ଭଦ୍ରକ,୦୫/୧୨: ପ୍ରଥମେ କୁକୁଡ଼ା ଭାଡ଼ି ଖୋଲିଲେ । ଘର ଲୋକେ ଘରୁ ବାହାରିବା ପରେ ବେକରେ ଛୁରୀ ଲଗାଇ ଲୁଟିଲେ ୬ ଦୁର୍ବୃତ୍ତ । ପୁରୁଷ ଲୋକେ ବିରୋଧ କରିବାରୁ ସେମାନଙ୍କୁ ହାଣିଲେ । ଏହି ଘଟଣାରେ ଘରର ୪ ଜଣ ସଦସ୍ୟ ଆହତ ହୋଇଥିବା ବେଳେ ସମସ୍ତ ଦୁର୍ବୃତ୍ତ ଲୁଟ୍ କରି ଫେରାର ହୋଇଛନ୍ତି । ଭଦ୍ରକ ଜିଲ୍ଲା ଭଣ୍ଡାରି ପୋଖରୀ ଥାନା ଅଧୀନ ନପଙ୍ଗରେ ଏଭଳି ଘଟଣା ଘଟିଛି ।
ସୂଚନା ମୁତାବକ, ୬ ଜଣ ଅଜଣା ଦୁର୍ବୃତ୍ତ ପ୍ରଥମେ ଘର ସାମ୍ନାରେ ଥିବା କୁକୁଡ଼ା ଭାଡ଼ି ଖୋଲି ଦେଇଥିଲେ । କୁକୁଡ଼ାଙ୍କ ଶବ୍ଦ ଶୁଣି ଘର ଲୋକେ ବାହାରକୁ ଆସିବା ପରେ ଦୁର୍ବୃତ୍ତମାନେ ଘରେ ପଶି ଯାଇଥିଲେ । ଘରର ସ୍ତ୍ରୀ ଲୋକଙ୍କ ବେକରେ ଛୁରୀ ଲଗାଇ ସୁନା ଗହଣା ମାଗିଥିଲେ । ଅଳଙ୍କାର ନ ଦେବାରୁ ଛୋଟ ପିଲାଙ୍କୁ ମାରିବାକୁ ଧମକ ମଧ୍ୟ ଦେଇଥିଲେ । ଏହାକୁ ଘରର ପୁରୁଷ ଲୋକେ ବିରୋଧ କରିବାରୁ ସେମାନଙ୍କୁ ଆକ୍ରମଣ କରି ଲହୁଲୁହାଣ କରି ଘରୁ ଲୁଟ୍ କରିଥିଲେ ଦୁର୍ବୃତ୍ତ । ଏହି ଘଟଣାରେ ଘରର ୪ ଜଣ ସଦସ୍ୟ ଆହତ ହୋଇଥିବା ବେଳେ ସମସ୍ତ ଦୁର୍ବୃତ୍ତ ଲୁଟ୍ କରି ଫେରାର ହୋଇଥିଲେ । ପରେ ଏନେଇ ଭଣ୍ଡାରୀ ପୋଖରୀ ଥାନାରେ ଅଭିଯୋଗ କରିଥିଲେ ପରିବାର ଲୋକେ । ଉକ୍ତ ଅଭିଯୋଗ ଆଧାରରେ ପୋଲିସ ଘଟଣାର ତଦନ୍ତ ଚଳାଇଛି ।