ଢେଙ୍କାନାଳ,୧୨୮(ଆପ୍ର): ଟାଉନ ଥାନା ପୁଲିସ ମଙ୍ଗଳବାର ୨ଟି ଲୁଟେରା ଗ୍ୟାଙ୍ଗକୁ କାବୁ କରିଛି । ୬ ଜଣଙ୍କୁ ଗିରଫ କରିବା ସହ ସାଢେ ୪ ଲକ୍ଷ ଟଙ୍କାର ସୁନା ଅଳଙ୍କାର ଜବତ କରିଛି । ଅନ୍ୟମାନଙ୍କୁ ଧରିବାକୁ ଉଦ୍ୟମ ଚାଲିଥିବା ଏସପି ଅଭିନବ ସୋନଙ୍କର ଏସପି ଅଫିସଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ।
ଛିନତାଇ ଗ୍ୟାଙ୍ଗର ମୁଖ୍ୟ ରଗଡିସାହିର ରାକେଶ ସାହୁ ଓରଫ୍ ଆକା(୨୬)କୁ ଗିରଫ କରାଯାଇଛି । ତାର ଅନ୍ୟତମ ପ୍ରମୁଖ ସହଯୋଗୀ ଲକ୍ଷ୍ମୀ ବଜାରର ସନ୍ଦିପ କୁମାର ସ୍ଵାଇଁ ଓରଫ୍ ବାପୁନି କିଛି ଦିନ ତଳେ ବ୍ରାଉନସୁଗାର କାରବାରରେ କାମାକ୍ଷାନଗରରୁ ଗିରଫ ହୋଇ ସେ ଜେଲ୍ରେ ଅଛି । ଆକା ନିକଟରୁ ୩୭ ଗ୍ରାମର ୩ଟି ସୁନା ଚେନ, ୪.୫ ଗ୍ରାମର ଛିଣ୍ଡା ଚେନ୍ , ୨.୫ ଗ୍ରାମର ଭଙ୍ଗା କାନ ଫୁଲକୁ ମିଶାଇ ପ୍ରାୟ ସାଢେ ୪ ଲକ୍ଷ ଟଙ୍କାର ଅଳଙ୍କାର ଜବତ ହୋଇଛି । ଛିନନ୍ତାଇରେ ବ୍ୟବହୃତ ୩ ବାଇକ ଜବତ ହୋଇଛି । ଆକା ନାଁରେ ୨୦୧୮ ମସିହାରେ ଏକ ବଳାତ୍କାର ମାମଲା ହୋଇଥିଲା । ସେବେଠାରୁ ତା ନାମରେ ନିଶା କାରବାର, ମାରପିଟ୍ ଭଳି ୪ଟି ମାମଲା ଥିବା ବେଳେ ସହଯୋଗୀ ବାପୁନି ନାମରେ ନିଶା କାରବାର, ଲୁଟ ଭଳି ୨୦ଟି ମାମଲା ରହିଛି ।
ସେହିଭଳି ସହରର ମହିଷାପାଟ ପଲ୍ଲିଶ୍ରୀ ମେଳା ପଡିଆରେ ଡକାୟତି ଯୋଜନା କରୁଥିବା ବେଳେ ୫ ଡକାୟତଙ୍କୁ ପୁଲିସ କାବୁ କରିଛି । ସେମାନଙ୍କ ଠାରୁ ୨ଟି ଖଣ୍ଡା, ଲଙ୍କାଗୁଣ୍ଡ, ମଦ, ଟର୍ଚ ଜବତ ହୋଇଛି । ଗିରଫ ଡକାୟତମାନେ ହେଲେ ଟାଉନ ଥାନା ଗୋପବନ୍ଧୁ ବଜାରର ଶ୍ରୀପତି ମଲ୍ଲିକ ଓରଫ ମିଲୁଆ(୨୮), ସୁଦାମ ମଲ୍ଲିକ(୨୩), କାରିଗର ସାହିର ଦେବାଶିଷ ବେହେରା ଓରଫ ମଣ୍ଟୁ(୩୨), ଚାନ୍ଦମାରିସାହିର ରଜତ ବାହାଦୁର ଓରଫ ଚିଲ(୨୨) ଏବଂ ରାଜେଶ ବାହାଦୁର ଓରଫ ରାଜା(୨୩) । ଏମାନେ ୫୫ ନଂ ଜାତୀୟ ରାଜପଥରୁ ଲୁଟ୍ କରିବା ସହ ଘରେ କଳାକନା ବୁଲାଇଥାନ୍ତି ।