ଛତ୍ରପୁର,୦୯/୦୨: ଅଶାନ୍ତ ବଙ୍ଗୋପସାଗର କୂଳ ଲଙ୍ଘି ମାଡ଼ି ଆସୁଛି । ଋଷିକୁଲ୍ୟା ଭିତରକୁ ତୀବ୍ର ବେଗରେ ଅବାଧରେ ପଶି ଆସୁଛି । ପ୍ରାୟ ୧୦ କିଲୋମିଟର ଭିତରକୁ ଏହି ଲୁଣି ପାଣି ପଶିବା ପରେ ଫେରିବାକୁ ବାଟ ପାଉନି । ମୁହାଣରେ ଏହି ଭଟ୍ଟାପାଣିକୁ ରୋକୁଛି ବାଲିହୁଙ୍କା । ଲୁଣିପାଣି ସମୁଦ୍ରକୁ ଫେରି ନ ପାରି ନଦୀପାଣିରେ ଲହଡ଼ି ଖେଳୁଛି, ମଧୁର ପାଣିକୁ ଲବଣାକ୍ତ କରୁଛି । ଏହି ଲୁଣିପାଣି ଜଳସେଚନ ଓ ପିଇବା ପାଣି ଯୋଗାଣ ପାଇଁ ଅନୁପଯୋଗୀ ହେଉଛି । ଲୁଣିପାଣି ନ ଖସିଲା ଯାଏ ବାଧାପ୍ରାପ୍ତ ହେଉଛି ଜଳସେଚନ ଓ ପିଇବା ପାଣି ଯୋଗାଣ ।
ସମୁଦ୍ର ଜୁଆର ଯୋଗୁଁ ଗଞ୍ଜାମ ମୁହାଣରୁ କଂସାରୀଗଣ୍ଡ ପର୍ଯ୍ୟନ୍ତ ୧୦ କିମି ଋଷିକୁଲ୍ୟା ନଦୀପାଣି ଲବଣାକ୍ତ ହେଉଛି । କିଛି ମାସ ହେଲା ଏଭଳି ସମସ୍ୟା ଦେଖାଦେଉଛି । ବିଶେଷକରି ଅମାବାସ୍ୟା, ପୂର୍ଣ୍ଣିମା ସମେତ ସମୁଦ୍ର ଅଶାନ୍ତ ହେଲେ ଏଭଳି ସମସ୍ୟା ଉପୁଜୁଛି । ଏହି କାରଣରୁ ମାସକରେ ୩/୪ ଥର ନଦୀପାଣି ଲୁଣିଆ ହୋଇଯାଉଛି । ଏଥିଯୋଗୁଁ ଗଞ୍ଜାମ ଏନ୍ଏସି, ଗଞ୍ଜାମ ବ୍ଲକ୍ର କାଇଁଚପୁର, ମଲାଡ ଓ କରପଡ଼ା ପଞ୍ଚାୟତ ସମେତ ଛତ୍ରପୁର ବ୍ଲକ୍ର ପୋଟଲାମପୁର ପଞ୍ଚାୟତକୁ ଜଳଯୋଗାଣ ଓ ଜଳସେଚନ ଗୁରୁତର ପ୍ରଭାବିତ ହେଉଛି । ଲୋକେ ପାଇପ୍ ଯୋଗେ ଲୁଣିଆ ପାଣି ପାଇବା ପରେ ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ଅଭିଯୋଗ କରୁଛନ୍ତି । ଜଳଯୋଗାଣ ସାମୟିକ ବନ୍ଦ କରାଯାଉଛି । ଦିନେ, ଦୁଇ ଦିନ ପରେ ସ୍ଥିତି ସ୍ୱାଭାବିକ ହେଲେ ପୁଣି ଆରମ୍ଭ ହେଉଛି ଜଳଯୋଗାଣ ।
