ସାରାଂଶ:
* ଦ୍ବିତୀୟ ଥର ରାଷ୍ଟ୍ରପତି ହେବା ପରେ ଚୀନ୍ ଉପରେ ବିଗିଡ଼ିଥିଲେ ଟ୍ରମ୍ପ, କିନ୍ତୁ ଏବେ ବାଣିଜ୍ୟିକ ନିର୍ଭରଶୀଳତା ପାଇଁ ନୀରବ ଆମେରିକା ରାଷ୍ଟ୍ରପତି
* ନାଟୋ ଦେଶ ସହିତ ମୁକାବିଲା କରିବେନି ଟ୍ରମ୍ପ, କାରଣ ନାଟୋର ଏକତା ରୁଷ ବିରୁଦ୍ଧରେ ଆମେରିକାର ବୈଦେଶିକ ନୀତିର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ଅଟେ
* ଟ୍ରମ୍ପଙ୍କୁ ଚେକ୍ ଦେବାକୁ ଭାରତ ବିକଳ୍ପର ଅଭାବ ନାହିଁ, ସେଥିପାଇଁ ଟାରିଫ ସମୟ ଘୁଞ୍ଚାଇ ଚାଲିଛନ୍ତି ଆମେରିକା ରାଷ୍ଟ୍ରପତି
ନୂଆଦିଲ୍ଲୀ,୦୬/୦୮: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ, ଭାରତ ସହିତ ବାଣିଜ୍ୟ ଚୁକ୍ତି ଏବଂ ନିଜର ମତାମତ ଲୋକଙ୍କ ପାଖରେ ପହଞ୍ଚାଇବା ଆପଣାଉଛନ୍ତି ନୂଆ ନୂଆ ଚାଲ।କେତେବେଳେ ଭାରତକୁ କହୁଛନ୍ତି ପରମ ବନ୍ଧୁ, ଆଉ କେତେବେଳେ ଭାରତକୁ ସର୍ବାଧିକ ଶୁଳ୍କ ଆଦାୟ କରୁଥିବା ଦେଶ ବୋଲି ଅଭିଯୋଗ ମଧ୍ୟ କରୁଛନ୍ତି। ଭାରତ- ଋଷର ବନ୍ଧୁତ୍ବପୂର୍ଣ୍ଣ ସମ୍ପର୍କ ତାଙ୍କର ହଜମ ହେଉନି। ବୋଧହୁଏ ସେଥିପାଇଁ ଗତ କିଛି ଦିନ ଧରି ସେ ରୁଷରୁ ତୈଳ ଆମଦାନୀକୁ ନେଇ ହଙ୍ଗାମା କରୁଛନ୍ତି। ସେ କହିଛନ୍ତି ଯେ 'ଭାରତ କେବଳ ରୁଷରୁ ତେଲ ଆମଦାନୀ କରି ବିପୁଳ ଲାଭ କରୁନାହିଁ, ବରଂ ପରୋକ୍ଷ ଭାବରେ ଏହା ୟୁକ୍ରେନ ଯୁଦ୍ଧ ଜାରି ରଖିବା ପାଇଁ ରୁଷକୁ ପାଣ୍ଠି ଯୋଗାଇ ଆସୁଛି।' ଟ୍ରମ୍ପ ଯେଉଁ ପ୍ରକାରର ଆଚରଣ କରୁଛନ୍ତି ତାହା ବିବାହ ଉତ୍ସବରେ ପ୍ରମୁକ ଭୁମିକା ନିଭାଉଥିବା କାକା କିମ୍ବା ପିଉସା-ମଉସାଙ୍କ ଭଳି ମନେ ହେଉଛି, ଯିଏକି ପ୍ରତ୍ୟେକ ଛୋଟ ଛୋଟ କଥାରେ ବିରକ୍ତ ହୋଇଯାଆନ୍ତି। ଏବେ ଆପଣଙ୍କ ମନରେ ପ୍ରଶ୍ନ ଆସିବ ଯେ ଟ୍ରମ୍ପ ପ୍ରତିଦିନ ତାଙ୍କ ମତ କାହିଁକି ବଦଳାଉଛନ୍ତି? ଗୋଟିଏ ମାସ ପୂର୍ବରୁ ଚୀନକୁ ନାଲି ଆଖି ଦେଖାଇଥିବା ଟ୍ରମ୍ପ ଏବେ ଡ୍ରାଗନ ପ୍ରତି କାହିଁକି ନରମ ମନୋଭାବ ପୋଷଣ କରୁଛନ୍ତି? ଆସନ୍ତୁ ଆପଣଙ୍କ ମନରେ ଉଠୁଥିବା ସମସ୍ତ ପ୍ରଶ୍ନର ଗୋଟିଏ ଗୋଟିଏ କରି ଉତ୍ତର ଦେବା।
ଚୀନ୍ ପ୍ରତି ଏତେ ଭାବ କାହିଁକି?
