ନୂଆଦିଲ୍ଲୀ ୧୩/୦୩: ଦୀର୍ଘ ସମୟ ଧରି ମନୁଷ୍ୟକୁ ବିସ୍ମିତ କରି ରଖିଛି ଆର୍କଟିକ୍ (ମେରୁ) । ପୃଥିବୀର ସର୍ବୋଚ୍ଚରେ ସ୍ଥିତ ଏହି ହିମ ଭୂଖଣ୍ଡରୁ ଏବେ କିନ୍ତୁ ଗମ୍ଭୀର ଚିନ୍ତାଜନକ ସଙ୍କେତ ଆସୁଛି । ବୈଜ୍ଞାନିକମାନେ ଏହାକୁ ନେଇ ଅତ୍ୟନ୍ତ ଚିନ୍ତାରେ । କାରଣ ଟ୍ରମ୍ପ୍ ପ୍ରଶାସନ ବିଶ୍ୱ ଜଳବାୟୁ ରଣନୀତିରୁ ଆମେରିକାକୁ ବାହାର କରିଦେଉଛି ଏବଂ ଏହାର ବିଜ୍ଞାନ ଏଜେନ୍ସିଗୁଡ଼ିକୁ ମଧ୍ୟ ବନ୍ଦ କରିଦେଉଛି ।
ଗତ ମାସ ସ୍ଥିତି ଚରମରେ ପହଞ୍ଚିଥିଲା । ଆର୍କଟିକ୍ର ଅନେକ କ୍ଷେତ୍ରରେ ତାପମାତ୍ରା ୩୬ ଡିଗ୍ରୀ ଫାରେନ୍ହାଇଟ୍ (୨୦ ଡିଗ୍ରୀ ସେଲ୍ସିୟସ୍)ରେ ପହଞ୍ଚିଥିଲା, ଯାହା ସାଧାରଣରୁ ଅଧିକ । ମାସ ଶେଷ ସୁଦ୍ଧା ସମୁଦ୍ର ବରଫ ସର୍ବକାଳୀନ ନିମ୍ନ ସ୍ତରରେ ଥିଲା, ଯାହା ଲଗାତାର ୩ୟ ମାସ ରେକର୍ଡ ନିମ୍ନ ସ୍ତର । ଭୟଙ୍କର ବନାଗ୍ନି ଓ ପର୍ମାଫ୍ରଷ୍ଟ୍ (ମେରୁ କ୍ଷେତ୍ରରେ ବର୍ଷତମାମ ବରଫାବସ୍ଥାରେ ରହୁଥିବା ମାଟିର ବହଳ ପରସ୍ତ) ନିରନ୍ତର ତରଳୁଛି । ଏଥିପାଇଁ ଗ୍ରହର ଉତ୍ତାପ ବୃଦ୍ଧି ଫଳରେ ଉକ୍ତ କ୍ଷେତ୍ରରୁ ଚିନ୍ତାଜନକ ସଙ୍କେତ ମିଳିବାର ବର୍ଷେ ପରେ ଏହି ସ୍ଥିତି ସାମ୍ନାକୁ ଆସିଛି । ମଣିଷ ନିରନ୍ତର ଜୀବାଶ୍ମ ଇନ୍ଧନ ଜାଳୁଥିବାରୁ ଏହି ସ୍ଥିତି ଗତ ଦୁଇ ଦଶନ୍ଧି ଧରି ମେରୁ କ୍ଷେତ୍ରର ଗମ୍ଭୀର ଚିତ୍ରକୁ ବର୍ଣ୍ଣନା କରୁଛି ।
ଆର୍କଟିକ୍ ଏବେ ଏକ ନୂଆ ସ୍ଥିତି ମଧ୍ୟରେ ରହିଛି, ଯେଉଁଠି ସମୁଦ୍ର ବରଫ କ୍ଷୟ ଓ ମହାସାଗର ତାପମାତ୍ରା ବୃଦ୍ଧି ଭଳି ସଙ୍କେତ ସର୍ବଦା ରେକର୍ଡ ଭାଙ୍ଗିନପାରେ । ତଥାପି ଅତୀତ ତୁଳନାରେ ନିରନ୍ତର ଅଧିକରୁ ଅଧିକ ଚରମ ହେବାରେ ଲାଗିଛି । ନ୍ୟାସନାଲ ଓସେନିକ୍ ଆଣ୍ଡ ଆଟ୍ମୋସପିଅରିକ୍ ଆଡ୍ମିନିଷ୍ଟ୍ରେସନ୍ (ନୋଆ) ନିଜର ବାର୍ଷିକ ଯାଞ୍ଚ୍ ରିପୋର୍ଟରେ ଏହା ସ୍ପଷ୍ଟ କରିଛି ।
ନ୍ୟାସନାଲ ସ୍ନୋ ଆଣ୍ଡ୍ ଆଇସ୍ ଡାଟା ସେଣ୍ଟର୍ର ପ୍ରମୁଖ ବୈଜ୍ଞାନିକ ଟ୍ୱିଲା ମୁନ୍ କହିଛନ୍ତି, ଏହା ଏଭଳି ଏକ ସମସ୍ୟା ଯାହାର ପ୍ରଭାବ ବିଶ୍ୱ ଉପରେ ରହିଛି । ମେରୁ ବା ଆର୍କଟିକ୍ କ୍ଷେତ୍ର ବିଶ୍ୱ ତାପମାତ୍ରା ଓ ଜଳବାୟୁ ପ୍ରଣାଳୀରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରେ । ଏହା ଆମ ଗ୍ରହୀୟ ଏୟାର କଣ୍ଡିସନିଂ ସିଷ୍ଟମ୍ ଭଳି । ମେରୁ ବରଫ ହ୍ରାସ ବିଶ୍ୱ ଉତ୍ତାପନ ବୃଦ୍ଧି କରେ । ସମୁଦ୍ର ସ୍ତର ବୃଦ୍ଧିକୁ ବଢ଼ାଏ ଏବଂ ଅଧିକରୁ ଅଧିକ ଚରମ ଜଳବାୟୁ ସ୍ଥିତିର କାରଣ ହୁଏ । ଗତ ମାସ ସମୁଦ୍ର ବରଫ ମାତ୍ରା ୧୩.୭ ନିୟୁତ ବର୍ଗ କିମି ମପାଯାଇଥିଲା । ଏହା ୧୯୯୧-୨୦୨୦ ଫେବ୍ରୁଆରୀର ରେକର୍ଡଠୁ ୮ ପ୍ରତିଶତ କମ୍ ଥିଲା । ୨୦୨୪ ମସିହା ଡିସେମ୍ବରଠୁ ପ୍ରତ୍ୟେକ ମାସ ଏହି ମାତ୍ରା ହ୍ରାସ ପାଉଥିବା ରେକର୍ଡ କରାଯାଇଛି ।
ବୈଜ୍ଞାନିକଙ୍କ ଅନୁସାରେ, ଜଳବାୟୁ ପରିବର୍ତ୍ତନ ପାଇଁ ମେରୁ ହେଉଛି ପ୍ରାରମ୍ଭିକ ଚେତାବନୀ । ମେରୁ ସଙ୍କଟରେ ଅଛି ବୋଲି ସମୁଦ୍ର ବରଫ କ୍ଷୟ ତା’ର ସ୍ପଷ୍ଟ ସଙ୍କେତ ଦେଇଥାଏ । ବର୍ଷର ଏହି ସମୟରେ ମେରୁ ନିଜର ବାର୍ଷିକ ଚରମ ସ୍ତରରେ ପହଞ୍ଚିବା କଥା । କିନ୍ତୁ ଏହା ବଦଳରେ ଏଠାରେ ଲଗାତାର ହ୍ରାସ ରେକର୍ଡ ହେଉଛି । ଆର୍କଟିକ୍ ସମୁଦ୍ର ବରଫ ଗ୍ରୀଷ୍ମଋତୁ ଶେଷରେ ସେପ୍ଟେମ୍ବରରେ ତରଳିଯାଏ । ଗତ ୧୮ ବର୍ଷରେ ସର୍ବନିମ୍ନ ସମୁଦ୍ର ବରଫ ସ୍ତର ରେକର୍ଡ ହୋଇଛି । ଏହି ହ୍ରାସ ଜାରି ରହିବ ବୋଲି ବୈଜ୍ଞାନିକମାନେ କହୁଛନ୍ତି ।
