଜାଳିଦେବା ଘଟଣା। ସାବତ ଭାଇ ପ୍ରଶାନ୍ତ ମାଠିଆ ଏବଂ ବାପା ସୁରେନ୍ଦ୍ର ମାଠିଆଙ୍କୁ ଗିରଫ କଲା ପୁଲିସ। ଏହି ମାମଲାରେ ସଂପୃକ୍ତ ଥିବା ଶାଶୂ ଏବଂ ଯାଙ୍କୁ ଗିରଫ କରିବାକୁ ଜ୍ୟୋତିଙ୍କ ପତ୍ନୀ ଦାବି କରିଛନ୍ତି। ସେପଟେ ଏମ୍ସରେ ଜ୍ୟୋତି ମାଠିଆଙ୍କ ଶବ ବ୍ୟବଚ୍ଛେଦ ହେବ ବୋଲି ଜଣାପଡ଼ିଛି।
ସୂଚନା ଅନୁଯାଇ, ଶୁକ୍ରବର ଭୁବନେଶ୍ବର ଉପକଣ୍ଠ ବାଲିପାଟଣା ଅଞ୍ଚଳରେ ଜମିବାଡ଼ି ଓ ସମ୍ପତ୍ତି ବିବାଦରୁ ବାପା ଏବଂ ସାବତ ସାନ ଭାଇ ଜ୍ୟୋତି ମାଠିଆଙ୍କୁ ପେଟ୍ରୋଲ ଢ଼ାଳି ଜାଳି ଦେଇଥିଲେ। ଜ୍ୟୋତିଙ୍କ ଶରୀରର ୧୦୦ ଭାଗ ପୋଡ଼ି ଯାଇଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରାଯାଇ ପ୍ରଥମେ ବାଲିପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ପରେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠରେ ସ୍ବାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ହେବାରୁ ତରନ୍ତୁ ଏମ୍ସକୁ ସ୍ଥାନାନ୍ତର କରାଯାଇଥିଲା। ଏମ୍ସ ବର୍ଣ୍ଣ ଓ୍ବାର୍ଡରେ ଭର୍ତ୍ତି କରାଯାଇଥିଲା। ଆଜି ଭୋରରୁ ଜ୍ୟୋତିଙ୍କ ମୃତ୍ୟୁ ଘଟିଛି। ଏମ୍ସରେ ଜ୍ୟୋତିଙ୍କ ମୃତଦେହ ବ୍ୟବଚ୍ଛେଦ ହେବ ବୋଲି ସୂଚନା ମିଳିଛି।
ସେପଟେ ନ୍ୟାୟ ପାଇଁ ଜ୍ୟୋତିଙ୍କ ପତ୍ନୀ ଦାବି କରିଛନ୍ତି । ସାବତ ଭାଇ, ମା’, ଯା ଓ ବାପା ମିଶି ଜ୍ୟୋତିଙ୍କୁ ପୋଡ଼ିଦେଇଥିବା ଅଭିଯୋଗ କରିଛନ୍ତି । ଜ୍ୟୋତିଙ୍କ ଶେଷ ବୟାନ ଆଧାରରେ କେବଳ ବାପା ଓ ସାବତ ଭାଇକୁ ପୁଲିସ ଗିରଫ କରିଛି। ଜ୍ୟୋତିଙ୍କୁ ପୋଡ଼ି ମାରିବାରେ ଶାଶୁ ଓ ଯାଙ୍କ ସମ୍ପୃକ୍ତି ଥିବାରୁ ତାଙ୍କୁ ଗିରଫ କରିବାକୁ ଦାବି ହୋଇଛି। ସେମାନଙ୍କୁ ତୁରନ୍ତ ଗିରଫ କରି ନ୍ୟାୟ ଦେବା ପାଇଁ ଜ୍ୟୋତିଙ୍କ ପତ୍ନୀ ଓ ସଢ଼ୁ ଦାବି କରିଛନ୍ତି । ଜ୍ୟୋତିଙ୍କ ପତ୍ନୀ ଓ ତାଙ୍କର ୧୦ ବର୍ଷର ପୁଅ ଥିବାରୁ ତାଙ୍କୁ ସରକାର ସାହାଯ୍ୟ କରିବା ପାଇଁ ନିବେଦନ କରିଛନ୍ତି । ଦୀର୍ଘ ୧୦ ବର୍ଷରୁ ପରିବାରରେ ଜମିବାଡ଼ି ବିବାଦକୁ ନେଇ କଳହ ଲାଗି ରହିଥିଲା ଜଣାପଡିଛି।