କେବଳ ସେତିକି ନୁହେଁ, ଉକ୍ତ ୧୦ କିଲୋମିଟର ଲମ୍ବ ପର୍ଯ୍ୟନ୍ତ ନଦୀଶଯ୍ୟାର ଦୁଇ ପାଶ୍ୱର୍ରେ ଜଳସେଚନ ହୋଇପାରୁନି । ଲୁଣିପାଣି ଜମିରେ ମାଡ଼ିରେ ଫସଲ ପାଇଁ ସମସ୍ୟା ହେଉଛି । ପ୍ରାୟ ୨୦ରୁ ଅଧିକ ଗାଁର ଚାଷୀ ଜଳସେଚନ ପାଇଁ ନିରାଶ ହେଉଛନ୍ତି । ଏହାବାଦ୍ ଗଞ୍ଜାମ ବ୍ଲକ୍ ସହ ପୁରୀ ଜିଲ୍ଲାର କୃଷ୍ଣପ୍ରସାଦ ବ୍ଲକ୍କୁ ମେଗା ପାନୀୟ ଜଳ ପ୍ରକଳ୍ପରୁ ପାଣି ଯୋଗାଣ ହୋଇାରୁନି । ଅଭିଯୋଗ ସତ୍ତେ୍ୱ ଏହି ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନିଆଯାଇ ନାହିଁ । ଲୋକଙ୍କ ଜୀବନ ଜୀବିକା ସଂକଟରେ ପଡ଼ୁଛି ।
ଜଳସେଚନ ବିଭାଗ ନିର୍ବାହୀ ଯନ୍ତ୍ରୀ ତଥା ହୁମ୍ମା ଜଳସେଚନ ଉପଖଣ୍ଡ ସହକାରୀ ଯନ୍ତ୍ରୀ ଅତିରିକ୍ତ ଦାୟିତ୍ୱରେ ଥିବା ଅଜିତ କୁମାର ପ୍ରଧାନ କହିଛନ୍ତି, ଜୁଆର ତୀବ୍ର ବେଗରେ ନଦୀ ଭିତରକୁ ମାଡ଼ି ଆସୁଛି । ଲୁଣି ପାଣି ଫେରିବା ବେଳକୁ ମୁହାଣ ନିକଟରେ ଜମା ହୋଇଥିବା ବାଲିହୁଙ୍କା ପାଣି ବେଗକୁ ପ୍ରଭାବିତ କରୁଛି । ଜୁଆର ପାଣି ନଦୀ ଶଯ୍ୟାରେ ଅପେକ୍ଷାକୃତ ଅଧିକ ସମୟ ରହୁଛି । ଏହି କାରଣରୁ ଜଳଯୋଗାଣ ଓ ଜଳସେଚନ ବେଳେ ଲୁଣିଆ ପାଣି ପାଇପ୍ ବା କେନାଲ୍ ଯୋଗେ ଯାଉଛି । ବର୍ତ୍ତମାନ ଛତ୍ରପୁର ଓ ରଙ୍ଗେଇଲୁଣ୍ଡା ବ୍ଲକ୍ ପାଇଁ ମେଗା ପାନୀୟ ଜଳ ଯୋଗାଣ ପ୍ରକଳ୍ପର ଇନ୍ଟେକ୍ ୱେଲ୍ ଋଷିକୁଲ୍ୟା ନଦୀ ଶଯ୍ୟାରେ କଂସାରୀଗଣ୍ଡ ବ୍ୟାରେଜ୍ ନିକଟରେ ନିର୍ମାଣ ହେଉଛି ।
ସ୍ଥିତି ଏମିତି ହେଲାଣି ଯେ, ଖରାଦିନେ ଜୁଆର ପାଣି ଇନ୍ଟେକ୍ ୱେଲ୍ ଭିତରକୁ ଯିବା ଆଶଙ୍କା କରାଯାଉଛି । ବିଶେଷଜ୍ଞଙ୍କ କହିବା ମୁତାବକ ମୁହାଣର ଉପର ମୁଣ୍ଡରେ କଂସାରୀଗଣ୍ଡ ନିକଟରେ ବ୍ୟାରେଜ୍ ହେଉଛି । ଯଦି ତଳ ମୁଣ୍ଡରେ ଜୁଆର ପାଣି ରୋକିବା ପାଇଁ ନଦୀ ମଧ୍ୟରେ କିଛି କଂକ୍ରିଟ୍ କାମ କରାଯାଏ ତେବେ ଉପରମୁଣ୍ଡରେ ବନ୍ୟା ହେବା ଆଶଙ୍କା