ବାରିପଦା ୦୧/୧୨: ବାରିପଦା ସ୍ଥିତ ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ପକ୍ଷରୁ ସରକାରୀ ଅର୍ଥ ଆତ୍ମସାତ କରିବା ମାମଲାରେ ରାୟ ପ୍ରକାଶ ପାଇଛି। ସ୍ୱତନ୍ତ୍ର ବିଚାରପତି ପୂର୍ଣ୍ଣିମା ଜେନା ଏହାର ବିଚାର କରି ୫ଜଣ ପୂର୍ବତନ ସରପଞ୍ଚ ଓ ଯୋଗାଣକାରୀଙ୍କୁ ଦୋଷୀ ସାବ୍ୟସ୍ତ କରି ୩ବର୍ଷ ଲେଖାଏଁ କାରାଦଣ୍ଡାଦେଶ ପ୍ରଦାନ କରିଛନ୍ତି। ଏହା ସହିତ ୧୨ହଜାର ଟଙ୍କା ଲେଖାଏଁ ଜରିମାନା କରିଥିବା ବେଳେ ଜରିମାନା ଅନାଦେୟ ଅଧିକ ୬ମାସ ଅଧିକ କାରାଦଣ୍ଡ ଭୋଗିବାକୁ ପଡିବ ବୋଲି ରାୟରେ ଉଲ୍ଲେଖ ରହିଛି।
ଏହି ଦୁର୍ନୀତିଗ୍ରସ୍ତ ଜନପ୍ରତିନିଧି ହେଲେ ଉଦଳା ବ୍ଲକ ରାଢୋ ପଞ୍ଚାୟତର ଏବେ ଥିବା ସରପଞ୍ଚ ବସେନ ମାରାଣ୍ଡି, ଖଲାଡି ଗ୍ରାମ ପଞ୍ଚାୟତର ପୂର୍ବତନ ସରପଞ୍ଚ ସୀତା ବାସ୍କେ, ଶ୍ରୀଦାମଚନ୍ଦ୍ରପୁର ଗ୍ରାମ ପଞ୍ଚାୟତ ପୂର୍ବତନ ସରପଞ୍ଚ ମହାଦେବ ଟୁଡୁ, ବଡସିଂଗାରିଆ ଗ୍ରାମ ପଞ୍ଚାୟତର ପୂର୍ବତନ ସରପଞ୍ଚ ଯତୀନ୍ଦ୍ର ସିଂ, କୁଣ୍ଡାବାଇ ଗ୍ରାମ ପଞ୍ଚାୟତର ପୂର୍ବତନ ସରପଞ୍ଚ ବୁଧିରାମ ସିଂ ଏବଂ ଯୋଗାଣକାରୀ ବାରିପଦାର ଏସବି ଇଲେକ୍ଟ୍ରିକାଲ ସଞ୍ଜୟ କୁମାର ଦାସ।
ସୂଚନା ଅନୁଯାୟୀ, ଉକ୍ତ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବିଭିନ୍ନ ଗ୍ରାମରେ ସରକାରୀ ଅର୍ଥରୁ ଆଲୋକୀକରଣ ବ୍ୟବସ୍ଥା କରାଯାଇଥିଲା। ୨୦୨୨-୨୩ ଆର୍ଥିକ ବର୍ଷର ଏକାଦଶ ଅର୍ଥ କମିଶନଙ୍କ ପକ୍ଷରୁ ସୋଡିୟମ ଭେପୋର ଲାଇଟ୍ ଲାଗିଥିବା ବେଳେ ଯୋଗାଇବା ପାଇଁ ବାରିପଦାର ଏସବି ଇଲେକ୍ଟ୍ରିକାଲର ସଞ୍ଜୟ କୁମାର ଦାସଙ୍କୁ ଟେଣ୍ଡର ମିଳିଥିଲା। ଯୋଗାଣକାରୀ ଓ ଉକ୍ତ ପୂର୍ବତନ ସରପଞ୍ଚ ମାନେ ଆଲୋକୀକରଣ ନାମରେ ସରକାରୀ ଅର୍ଥ ଆତ୍ମସାତ କରିଥିଲେ।