ଭୁବନେଶ୍ୱର,୨୦/୧୨: ବଗ ଭଳି ଲମ୍ବା ଲମ୍ବା ଗୋଡ଼ । ଧଳା ଗେରୁଆ ରଙ୍ଗ ମିଶା ଚେହେରାକୁ କଳା ମଚମଚ ଥଣ୍ଟ । ଚିଲିକା, ଭିତରକନିକା ଓ ହୀରାକୁଦ ଜଳ ଭଣ୍ଡାରରେ ଆକର୍ଷଣର କେନ୍ଦ୍ର ବିନ୍ଦୁ ପାଲଟିଛି ଫ୍ଲେମିଙ୍ଗୋ । ଏହି ବିଦେଶୀ ପକ୍ଷୀର ଠିକଣା କେଉଁଠି? କେତେ ଦୂରରୁ ଏମାନେ ଉଡି ଓଡିଶା ଆସୁଛନ୍ତି? ଏମାନେ ସାଇବେରିଆରୁ ଆସୁଛନ୍ତି ନା ଅନ୍ୟ କେଉଁଠି ଇଲାକା ଏମାନଙ୍କ ଏନ୍ତୁଡିଶାଳ । ଆଗାମୀ ପକ୍ଷୀ ଗଣନା ବେଳେ ବନ ବିଭାଗ ଏନେଇ ଗବେଷଣା କରିବ ।
ପ୍ରଧାନ ମୁଖ୍ୟ ବନ ସଂରକ୍ଷକ (ବନ୍ୟପ୍ରାଣୀ) ପ୍ରେମ କୁମାର ଝା କହିଛନ୍ତି, ଜାନୁଆରୀ ୧୮ରେ ଆରମ୍ଭ ହେବାକୁ ଥିବା ପକ୍ଷୀ ଗଣନା ବେଳେ ଫ୍ଲେମିଙ୍ଗୋ ପକ୍ଷୀ କେଉଁଠୁ ଆସୁଛନ୍ତି, ତାହା ଟ୍ରାକିଙ୍ଗ କରାଯିବ । ଭାରତୀୟ ବନ୍ୟପ୍ରାଣୀ ପ୍ରତିଷ୍ଠାନ (ଡବ୍ଲୁଆଇଆଇ) ଏହି ଗବେଷଣାର ମଙ୍ଗ ଧରିବେ । ବନ ବିଭାଗ ଅଧିକାରୀମାନେ ସହଯୋଗ କରିବେ । ୧୦ଟି ଫ୍ଲେମିଙ୍ଗୋର ଗୋଡ଼ରେ ସାଟେଲାଇଟ ଟ୍ରାକିଙ୍ଗ ରିଙ୍ଗ ଲଗାଯିବ । ନିଜ ଇଲାକାକୁ ଫେରିବା ବେଳେ ପକ୍ଷୀମାନଙ୍କର ଗତିବିଧିକୁ ଟ୍ରାକ କରାଯିବ । ଶୀତ ପରେ କେଉଁ ଦେଶକୁ ଫେରୁଛନ୍ତି, ତାହା ଏହି ସାଟେଲାଇଟ ଟ୍ରାକିଙ୍ଗ ରିଙ୍ଗ୍ ଦ୍ୱାରା ସ୍ପଷ୍ଟ ହୋଇଯିବ ।
ଶ୍ରୀ ଝା କହିଛନ୍ତି, ଶୀତ ଋତୁ ଆରମ୍ଭରେ ଓଡ଼ିଶାର ଚିଲିକା, ଭିତରକନିକା ଓ ହୀରାକୁଦ ଜଳ ଭଣ୍ଡାରରେ ବିଦେଶାଗତ ପକ୍ଷୀଗୁଡି଼କର ସମାଗମ ହୋଇଥାଏ । ଚଳିତଥର ରାଜ୍ୟବ୍ୟାପୀ ଗୋଟିଏ ଦିନରେ ହିଁ ପକ୍ଷୀ ଗଣାଯିବ । ଜାନୁଆରୀ ୧୬ରୁ ଗଣନା ପ୍ରକ୍ରିୟା ଆରମ୍ଭ ହେବ । ସେଦିନ ବିଭିନ୍ନ ଶିକ୍ଷାନୁଷ୍ଠାନ ଛାତ୍ରଛାତ୍ରୀ ଓ ପକ୍ଷୀ ବିଶେଷଜ୍ଞ ଓ ପକ୍ଷୀ ସୁରକ୍ଷା ସମିତି ସଦସ୍ୟଙ୍କୁ ଗଣନାରେ ସାମିଲ କରାଯିବ । ତା’ ପରଦିନ ପରୀକ୍ଷାମୂଳକ ଭାବେ ପକ୍ଷୀ ଗଣନା ଚାଲିବ । ୧୮ ତାରିଖରେ ସମସ୍ତ ଜଳାଶୟ ଓ ଜଳଭଣ୍ଡାରରେ ଜିପିଏସ୍, ଟେଲିସ୍କୋପ୍, ବାଇନାକୁଲାର, ସ୍ପୋଟିଂସ୍କୋପ୍ ଜରିଆରେ ପକ୍ଷୀ ଗଣାଯିବ ।
ପୂର୍ବତନ ପିସିସିଏଫ ବିଜୟ କେତନ ପଟ୍ଟନାୟକ କହିଛନ୍ତି, ଓଡି଼ଶା ପର୍ଯ୍ୟଟନର ଏକ ଅଭିନ୍ନ ଅଙ୍ଗ ପାଲଟିଛି ଫ୍ଲେମିଙ୍ଗୋ । ଶୀତଦିନେ ଏମାନେ ସୂଦୁର ସାଇବେରିଆରୁ ଉଡି଼କି ଆସନ୍ତି । ଗୁଜରାଟରୁ ବି ଆସୁଥିବା ଦେଖାଯାଉଛି । ଶୀତ ସରିବା ପରେ ନିଜ ଇଲାକାକୁ ଫେରିଯାନ୍ତି । କିନ୍ତୁ ୩-୪ ବର୍ଷ ଧରି କିଛି ଫ୍ଲେମିଙ୍ଗୋଗୁଡି଼କ ଚିଲିକାରେ ରହୁଛନ୍ତି । ଡବ୍ଲୁଆଇଆଇର ଗବେଷଣା ପରେ ପକ୍ଷୀଗୁଡି଼କ ପ୍ରକୃତ ଠିକଣା ଜଣାପଡି଼ବ । ପ୍ରତି ଜଳାଶୟରେ ଗୋଟିଏ ଦୁଇଟି ଫ୍ଲେମିଙ୍ଗା ଗୋଡ଼ରେ ସାଟେଲାଇଟ ଟ୍ରାକିଙ୍ଗ ରିଙ୍ଗ୍ ଲଗାଇବାକୁ ବନ କର୍ମଚାରୀ ଯୋଜନା କରିଛନ୍ତି ।