ବଡ଼ଚଣା,୧୩/୧୧ : ବିଶ୍ୱବିଖ୍ୟାତ ରତ୍ନଗିରିର ବୌଦ୍ଧପୀଠ ଠାରେ ପ୍ରତ୍ନତାତ୍ତ୍ୱିକ ଉତ୍ଖନନ କାର୍ଯ୍ୟ ଖୁବ୍ଶୀଘ୍ର ଆରମ୍ଭ ହେବ । କେନ୍ଦ୍ର ସରକାରଙ୍କ ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା(ଏଏସ୍ଆଇ) ପକ୍ଷରୁ ମଙ୍ଗଳବାର ବିଧିବଦ୍ଧ କ୍ଷେତ୍ର ସର୍ବେକ୍ଷଣ ପରେ ଏହି ସୂଚନା ପୁରୀ ସର୍କଲ ମୁଖ୍ୟ ତଥା ପ୍ରତ୍ନତତ୍ତ୍ୱ ଅଧୀକ୍ଷକ ଡ. ଦିବିଶଦ ବ୍ରଜସୁନ୍ଦର ଗଡ଼ନାୟକ ଦେଇଛନ୍ତି । ୧୬୦୦ ବର୍ଷ ତଳର ବିକଶିତ ବହୁ ପୁରାତନ ବୌଦ୍ଧକୀର୍ତ୍ତି ରତ୍ନଗିରିରୁ ଆବିଷ୍କୃତ ହୋଇଥିଲା । ବିଭିନ୍ନ ସମୟରେ ଖନନ ପରେ ଦୁଇଟି ବିଶାଳ ବୌଦ୍ଧମହାବିହାର, ଏକ ପୁରାତନ ମହାକାଳ ମନ୍ଦିର ଏବଂ ଇଟା ନିର୍ମିତ ଏକ ମହାସ୍ତୁପର ସନ୍ଧାନ ମିଳିଥିଲା । ଭୌମକର ଶାସନ ସମୟରେ ଖ୍ୟାତିର ଶୀର୍ଷରେ ପହଞ୍ଚି ଥିବା ରତ୍ନଗିରି ଠାରେ ଥିଲା ଭାରତବର୍ଷର ଏକ ପ୍ରାଚୀନତମ ବୌଦ୍ଧ ବିଶ୍ୱବିଦ୍ୟାଳୟ । ସେଠାରେ ଦେଶ ବିଦେଶରୁ ଆସି ଯୁବ ବୌଦ୍ଧଶ୍ରମଣ ଓ ବୌଦ୍ଧ ପଣ୍ଡିତମାନେ ଯୋଗାଚାର ବିଜ୍ଞାନବାଦ ସମେତ ଅନେକ ବୌଦ୍ଧଶାସ୍ତ୍ର ଅଧ୍ୟୟନ କରୁଥିଲେ । ମୋଟ ଉପରେ ରତ୍ନଗିରି ଥିଲା ବୌଦ୍ଧ ତନ୍ତ୍ରଯାନର ଏକ ପ୍ରସିଦ୍ଧ ପୀଠ ।
ଡ. ଗଡ଼ନାୟକଙ୍କ ସୂଚନା ମୁତାବକ, ହୀରକ ତ୍ରିଭୁଜ ବୌଦ୍ଧ ସର୍କିଟ ଅନ୍ତର୍ଗତ ଲଳିତଗିରିଉଦୟଗିରି-ରତ୍ନଗିରି ମଧ୍ୟରୁ ରତ୍ନଗିରିକୁ ଛାଡ଼ି ଅନ୍ୟତ୍ର ଚୈତଗୃହର ସନ୍ଧାନ ମିଳିଛି । ରତ୍ନଗିରି ମହାବିହାର-୨ ସାମ୍ନାରେ ଥିବା ପୁରାତନ ମହାକାଳ ମନ୍ଦିର ପଛପାଶ୍ୱର୍ ଖନନ କରାଯିବ । ରତ୍ନଗିରିରୁ କୌଣସି ଚୈତଗୃହ ବାହାରିନି । ସମ୍ଭବତଃ ଏହାର ମୁଖ୍ୟ ଉପାସନା ଗୃହ କମ୍ପେ୍ଲକ୍ସ ମାଟିତଳେ ପୋତି ହୋଇରହିଛି । ଉଲ୍ଲେଖନୀୟ ଘଟଣା ହେଲା, ଏହି ଖନନ କାର୍ଯ୍ୟରେ ଉତ୍କଳ ବିଶ୍ୱବିଦ୍ୟାଳୟ, ସମ୍ବଲପୁର ବିଶ୍ୱବିଦ୍ୟାଳୟ ଓ ଆସାମ କଟନ ବିଶ୍ୱବିଦ୍ୟାଳୟର ଇତିହାସ ବିଭାଗର ଛାତ୍ରମାନେ ପର୍ଯ୍ୟାୟକ୍ରମେ ସାମିଲ ହେବେ । ଚଳିତ ମାସ ୨୦ ତାରିଖରୁ ଏହି ଖନନ କାର୍ଯ୍ୟ ନିମନ୍ତେ ପ୍ରାରମ୍ଭିକ ପରିଯୋଜନା ପ୍ରସ୍ତୁତ କରାଯିବ । ଖନନ କାର୍ଯ୍ୟ ପର୍ଯ୍ୟାୟକ୍ରମେ ଏବଂ ଦୀର୍ଘଦିନ ଧରି ଚାଲିବ । ରତ୍ନଗିରିରେ ପାନୀୟଜଳ, ଶୌଚାଳୟ ଓ ଅନ୍ୟାନ୍ୟ ବ୍ୟବସ୍ଥାର ବିଶେଷ ସୁବିଧା ନାହିଁ । ଖନନକାରୀମାନେ ରହିବା ସହିତ ସେମାନଙ୍କ ପାଇଁ ଆନୁସଙ୍ଗିକ ବ୍ୟବସ୍ଥା କରାଯିବ ।
ସୂଚନାଯୋଗ୍ୟ ଯେ, ପ୍ରାୟ ୬୬ ବର୍ଷ ପୂର୍ବେ ୧୯୫୮ ମସିହାରେ ରତ୍ନଗିରି ବୌଦ୍ଧପୀଠର ପ୍ରଥମ ଉତ୍ଖନନ କାର୍ଯ୍ୟ ଆରମ୍ଭ ହୋଇଥିଲା । ଦୁଇଟି ନଦୀ ଓ ନାଳ ପାରି ହୋଇ ଏଏସ୍ଆଇ ର କୋଲକାତା କାର୍ଯ୍ୟାଳୟର ଜଣେ ମହିଳା ପ୍ରତ୍ନତତ୍ତ୍ୱବିତ୍ ଡ. ଦେବଳା ମିତ୍ର ପ୍ରତିକୂଳ ପରିସ୍ଥିତିରେ ରହି ଦୀର୍ଘ ୪ବର୍ଷ ଧରି ୧୯୬୨ ମସିହା ପର୍ଯ୍ୟନ୍ତ ରତ୍ନଗିରିର ଖନନ କରି ବହୁ ବିରଳ କୀର୍ତ୍ତିରାଜି ମାଟିତଳୁ ଆବିଷ୍କାର କରିଥିଲେ । ରତ୍ନଗିରିର ଖନନରୁ ମିଳିଥିବା ପ୍ରାୟ ୩୦୦୦ ରୁ ଅଧିକ ପ୍ରାଚୀନ ଏବଂ ଦୁର୍ଲ୍ଲଭ କଳାକୃତୀ ରତ୍ନଗିରି ସଂଗ୍ରହାଳୟରେ ସ୍ଥାନ ପାଇଛି । ଖନନ ସମୟରେ "ଶ୍ରୀ ରତ୍ନଗିରି ମହାବିହାର ଆର୍ଯ୍ୟଭିକ୍ଷୁ ସଂଘ' ଲେଖାଥିବା ପୋଡ଼ାମାଟିର ସିଲ୍ରୁ ଏଠାରେ ଏକ ପୁରାତନ ବିଶ୍ୱବିଦ୍ୟାଳୟର ସନ୍ଧାନ ମିଳିଥିଲା । ୫ମ ଶତାବ୍ଦୀରୁ ଆରମ୍ଭ ହୋଇ ସପ୍ତମ ଶତାବ୍ଦୀରେ ବିକଶିତ ହୋଇଥିଲା ରତ୍ନଗିରିର ପ୍ରାଚୀନ ବୌଦ୍ଧପୀଠ । ଖନନରୁ ସହସ୍ରାଧିକ ଭୋଟିପ୍(ମାନସିକ) ସ୍ତୁପ ମଧ୍ୟ ଆବିଷ୍କୃତ ହୋଇଥିଲା । ଜିଲ୍ଲା ସଂସ୍କୃତି ପରିଷଦର ସଦସ୍ୟ ସାମ୍ବାଦିକ ଶୁଭେନ୍ଦୁ କୁମାର ଭୂୟାଁ କହିଛନ୍ତି ଯେ, ପ୍ରାୟ ୨୪ ବର୍ଷ ପରେ ଆରମ୍ଭ ହେବାକୁ ଥିବା ବହୁ ପୁରାତନ ରତ୍ନଗିରି ବୌଦ୍ଧପୀଠ ଖନନରୁ ଇତିହାସର ଅନାଲୋଚିତ ତଥ୍ୟ ଲୋକଲୋଚନକୁ ଆସିବ । ରତ୍ନଗିରିର ପ୍ରାଚୀନ ବୌଦ୍ଧ କୀର୍ତ୍ତିରାଜି ଇତିହାସର ଗବେଷଣା ଓ ଅଧ୍ୟୟନରେ ନୂଆ ଦିଗ୍ଦର୍ଶନ ଦେବ ।