ନୂଆଦିଲ୍ଲୀ – ଏ କାହାଣୀ କୌଣସି ବଲିଉଡ୍ କାହାଣୀ ଠାରୁ କମ୍ ନୁହେଁ । ଆପଣ ଅନେକ ଫିଲ୍ମରେ ଦେଖିଥିବେ କେମିତି କୁମ୍ଭ ମେଳାରେ ଛୋଟ ପିଲାଟିଏ ହଜିଯାଏ , ଆଉ ତାପରେ ଅନେକ ବର୍ଷ ପରେ ପରିବାର ଲୋକ ତାଙ୍କୁ ଯୁବାବସ୍ଥାରେ ଖୋଜି ପାଆନ୍ତି। ମାଆ ନିଜର ହଜି ଯାଇଥିବା ସେହି କୁନି ପୁଅକୁ ଚିହ୍ନିପାରେ। ଅନେକ ଦିନରୁ ଝୁରି ହେଉଥିବା ନିଜ ହୃଦୟର ବିଶିକେଶନକୁ ଜାଣିପାରେ। ଉଭୟଙ୍କ ମଧ୍ୟରେ ଭାବପ୍ରବଣ ଝଲକ ସୃଷ୍ଟି ହୁଏ । ଏମିତି ସବୁ ୭୦ ଦଶକର କ୍ଲାସିକ୍ କାହାଣୀ ଗୁଡ଼ିକରେ ନଜର ଆସିଥାଏ।
ଏପରି ଏକ ବାସ୍ତବିକ ଘଟଣା ଦେଖିବାକୁ ମିଳିଛି ଆମେରିକାରେ। ଲୁଇସ୍ ଆର୍ମାଣ୍ଡୋ ନାମକ ଜଣେ ବ୍ୟକ୍ତିଙ୍କ ସହ ଏମିତି ହିଁ ଘଟିଛି। ୭୦ ବର୍ଷ ପୂର୍ବେ ଶିଶୁ ଥିବା ବେଳେ ନିଖୋଜ ହୋଇଥିବା ଲୁଇସ୍ ଆର୍ମାଣ୍ଡୋ ଅଲବିନୋ ,ଶେଷରେ ନିଜ ପରିବାରକୁ ପାଇଛନ୍ତି। ଏହା ଠିକ୍ ସେମିତି ଥିଲା , ଯେମିତି କୌଣସି ଇମୋସନାଲ ଫିଲ୍ମର ଦୃଶ୍ୟ ଭଳି।
ସେ ସମୟ ଥିଲା ୧୯୫୧ ମସିହାର ଏକ ସନ୍ଧ୍ୟା। ସ୍ଥାନ ଥିଲା ଆମେରିକାର କାଲିଫର୍ଣ୍ଣିଆ। ଓକଲ୍ୟାଣ୍ଡର ଏକ ପାର୍କରେ ଜଣେ ନିରୀହ କୋମଳ ଶିଶୁ ଲୁଇସ୍ ଆର୍ମାଣ୍ଡୋ ନିଜର ଭାଇଙ୍କ ସହ ଖେଳିଥିଲେ। ସେହି ସମୟରେ ସେମାନଙ୍କୁ ଏକାକୀ ଦେଖି ଜଣେ ମହିଳା ତାଙ୍କୁ ମନଜିଣା କଥା କହି ତାଙ୍କୁ ଅପହରଣ କରି ନେଇଥିଲେ ଏବଂ ତାଙ୍କୁ ନିଜ ସହ ପୂର୍ବ ତଟକୁ ନେଇଗଲେ। ସେଠାରେ ତାଙ୍କୁ ଜଣେ ଦମ୍ପତି ନିଜର ପୁଅ ଭଳି ଲାଳନ ପାଳନ କଲେ । ଏହାପରେ ବର୍ଷ ବର୍ଷ ଯାଏ ତାଙ୍କର ଅସଲ ପରିଚୟ ଲୁଚି ଗଲା। କୋମଳ ଶିଶୁଟି ନିଜର ପ୍ରକୃତ ବାପାମାଆଙ୍କ ପରିଚୟ ହରାଇ ଦୁନିଆର ଆଉ ଗୋଟ କୋଣରେ ରହିଗଲା।
