ରାୟଗଡ଼ା, ୧୩/୧୧ : ଜିଲ୍ଲାର ୧୧ ବ୍ଲକ୍ ଓ ୩ ସହରାଞ୍ଚଳରେ ଯୋଗାଣ ବିଭାଗର ଇ-କେୱାଇସି ପ୍ରକ୍ରିୟା ଚାଲିଛି। ଏହାପରେ ଅନେକ ହିତାଧିକାରୀ ଗାଏବ ହୋଇଯାଇଥିବା ଦେଖିବାକୁ ମିଳିଛି । ପ୍ରାୟ ୨୯ ପ୍ରତିଶତ ହିତାଧିକାରୀଙ୍କ ପତ୍ତା ମିଳୁନି । ସେସବୁ ନକଲି ହିତାଧିକାରୀ ଥିଲେ ବୋଲି ଆଲୋଚନା ହେଉଛି । ଜିଲ୍ଲାର ୮ ଲକ୍ଷ ୪୧ ହଜାର ୫୮୩ ଜଣ ହିତାଧିକାରୀ ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲ୍ ରହିଛନ୍ତି । ସେମାନଙ୍କ ମଧ୍ୟରୁ ୬ ଲକ୍ଷ ୩ ହଜାର ୩୧୨ ଜଣ ନିଜ ନିଜର ରାସନକାର୍ଡର ଇ-କେୱାଇସି କରିଛନ୍ତି । ବଳକା ୨ ଲକ୍ଷ ୩୮ ହଜାର ୨୭୧ ଜଣ କରିନାହାନ୍ତି । ବାରମ୍ବାର ସୂଚନା ଦିଆଗଲେ ମଧ୍ୟ ଏହି ହିତାଧିକାରୀମାନେ ଇ-କେୱାଇସି କରୁନାହାନ୍ତି । ଫଳରେ ଏସବୁ ହିତାଧିକାରୀଙ୍କ ନାଁରେ ବର୍ଷ ବର୍ଷ ଧରି ରାସନ ସାମଗ୍ରୀ ହଡ଼ପ ହେଉଥିବା ସ୍ପଷ୍ଟ ହୋଇଛି । ମୃତ୍ୟୁବରଣ କରିଥିବା ଅନେକ ହିତାଧିକାରୀଙ୍କ ନାଁରେ ମଧ୍ୟ ମାଗଣା ଚାଉଳଠାରୁ ଆରମ୍ଭ କରି ଅନ୍ୟାନ୍ୟ ସୁଲଭ ସାମଗ୍ରୀ ନିଆଯାଉଥିବା ଜଣାପଡ଼ିଛି ।
ସୂଚନା ଅନୁଯାୟୀ, ଚନ୍ଦ୍ରପୁର ବ୍ଲକ୍ର ମାତ୍ର ୫୩.୯ ପ୍ରତିଶତ ହିତାଧିକାରୀ ଇ-କେୱାଇସି କରିଛନ୍ତି । ଏହି ବ୍ଲକ୍ର ମୋଟ ୪୧ ହଜାର ୧୯୮ ଜଣଙ୍କ ମଧ୍ୟରୁ ୨୨ ହଜାର ୨୧୦ ଜଣ ଇ-କେୱାଇସି କରିଛନ୍ତି । ବଳକା ୧୮ ହଜାର ୯୮୮ ଜଣ କରିନାହାନ୍ତି । ସେହିଭଳି ବିଷମକଟକ ବ୍ଲକ୍ର ୯୦ ହଜାର ୪୫୪ ଜଣଙ୍କ ମଧ୍ୟରୁ ୬୩ ହଜାର ୭୫୬, ଗୁଡ଼ାରୀ ବ୍ଲକ୍ର ୪୦ ହଜାର ୬୮୮ ଜଣଙ୍କ ମଧ୍ୟରୁ ୨୯ ହଜାର ୧୦୬, ଗୁଡ଼ାରୀ ସହରର ୩ ହଜାର ୭୪୭ ଜଣଙ୍କ ମଧ୍ୟରୁ ୨ ହଜାର ୮୫୬, କଲ୍ୟାଣସିଂହପୁର ବ୍ଲକ୍ର ୫୮ ହଜାର ୮୬୭ ଜଣଙ୍କ ମଧ୍ୟରୁ ୪୨ ହଜାର ୨୪୪, ଗୁଣପୁର ବ୍ଲକ୍ର ୬୮ ହଜାର ୯୯୪ଜଣଙ୍କ ମଧ୍ୟରୁ ୫୨ ହଜାର ୧୮୩, ଗୁଣପୁର ସହରର ୧୪ ହଜାର ୭୯୦ ଜଣଙ୍କ ମଧ୍ୟରୁ ୧୦ ହଜାର ୪୨୦, କୋଲନରା ବ୍ଲକ୍ର ୬୩ ହଜାର ୬୯୯ ଜଣଙ୍କ ମଧ୍ୟରୁ ୪୫ ହଜାର ୮୭୮, କାଶୀପୁର ବ୍ଲକ୍ର ୧ ଲକ୍ଷ ୩୫ ହଜାର ୬୧୫ ଜଣଙ୍କ ମଧ୍ୟରୁ ୧ ଲକ୍ଷ ୧ ହଜାର ୬୨୭, ମୁନିଗୁଡ଼ା ବ୍ଲକ୍ର ୮୫ ହଜାର ୬୨ ଜଣଙ୍କ ମଧ୍ୟରୁ ୬୦ ହଜାର ୧୫୬, ପଦ୍ମପୁର ବ୍ଲକ୍ର ୪୮ ହଜାର ୪୯୫ ଜଣଙ୍କ ମଧ୍ୟରୁ ୩୮ ହଜାର ୪୧୩, ରାମନାଗୁଡ଼ା ବ୍ଲକ୍ର ୪୬ ହଜାର ୯୮୭ ଜଣଙ୍କ ମଧ୍ୟରୁ ୩୧ ହଜାର ୪୯୫, ରାୟଗଡ଼ା ସହରର ୩୪ ହଜାର ୪୨୭ ଜଣଙ୍କ ମଧ୍ୟରୁ ୨୪ ହଜାର ୧୭୧ ଏବଂ ରାୟଗଡ଼ା ବ୍ଲକ୍ର ୧ ଲକ୍ଷ ୮ ହଜାର ୫୩୦ ଜଣଙ୍କ ମଧ୍ୟରୁ ୭୮ ହଜାର ୭୯୭ ଜଣଙ୍କ ଇ-କେୱାଇସି କରିଛନ୍ତି । ବଳକା ହିତାଧିକାରୀଙ୍କ ଏହା କରିନାହାନ୍ତି । ଉଭୟ ଅନ୍ଲାଇନ ଓ ଅଫଲାଇନ୍ ବ୍ୟବସ୍ଥା ସରକାରଙ୍କ ଦ୍ୱାରା କରାଯାଇଛି । ତଥାପି ଇ-କେୱାଇସି କରିବା ପାଇଁ ହିତାଧିକାରୀ କାହିଁକି ଆସୁନାହାଁନ୍ତି ତାହା ଚକିତ କରିଛି ।
ଚଳିତ ମାସରୁ କେତେକ ହିତାଧିକାରୀଙ୍କ ନାଁରେ ଆଉ ଚାଉଳ ଉଠୁନାହିଁ । ତାହା ପଞ୍ଚାୟତ ଓ ସୁଲଭ ମୂଲ୍ୟ ଦୋକାନରୁ କେହି ନେଇନଥିବା ଏକ ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି । ଫଳରେ ସେହି ହିତାଧିକାରୀଙ୍କ ନାଁରେ ଜାଲ୍ ରାସନକାର୍ଡ ଦ୍ୱାରା ହଡ଼ପ ହେଉଥିବା ଯୋଗାଣ ବିଭାଗ ଅନୁମାନ କରୁଛି । ଆଉ ମାସେ ମଧ୍ୟରେ ସମସ୍ତ ଚିତ୍ର ସ୍ପଷ୍ଟ ହୋଇଯିବ ବୋଲି ଯୋଗାଣ ବିଭାଗର ଜଣେ କ୍ଷେତ୍ରୀୟ କର୍ମଚାରୀ ସୂଚନା ପ୍ରଦାନ କରିଛନ୍ତି । ଅତି କମ୍ରେ ୨ ଲକ୍ଷ ହିତାଧିକାରୀଙ୍କ ନାଁ କଟିବ ବୋଲି ସେ କହିଛନ୍ତି । ଏ ସମ୍ପର୍କରେ ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀ ଦାଶରଥୀ ସୋରେନଙ୍କୁ ପଚାରିବାରୁ କହିଛନ୍ତି, ବିଭାଗ ତରଫରୁ ସମସ୍ତ ହିତାଧିକାରୀଙ୍କୁ ଇ-କେୱାଇସି କରିବାକୁ କୁହାଯାଇଛି । ଏଥିପାଇଁ ସଚେତନ ମଧ୍ୟ କରାଯାଇଛି । ତଥାପି ଯଦି ନକରିବେ ତେବେ ସରକାର ଆଗାମୀ ନିଷ୍ପତ୍ତି ଯାହା ଗ୍ରହଣ କରିବେ ।