ନୂଆଦିଲ୍ଲୀ: ଅବସର ପରେ କୌଣସି ପଦ ପଦବୀ ଗ୍ରହଣ କରିବେନି ଭାରତର ମୁଖ୍ୟ ବିଚାରପତି (CJI) ବି.ଆର. ଗଭାଇ। ଶୁକ୍ରବାର ଏନେଇ ସେ ବଡ ଘୋଷଣା କରିଛନ୍ତି। ମହାରାଷ୍ଟ୍ରର ଅମରାବତୀ ଜିଲ୍ଲାରେ ଥିବା ତାଙ୍କ ଜନ୍ମଭୂମି ଦାରାପୁରରେ ଆୟୋଜିତ ଏକ ସମ୍ବର୍ଦ୍ଧନା ସମାରୋହକୁ ସମ୍ବୋଧିତ କରୁଥିବା ସମୟରେ ଏହା କହିଛନ୍ତି। ସିଜେଆଇ କହିଛନ୍ତି କି,"ମୁଁ ନିଷ୍ପତ୍ତି ନେଇଛି ଯେ, ଅବସର ପରେ ମୁଁ କୌଣସି ସରକାରୀ ପଦବୀ ଗ୍ରହଣ କରିବି ନାହିଁ... ଅବସର ପରେ ମୋତେ ଅଧିକ ସମୟ ମିଳିବ, ତେଣୁ ମୁଁ ଦାରାପୁର, ଅମରାବତୀ ଏବଂ ନାଗପୁରରେ ଅଧିକ ସମୟ ବିତାଇବାକୁ ଚେଷ୍ଟା କରିବି।"
ସୂଚନାଥାଉକି, ପୂର୍ବରୁ ଜଷ୍ଟିସ ଗଭାଇ ମଧ୍ୟ ଅବସର ପରେ ରାଜନୀତିରେ ପ୍ରବେଶ କରିବାକୁ ମନା କରିଦେଇଥିଲେ। ଗଣମାଧ୍ୟମ ସହିତ କଥାବାର୍ତ୍ତା ସମୟରେ ସେ କହିଥିଲେ,"ସିଜେଆଇ ପଦବୀରେ ରହିବା ପରେ ଜଣେ ବ୍ୟକ୍ତି କୌଣସି ଦାୟିତ୍ୱ ନେବା ଉଚିତ୍ ନୁହେଁ। ଯଦି ଜଣେ ବିଚାରପତି ଅବସର ପରେ ସରକାରୀ ପଦବୀ ଗ୍ରହଣ କରନ୍ତି କିମ୍ବା ନିର୍ବାଚନ ଲଢ଼ନ୍ତି, ତେବେ ଏହା ଏକ ଭୁଲ ବାର୍ତ୍ତା ପଠାଏ। ଲୋକ ମାନେ ନ୍ୟାୟପାଳିକା ଉପରେ ବିଶ୍ୱାସ ହରାଇପାରନ୍ତି।
ସୋସିଆଲ୍ ମିଡିଆର ଅପବ୍ୟବହାର ବିଷୟରେ ମଧ୍ୟ ସେ କହିଥିଲେ,"ମୁଁ ସୋସିଆଲ ମିଡିଆକୁ ଅନୁସରଣ କରେ ନାହିଁ, କିନ୍ତୁ ମୁଁ ଏହା ମଧ୍ୟ ବିଶ୍ୱାସ କରେ ଯେ ବିଚାରପତି ମାନେ ଘରେ ବସି ନିଷ୍ପତ୍ତି ଦେଇପାରିବେ ନାହିଁ।" ଆମକୁ ସାଧାରଣ ଲୋକଙ୍କ ସମସ୍ୟା ବୁଝିବାକୁ ପଡିବ।"
ଏହି ବର୍ଷ ନଭେମ୍ବରରେ ଜଷ୍ଟିସ୍ ଗଭାଇ ଅବସର ନେବେ। ଶୁକ୍ରବାର ଗାଁରେ ପହଞ୍ଚିବା ପରେ ବହୁସଂଖ୍ୟାରେ ଲୋକ ମାନେ ମୁଖ୍ୟ ବିଚାରପତିଙ୍କୁ ସ୍ୱାଗତ କରିଥିଲେ। ସେ ତାଙ୍କ ପିତା, କେରଳ ଏବଂ ବିହାରର ପୂର୍ବତନ ରାଜ୍ୟପାଳ ଆର.ଏସ୍. ଗଭାଇଙ୍କ ସ୍ମାରକୀରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ ଏବଂ ତାଙ୍କ ମୃତ୍ୟୁ ବାର୍ଷିକୀରେ ଆୟୋଜିତ କାର୍ଯ୍ୟକ୍ରମରେ କିଛି ପରିବାର ସଦସ୍ୟଙ୍କ ସହିତ ଯୋଗ ଦେଇଥିଲେ । ଗଭାଇ ଦାରାପୁର ଯିବା ରାସ୍ତାରେ ନିର୍ମିତ ହେବାକୁ ଥିବା ଏକ ବିଶାଳ ଫାଟକର ଶିଳାନ୍ୟାସ ମଧ୍ୟ କରିଥିଲେ, ଯାହା ଆର.ଏସ୍. ଗଭାଇଙ୍କ ନାମରେ ନାମିତ ହେବ ।