ଭୁବନେଶ୍ୱର,୧୭/୦୭: ବାଲେଶ୍ୱରର ଫକୀର ମୋହନ କଲେଜ ଛାତ୍ରୀଙ୍କ ପାଇଁ ନ୍ୟାୟ ଦାବି କରି କଂଗ୍ରେସ ଏବଂ ଅନ୍ୟ ସାତଟି ବିରୋଧୀ ବାମ ପନ୍ଥି ଦଳ ଦ୍ୱାରା ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରା ଦିଆଯାଇଛି । ଓଡ଼ିଶା ବନ୍ଦ ଯୋଗୁଁ ରାଜଧାନୀ ଭୁବନେଶ୍ୱରରେ ଜନ ଜୀବନ ଗଭୀର ଭାବେ ପ୍ରଭାବିତ ହୋଇଛି । ସକାଳେ ଭୁବନେଶ୍ୱରରେ ଶହ ଶହ କଂଗ୍ରେସ କର୍ମୀ ରେଳ ଷ୍ଟେସନ ନିକଟରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଆନ୍ଦୋଳନକାରୀମାନେ ଚାଲୁଥିବା ରେଳ ସେବା ବନ୍ଦ କରିବା ପାଇଁ ପ୍ଲାଟଫର୍ମରେ ଧସେଇ ପଶିବାକୁ ଚେଷ୍ଟା କରିବାରୁ ଉତ୍ତେଜନା ସୃଷ୍ଟି ହୋଇଥିଲା । ଘଟଣାସ୍ଥଳରେ ନିୟୋଜିତ ସୁରକ୍ଷା କର୍ମୀମାନେ ହସ୍ତକ୍ଷେପ କରିଥିଲେ । ଯାହା ଫଳରେ ନିର୍ଦ୍ଧାରିତ ଟ୍ରେନ ପରିଚାଳନାରେ ବାଧା ସୃଷ୍ଟି ହୋଇଥିଲା।
ଏହାପରେ ରାଜଧାନୀର ମାଷ୍ଟରକ୍ୟାଣ୍ଟିନ, ରାଜମହଲ, ଏଜି ଛକ, ବାଣୀବିହାର, ଖଣ୍ଡଗିରି, କଳ୍ପନା ଛକରେ କଂଗ୍ରେସ କର୍ମୀ ପିକେଟିଂ କରି ଗାଡି ମଟର ବନ୍ଦ କରିଥିଲେ । ସେହିପରି ବସ୍, ଗାଡି ବନ୍ଦ ଯୋଗୁଁ ରେଳ ଷ୍ଟେସନ ଓ ବିମାନବନ୍ଦରରେ ଯାତ୍ରୀ ହଇରାଣ ହୋଇ ଚାଲିଚାଲି ଆସୁଥିବା ଦେଖିବାକୁ ମିଳିଛି । ମଧ୍ୟାହ୍ନ ୧୨ ଟା ବେଳକୁ କଂଗ୍ରେସ, ସିପିଆଇଏମ କର୍ମୀ ଲୋୟର ପିଏମଜିରେ ଆନ୍ଦୋଳନ କରି ସୌମ୍ୟାଶ୍ରୀଙ୍କୁ ନ୍ୟାୟ ଦେବାକୁ ଦାବି କରିଥିଲେ । ତେବେ ବନ୍ଦ ବେଳେ ସରକାରୀ ଅଫିସ, ସ୍କୁଲ ଆଦି ଖୋଲା ରହିଛି ।