ନୂଆଦିଲ୍ଲୀ: ବରିଷ୍ଠ ଆଇପିଏସ୍ ଅଧିକାରୀ ସୋନାଲି ମିଶ୍ର ରେଲଓ୍ବେ ସୁରକ୍ଷା ବଳ (RPF)ର ପ୍ରଥମ ମହିଳା ମହାନିର୍ଦ୍ଦେଶକ ଭାବେ ନିଯୁକ୍ତି ପାଇଛନ୍ତି । ତାଙ୍କର ଏହି ନିଯୁକ୍ତିକୁ କ୍ୟାବିନେଟ ନିଯୁକ୍ତି କମିଟି ମଞ୍ଜୁରୀ ଦେଇଛି । ଅବସର ନେବା ପର୍ଯ୍ୟନ୍ତ ସେ ଏହି ପଦରେ ରହିବେ । ଆଇପିଏସ୍ ସୋନାଲି ମିଶ୍ର ୨୦୨୬ ଅକ୍ଟୋବର ୩୧ରେ ଅବସର ଗ୍ରହଣ କରିବେ । ସୋନାଲି ମିଶ୍ର, ମନୋଜ ଯାଦବଙ୍କ ସ୍ଥାନରେ କାର୍ଯ୍ୟଭାର ସମ୍ଭାଳିବେ। ମନୋଜ ଯାଦବ ଜୁଲାଇ ୩୧ରେ ଅବସର ନେବାକୁ ଯାଉଛନ୍ତି। ଏବେ ଆଇପିଏସ୍ ସୋନାଲି ରେଲଓ୍ବେ ସୁରକ୍ଷା ସହ ଜଡ଼ିତ ସବୁ ବଡ଼ ନିଷ୍ପତ୍ତି ନେବେ ।
ସୋନାଲି ମିଶ୍ର ୧୯୯୩ ବ୍ୟାଚର ମଧ୍ୟପ୍ରଦେଶ କ୍ୟାଡରର ଆଇପିଏସ ଅଧିକାରୀ । ୨୦୨୧ ଜୁଲାଇରେ ପଞ୍ଜାବରେ ଭାରତ- ପାକିସ୍ତାନ ସୀମାରେ ବିଏସଏଫ ଗଠନର ନେତୃତ୍ବ କରିବାରେ ପ୍ରଥମ ମହିଳା କମାଣ୍ଡର ଥିଲେ ସୋନାଲି । ସେ କାଶ୍ମୀର ଘାଟିରେ ଇନ୍ସପେକ୍ଟର ଜେନେରାଲ (IG) ଭାବରେ ମଧ୍ୟ ନେତୃତ୍ବ କରିଛନ୍ତି । ଏହା ବ୍ୟତୀତ ସେ ବିଏସଏଫର ଗୁଇନ୍ଦା ବିଭାଗର ମଧ୍ୟ ନେତୃତ୍ବ ନେଇଛନ୍ତି। ସେ BSFରେ ADG ଭାବରେ କାମ କରିଛନ୍ତି। ବର୍ତ୍ତମାନ ସେ ମଧ୍ୟପ୍ରଦେଶ ପୋଲିସରେ ଅତିରିକ୍ତ ମହାନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଛନ୍ତି ।
ସୋନାଲିଙ୍କୁ PPMDS (ବିଶିଷ୍ଟ ସେବା ପାଇଁ ରାଷ୍ଟ୍ରପତି ପୋଲିସ ପଦକ) ଏବଂ PMMS (ପ୍ରଶଂସନୀୟ ସେବା ପାଇଁ ପୋଲିସ ପଦକ)ରେ ସମ୍ମାନିତ କରାଯାଇଛି। ତାଙ୍କ ପାଖରେ ଅନେକ ମହତ୍ବପୂର୍ଣ୍ଣ ପଦରେ କାମ କରିବାର ଅନୁଭବ ରହିଛି । ସେ ବିଏସଏଫରେ ମଧ୍ୟ ବଡ଼ ପଦରେ କାମ କରିଛନ୍ତି। ତାଙ୍କୁ ବୀରତ୍ବ ଏବଂ ଉଲ୍ଲେଖନୀୟ ସେବା ପାଇଁ ଅନେକ ପଦକ ମିଳିଛି । ଏଥିରୁ ଜଣାପଡ଼ୁଛି ସେ ଜଣେ ଖୁବ୍ ଦକ୍ଷ ଏବଂ ଅନୁଭବୀ ଆଇପିଏସ୍ ଅଫିସର ।