ଭୁବନେଶ୍ୱର,୦୯/୧୨: ପ୍ରବାସୀ ଭାରତୀୟ ସମ୍ମିଳନୀ ପାଇଁ ଚମକିବ ରାଜଧାନୀ । ନାଚଗୀତରେ ଝୁମିବେ ରାଜଧାନୀବାସୀ । ଏନେଇ ଭୁବନେଶ୍ୱର ମହାନଗର ନିଗମ (ବିଏମ୍ସି) ପକ୍ଷରୁ ଭୁବନେଶ୍ୱର ଭାଇବସ୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଏହା ସହ ଡିସେମ୍ବର ତୃତୀୟ ସପ୍ତାହରୁ ପୁଣି ପଥୋତ୍ସବ ଲେଉଟିବ ।
ଭୁବନେଶ୍ୱର ୟୁନିଟ-୨ ସ୍ଥିତ ମାର୍କେଟ ବିଲ୍ଡିଂ ଏବଂ ମାଷ୍ଟରକ୍ୟାଣ୍ଟିନରେ ଭୁବନେଶ୍ୱର ଭାଇବସ୍ର ସ୍ୱତନ୍ତ୍ର ସଙ୍ଗୀତ ଭିତ୍ତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ମେୟର ସୁଲୋଚନା ଦାସ ଏବଂ କମିଶନର ରାଜେଶ ପ୍ରଭାକର ପାଟିଲ ମୁଖ୍ୟଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମ ଉଦଘାଟନ କରିଥିଲେ । ଜାନୁଆରୀ ୮ ରୁ ୧୦ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରରେ ପ୍ରଥମ ଥର ପ୍ରବାସୀ ଭାରତୀୟ ଦିବସ - ୨୦୨୫ ଆୟୋଜିତ ହେବାକୁ ଯାଉଛି । ବିଏମ୍ସି ପକ୍ଷରୁ ଏହାକୁ ନେଇ ଜାନୁଆରୀ ୮ ରୁ ୧୦ ତାରିଖ ପର୍ଯ୍ୟନ୍ତ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ଆୟୋଜିତ ହେବ । ଚଳିତ ମାସ ତୃତୀୟ ସପ୍ତାହରୁ ପଥୋତ୍ସବ ଆୟୋଜନ କରାଯିବ । ଏନେଇ ମେୟରଙ୍କ ଅଧ୍ୟକ୍ଷତାରେ ବସିବାକୁ ଥିବା ବୈଠକରେ ରୂପରେଖ ଚୂଡାନ୍ତ ହେବ ।
ପୂର୍ବଥର ଭଳି ଏଥର ମଧ୍ୟ ମାଷ୍ଟରକ୍ୟାଣ୍ଟିନ୍ରୁ ରାମମନ୍ଦିରରେ ରାସ୍ତାରେ ପଥୋତ୍ସବ ହେବ । ପଥ ଉତ୍ସବରେ ସାଇକେଲିଂ, ପେଣ୍ଟିଂ, ସାଂସ୍କୃତିକ କାର୍ଯ୍ୟକ୍ରମ, ସ୍କେଟିଂ ଆଦି ରହିବ । ସଙ୍ଗୀତ ତାଳରେ ଝୁମିବେ ଦର୍ଶକ । ବିଭିନ୍ନ ସ୍ଥାନରେ ଖାଦ୍ୟ ଷ୍ଟଲ ଖୋଲିବ । ସେହିପରି ଭାରତୀୟ ଦିବସକୁ ନଜରରେ ରଖି ଭୁବନେଶ୍ୱର ୱାକାଥନ ଏବଂ ଅନ୍ୟାନ୍ୟ କାର୍ଯ୍ୟକ୍ରମ ଆୟୋଜିତ ହେବ ବୋଲି ବିଏମସି ମେୟର ସୁଲୋଚନା ଦାସ କହିଛନ୍ତି ।
ବିଏମ୍ସି ପକ୍ଷରୁ ସହର ସୌନ୍ଦର୍ଯୀକରଣ ଉପରେ ଗୁରୁତ୍ୱ ଦିଆଯାଇଛି । ଏନେଇ ଏକ ବୈଠକ ବସିଥିଲା । ଏଥିରେ ବିଡିଏ ଓ ବିଏମ୍ସିର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ । ସହରର ସବୁ ପ୍ରମୁଖ ଛକର ସୌନ୍ଦର୍ଯୀକରଣ ହେବ । ଅର୍ଣ୍ଣାମେଣ୍ଟାଲ ଟ୍ରି, ମେଡିଆନ ସଜା ହେବ । ଏୟାରପୋର୍ଟରୁ ଏଜି, ରାଜଭବନ, ଜୟଦେବ ବିହାର, ଜନତା ମଇଦାନ ଭଳି ଛକ ଉପରେ ସର୍ବାଧିକ ଗୁରୁତ୍ୱ ଦିଆଯାଉଛି ।
ଏବେ ରଙ୍ଗ ବୋଳି ହେଉଛି ରାଜଧାନୀ । ରାସ୍ତାଘାଟ ମରାମତି ଚାଲିଛି । ବିଡିଏ ପକ୍ଷରୁ ଡଟ୍ ଫେଷ୍ଟ ହେବା ନେଇ ଯୋଜାନା କରାଯାଉଛି । ଯଦିଓ ବର୍ତ୍ତମାନ ସୁଦ୍ଧା ଏନେଇ ସ୍ପଷ୍ଟ ସୂଚନା ଆସିନି । କିନ୍ତୁ ବୈଠକରେ ଏନେଇ ଆଲୋଚନା ହୋଇଥିବା ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଛି ।