ଭୁବନେଶ୍ୱର,୧୭/୦୭: ବାଲେଶ୍ୱର ଫକୀରମୋହନ କଲେଜ ଛାତ୍ରୀଙ୍କ ମୃତ୍ୟୁ ଘଟଣା ନେଇ ସାରା ରାଜ୍ୟ ହୁଲସ୍ତୁଲ । ଆଜି କଂଗ୍ରେସ, ବାମପନ୍ଥୀ ଦଳ ସମେତ ୮ଟି ରାଜନୈତିକ ଦଳ ପକ୍ଷ ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଉଛି । ସକାଳ ୬ରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଚକ, ଅଖ ବନ୍ଦ ରହିଛି । ଜରୁରୀକାଳୀନ ସେବା ଯେଭଳି ପ୍ରଭାବିତ ନ ହେବ, ସେଥିପାଇଁ ପୁଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ହୋଇଛି । ହସ୍ପିଟାଲ, ଔଷଧ ଦୋକାନ ଖୋଲା ରହିବା ସହ ଆମ୍ବୁଲାନ୍ସ ସେବା ଜାରି ରହିବ । ଏଥିରେ ବାଧା ଦେଲେ ପୁଲିସ କଠୋର କାର୍ଯ୍ୟାନୁଷ୍ଠାନ ନେବ ।
ଆଜି କଂଗ୍ରେସ ଓ ବାମପନ୍ଥୀ ଦଳର ଓଡ଼ିଶା ବନ୍ଦ ଡାକରାକୁ ଦେଖି ରାଜ୍ୟବ୍ୟାପୀ ପୁଲିସ ଛାଉଣୀ ଲାଗିଛି । ରାଜ୍ୟ ପେଟ୍ରୋଲିୟମ ଡିଲର ଆସୋସିଏସନ ସଭାପତି ଶଶାଙ୍କ ଶେଖର ସାହୁ କହିଛନ୍ତି, ସୁରକ୍ଷା ଦୃଷ୍ଟିରୁ ଗୁରୁବାର ସକାଳ ୬ରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ପେଟ୍ରୋଲ ପମ୍ପ ବନ୍ଦ ରଖିବାକୁ ରାଜ୍ୟ ସଂଘ ନୀତିଗତ ନିଷ୍ପତ୍ତି ନେଇଛି । ରାଜ୍ୟର ୩ଟି ଡିପୋ ସମେତ ୩ ହଜାର ପେଟ୍ରୋଲ ପମ୍ପ ବନ୍ଦ ରହିବ । ଏହାଦ୍ୱାରା ରାଜ୍ୟରେ ପେଟ୍ରୋଲ, ଡିଜେଲ କାରବାରରେ ପ୍ରାୟ ୧ ଶହ କୋଟିରୁ ଅଧିକ ଟଙ୍କାର ବ୍ୟବସାୟିକ କ୍ଷତି ହେବ । ବନ୍ଦ ଡାକରା ଯୋଗୁ ବସ୍, ଟ୍ରକ, ଅଟୋ ଚଳାଚଳ ମଧ୍ୟ ଗୁରୁତର ଭାବେ ପ୍ରଭାବିତ ହୋଇଛି।
ବନ୍ଦ ଡାକରାକୁ ଦୃଷ୍ଟିରେ ରଖି ସରକାରୀ କର୍ମଚାରୀମାନଙ୍କୁ ଆଗୁଆ ଅଫିସ ପହଞ୍ଚିବାକୁ ବିଭିନ୍ନ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ସାରା ରାଜ୍ୟରେ ସୁରକ୍ଷା ବଢ଼ିଛି । ବିଶେଷ କରି ଭୁବନେଶ୍ୱର, ବାଲେଶ୍ୱର, କଟକ, ସମ୍ବଲପୁର, ବ୍ରହ୍ମପୁର, ଭଦ୍ରକ, ଅନୁଗୁଳ, ବଲାଙ୍ଗୀର, ଜୟପୁର, ରାୟଗଡ଼ା, କେନ୍ଦ୍ରାପଡ଼ା, ଜଗତସିଂହପୁର, ପୁରୀରେ ସୁରକ୍ଷା ବ୍ୟବସ୍ଥା ଅଧିକ କଡ଼ାକଡ଼ି ହୋଇଛି । ପୁଲିସ ମହାନିର୍ଦ୍ଦେଶକ ସାରା ରାଜ୍ୟର ସୁରକ୍ଷା ବ୍ୟବସ୍ଥା ନେଇ ବିଭିନ୍ନ ଜିଲ୍ଲାର ଏସପିମାନଙ୍କ ସହ ଆଲୋଚନା କରିଛନ୍ତି । ଭୁବନେଶ୍ୱରରେ ସୁରକ୍ଷା ପାଇଁ ୫୦ ପ୍ଲାଟୁନ ଫୋର୍ସ ମୁତୟନ ହୋଇଛନ୍ତି । ଏହାବାଦ୍ ଆନ୍ଦୋଳନକାରୀଙ୍କ ଉପରେ ନଜର ରଖିବାକୁ ଏଆଇ କ୍ୟାମେରା ଲାଗିଛି । ଭୁବନେଶ୍ୱରରେ ଡ୍ରୋନ୍ର ବ୍ୟବହାର ବି ହେବ । ବିମାନବନ୍ଦର, ରେଳ ଷ୍ଟେସନ, ବସଷ୍ଟାଣ୍ଡ ଅଞ୍ଚଳରେ ସୁରକ୍ଷା ବଢ଼ାଯାଇଛି । ଯାତ୍ରୀମାନଙ୍କୁ ଯେଭଳି କେହି ହଇରାଣ କରିବେନି କିମ୍ବା ଅଧିକ ଭଡ଼ା ନେବେ ନାହିଁ, ତା’ ଉପରେ ବି ପୁଲିସ ନଜର ରଖିବ।