ହାମ୍ବର୍ଗ ବିଶ୍ୱବିଦ୍ୟାଳୟର ସମୁଦ୍ର ବରଫ ବିଭାଗ ମୁଖ୍ୟ ଡିର୍କ ନୋଜ୍ ଏକ ରିପୋର୍ଟରେ ଦର୍ଶାଇଛନ୍ତି, ୨୦୫୦ ମସିହା ଗ୍ରୀଷ୍ମଋତୁରେ ବରଫ-ମୁକ୍ତ ହୋଇଯିବ ମେରୁ । ମଣିଷ ଜଳବାୟୁ ପ୍ରଦୂଷଣ ବନ୍ଦ କରିଦେଲେ ମଧ୍ୟ ଏହାକୁ ଅଟକାଇ ପାରିବେ ନାହିଁ । କାରଣ ଏହି ବିପଦକୁ ରୋକିବା ଖୁବ୍ ବିଳମ୍ବ ହୋଇସାରିଛି ବୋଲି ସେ କହିଛନ୍ତି । ଗତ ଡିସେମ୍ବରରେ ପ୍ରକାଶିତ ଏକ ଅଧ୍ୟୟନ ଅନୁସାରେ, ଏହି ଦଶନ୍ଧି ଶେଷ ପୂର୍ବରୁ ମେରୁରେ ପ୍ରଥମ ‘ବରଫ- ମୁକ୍ତ ଦିନ’ ଘଟଣା ଘଟିପାରେ । ସମୁଦ୍ର ବରଫ କ୍ଷୟ କେବଳ ବନ୍ୟଜୀବକୁ କ୍ଷତି ପହଞ୍ଚାଉ ନାହିଁ, ମେରୁରେ ବାସ କରୁଥିବା ଉଦ୍ଭିଦ ଜଗତ ଓ ପ୍ରାୟ ୪୦ ଲକ୍ଷ ଲୋକଙ୍କ ପାଇଁ ବିପଦ ସୃଷ୍ଟି କରୁଛି । ଏହାର ବୈଶ୍ୱିକ ପରିଣାମ ରହିଛି । ସମୁଦ୍ର ବରଫ ଏକ ବିଶାଳ ଆଇନା ଭଳି କାମ କରେ ।
ସୂର୍ଯ୍ୟାଲୋକକୁ ପୃଥିବୀରୁ ପରିବର୍ତ୍ତିତ କରି ମହାକାଶକୁ ଫେରାଇ ଦିଏ । କିନ୍ତୁ ଏହା ସଙ୍କୁଚିତ ହେଉଥିବାରୁ ସୂର୍ଯ୍ୟର ଉର୍ଜ୍ଜାକୁ ମହାସାଗର ଅଧିକ ଅବଶୋଷଣ କରୁଛି, ଯାହା ବିଶ୍ୱ ଉତ୍ତାପନକୁ ବୃଦ୍ଧି କରୁଛି । ମେରୁରେ ଅସ୍ୱାଭାବିକ ଉତ୍ତାପ ସମୁଦ୍ର ବରଫ ରେକର୍ଡ ନିମ୍ନ ସ୍ତରକୁ ଖସିବାର ଅନ୍ୟତମ କାରଣ । ମେରୁ ଉତ୍ତାପ ବୈଶ୍ୱିକ ହାରାହାରି ସ୍ତର ଅପେକ୍ଷା ପ୍ରାୟ ୪ ଗୁଣ ଅଧିକ ଦ୍ରୁତ ବେଗରେ ବୃଦ୍ଧି ପାଉଛି । ଅଧ୍ୟୟନକର୍ତ୍ତା ରାନ୍ଟାନେନ୍ କହିଛନ୍ତି, ଫେବ୍ରୁଆରୀ ଆରମ୍ଭରେ ଚରମ ଉତ୍ତାପ ସର୍ବକାଳୀନ ସବୁଠୁ ଶକ୍ତିଶାଳୀ ଥିଲା । ୧୯୭୦ ଦଶକଠୁ ସାଟେଲାଇଟ୍ ଯୁଗରେ ସବୁଠୁ ତୀବ୍ର ମେରୁ ଉତ୍ତାପର ଶୀର୍ଷ ୩ ଘଟଣାରେ ଏହା ଅନ୍ୟତମ ଥିଲା ବୋଲି ସେ ଆକଳନ କରିଛନ୍ତି ।
