ନୂଆଗାଁ,୧୫।୬: ସାଙ୍ଗମାନଙ୍କ ସହ ନଦୀକୁ ଗାଧେଇବାକୁ ଯାଇଥିଲେ। ହେଲେ ଗଭୀର ପାଣିରେ ବୁଡି ଯିବାରୁ ଜଣେ ଯୁବକଙ୍କ ଜୀବନ ଚାଲିଗଲା। ଏହି ଘଟଣା ସୁନ୍ଦରଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ବିଶ୍ରା ଥାନା ଅନ୍ତର୍ଗତ ତେତେରକେଲା ନିକଟସ୍ଥ କୋଏଲ ନଦୀରେ ଘଟିଛି। ମୃତକ ହେଲେ ବେଦବ୍ୟାସ ଅଞ୍ଚଳର ଆକାଶ ଦତ୍ତ (୨୨)। ସୂଚନା ପାଇ ବିଶ୍ରା ପୁଲିସ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ତଦନ୍ତ ଚଳାଇଛି।
ରଜ ସଂକ୍ରାନ୍ତି ସହ ରବିବାର ଥିବାରୁ ପୂର୍ବାହ୍ନ ୧୧ଟା ସମୟରେ ବେଦବ୍ୟାସ ଅଞ୍ଚଳର ଆକାଶ ଦତ୍ତ ୨ଜଣ ସାଙ୍ଗଙ୍କ ସହ ମିଶି ତେତେରକେଲା ନିକଟସ୍ଥ କୋଏଲ ନଦୀକୁ ଗାଧୋଇବାକୁ ଯାଇଥିଲେ। ହେଲେ ଗାଧେଇବା ବେଳେ ଗଭୀରପାଣିକୁ ଚାଲି ଯାଇ ନିଖୋଜ ହୋଇଯାଇଥିଲେ। ନିକଟରେ ଥିବା ଅନ୍ୟ ଦୁଇଜଣ ସାଙ୍ଗ ପାଟି କରି ସ୍ଥାନୀୟ ଲୋକଙ୍କୁ ଡାକି ଖୋଜିଥିଲେ ମଧ୍ୟ ପାଇ ନଥିଲେ। ପରେ ସୂଚନା ପାଇ ବିଶ୍ରା ଥାନା ଓ ଓଡ୍ରାଫ ଟିମ ପହଞ୍ଚିଥିଲେ। ଓଡ୍ରାଫ ଟିମ ଖୋଜି ନଦୀରୁ ଯୁବକଙ୍କୁ ସଂଜ୍ଞାହୀନ ଅବସ୍ଥାରେ ଠାବ କରି ବିଶ୍ରା ହସ୍ପିଟାଲ କୁ ନେଇଥିଲେ। କିନ୍ତୁ ସେଠାରେ ଡାକ୍ତର ଆକାଶଙ୍କୁ ମୃତ ଘୋଷଣା କରିଥିଲେ।