ମାଲକାନଗିରି/ଖଇରପୁଟ, ୭।୭(ଆପ୍ର): ବଣ୍ଡାଘାଟିରେ ପୁଣି ଦେଖିବାକୁ ମିଳିଛି ଜନନୀ ଯନ୍ତ୍ରଣା। ଗାଁରେ ଆମ୍ବୁଲାନ୍ସ ପହଁଚିଲା ନାହିଁ, ୭ କିଲୋମିଟର ଭାରରେ ବୁହା ହେଲେ ଗର୍ଭବତୀ। ରାସ୍ତା ନଥିବାରୁ ଦୀର୍ଘ ଦଶ କିଲୋମିଟର ବୋହିଲେ ଗର୍ଭବତୀ ମହିଳାଙ୍କୁ। ବାରମ୍ବାର ଏଭଳି ଜନନୀ ଯନ୍ତ୍ରଣାର ଚିତ୍ର ମାଲକାନଗିରି ଜିଲ୍ଲାରୁ ଆସୁଥିବା ବେଳେ ଆଜି ପୁଣି କିଛି ସମାନ ଦୃଶ୍ୟ ସାମ୍ନାକୁ ଆସିଛି ଜିଲ୍ଲାର ଖଇରପୁଟ ବ୍ଲକ ବଣ୍ଡାଘାଟିରେ।
ସୂଚନା ଅନୁଯାୟୀ ବଣ୍ଡା ଘାଟିର ଭଜଗୁଡା ଗ୍ରାମର ରଞ୍ଜନ ଭଜଙ୍କ ସ୍ତ୍ରୀ ସୁନାଇ ଭଜ ଗର୍ଭଯନ୍ତ୍ରଣା ଅନୁଭବ କରିବାରୁ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେବା ପାଇଁ ଆମ୍ବୁଲାନ୍ସକୁ ଫୋନ କରିଥିଲେ ପରିବାର ଲୋକେ। ତେବେ ଭଲ ରାସ୍ତା ନଥିବା ଓ ଶୋଚନୀୟ ଅବସ୍ଥା ଯୋଗୁ ଆମ୍ବୁଲାନ୍ସଟି ଗାଁରେ ପହଁଚି ପାରି ନଥିଲା। ତୁସେଇପଡା ଗାଁ ମୁଣ୍ଡରେ ଆମ୍ବୁଲାନ୍ସ ଅଟକି ରହିଥିବା ବେଳେ ପରିବାର ଲୋକେ ଓ ଆଶା ଦିଦିଙ୍କ ସହିତ ଦୀର୍ଘ ସାତ କିଲୋମିଟ ବୋହି ଆମ୍ବୁଲାନ୍ସ ପାଖକୁ ନିଆଯାଇଥିଲା।
ସେଠାରୁ ଆମ୍ବୁଲାନ୍ସ ଯୋଗେ ଖଇରପୁଟ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଗଲା। ସ୍ୱାସ୍ଥ୍ୟକେନ୍ଦ୍ରରେ ଏକ ପୁତ୍ର ସନ୍ତାନ ଜନ୍ମ ଦେଇଛନ୍ତି ସୁନାଇ। ବର୍ତ୍ତମାନ ମା ପୁଅ ସୁସ୍ଥ ରହିଥିବା ଜଣା ପଡିଛି।