ଉଲ୍ଲେଖଯୋଗ୍ୟ ଯେ, ଆମେରିକା ଏବଂ ଚୀନ୍ ବିଶ୍ୱର ଦୁଇଟି ବୃହତ୍ ଅର୍ଥନୀତି। ପ୍ରଥମେ ଆମେରିକା ଏବଂ ଦ୍ୱିତୀୟରେ ଚୀନ୍। ଏବେ ପ୍ରଶ୍ନ ଉଠୁଛି ଯେ ରାଷ୍ଟ୍ରପତି ହେବା ପରେ ଡୋନାଲ୍ଡ ଟ୍ରମ୍ପ ପ୍ରଥମେ ଚୀନ୍କୁ ଟାର୍ଗେଟ କରିଥିଲେ କିନ୍ତୁ ଏବେ ସେ କାହିଁକି ଚୁପ୍ ? ଏହାର କାରଣ ଅନେକ। ସୂଚନାଯୋଗ୍ୟ ଯେ, ଆମେରିକାରେ ଚୀନ୍ର ପ୍ରାୟ ୩୦୦ ବିଲିୟନ ଡଲାରର ଟ୍ରେଡ୍ ସରପ୍ଳସ୍ ଅଛି, କିନ୍ତୁ ଆପଲ୍ ଏବଂ ଟେସଲା ଭଳି ଆମେରିକାର ଅନେକ ବଡ଼ କମ୍ପାନୀ ଚୀନ୍ରେ ଉତ୍ପାଦନ ଉପରେ ନିର୍ଭରଶୀଳ। ଅନ୍ୟପକ୍ଷରେ ଚୀନ୍ ଆମେରିକୀୟ କୃଷି ଉତ୍ପାଦ ଉପରେ ନିର୍ଭରଶୀଳ, ଯାହାକୁ ସେ ବ୍ରାଜିଲ୍ ଭଳି ଦେଶରୁ ମଧ୍ୟ କିଣିପାରିବ।
ଅନ୍ୟପକ୍ଷରେ, ଆମେରିକା ଉପରେ ନିର୍ଭରଶୀଳତା ହ୍ରାସ କରିବା ପାଇଁ ଚୀନ୍ ଦକ୍ଷିଣ-ପୂର୍ବ ଏସିଆରେ ଉତ୍ପାଦନ ଏବଂ ରପ୍ତାନି ବୃଦ୍ଧି କରିଛି। ଏହା ଭିଏତନାମ ଭଳି ଦେଶ ମାଧ୍ୟମରେ ବାଣିଜ୍ୟ ନିର୍ଦ୍ଦେଶିତ କରୁଛି। ଏହା ସହିତ, ଚୀନ୍ ବିଶ୍ୱର ବିରଳ ପୃଥିବୀ ଖଣିଜ (ରେୟାର୍ ଆର୍ଥ ମ୍ୟାଟେରିଆଲ) ପ୍ରକ୍ରିୟାକରଣ କ୍ଷମତାର ୯୦% ରୁ ଅଧିକ ନିୟନ୍ତ୍ରଣ କରେ। ବର୍ତ୍ତମାନ, ବେଜିଂ କିଛି ଗୁରୁତ୍ୱପୂର୍ଣ୍ଣ ଖଣିଜ ପଦାର୍ଥର ରପ୍ତାନି ବନ୍ଦ କରିଦେଇଛି, ଯାହା ଆମେରିକାର ଇଲେକ୍ଟ୍ରୋନିକ୍ସ ଏବଂ ପ୍ରତିରକ୍ଷା ଉତ୍ପାଦନକୁ ପ୍ରଭାବିତ କରୁଛି। ଆଉ ଏହା ପରେ, ଆମେରିକା ରାଷ୍ଟ୍ରପତିଙ୍କ ଚୀନ୍ ପ୍ରତି ମନୋଭାବ ନରମ ଦେଖାଯାଇଛି। ଏହାର ମଧ୍ୟ ପ୍ରଭାବ ପଡ଼ିଛି। ଟ୍ରମ୍ପ୍ ସରକାର ସ୍ମାର୍ଟଫୋନ୍, ଲାପଟପ୍ ଏବଂ ଟିଭି ଭଳି ଉତ୍ପାଦ ଉପରେ ଶୁଳ୍କରୁ ମୁକ୍ତ ଘୋଷଣା କରିଛନ୍ତି, କାରଣ ଏହା ଉପରେ ଟିକସ ଲଗାଇଲେ ଆମେରିକୀୟ ଗ୍ରାହକମାନେ ପ୍ରଭାବିତ ହେବେ ଏବଂ ମୁଦ୍ରାସ୍ଫୀତି ବୃଦ୍ଧି ପାଇବ।
