କେନ୍ଦ୍ରାପଡ଼ା/ ପଟ୍ଟାମୁଣ୍ଡାଇ ୧୪/୦୮: କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ଅଧୀନ କାଠିଆପଡ଼ା ଗାଁର ଛାତ୍ରୀଙ୍କ ସନ୍ଦିଗ୍ଧ ଆତ୍ମାହୁତି ମାମଲାରେ ପୁଲିସ ପୂର୍ବତନ ପ୍ରେମିକ ପ୍ରମୋଦ ବେହେରାକୁ ଗିରଫ କରିବା ପରେ ତ୍ରିକୋଣୀୟ ପ୍ରେମ ନେଇ ଅସ୍ପଷ୍ଟ ସୁରାକ୍ ପାଇଥିଲା । ଏହାକୁ ଆଧାର କରି ପୁଲିସ ତଦନ୍ତକୁ ଆଗକୁ ବଢ଼ାଇ ଛାତ୍ରୀଙ୍କ ଦ୍ୱିତୀୟ ପୁରୁଷ ବନ୍ଧୁଙ୍କ ପାଖରେ ପହଞ୍ଚିଛି । କୋଲକାତାରେ କାମ କରୁଥିବା ଦ୍ୱିତୀୟ ପୁରୁଷ ବନ୍ଧୁଙ୍କୁ ପୁଲିସ ନିଜ ହେପାଜତକୁ ଆଣିଛି । ସମ୍ପୃକ୍ତ ଯୁବକ ସେଠାରେ ଥିବା ଏକ ଘରୋଇ ସଂସ୍ଥାରେ କାମ କରୁଛନ୍ତି । କେନ୍ଦ୍ରାପଡ଼ା ପୁଲିସର ଏକ ଟିମ୍ ସେଠାରେ ୩ ଦିନ ଡେରା ପକାଇବା ପରେ ତାଙ୍କୁ ଧରି ଗତକାଲି ରାତିରେ କେନ୍ଦ୍ରାପଡ଼ା ଫେରିଛି। ଅପରପକ୍ଷରେ ଛାତ୍ରୀ ୪ ଜଣ ଯୁବକଙ୍କ ସହ ବଂଧୁତ୍ୱ ସମ୍ପର୍କରେ ଓ ଯୋଗାଯୋଗରେ ଥିଲେ ବୋଲି ପୁଲିସ କହିଛି । ପୁଲିସ କୋଲକାତାରୁ ଧରିଥିବା ଦ୍ୱିତୀୟ ପୁରୁଷବନ୍ଧୁ ସହ ସ୍ଥାନୀୟ ଅଞ୍ଚଳର ଅନ୍ୟ ୨ ଯୁବତୀଙ୍କୁ ପଚରାଉଚରା କରୁଛି ।
ପୁଲିସ ଜାଣିବାକୁ ପାଇଛି ସୋସିଆଲ ନେଟୱର୍କିଂ ସାଇଟ୍ ଜରିଆରେ ଛାତ୍ରୀଙ୍କ ସହ ସଂପୃକ୍ତ ଦ୍ୱିତୀୟ ପୁରୁଷ ବନ୍ଧୁଙ୍କର ପରିଚୟ ହୋଇଥିଲା । ପ୍ରଥମେ ବନ୍ଧୁତା ଓ ପରେ ସମ୍ପର୍କ ନିବିଡ଼ ହୋଇଥିଲା । ସେମାନେ ଘଣ୍ଟା ଘଣ୍ଟା ଧରି ଚାଟିଂରେ ବ୍ୟସ୍ତ ରହୁଥିଲେ । ନିୟମିତ ସେ ତାଙ୍କ ପାଖକୁ ଫୋନ୍ ମଧ୍ୟ କରୁଥିଲେ । ଦ୍ୱିତୀୟ ପୁରୁଷ ବନ୍ଧୁଙ୍କ କହିବା କଥା ସେ ଓ ଛାତ୍ରୀଙ୍କର କେବେ ଦେଖା ସାକ୍ଷାତ ହୋଇନାହିଁ । ଯାହା କେବଳ ଫୋନ୍ରେ କଥାବାର୍ତ୍ତା ହୋଇଥିଲା । ସମ୍ପୃକ୍ତ ଯୁବକଙ୍କ ଘର ପଟ୍ଟାମୁଣ୍ଡାଇ ଅଞ୍ଚଳରେ । ସେ ପ୍ରମୋଦକୁ ଜାଣିଛନ୍ତି କି ନାହିଁ, ପ୍ରମୋଦ ସହ ଛାତ୍ରୀଙ୍କର ପୂର୍ବରୁ ସମ୍ପର୍କ ଥିଲା ବୋଲି ସେ ଅବଗତ ଥିଲେ କି ନାହିଁ ସେ ସମ୍ପର୍କରେ ଜଣାପଡ଼ି ନାହିଁ । ଦ୍ୱିତୀୟ ପୁରୁଷ ବନ୍ଧୁଙ୍କ ମୋବାଇଲକୁ ମଧ୍ୟ ପୁଲିସ ଜବତ କରିଛି ।