ଟ୍ୱିଲା ମୁନ୍ କହିଛନ୍ତି, ମେରୁ ଭୂଖଣ୍ଡ ବଦଳୁଛି । ପର୍ମାଫ୍ରଷ୍ଟ୍ ବ୍ୟାପକ ଭାବେ ତରଳିବା (ମାଟି, ପଥର ଓ ପଙ୍କର ମିଶ୍ରଣ ଯାହା ବରଫ ଦ୍ୱାରା ଏକତ୍ର ରହିଛି) ଯୋଗୁ ଗ୍ରହ ଉତ୍ତାପକାରୀ ଅଙ୍ଗାରକାମ୍ଳ ଓ ମିଥେନ ଗ୍ୟାସ୍ ଉତ୍ପନ୍ନ କରୁଛି । ବନାଗ୍ନି ଘଟଣା ନିରନ୍ତର ଆହୁରି ତୀବ୍ର ହୋଇଛି । ଗତ ୫ ବର୍ଷରେ ଗତ ବର୍ଷ ୩ୟ ଥର ମେରୁ କ୍ଷେତ୍ରରେ ବ୍ୟାପକ ନିଆଁ ଲାଗିଥିଲା । ନ୍ୟାସନାଲ ଓସେନିକ୍ ଆଣ୍ଡ ଆଟ୍ମୋସପିଅରିକ୍ ଆଡ୍ମିନିଷ୍ଟ୍ରେସନ୍ (ନୋଆ) ଅନୁସାରେ, ଏହିସବୁ ପରିବର୍ତ୍ତନ ମୂଳତଃ ପରିସଂସ୍ଥାନକୁ ପରିବର୍ତ୍ତନ କରୁଛି । ହଜାର ହଜାର ବର୍ଷ ଧରି ଆର୍କଟିକ୍ ତୁନ୍ଦ୍ରାର ଶ୍ରୁବି ଭୂଖଣ୍ଡ ଅଙ୍ଗାରକ ଗଚ୍ଛିତ ରଖୁଥିଲା । କିନ୍ତୁ ବନାଗ୍ନି ଓ ପର୍ମାଫ୍ରଷ୍ଟ୍ ତରଳିବା ଯୋଗୁ ଏହି କ୍ଷେତ୍ର ଏବେ ଯେତିକି ଅଙ୍ଗାରକ ଗଚ୍ଛିତ କରୁଛି, ତା’ଠୁ ଅଧିକ ଛାଡୁଛି ।
ମେରୁରେ ଏବେ ଅତ୍ୟନ୍ତ ଗମ୍ଭୀର ପରିବର୍ତ୍ତନ ଘଟୁଛି ବୋଲି ମୁନ୍ କହିଛନ୍ତି । ମେରୁରେ ଯାହା ଘଟେ, ତା’ର ପ୍ରଭାବ ସମଗ୍ର ପୃଥିବୀ ଉପରେ ପଡ଼େ । ମେରୁ ଉତ୍ତାପ ବୃଦ୍ଧି ହେଲେ, ବରଫ ଭୂଖଣ୍ଡ ଅର୍ଥାତ୍ ଗ୍ଲେସିଅର ଓ ବରଫ ଚାଦର ଦ୍ରୁତ ବେଗରେ ତରଳେ । ଏହା ଯୋଗୁ ସମୁଦ୍ର ସ୍ତର ବୃଦ୍ଧି ହୁଏ । ଗ୍ରୀନ୍ଲାଣ୍ଡ ବରଫ ଚାଦର ବର୍ଷରେ ପ୍ରାୟ ୨୮ ହଜାର କୋଟି ଟନ୍ ବରଫ ହରାଇଛି ।