ଗୁଣପୁର, ୧୭/୦୭ : ବାଲେଶ୍ଵର ଏଫଏମ କଲେଜ ଛାତ୍ରୀ ଆତ୍ମାହୁତି ଘଟଣାକୁ ନେଇ ରାଜ୍ୟରେ ତମ୍ବି ତୋଫାନ ଚାଲିଥିବା ବେଳେ ପୁଣି ଜଣେ ଛାତ୍ରଙ୍କ ଆତ୍ମହତ୍ୟା ଅଭିଯୋଗ। ରାୟଗଡ଼ା ଜିଲ୍ଲା ଗୁଣପୁରର ଏକ ଘରୋଇ ବିଶ୍ଵବିଦ୍ୟାଳୟର ଜଣେ ଛାତ୍ର ଆତ୍ମହତ୍ୟା କରିଛନ୍ତି। ହଷ୍ଟେଲ ରୁମ୍ରୁ ଛାତ୍ରଙ୍କ ମୃତଦେହ ଝୁଲୁଥିବା ଦେଖିବାକୁ ମିଳିଛି। ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି।
ସୂଚନାନୁଯାୟୀ, ଗୁଣପୁରର ଏକ ଘରୋଇ ବିଶ୍ଵବିଦ୍ୟାଳୟର ବାୟୋଟେକ୍ନୋଲୋଜି ବିଭାଗର ଜଣେ ଦ୍ବିତୀୟ ବର୍ଷର ଛାତ୍ର ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଆଜି ହଷ୍ଟେଲ ରୁମ୍ରେ ଛାତ୍ରଙ୍କ ମୃତଦେହ ଝୁଲୁଥିବା ଦେଖି ସାଥୀମାନେ କଲେଜ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ। ଖବର ପାଇ ଗୁଣପୁର ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ପ୍ରାଥମିକ ତଦନ୍ତରୁ ପ୍ରେମଜନିତ ଆତ୍ମହତ୍ୟା ବୋଲି ସନ୍ଦେହ କରାଯାଉଛି। ପୁଲିସ ସାଇଣ୍ଟିଫିକ୍ ଟିମ୍ର ସହାୟତା ଲୋଡ଼ିଛି। ଛାତ୍ର ଜଣଙ୍କ ବାଲେଶ୍ଵର ଜିଲ୍ଲା ସୋର ଅଞ୍ଚଳର ବୋଲି ଜଣାପଡ଼ିଛି।