ଏହି ସମ୍ପର୍କିତ ଖବର ପଢ଼ନ୍ତୁ: ପ୍ୟୁ ରିସର୍ଚ୍ଚ ସେଣ୍ଟରର ରିପୋର୍ଟ କଲା ଚକିତ: ଆମେରିକାକୁ ଏହି ସବୁ ଦେଶ ନିଜର ବନ୍ଧୁ ଏବଂ ଶତ୍ରୁ ଭାବୁଛନ୍ତି, ଜାଣନ୍ତୁ ଭାରତୀୟଙ୍କ ମତ କ’ଣ ?
ନାଟୋ ଦେଶଗୁଡ଼ିକ ମଧ୍ୟ ରୁଷକୁ ରପ୍ତାନି କରନ୍ତି, ତେବେ ଟ୍ରମ୍ପ ସେମାନଙ୍କ ପ୍ରତି କାହିଁକି କଠୋର ନୁହଁନ୍ତି?
ଆପଣଙ୍କ ମନରେ ଦ୍ୱିତୀୟ ପ୍ରଶ୍ନ ଆସିପାରେ ଯେ, ଅନେକ ନାଟୋ ସଦସ୍ୟ ଦେଶ ରୁଷ ସହିତ ବ୍ୟବସାୟ କରୁଛନ୍ତି, ତେବେ ଏହା ସତ୍ତ୍ୱେ, ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କାହିଁକି ନୀରବ? ଏଠାରେ ମଧ୍ୟ ଉଲ୍ଲେଖଯୋଗ୍ୟ ଯେ, ଏହା ପଛରେ ଅନେକ କାରଣ ଅଛି। ଟ୍ରମ୍ପ ରୁଷରୁ ପେଟ୍ରୋଲିୟମ ଉତ୍ପାଦ ଏବଂ ଅନ୍ୟାନ୍ୟ ସାମଗ୍ରୀ ଆମଦାନୀ ଉପରେ ଜର୍ମାନୀ, ଫ୍ରାନ୍ସ ଭଳି ଦେଶ ସହିତ ମତଭେଦ କରିପାରନ୍ତି, କିନ୍ତୁ ସେ ସିଧାସଳଖ ମୁକାବିଲାକୁ ଏଡାଇବାକୁ ଚାହାଁନ୍ତି କାରଣ ନାଟୋ ଏକତା ରୁଷ ବିରୁଦ୍ଧରେ ଆମେରିକାର ବୈଦେଶିକ ନୀତିର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ଅଟେ। ସେଥିପାଇଁ ସେ ଚୀନ୍ ବ୍ୟତୀତ ଅନ୍ୟ ନାଟୋ ଦେଶଗୁଡ଼ିକ ଉପରେ ନୀରବ ମନୋଭାବ ଦେଖାଉଛନ୍ତି। ଉଲ୍ଲେଖଯୋଗ୍ୟ ଯେ, ୟୁରୋପୀୟ ସଂଘ ପାଇପଲାଇନ ମାଧ୍ୟମରେ ହଙ୍ଗେରୀ, ସ୍ଲୋଭାକିଆ ଏବଂ ଚେକ୍ ଗଣରାଜ୍ୟକୁ ରୁଷର ଅଶୋଧିତ ତୈଳ ଆମଦାନୀ କରେ। ଜାପାନକୁ ୨୦୨୬ ପର୍ଯ୍ୟନ୍ତ ରୁଷରୁ ତେଲ ଆମଦାନୀ କରିବାକୁ ଅନୁମତି ଦିଆଯାଇଛି।
କାହିଁକି ଭାରତକୁ ବାରମ୍ବାର ଭାରତକୁ ଟାର୍ଗେଟ କରୁଛନ୍ତି ଟ୍ରମ୍ପ?
