ଭୁବନେଶ୍ବର,୨୭।୧ : ଅବସରପ୍ରାପ୍ତ ଆଇଏଏସ ମଧୁସୂଦନ ପାଢୀଙ୍କୁ ରାଜ୍ୟ ନିର୍ବାଚନ କମିଶନର ଭାବେ ନିଯୁକ୍ତ କରାଯାଇଛି। ପଞ୍ଚାୟତିରାଜ ବିଭାଗ ପକ୍ଷରୁ ଏ ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି । ରାଜ୍ୟ ନିର୍ବାଚନ କମିଶନର ନିକୁଞ୍ଜ ଧଳ ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଭାବେ ନିଯୁକ୍ତ ହେବା ପରେ ଏହି ପଦବୀ ଖାଲି ପଡିଥିଲା ।
୧୯୯୧ ବ୍ୟାଚ୍ ଓଡିଶା କ୍ୟାଡରର ଆଇଏଏସ୍ ଅଧିକାରୀ ହେଉଛନ୍ତି ମଧୁସୂଦନ ପାଢୀ । ଭାରତୀୟ ପ୍ରଶାସନିକ ସେବାରେ ଯୋଗଦେବା ପରେ ସେ କନ୍ଧମାଳ ଜିଲା ବାଲିଗୁଡାର ସବ୍ କଲେକ୍ଟର ଭାବରେ ପ୍ରଥମେ କାର୍ଯ୍ୟ କରିଥିଲେ । ପରେ ମୟୂରଭଞ୍ଜ ଡିଆରଡିଏ ପ୍ରୋଜେକ୍ଟ ନିର୍ଦ୍ଦେଶକ ରହିଥିଲେ। ପରେ ବିଭିନ୍ନ ବିଭାଗର ସଚିବ ଭାବେ ସେ ଦାୟିତ୍ବ ତୁଲାଇ ଥିଲେ। ଓଡିଆ ଭାଷା ସାହିତ୍ୟ ଏବଂ ସଂସ୍କୃତି ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ଭାବେ ମଧୁସୂଦନ ପାଢୀ ୨୦୨୨ ମସିହା ଅକ୍ଟୋବର ମାସରେ ଅବସର ଗ୍ରହଣ କରିଥିଲେ।