ନୂଆଦିଲ୍ଲୀ,୨୬/୦୭: ଜୁଲାଇ ୨୬ ତାରିଖ । ଭାରତୀୟ ଇତିହାସରେ ଏକ ସ୍ମରଣୀୟ ଦିନ । ପାକିସ୍ତାନ ବିରୋଧରେ ଭାରତୀୟ ସେନାର ବୀରତ୍ୱକୁ ମନେ ପକାଇଉଛି ସାରା ଦେଶ । ୧୯୯୯ ଆଜିର ଦିନରେ ପାକିସ୍ତାନକୁ ପରାଜିତ କରି କାରଗିଲରେ ବିଜୟ ଧ୍ୱଜା ଉଡ଼ାଉଥିଲା ଭାରତ । କାରଗିଲରେ ଭାରତୀୟ ସୈନ୍ୟମାନେ ପାକିସ୍ତାନକୁ ଧୂଳି ଚଟାଇଥିଲେ । ଯୁଦ୍ଧରେ ପାକିସ୍ତାନ ସେନାକୁ ପରାସ୍ତ କରିଥିଲେ ଭାରତୀୟ ସେନା । ଆଜି କାର୍ଗିଲ ବିଜୟ ଦିବସ । ଏହି ବିଜୟକୁ ୨୬ ବର୍ଷ ପୂରଣ ହୋଇଛି । ସହିଦ୍ ଯବାନ୍ଙ୍କୁ ମନେ ପକାଉଛି ଦେଶ । ସେମାନଙ୍କୁ ସମ୍ମାନ ଜଣାଇବାକୁ ଦେଶବ୍ୟାପି ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ ହୋଇଛି ।
ଆଣ୍ଠେଇବାକୁ ବାଧ୍ୟ ହୋଇଥିଲା ପାକିସ୍ତାନ- କାରଗିଲ ଯୁଦ୍ଧ ୧୯୯୯ ମେଁ ୩ରୁ ଆରମ୍ଭ ହୋଇଥିଲା । ଯୋଜନାବଦ୍ଧ ଭାବେ ପାକିସ୍ତାନ ୧୯୯୮ରୁ ହିଁ ଯୁଦ୍ଧ ଆରମ୍ଭ କରିଥିଲା । ୫ ହଜାର ସୈନ୍ୟଙ୍କୁ କାରଗିଲ ଦଖଲ ପାଇଁ ପଠାଇଥିଲା ପାକିସ୍ତାନ । ୫୦୦ରୁ ଅଧିକ ଭାରତୀୟ ସୈନ୍ୟ ଶହିଦ ହୋଇଥିବା ବେଳେ ପାକିସ୍ତାନ ହାରିଥିଲା । ପାକିସ୍ତାନକୁ ମାତ୍ ଦେବାକୁ ଭାରତୀୟ ସୈନ୍ୟ ନିଜ ଜୀବନକୁ ଉତ୍ସର୍ଗ କରିଥିଲେ । ସମୁଦ୍ର ପତ୍ତନଠାରୁ ୧୮ ହଜାର ଫୁଟ୍ ଉଚ୍ଚ, ମାଇନସ୍ ୪୮ ଡିଗ୍ରୀ ସେଲସିୟସ ତାପମାତ୍ରରେ ଶତ୍ରୁ ସୈନ୍ୟର ମୁକାବିଲା କରିଥିଲା ଭାରତୀୟ ସେନା । ଦେଶ ପାଇଁ ଲଢିଥିଲେ ଯବାନ । ପାକିସ୍ତାନକୁ ଆଣ୍ଠେଇବାକୁ ବାଧ୍ୟ କରିଥିଲେ ଭାରତୀୟ ଯବାନ । କାରଗିଲ ବିଜୟ ଦିବସକୁ ୨୬ ବର୍ଷ ପୂରଣ ହୋଇଛି । ଏହି ଅବସରରେ ବୀର ସହିଦମାନଙ୍କୁ ସେମାନଙ୍କ ଅଦମ୍ୟ ସାହସ ପାଇଁ ଶ୍ରଦ୍ଧାଞ୍ଜଳି ଜଣାଉଛୁ ।
କାରଗିଲ ଯୁଦ୍ଧ ହିରୋ- ପ୍ରାୟ ୬୦ ଦିନ ଧରି ଚାଲିଥିବା କାରଗିଲ ଯୁଦ୍ଧରେ ଭାରତୀୟ ସେନା ପାକିସ୍ତାନକୁ ମାତ୍ ଦେଇଥିଲା । ଭାରତୀୟ ବୀରପୁତ୍ର ଶୌର୍ଯ୍ୟର ଏମିତି ଏକ ପରିଚୟ ଦେଇଥିଲେ ଯାହାକୁ ଦେଖି ଶତ୍ରୁ ଦେଶର ସୈନ୍ୟର ହୋସ୍ ଉଡ଼ିଥିଲା । ଆଜିର ଦିନରେ ଭାରତ ଏହି ଯୁଦ୍ଧରେ ବିଜୟ ହାସଲ କରିଥିଲା । ମାତୃଭୂମି ପାଇଁ ଲଢେଇ କରି ସର୍ବୋଚ୍ଚ ବଳିଦାନ ଦେଇଥିବା ବୀର ପୁତ୍ରଙ୍କୁ କେହି ଭୁଲି ପାରିବେ ନାହିଁ । ସେହି ବୀରପୁତ୍ରଙ୍କ ମଧ୍ୟରୁ ରହିଛନ୍ତି, କ୍ୟାପ୍ଟେନ୍ ମନୋଜ କୁମାର ପାଣ୍ଡେ, କ୍ୟାପ୍ଟେନ ବିକ୍ରମ ବତ୍ରା, କ୍ୟାପ୍ଟେନ ଅମୋଲ କାଲିୟା, ଲେଫ୍ଟନାଣ୍ଟ ବଳବାନ ସିଂହଙ୍କଠୁ ନେଇ ନାୟକ ଦିଗେନ୍ଦ୍ର କୁମାରଙ୍କ ପରି ହିରୋ ଥିଲେ ଯାହାଙ୍କ ଏ ଦେଶ କେବେ ଭୁଲିବ ନାହିଁ ।