ନୂଆଦିଲ୍ଲୀ,୨୬/୧୧: ୪୫ ବର୍ଷ ତଳର ହତ୍ୟା ଓ ଦୁଷ୍କର୍ମ ମାମଲା । ଡିଏନଏ ପ୍ରମାଣରୁ ରହସ୍ୟ ଉପରୁ ପରଦା ଉଠଛି । ୧୯୭୯, ଫେବ୍ରୁଆରୀ ୯ ତାରିଖରେ ୧୭ ବର୍ଷୀୟା ଏସଥର ଗୋନ୍ଜାଲେଜ୍ ନିଜ ଘରୁ କାଲିଫର୍ଣ୍ଣିଆର ବାନିଂ ସ୍ଥିତ ନିଜ ଭଉଣୀ ଘରକୁ ଯାଉଥିଲେ । ତାହା ଲସ୍ ଆଞ୍ଜେଲସଠୁ ୧୩୭ କିମି ଦୂର । କିନ୍ତୁ ସେ କଦାପି ଭଉଣୀ ଘରେ ପହଞ୍ଚିପାରିଲେ ନାହିଁ । କାଲିଫର୍ଣ୍ଣିଆର ରିଭରସାଇଡ୍ କାଉଣ୍ଟି ରାଜପଥ ନିକଟରେ ଏକ ବରଫଗଦାରେ ତାଙ୍କ ମୃତଦେହ ମିଳିଥିଲା ।
ଦୁର୍ଷ୍କମ ପରେ ତାଙ୍କୁ ହତ୍ୟା ହୋଇଥିବା ଜଣାପଡ଼ିବା ପରେ ଅନେକ ଦଶନ୍ଧି ଧରି ମାମଲାର ଯାଞ୍ଚ୍ ଚାଲିଥିଲା । ୨୦୧୪ ମସିହାରେ ମୃତ୍ୟୁ ହୋଇଥିବା ଲୁଇସ୍ ରାଣ୍ଡୋଲ୍ଫ ‘ର୍ୟାଣ୍ଡି’ ୱିଲିୟାମ୍ସନ ନାମକ ଜଣେ ବ୍ୟକ୍ତିଙ୍କର ପ୍ରୟୋଗଶାଳାରେ ଡିଏନ୍ଏ ମ୍ୟାଚ୍ କରାଗଲା । ୱିଲିଆମ୍ସନ ଜଣେ ଆମେରିକୀୟ ନୌବାହିନୀର ସୈନ୍ୟ ଥିଲେ । ଗୋନ୍ଜାଲେଜ୍ଙ୍କ ମୃତଦେହ ପାଇବା ଖବର ଦେବା ପାଇଁ ସେ ପୋଲିସ କର୍ତ୍ତୃପକ୍ଷଙ୍କୁ ଫୋନ୍ କରିଥିଲେ । ମୃତକ ଜଣକ ପୁରୁଷ କି ମହିଳା ସେ ଚିହ୍ନିପାରି ନଥିବା ଦାବି କରିଥିଲେ । ତେଣୁ ଡିଏନ୍ଏ ଟେଷ୍ଟ୍ ହୋଇଥିଲା । ୱିଲିଆମ୍ସନ ଅତୀତରେ ମାରପିଟ୍ ଅଭିଯୋଗର ସମ୍ମୁଖୀନ ହୋଇଥିଲେ । କିନ୍ତୁ କୌଣସି ହିଂସାତ୍ମକ ଅପରାଧରେ କଦାପି ଦୋଷୀ ସାବ୍ୟସ୍ତ ହୋଇନଥିଲେ । ଯାଞ୍ଚ୍ ଆଉ ଆଗକୁ ନ ବଢ଼ିବା ସତ୍ତେ୍ୱ ରିଭର୍ସାଇଡ୍ କାଉଣ୍ଟି ସ୍ଥିତ କୋଲ୍ଡ କେସ୍ ହୋମିସାଇଡ୍ ଟିମ୍ ହାର୍ ମାନିଲା ନାହିଁ ।
୧୯୭୯ ମସିହାରେ ଗୋନ୍ଜାଲେଜ୍ଙ୍କ ଶରୀରରୁ ନିଆଯାଇଥିବା ଶୂକ୍ରାଣୁ ନମୁନାକୁ ସଂରକ୍ଷିତ ରଖାଯାଇଥିଲା । କିନ୍ତୁ ଦୀର୍ଘ ଦଶନ୍ଧି ଧରି ଜାତୀୟ କମ୍ବାଇନ୍ଡ ଡିଏନ୍ଏ ଇଣ୍ଡେକ୍ସ ସିଷ୍ଟମ୍ରେ ଏହା ମ୍ୟାଚ୍ କରିନଥିଲା । ୨୦୨୩ ମସିହାରେ ଫରେନ୍ସିକ ଟେକ୍ନୋଲୋଜି ଶେଷରେ ସମାଧାନ ପାଇଲା । ହୋମିସାଇଡ୍ ଟିମ୍ ଫରେନ୍ସିକ୍ ଜିନେଲୋଜିରେ ବିଶେଷଜ୍ଞତା ହାସଲ କରିଥିବା ଟେକ୍ସାସ ସ୍ଥିତ ଏକ ଜେନେଟିକ୍ ଲ୍ୟାବ୍ ସହ ଯୋଡ଼ି ହେଲା । ୨୦୧୪ ମସିହାରେ ଅଟୋପ୍ସିରୁ ୱିଲିଆମ୍ସନ୍ଙ୍କ ରକ୍ତ ନମୁନା ନିଆଯାଇଥିଲା । ଏହି ନମୁନାର ଡିଏନ୍ଏ ମ୍ୟାଚ୍ କରିବା ପରେ ୱିଲିଆମ୍ସନ ହିଁ ୧୭ ବର୍ଷୀୟା ଗୋନ୍ଜାଲେଜ୍ଙ୍କ ରେପ୍ ଓ ହତ୍ୟାକାରୀ ବୋଲି ସ୍ପଷ୍ଟ ହେଲା ।
ଦୀର୍ଘ ୪୫ ବର୍ଷ ପରେ ହତ୍ୟାକାରୀ ବିଷୟରେ ଜଣାପଡ଼ିବା ପରେ ଗୋନ୍ଜାଲେଜ୍ଙ୍କ ପରିବାର ଖୁସି ହୋଇଛି । କିନ୍ତୁ ୧୦ ବର୍ଷ ତଳେ ହତ୍ୟାକାରୀ ୱିଲିଆମ୍ସନଙ୍କ ମୃତ୍ୟୁ ହୋଇଥିବାରୁ ତାଙ୍କୁ ଦଣ୍ଡ ମିଳିପାରିବ ନାହିଁ । ସେଥିପାଇଁ ସେମାନେ ଦୁଃଖ ପ୍ରକାଶ କରିଛନ୍ତି । ଫେସ୍ବୁକ୍ରେ ରିଭରସାଇଡ୍ କାଉଣ୍ଟି ପୋଲିସ ବିଭାଗକୁ ଧନ୍ୟବାଦ ଜଣାଇଛନ୍ତି ପରିବାର ।