ଛାତ୍ରୀଙ୍କ ମୋବାଇଲରୁ ପୁଲିସ ପ୍ରଥମେ ପ୍ରମୋଦଙ୍କ ବାବଦରେ ତଥ୍ୟ ପାଇଥିବା ବେଳେ ଏବେ ଦ୍ୱିତୀୟ ପୁରୁଷ ବନ୍ଧୁଙ୍କ ପାଖରେ ପହଞ୍ଚିଛି । ପୂର୍ବରୁ ଜବତ ହୋଇଥିବା ପ୍ରମୋଦର ମୋବାଇଲ ମଧ୍ୟ ପୁଲିସ ପାଖରେ ଅଛି । ଏବେ ଦ୍ୱିତୀୟ ପୁରୁଷ ବନ୍ଧୁଙ୍କ ମୋବାଇଲ ଫୋନ୍ ମିଳିବା ପରେ ପୁଲିସ ୩ ଜଣଙ୍କ ମୋବାଇଲ ମିଳାଇ ମାମଲାର ଖିଅ ଧରିବ ବୋଲି ଆଶା ରଖିଛି । ଯାହା ସୂଚନା ମିଳିଛି ଛାତ୍ରୀଙ୍କ ମୋବାଇଲରେ ଅନେକ ରହସ୍ୟ ଲୁଚି ରହିଛି । ପୁଣି ପୁଲିସ ଜାଣିବାକୁ ପାଇଛି ଯେ କେବଳ ପ୍ରମୋଦ ଅବା ଦ୍ୱିତୀୟ ପୁରୁଷ ବନ୍ଧୁ ନୁହନ୍ତି ଏମାନଙ୍କୁ ମିଶାଇ ଛାତ୍ରୀ ୪ଜଣ ଯୁବକଙ୍କ ସହ ସମ୍ପର୍କରେ ଥିଲେ । ପୁଲିସ ଛାତ୍ରୀଙ୍କ ସହ ପରିଚିତ କାଠିଆପଡ଼ା ଅଞ୍ଚଳର ଅନ୍ୟ ୨ଜଣ ଯୁବତୀଙ୍କୁ ଏସବୁ ବାବଦରେ ପଚରାଉଚରା କରି କିଛି ତଥ୍ୟ ଆଣିଥିବା ସୂଚନା ମିଳିଛି ।
ଏସବୁ ଭିତରେ ଏବେ ସୁଦ୍ଧା ଛାତ୍ରୀଙ୍କ ମୃତ୍ୟୁ ରହସ୍ୟ ଉପରୁ ପରଦା ହଟି ପାରିନାହିଁ । ପୁଲିସ ପ୍ରମୋଦକୁ ଗିରଫ କରି ନିଜ ମୁଣ୍ଡରୁ ଅପାରଗତାର ବୋଝ ଓହ୍ଲାଇ ଦେବାକୁ ଚେଷ୍ଟା କରିଛି ସତ ହେଲେ ଆଜି ମଧ୍ୟ ଅଞ୍ଚଳବାସୀ ଛାତ୍ରୀଙ୍କ ମୃତ୍ୟୁର ପ୍ରକୃତ କାରଣ, ଘଟଣାକ୍ରମ ଓ ଏହା କେମିତି ଘଟିଲା ଜାଣିବାକୁ ଅପେକ୍ଷା କରି ରହିଛନ୍ତି । ଅଭିଯୋଗ ଆଧାରରେ ଛାତ୍ରୀଙ୍କ ମୃତ୍ୟୁ ପାଇଁ ପ୍ରମୋଦର ବ୍ଲାକ୍ମେଲିଂ ଓ ଆପତ୍ତିଜନକ ଭିଡିଓକୁ ଦାୟୀ କରାଯାଇଥିବା ବେଳେ ପ୍ରମୋଦ ଶେଷଥର ପାଇଁ ତାଙ୍କ ସହ କ’ଣ କଥା ହୋଇଥିଲା ଅବା ଚାଟିଂ କରିଥିଲା, ଅଦ୍ୟାବଧି ତାହା ପୁଲିସ ସ୍ପଷ୍ଟ କରିପାରିନାହିଁ ।