ପ୍ରମୂଖ ଖବର
  • ଖୁବ୍‌ଶୀଘ୍ର ସରିବ ନିର୍ବାଚନ ପ୍ରକ୍ରିୟା, ଫେବୃଆରୀ ପ୍ରଥମ ସପ୍ତାହ ସୁଦ୍ଧା ବିଜେପିକୁ ମିଳିବ ନୂଆ ରାଜ୍ୟ ସଭାପତି
  • ||
  • ରେଢାଖୋଲ ଧଉରାଖମନ ନିକଟରେ ଓଲଟିଲା ପିକ୍‌ଅପ୍ ଭ୍ୟାନ୍: ୨୨ ଆହତ,୮ ଗୁରୁତର
  • ||
  • ​ଢ଼େଙ୍କାନାଳ: ଦନ୍ତା ଆତଙ୍କରେ ଅତିଷ୍ଠ ଗ୍ରାମବାସୀ, ଶିଶୁର ମୃତ୍ୟୁ ପରେ କ୍ଷତିପୂରଣ ଦାବିରେ ରାସ୍ତାରୋକ୍
  • ||
  • ଭିଜିଲାନ୍ସ ଜାଲରେ ବଣାଇ ITDAର ପ୍ରକଳ୍ପ ଅଧିକାରୀ ବିଶ୍ବଦର୍ଶୀ ସାହୁ, ଏକକାଳୀନ ୭ଟି ସ୍ଥାନରେ ରେଡ଼
  • ||
  • ଆଜିଠୁ ଟାଇଁ ଟାଇଁ ଖରା,୪ ଡିଗ୍ରୀ ବଢ଼ିବ ତାପମାତ୍ରା: ୨୩ ଜିଲ୍ଲାକୁ ଘନ କୁହୁଡ଼ି ଆଲର୍ଟ
  • ||

Delhi Assembly Election: ଆପ୍‌ର ଦାବି, ପଞ୍ଜାବ ମୁଖ୍ୟମନ୍ତ୍ରୀଙ୍କ ଦିଲ୍ଲୀ ବାସଭବନରେ ଚଢ଼ାଉ କରିଛନ୍ତି ଇସି ଅଧିକାରୀ

Published By : Tapas Panda | January 30, 2025 6:08 PM

Image Courtesy: India TV

ନୂଆଦିଲ୍ଲୀ: ଦିଲ୍ଲୀରେ ଥିବା ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗଓ୍ବନ୍ତ ମାନଙ୍କ ଘରେ ଚଢ଼ାଉ କରିବାକୁ ନିର୍ବାଚନ କମିଶନ (ଇସି) ଅଧିକାରୀମାନେ ପହଞ୍ଚିଛନ୍ତି ବୋଲି ଗୁରୁବାର ଦାବି କରିଛି ଆମ୍‌ ଆଦମୀ ପାର୍ଟି (ଆପ୍‌) । ବିଧାନସଭା ନିର୍ବାଚନ ଲାଗି ଆପ୍‌ ପକ୍ଷରୁ ପ୍ରଚାର କରିବାକୁ ପଞ୍ଜାବ ମୁଖ୍ୟମନ୍ତ୍ରୀ ଦିଲ୍ଲୀରେ ଅଛନ୍ତି । ତେବେ ମାନ୍‌ ଏବଂ ପଞ୍ଜାବରୁ ଆସିଥିବା ଆପ୍‌ ସମର୍ଥକମାନେ ଭୋଟରଙ୍କୁ ପ୍ରଭାବିତ କରୁଛନ୍ତି ବୋଲି ବିଜେପି ଏବଂ କଂଗ୍ରେସ ଅଭିଯୋଗ କରିଆସିଛନ୍ତି । ନୂଆଦିଲ୍ଲୀ ବିଧାନସଭା ଆସନରୁ ବିଜେପିର ପ୍ରାର୍ଥୀ ପରବେଶ ବର୍ମା ଅଭିଯୋଗ କରିଛନ୍ତି ଯେ, ପଞ୍ଜାବରୁ ଆସିଥିବା ହଜାର ହଜାର ଆପ୍‌ ସମର୍ଥକ ଦିଲ୍ଲୀରେ ପ୍ରବେଶ କରିଛନ୍ତି । ଏହା ସହ ସେମାନେ ଦିଲ୍ଲୀ ସରକାରଙ୍କ ଷ୍ଟିକର ଲଗାଇ ଦିଲ୍ଲୀରେ ହଇଚଇ କରୁଛନ୍ତି । ଫଳରେ ଦିଲ୍ଲୀରେ ଆଇନ ଶୃଙ୍ଖଳା ପ୍ରତି ବିପଦ ସୃଷ୍ଟି ହୋଇପାରେ ବୋଲି ସେ କହିଛନ୍ତି । 