ଭାରତ ସହିତ ଆମେରିକାର ବାଣିଜ୍ୟ ଚୁକ୍ତି ଅଟକି ରହିଛି। ଏହା ପଛରେ ଅନେକ କାରଣ ଅଛି। ଟ୍ରମ୍ପ ଭାରତର କୃଷି ଏବଂ ଦୁଗ୍ଧ କ୍ଷେତ୍ରକୁ ପ୍ରବେଶ କରିବାକୁ ଚାହୁଁଛନ୍ତି। ଭାରତ ସରକାର ଏହାକୁ ଅନୁମୋଦନ କରୁନାହାନ୍ତି କାରଣ ଭାରତର ୬୦% ଜନସଂଖ୍ୟା ଏବେ ବି କୃଷି ଉପରେ ନିର୍ଭରଶୀଳ। ତେଣୁ, ବାଣିଜ୍ୟ ଚୁକ୍ତି ଚୂଡ଼ାନ୍ତ ହେଉନାହିଁ। ଏହା ବ୍ୟତୀତ, ଭାରତୀୟ ଅଧିକାରୀମାନେ ସୂଚାଇ ଦେଇଛନ୍ତି ଯେ ଆମେରିକା କ୍ଷେତ୍ରୀୟ ଶୁଳ୍କ, ଯେପରିକି ଇସ୍ପାତ ଏବଂ ଅଟୋମୋବାଇଲ୍ ଉପରେ ଆଲୋଚନା କରିବାକୁ ପ୍ରସ୍ତୁତ ନୁହେଁ। ଏହି କାରଣରୁ, ଟ୍ରମ୍ପ ତାଙ୍କ ଇଚ୍ଛା ଅନୁଯାୟୀ ଭାରତ ସହିତ ବାଣିଜ୍ୟ ଚୁକ୍ତି କରିପାରୁ ନାହାନ୍ତି। ବିଶେଷଜ୍ଞମାନେ କହିଛନ୍ତି ଯେ ଟ୍ରମ୍ପଙ୍କ ରଣନୀତି କେବଳ ଭାରତ ସହିତ ବାଣିଜ୍ୟ କରିବା ନୁହେଁ, ବରଂ ଏକ ବ୍ୟାପକ ଆର୍ଥିକ ସନ୍ତୁଳନ ସୃଷ୍ଟି କରିବା।
ଉଲ୍ଲେଖଯୋଗ୍ୟ ଯେ, ଆମେରିକା ଭାରତର ସବୁଠାରୁ ବଡ଼ ବାଣିଜ୍ୟିକ ଅଂଶୀଦାର। ମେ ୨୦୨୫ ରେ, ଆମେରିକା ସହିତ ଭାରତର ଟ୍ରେଡ୍ ସରପ୍ଳସ୍ ଦ୍ରୁତ ଗତିରେ ବୃଦ୍ଧି ପାଇଥିଲା। ପ୍ରଥମ ଥର ପାଇଁ, ଆମେରିକା ସହିତ ଭାରତର ଟ୍ରେଡ୍ ସରପ୍ଳସ ୫ ବିଲିୟନ ଡଲାର ଅତିକ୍ରମ କରିଥିଲା। ଏହି ସମୟ ମଧ୍ୟରେ, ଭାରତରୁ ଆମେରିକାକୁ ରପ୍ତାନି ୮.୮୩ ବିଲିୟନ ଡଲାରରେ ପହଞ୍ଚିଥିଲା, କିନ୍ତୁ ଆମେରିକାରୁ ଆମଦାନି ମାତ୍ର ୩.