ନୂଆଦିଲ୍ଲୀ: ଭାରତୀୟ ସେନାର 'ଅପରେସନ୍ ସିନ୍ଦୂର' ପରେ ଭୟରେ ପାକିସ୍ତାନ । ପାକିସ୍ତାନରେ ପଶି ଭାରତ ଏୟାର ଷ୍ଟ୍ରାଇକ୍ କରିଛି । ହେଲେ ପାକିସ୍ତାନ ସେନା କୌଣସି ଟେର ପାଇଲା ନାହିଁ । ଏବେ ପାକିସ୍ତାନୀ ସେନା ନିୟନ୍ତ୍ରଣ ରେଖାରେ ଉତ୍ତେଜନା ସୃଷ୍ଟି କରିବାକୁ ଚାହୁଁଛି । ଏଲଓସିରେ ଗୁଳିମାନ ଜାରି ରଖିଛି ପାକିସ୍ତାନ । ଏହାକୁ ନଜରରେ ରଖି ନିୟନ୍ତ୍ରଣ ରେଖା (LoC) ନିକଟବର୍ତ୍ତୀ ଅଞ୍ଚଳରୁ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଉଛି। ପୋଲିସ ଗାଡ଼ି ସାହାଯ୍ୟରେ ସେମାନଙ୍କୁ ସୁରକ୍ଷିତ ସ୍ଥାନକୁ ପଠାଯାଉଛି।
ବାୟୁସେନା ଆକ୍ରମଣ ପରେ ଆତଙ୍କିତ ପାକିସ୍ତାନ ନିୟନ୍ତ୍ରଣ ରେଖା ନିକଟସ୍ଥ ଗ୍ରାମଗୁଡ଼ିକୁ ଟାର୍ଗେଟ କରି ପ୍ରବଳ ଗୁଳିବର୍ଷା କରିଛି । ସେଠାରେ ଗୁଳିକାଣ୍ଡ ପରେ ଲୋକଙ୍କ ସୁରକ୍ଷାକୁ ଆଖି ଆଗରେ ରଖି ସେମାନଙ୍କୁ ଅନ୍ୟ ସ୍ଥାନକୁ ସ୍ଥାନାନ୍ତର କରିବାକୁ ନିଷ୍ପତ୍ତି ନିଆଯାଇଛି । ଭାରତୀୟ ସଶସ୍ତ୍ର ବାହିନୀ ପାକିସ୍ତାନ ଅଧିକୃତ କାଶ୍ମୀର (ପିଓକେ)ରେ ନଅଟି ଆତଙ୍କବାଦୀ ଶିବିର ଉପରେ କ୍ଷେପଣାସ୍ତ୍ର ମାଡ଼ କରିଥିଲା । ଏହା ପରେ ଏଲଓସିରେ ଗୁଳିବର୍ଷା କରିଛି ପାକିସ୍ତାନୀ ସେନା ।
ଜମ୍ମୁକାଶ୍ମୀରର ପୁଞ୍ଚ ଜିଲ୍ଲା ସବୁଠାରୁ ଅଧିକ ପ୍ରଭାବିତ ହୋଇଛି। ପିଟିଆଇ ରିପୋର୍ଟ ଅନୁଯାୟୀ, ଅଧିକାରୀମାନେ କହିଛନ୍ତି ଯେ ପାକିସ୍ତାନର ଅବାଧ ଗୁଳିମାଡ଼ ସୀମାନ୍ତ ବାସିନ୍ଦାଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି କରିଛି । ପୁଞ୍ଚରେ ନିୟନ୍ତ୍ରଣ ରେଖା ନିକଟରେ ଥିବା ବାଲାକୋଟ, ମେନ୍ଧାର, ମାନକୋଟ, କୃଷ୍ଣା ଘାଟି, ଗୁଲପୁର, କେର୍ନି ଏବଂ ଏପରିକି ପୁଞ୍ଚ ଜିଲ୍ଲା ମୁଖ୍ୟାଳୟରେ ଗୁଳିବର୍ଷା ହୋଇଥିବାର ରିପୋର୍ଟ ଆସିଛି । ଫଳରେ ଅନେକ ଘର କ୍ଷତିଗ୍ରସ୍ତ ହୋଇଛି।
ବାରମୁଲ୍ଲା ଜିଲ୍ଲାର ଉରି ସେକ୍ଟରରେ ସୀମାପାର ଗୁଳିମାଡ଼ରେ ପାଞ୍ଚ ଜଣ ନାବାଳକଙ୍କ ସମେତ ଦଶ ଜଣ ଆହତ ହୋଇଥିବା ବେଳେ ରାଜୌରୀ ଜିଲ୍ଲାରେ ଆଉ ତିନି ଜଣ ଆହତ ହୋଇଛନ୍ତି। ସେପେଟ କୁପୱାଡା ଜିଲ୍ଲାର କର୍ଣ୍ଣାହ ସେକ୍ଟରରେ ଗୁଳିବର୍ଷା ଯୋଗୁଁ ଅନେକ ଘର ପୋଡ଼ି ଯାଇଛି। ଭାରତୀୟ ସେନା ଏହି ଗୁଳିବର୍ଷାର ଉପଯୁକ୍ତ ଜବାବ ଦେଉଛି। ଅନ୍ୟପକ୍ଷରେ, ଜମ୍ମୁ-କାଶ୍ମୀର ମୁଖ୍ୟମନ୍ତ୍ରୀ ଓମର ଅବଦୁଲ୍ଲା ମଧ୍ୟ ଏ ସମ୍ପର୍କରେ ଏକ ସମୀକ୍ଷା ବୈଠକ କରିଛନ୍ତି। ବୈଠକ ପରେ ସେ କହିଛନ୍ତି, ‘ମିଳିଥିବା ସୂଚନା ଅନୁଯାୟୀ, ପାକିସ୍ତାନ ତାର ସୀମା ଅତିକ୍ରମ କରି ସାଧାରଣ ନାଗରିକଙ୍କୁ ଟାର୍ଗେଟ କରିଛି। ତେଣୁ ମୁଁ ପରିସ୍ଥିତିର ସମୀକ୍ଷା କରିଛି ଏବଂ ଆମେ ଏହାର ମୁକାବିଲା କରୁଛୁ।’