କୋଣାର୍କ,୨୭।୧(ଆପ୍ର) କୋଣାର୍କରେ ନିର୍ମାଣଧିନ ନୂତନ ମନ୍ଦିରରେ ଏକ ଆଧ୍ୟାତ୍ମିକ ପରିବେଶରେ ସୂର୍ଯ୍ୟ ନାରାୟଣଙ୍କ ପୂଜାର୍ଚ୍ଚନା କରାଯାଇଛି। ସୂର୍ଯ୍ୟମନ୍ଦିର ନିର୍ମାଣ ଶାଳା କମିଟି ପକ୍ଷରୁ କୋଣାର୍କ ଏନଏସି ଅନ୍ତର୍ଗତ ଜୁଣେଇ ମୌଜାରେ ସୂର୍ଯ୍ୟ ନାରାୟଣଙ୍କ ପୂଜାର୍ଚ୍ଚନା ନିମନ୍ତେ ନୂତନ ମନ୍ଦିର ନିର୍ମାଣ କାର୍ଯ୍ୟକୁ ତ୍ୱରାନ୍ୱିତ କରାଯାଇଛି। ଏହି ଉତ୍ସବରେ ପୂର୍ବତନ ସାଂସଦ ତଥା ରାଜ୍ୟ ଯୋଜନା ବୋର୍ଡର ଅଧ୍ୟକ୍ଷ ପ୍ରସନ୍ନ ପାଟ୍ଟଶାଣୀ ଯୋଗଦେଇଥିଲେ।
ବ୍ରିଟିଶ ଶାସନ ସମୟରୁ କୋଣାର୍କରେ ସୂର୍ଯ୍ୟ ନାରାୟଣଙ୍କ ପୂଜାର୍ଚ୍ଚନା ବନ୍ଦ ରହିଛି। କୋଣାର୍କ ସୂର୍ଯ୍ୟ ଉପାସନାର ଧାର୍ମିକ ସ୍ଥଳୀ ଭାବେ ପ୍ରସିଦ୍ଧ। ଦୀର୍ଘବର୍ଷ ଧରି ସୌର କ୍ଷେତ୍ର କୋଣାର୍କରେ ସୂର୍ଯ୍ୟ ପୂଜା ପୁନଃ ପ୍ରଚଳନ କରିବା ପାଇଁ କୋଣାର୍କ ସମେତ ଭାରତ ବାହାରର ସୂର୍ଯ୍ୟ ଉପାସକ, ସଂସ୍କୃତି ଓ ଧାର୍ମିକ ବିଶାରଦ ମାନଙ୍କ ମହଲରେ ଦାବି ହୋଇଆସୁଥିଲା। ନୂତନ ସୂର୍ଯ୍ୟ ମନ୍ଦିର ନିର୍ମାଣ ଶାଳା କମିଟି ଅଧ୍ୟକ୍ଷ ମୁକେଶ ଜୈନ କୋଣାର୍କରେ ଭବ୍ୟ ମନ୍ଦିର ନିର୍ମାଣ କରି ଏଠାରେ ପୁନଃ ସୂର୍ଯ୍ୟ ପୂଜାର୍ଚ୍ଚନା ଆରମ୍ଭ କରିଛନ୍ତି। ଶ୍ରଦ୍ଧାଳୁଙ୍କ ନିମନ୍ତେ ପ୍ରସାଦ ସେବନ ବ୍ୟବସ୍ଥା ହୋଇଥିଲା ।