କାହାଣୀର ପରବର୍ତ୍ତୀ ଅଧ୍ୟାୟ ସେତେବେଳେ ଖୋଲିଲା , ଯେବେ ଲୁଇସଙ୍କର ଭାଣେଜୀ , ଅଲିଦା ଏଲେକ୍ୱିନ ତାଙ୍କୁ ଖୋଜି ଥିଲେ। ଏକ ଅଲଲାଇନ୍ ଡିଏନଏ ଟେଷ୍ଟ ( ଯାହା ୨୦୨୦ରେ ମଜାଳିଆ ଭାବେ କରାଯାଇ ଥିଲା ) ଏକ ଲିଙ୍କ୍ର ଠିକଣା ଦେଲା। ଏହି ଟେଷ୍ଟ ୨୨ ପ୍ରତିଶତ ମିଶୁ ଥିବାର ଦେଖିବାକୁ ମିଳିଥିଲା। କିନ୍ତୁ ପରିବାର ଏହା ଉପରେ ଅଧିକ ଧ୍ୟାନ ଦେଇ ନଥିଲେ। ୨୦୨୪ରେ ପୁଣି ଅଲିଦା ଆଉଥରେ ନିଜ ମାମୁଁଙ୍କୁ ଖୋଜିବାର ଦାୟିତ୍ୱ ନେଲେ।
ପୁରୁଣା ଖବରକାଗଜର କ୍ଲିପ୍ , ଫଟୋ ଓ ଡିଏନଏ ଟେଷ୍ଟ ପରିବାରକୁ ଲୁଇସଙ୍କ ପାଖରେ ପହଞ୍ଚାଇ ଦେଲା। ୨୦ ଜୁନ୍ ୨୦୨୪ ରେ ପୁଲିସ ସ୍ପଷ୍ଟ କଲା କି ଲୁଇସ୍ ବଞ୍ଚିଛନ୍ତି ଏବଂ ତଲାସ କରାଯାଇଛି। ଏହାର ୪ଦିନ ପରେ , ଏଫବିଆଇର ସହାୟତାରେ ଲୁଇସ ନିଜ ପରିବାରକୁ ଭେଟିବାକୁ ଓକଲ୍ୟାଣ୍ଡ ଆସିଲେ।
ଯେବେ ଲୁଇସଙ୍କ ମାଆ ଓ ଭାଣେଜୀ ତାଙ୍କୁ ପ୍ରଥମ ଥର ଦେଖିଲେ , ତାଙ୍କ ଆଖିରେ ଖୁସିର ଲୁହ ଝରୁଥିଲା। ପରିବେଶ ଯେମିତି ପୂର୍ବାପେକ୍ଷା ଲାଗୁଥିଲା ସ୍ୱତନ୍ତ୍ର ଓ ନିଆରା। ଅନେକ ଦିନର ହଜିଲା ଜିନିଷ ମିଳି ଯାଇଥିଲା ତାଙ୍କୁ। ତାପର ଦିନ ଅଲିଦା ନିଜର ମାମୁଁକୁ ନେଇ ଷ୍ଟାନିସ୍ଲାସ କାଉଣ୍ଟିରେ ରହୁଥିବା ତାଙ୍କର ଭାଇ ରୋଜରଙ୍କ ଘରକୁ ଯାଇଥିଲେ , ଯେଉଁଠି ଅନେକ ବର୍ଷ ପରେ ପୂରା ପରିବାରର ମିଳନ ଘଟିଥିଲା। ପୂରା ପରିବାରରେ ହସୁଖୁସିର ମାହୋଲ ସୃଷ୍ଟି ହୋଇଥିଲା।
ଏ କାହାଣୀ ଦୀର୍ଘ ଦିନର ବିଚ୍ଛେଦ ମିଳନର। ଯାହା କହିଥାଏ - ସମୟ ସିନା ବିତି ଯାଏ , ହେଲେ ଆଶା କେବେ ମରି ନଥାଏ। ଏହା ନିଜର ଲୋକଙ୍କୁ ଖୋଜିବାରେ ଚିର ସବୁଜ ହୋଇ ରହିଥାଏ । ପକ୍ଷୀ ନିଡ ଫେରିବା ପରି ଦିନେନା ଦିନେ ହୃଦୟ ହୃଦୟର ଠିକଣା ଖୋଜି ପାଇଥାଏ ।