 ଏପରିକି ପଞ୍ଜାବ ଭବନ ବାହାରେ ଥିବା ଗାଡ଼ିଗୁଡ଼ିକର ଯାଞ୍ଚ କରିବା ଉପରେ ସେ  ଜୋର ଦେଇଛନ୍ତି । ଆଗାମୀ କିଛି ଦିନ ମଧ୍ୟରେ ଦିଲ୍ଲୀ ସହର ଅସୁରକ୍ଷିତ ହୋଇପଡ଼ିବ ବୋଲି ସେ ଆଶାଙ୍କା ମଧ୍ୟ କରିଛନ୍ତି । ସେ କହିଛନ୍ତି, ନିକଟରେ ଘରୋଇ ଗାଡ଼ିରେ ପଞ୍ଜାବ ସରକାରଙ୍କ ଷ୍ଟିକର ଲାଗିଥିବା ବେଳେ ଏଥିରେ ମଦ, ନିର୍ବାଚନୀ ସାମଗ୍ରୀ ଏବଂ ପ୍ରାୟ ୮ ଲକ୍ଷ ଟଙ୍କା ମିଳିଥିଲା ।  ପରବେଶ ବର୍ମାଙ୍କ ଏହି ଅଭିଯୋଗକୁ ଖଣ୍ଡନ କରିବା ସହ ଆପ୍‌ର ରାଜ୍ୟସଭା ସାଂସଦ ସଂଜୟ ସିଂହ କହିଛନ୍ତି, ପଞ୍ଜାବ ସରକାରଙ୍କ ଅନୁସାରେ ପଞ୍ଜାବ ନମ୍ବର ପ୍ଲେଟ୍‌ ଥିବା କୌଣସି ଗାଡ଼ି ଜାତୀୟ ରାଜଧାନୀରେ ପ୍ରବେଶ କରିନାହିଁ । ବିଜେପି ମିଥ୍ୟା ଅଭିଯୋଗ ଆଣି ଶସ୍ତା ରାଜନୀତି କରୁଛି ବୋଲି ସେ ଦାବି କରିଛନ୍ତି । 

 ପରବେଶ ବର୍ମାଙ୍କ ଦାବି ଅନୁସାରେ, ହଜାର ହଜାର ଆପ୍‌ ସମର୍ଥକ ପଞ୍ଜାବରୁ ଆସି ଦିଲ୍ଲୀର ବିଭିନ୍ନ ଅଞ୍ଚଳରେ ରହିଛନ୍ତି  । ପଞ୍ଜାବ ସରକାରଙ୍କ ପାସ୍‌ ଥିବା କାର ଧରି ବୁଲୁଛନ୍ତି । ଆପ୍‌ ଏବଂ କେଜ୍ରିଓ୍ବାଲ ଆଗାମୀ ନିର୍ବାଚନରେ ପରାଜୟ ଭୟରେ ଏଭଳି କରୁଛନ୍ତି ବୋଲି ପରବେଶ ବର୍ମା ଦାବି କରିଛନ୍ତି । ସୂଚନାଯୋଗ୍ୟ, ଦିଲ୍ଲୀ ବିଧାନସଭା ନିର୍ବାଚନ ଫେବୃଆରୀ ୫ରେ ହେବାକୁ ଥିବା ବେଳେ ୮ରେ ଫଳାଫଳ ଘୋଷଣା ହେବ । ଏଥର ଜାତୀୟ ରାଜଧାନୀରେ ତ୍ରିମୁଖୀ ଲଢ଼େଇ ଦେଖିବାକୁ ମିଳିବ । ଆପ୍‌ ଏବଂ କଂଗ୍ରେସ ଏକାକୀ ନିର୍ବାଚନ ଲଢ଼ୁଥିବା ବେଳେ ବିଜେପି ସହ ଟକ୍କର ଜୋରଦାର ହେବ ବୋଲି କୁହାଯାଉଛି । 

 ଆପ୍‌ ସରକାରରେ ଥିବା ବେଳେ କଂଗ୍ରେସ ଗତ ଦୁଇଟି ନିର୍ବାଚନରେ ଖାତା ଖୋଲିପାରି ନଥିଲା । ସେପଟେ ବିଜେପି ଦୀର୍ଘ ବର୍ଷ ପରେ ପୁଣି ଥରେ ଦିଲ୍ଲୀରେ ଶାସନକୁ ଫେରିବାକୁ ଜୋରଦାର କସରତ କରୁଛି । ବିଜେପି ଆଗାମୀ ନିର୍ବାଚନ ଲାଗି ପ୍ରାର୍ଥୀ ଘୋଷଣା କରିଥିବା ବେଳେ ମୁଖ୍ୟମନ୍ତ୍ରୀ ଚେହେରା କିଏ ସେନେଇ କୌଣସି ସ୍ପଷ୍ଟ ସୂଚନା ଦେଇ ନାହିଁ । କିନ୍ତୁ ଆପ୍‌ ସୁପ୍ରିମୋ କେଜ୍ରିଓ୍ବାଲ ଯିଏ ନୂଆଦିଲ୍ଲୀ ଆସନରୁ ପ୍ରାର୍ଥୀ ହୋଇଛନ୍ତି , ତାଙ୍କ ଦାବି ଅନୁସାରେ ରମେଶ ବିଧୁରୀ ବିଜେପିର ମୁଖ୍ୟମନ୍ତ୍ରୀ ଚେହେରା । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.