ନୂଆଦିଲ୍ଲୀ: ଆତ୍ମଘୋଷିତ ବାବା ଆଶାରାମ ବାପୁଙ୍କ ଆବେଦନ ଉପରେ ସୁପ୍ରିମକୋର୍ଟ ଗୁଜରାଟ ସରକାରଙ୍କୁ ଜବାବ ମାଗିଛନ୍ତି । ୨୦୧୩ରେ ଦୁଷ୍କର୍ମ ମାମଲାରେ ଟ୍ରାୟଲ କୋର୍ଟ ଦ୍ବାରା ତାଙ୍କୁ ଦିଆଯାଇଥିବା ଆଜୀବନ କାରାଦଣ୍ଡକୁ ନିଲମ୍ବନ କରିବା ଲାଗି ସୁପ୍ରିମକୋର୍ଟରେ ଆବେଦନ କରିଛନ୍ତି ଆଶାରାମ । ସ୍ବାସ୍ଥ୍ୟଗତ ଆଧାର ଥିଲେ ହିଁ ଆବେଦନର ପରବର୍ତ୍ତୀ ଶୁଣାଣି କରିବେ ବୋଲି ଆଶାରାମଙ୍କ ଓକିଲଙ୍କୁ ଜଷ୍ଟିସ୍ ଏମଏମ ସୁନ୍ଦରେଶ ଏବଂ ଜଷ୍ଟିସ୍ ଅରବିନ୍ଦ କୁମାରଙ୍କ ଖଣ୍ଡପୀଠ କହିଛନ୍ତି ।
ଡିସେମ୍ବର ୧୩ରେ ପରବର୍ତ୍ତୀ ଶୁଣାଣି କରିବାକୁ ତାରିଖ ଦେବା ସହ ଖଣ୍ଡପୀଠ କହିଛନ୍ତି, ଆମେ ଗୁଜରାଟ ସରକାରଙ୍କୁ ନୋଟିସ କରିଛୁ । କିନ୍ତୁ ସ୍ବାସ୍ଥ୍ୟଗତ ଆଧାର ଉପରେ ହିଁ ଆମେ ବିଚାର କରିବୁ । ଏହା ପୂର୍ବରୁ ୨୦୨୩ରେ ଆଜୀବନ କାରାଦଣ୍ଡ ନିଲମ୍ବନ ନେଇ ଆଶାରାମଙ୍କ ଆବେଦନକୁ ଗୁଜରାଟ ହାଇକୋର୍ଟ ଖାରଜ କରି ଦେଇଥିଲେ । ଏହା ସହ ଆଶାରାମଙ୍କୁ ଜାମିନ ଦେବାକୁ ମଧ୍ୟ ହାଇକୋର୍ଟ ମନା କରିଥିଲେ ।
ଜାନୁଆରୀ ୨୦୨୩ରେ ସେସନ କୋର୍ଟ ଆଶାରାମାଙ୍କୁ ଦୁଷ୍କର୍ମ ମାମଲାରେ ଦୋଷୀ ସାବ୍ୟସ୍ତ କରିଥିଲେ । ଗାନ୍ଧୀନଗର ପାଖରେ ଥିବା ତାଙ୍କ ଆଶ୍ରମରେ ରହୁଥିବା ଜଣେ ମହିଳାଙ୍କ ଦ୍ବାରା ଏହି ମାମଲା ଦାୟର କରାଯାଇଥିଲା । ଆଶାରାମ ଅନ୍ୟ ଏକ ଦୁଷ୍କର୍ମ ମାମଲାରେ ରାଜସ୍ଥାନର ଯୋଧପୁର ଜେଲରେ ବନ୍ଦୀ ଅଛନ୍ତି । ସେପଟେ ସାବରମତୀ ଆଶ୍ରମରେ ଦୁଇ ଜଣ ଯୁବତୀଙ୍କ ହତ୍ୟା ଏବଂ ପୀଡ଼ିତାଙ୍କ ସଂପର୍କୀୟଙ୍କୁ ଆକ୍ରମଣ ମାମଲାରେ ମଧ୍ୟ କୋର୍ଟ ଶୁଣାଣି କରିଥଲେ । ଆଶାରାମ ନିଜ ଆବେଦନରେ କହିଥିଲେ ଯେ, ସେ ଏକ ଚକ୍ରାନ୍ତର ଶିକାର ହୋଇଛନ୍ତି ଏବଂ ଦୁଷ୍କର୍ମ ଅଭିଯୋଗ ମିଥ୍ୟା ।
ସେହିଭଳି ଯୋଧପୁର ଦୁଷ୍କର୍ମ ମାମଲାରେ ଦୋଷୀ ସାବ୍ୟସ୍ତ ହେବା ବିରୋଧରେ ଆଶାରାମଙ୍କ ଆବେଦନ ରାଜସ୍ଥାନ ହାଇକୋର୍ଟରେ ପଡ଼ି ରହିଛି । ଚଳିତ ବର୍ଷ ଜାନୁଆରୀରେ ଆଶାରାମଙ୍କ ଆବେଦନକୁ ଖାରଜ କରିଥିଲେ ରାଜସ୍ଥାନ ହାଇକୋର୍ଟ । ଏହା ପରେ ତାଙ୍କର ଆବେଦନ ଉପରେ ଶୁଣାଣି ହୋଇନାହିଁ ।