ରାୟଗଡ଼ା, ୧୭/୦୭ : ରାୟଗଡ଼ା ରେଳ ଷ୍ଟେସନରେ ଦୁର୍ଘଟଣା। ୫ ନମ୍ବର ପ୍ଲାଟଫର୍ମରେ ଲାଇଟ୍ ମୋଟର ଟ୍ରଲିକୁ ପଛପଟୁ ଧକ୍କା ଦେଲା ବିଶାଖାପାଟଣା ଠାରୁ ଦୁର୍ଗ ଅଭିମୁଖେ ଯାଉଥିବା ଯାତ୍ରୀବାହୀ ଟ୍ରେନ୍। ଏହି ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଗୁରୁତର ହୋଇଛନ୍ତି।
ସୂଚନାନୁଯାୟୀ,ଟ୍ରାକ୍ ମରାମତି ପାଇଁ ଶ୍ରମିକମାନେ ଲାଇଟ୍ ମଟର ଟ୍ରଲିରେ କାର୍ଯ୍ୟ କରୁଥିଲେ। ଏହି ସମୟରେ ବିଶାଖାପାଟଣା ଠାରୁ ଦୁର୍ଗ ଅଭିମୁଖେ ଯାଉଥିବା ଏକ ପାସେଞ୍ଜର ଟ୍ରେନ୍ ଆସିବାରୁ ଶ୍ରମିକମାନେ ଟ୍ରାକରୁ ମେଣ୍ଟେନାନ୍ସ ଟ୍ରଲି ଗାଡିକୁ ଟ୍ରାକ ଉପରୁ ବାହାରକୁ କାଢିଥିଲେ କିନ୍ତୁ ଠିକ୍ ରୂପେ ବାହାର କରିନଥିବାରୁ ପାସେଞ୍ଜର ଟ୍ରେନ୍ ଟ୍ରଲିକୁ ଧକ୍କା ଦେଇଥିଲା। ଫଳରେ ଟ୍ରଲିରେ ରହିଥିବା ରେଳବାଇ ଇଞ୍ଜିନିୟରିଂ ବିଭାଗର ୩ ଜଣ ଠିକା କର୍ମଚାରୀଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨ ଜଣ ଗୁରୁତର ହୋଇଛନ୍ତି। ଗୁରୁତର ହୋଇଥିବା ବ୍ୟକ୍ତିମାନେ ହେଲେ ବାବୁଲା ସାହା ଓ ସୁଶାନ୍ତ ଦାସ। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଉଭୟଙ୍କ ଚିକିତ୍ସା ଚାଲିଛି। ମୃତ ଶ୍ରମିକଙ୍କ ପରିଚୟ ମିଳିନି।
ଗୋଟିଏ ଟ୍ରାକ୍ରେ ସମାନ ସମୟରେ ଟ୍ରେନ ଓ ଟ୍ରଲି ରହିବାରୁ ଦୁର୍ଘଟଣା ଘଟିଥିବା କୁହାଯାଉଛି। ଡିଆରଏମ୍ ଅମିତାଭ ସିଂଘଲ ସମେତ ବରିଷ୍ଠ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।