ଭୁବନେଶ୍ୱର, ୧୧/୧୨ : ଷଷ୍ଠ କାରାଗାର ପ୍ରତିଷ୍ଠା ଦିବସ ଅବସରରେ କାରାଗାର ନିର୍ଦ୍ଦେଶାଳୟ ଓ ସଂସ୍କାର ସେବା ସଂସ୍ଥାର ବଡ଼ ନିଷ୍ପତ୍ତି। ବିଭାଗୀୟ ଡିଜି ଅରୁଣ ରାୟଙ୍କ କ୍ଷମତା ବଳରେ ରାଜ୍ୟର ୮୭ ଜେଲରେ ଥିବା ୪୦୦ ଜଣ କଏଦୀଙ୍କ କୋହଳ କରାଯିବ ସଜା। କାରାଗାରରେ ଉତ୍ତମ ଆଚରଣ ପ୍ରଦର୍ଶନ କରିଆସୁଥିବାରୁ ଏହି କଏଦୀମାନଙ୍କ ସଜା କମ୍ କରାଯିବାକୁ ନିଷ୍ପତ୍ତି ନିଆଯାଇଛି । ଅରୁଣ ରାୟ କହିଛନ୍ତି, ଜେଲ୍ରେ ସଂସ୍କାର କାର୍ଯ୍ୟକ୍ରମର ଏହା ଏକ ବଡ଼ ପଦକ୍ଷେପ । ଏହାଦ୍ୱାରା କଏଦୀଙ୍କ ମନୋଭାବ ପରିବର୍ତ୍ତନ ହେବା ସମ୍ଭାବନା ଅଛି । ସେମାନେ ପୁଣି ଥରେ ସମାଜର ମୁଖ୍ୟସ୍ରୋତକୁ ଫେରିବା ଆଶା ରହିଛି । ଏଥର ୪୦୦ କଏଦୀଙ୍କ ପାଇଁ ସଜା କୋହଳ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି । ସେମାନେ ଧାର୍ଯ୍ୟ ଜେଲ୍ଦଣ୍ଡ ପୂର୍ବରୁ ମୁକ୍ତିର ଆନନ୍ଦ ପାଇବେ । ୧ ବର୍ଷରୁ ଅଧିକ ସଶ୍ରମ କାରାଦଣ୍ଡ କଏଦୀଙ୍କ ଠାରୁ ଆରମ୍ଭ ହୋଇ ଆଜୀବନ ସଜା ଭୋଗୁଥିବା କଏଦୀ ଏହି ବର୍ଗରେ ଅଛନ୍ତି । ୨୦୨୫ ଏପ୍ରିଲ୍ରେ ଦ୍ୱିତୀୟ ପ୍ରର୍ଯ୍ୟାୟରେ ଆଉ କିଛି କଏଦୀଙ୍କ ସଜା କୋହଳ କରାଯିବାକୁ ଯୋଜନା ରହିଛି ।
ଜେଲ୍ ମାନୁଆଲ୍ ରୁଲ୍ ଅନୁଯାୟୀ, କାରାଗାରରେ ଝାଡୁ, ଲଣ୍ଡ୍ରି, ରୋଷେଇ, ବଗିଚା ଓ ଅନ୍ୟାନ୍ୟ କାମରେ ନିୟୋଜିତ କଏଦୀମାନେ ହିଁ ସଜା କୋହଳ ବର୍ଗରେ ରହିପାରିବେ । ଏହି ବର୍ଗ କଏଦୀଙ୍କ କାର୍ଯ୍ୟକଳାପ ଓ ଆଚରଣକୁ ନୀରିକ୍ଷଣ କରାଯାଉଛି । ଯିଏ ଜେଲରେ ଛୁଟି ଦିନରେ କାର୍ଯ୍ୟ କରୁଥିବ । ଯାହାର କୌଣସି ଗଣ୍ଡଗୋଳରେ ସମ୍ପୃକ୍ତି ନଥିବ । ଅନ୍ୟ ଅନ୍ତେବାସୀଙ୍କୁ ଉତ୍ତମ ବ୍ୟବହାର ଦେଖାଉଥିବ । ଜେଲରେ ରହି ପାଠପଢ଼ା ସହ ଅନ୍ୟାନ୍ୟ ସଂସ୍କାର ମୂଳକ କାର୍ଯ୍ୟରେ ନିଜକୁ ମଗ୍ନ ରଖୁଥିବ । ଏସବୁ ଦିଗକୁ ନିୟମିତ ଅନ୍ତରାଳରେ ନୀରିକ୍ଷଣ କରିବା ପରେ କୋହଳର ମାନଦଣ୍ଡ ନିର୍ଦ୍ଧାରଣ କରାଯାଉଛି । ଜେଲ୍ ଡିଜି ତାଙ୍କ କ୍ଷମତା ପ୍ରୟୋଗ କରି ବର୍ଷକର ସଜାକୁ ୬୦ ଦିନ ପାଇଁ କମାଇ ପାରିବେ । ଜଣେ ଜେଲ ଅଧୀକ୍ଷକ ପ୍ରଥମ ବର୍ଷ ୧୫ ଦିନ, ଦ୍ୱିତୀୟ ବର୍ଷ ୧୫ ଦିନ ଓ ତା’ ପରଦିନ ୬୦ ଦିନ ଯାଏଁ ସଜାକୁ କୋହଳ କରିପାରିବେ । ୧୦ ବର୍ଷ ସଜାରେ ସର୍ବାଧିକ ଅଢ଼େଇ ବର୍ଷ କୋହଳ କରାଯାଇ ପାରିବ ।