ବୃଦ୍ଧି ପାଇବ । ଯଦି ଇନ୍ଟେକ୍ ୱେଲ୍ ନିର୍ମାଣାଧୀନ ବ୍ୟାରେଜ୍ର ଉପରମୁଣ୍ଡରେ କରାଯାଇଥାନ୍ତା ତେବେ କୂଅ ଭିତରେ ଜୁଆର ପାଣି ପଶିବା ଭଳି ସ୍ଥିତି ସୃଷ୍ଟି ହୋଇନଥାନ୍ତା ବୋଲି କହିଛନ୍ତି ଯନ୍ତ୍ରୀ ପ୍ରଧାନ । ଏହି ସମସ୍ୟା ନେଇ ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକ ଜଳସେଚନ ବିଭାଗ ଏବଂ ଗ୍ରାମ୍ୟ ଜଳ ଯୋଗାଣ ବିଭାଗର ଯନ୍ତ୍ରୀମାନଙ୍କୁ ଅବଗତ କରାଇଥିବା କହିଛନ୍ତି । ପୂର୍ବତନ ଉପବାଚସ୍ପତି ରାମଚନ୍ଦ୍ର ପଣ୍ଡା ମଧ୍ୟ ଗ୍ରାମ୍ୟ ଜଳ ଯୋଗାଣ ବିଭାଗ ମୁଖ୍ୟଯନ୍ତ୍ରୀଙ୍କୁ ସମସ୍ୟା ନେଇ ଜଣାଇଛନ୍ତି । ନଦୀରୁ ପ୍ରଚୁର ପରିମାଣରେ ବାଲି ଉତ୍ତୋଳନ କାରଣରୁ ନଦୀ ଶଯ୍ୟା ନୀଚ୍ଚା ହୋଇ ମୁହାଣରୁ ଜୁଆର ବା ଲୁଣିଆ ପାଣି ତଳ ଆଡ଼କୁ ମାଡ଼ି ଆସୁଛି ବୋଲି ସେ ଦର୍ଶାଇଛନ୍ତି ।
ଏହି ସମସ୍ୟାର ତ୍ୱରିତ ସମାଧାନ ନ କଲେ ଭବିଷ୍ୟତ ପାଇଁ ଏକ ବଡ଼ଧରଣର ସମସ୍ୟା ମୁଣ୍ଡ ଟେକିବ ବୋଲି ଆଶଙ୍କା କରାଯାଉଛି । ଏହାର ଏକମାତ୍ର ସମାଧାନ ଋଷିକୁଲ୍ୟା ମୁହାଣ ନିକଟରେ ଯେଉଁ ବାଲି ହୁଙ୍କା ହୋଇ ରହିଛି ତାହାକୁ ହଟାଯିବ ବା ଡ୍ରେଜିଂ କରାଯିବ । ଏଥିସହ ମୁହାଣ ନିକଟ ନଦୀ ଶଯ୍ୟାରୁ ଅତ୍ୟଧିକ ବାଲି ଖନନକୁ ରୋକିବାର ଆବଶ୍ୟକତା ରହିଛି । ଅପରପକ୍ଷରେ ବାଲି ହୁଙ୍କା ଥିବା ଅଞ୍ଚଳଟି ସିଆର୍ଜେଡ୍ ଅନ୍ତର୍ଗତ ଥିବାରୁ ସେଠାରେ ଡ୍ରେଜିଂ ପାଇଁ ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କଠାରୁ ଅନୁମତି ନେବାକୁ ପଡ଼ିବ ବୋଲି କହିଛନ୍ତି ନିର୍ବାହୀ ଯନ୍ତ୍ରୀ । ଏ ସମ୍ପର୍କରେ ଜଳସେଚନ ବିଭାଗ ପକ୍ଷରୁ ଏଯାବତ୍ ଉଚ୍ଚ କର୍ତ୍ତପକ୍ଷଙ୍କୁ ଅବଗତ କରାଯାଇ ନାହିଁ । ଖୁବ୍ଶୀଘ୍ର ଜଣାଇ ଦିଆଯିବ ବୋଲି ସେ କହ