୬୩ ବିଲିୟନ ଡଲାରକୁ ହ୍ରାସ ପାଇଥିଲା। ଏହି କାରଣରୁ, ଦୁଇ ଦେଶ ମଧ୍ୟରେ ବାଣିଜ୍ୟିକ ସନ୍ତୁଳନ ଭାରତ ସପକ୍ଷରେ ଅଧିକ ଢଳି ପଡ଼ିଥିଲା। ଟ୍ରମ୍ପ ଏହାକୁ ହ୍ରାସ କରିବାକୁ ଏବଂ ତାଙ୍କ କମ୍ପାନୀଗୁଡ଼ିକ ପାଇଁ ଭାରତର ବଡ଼ ବଜାର ଖୋଲିବାକୁ ଚେଷ୍ଟା କରୁଛନ୍ତି। ଟ୍ରମ୍ପ ଭାରତକୁ "ସଫ୍ଟ ଟାର୍ଗେଟ" ଭାବରେ ବିବେଚନା କରୁଛନ୍ତି। ସେଥିପାଇଁ ସେ ଭାରତ ଉପରେ ବାରମ୍ବାର କଠୋର ବୟାନ ଦେଉଛନ୍ତି। ସେ ଜାପାନ ସମେତ ୟୁରୋପୀୟ ଦେଶଗୁଡ଼ିକ ସହିତ ସମାନ ବାଣିଜ୍ୟ ଚୁକ୍ତି କରିଛନ୍ତି। ଏବେ ସେ ଭାରତ ସହିତ ସମାନ ଚାଲ ଖେଳିବାକୁ ଚେଷ୍ଟା କରୁଛନ୍ତି।
ଅଧିକ ପଢ଼ନ୍ତୁ: ଟ୍ରମ୍ପଙ୍କ ଟାରିଫ୍ ଚାପକୁ ଭାରତର ବ୍ରହ୍ମ ଚାପୁଡ଼ା, ମସ୍କୋରେ ଡୋଭାଲ୍, ତୈଳ-ଟାରିଫ୍ ଏବଂ S-400 ନେଇ ହେବ ଡିଲ୍ !
ଯଦି ଆମେରିକା ସହିତ କିଛି ଠିକ୍ ନହୁଏ, ତେବେ ଭାରତ ପାଖରେ କ’ଣ ବିକଳ୍ପ ରହିବ?
ଆର୍ଥିକ ବିଶେଷଜ୍ଞମାନେ କହିଛନ୍ତି ଯେ ଯଦି ଆମେରିକା ସହିତ ଉତ୍ତେଜନା ବୃଦ୍ଧି ପାଏ ତେବେ ଭାରତ ପାଖରେ ଅନେକ ବିକଳ୍ପ ଅଛି। ଟ୍ରମ୍ପଙ୍କ ପାଇଁ, ବାଣିଜ୍ୟ ଅଭିଯୋଗ କେବଳ ସାମଗ୍ରୀ ସହିତ ଜଡ଼ିତ, ସେବା ସହିତ ନୁହେଁ, କିନ୍ତୁ ଏହିଠାରେ ଭାରତ କଡ଼ା ଜବାବ ଦେଇପାରିବ। ଭାରତ ଆମେରିକୀୟ ଟେକ୍ ଜାଏଣ୍ଟମାନଙ୍କ ଉପରେ ଅତିରିକ୍ତ ଶୁଳ୍କ ଲାଗୁ କରିବାଠାରୁ ଆରମ୍ଭ କରି ଆଣ୍ଟି-ଟ୍ରଷ୍ଟ ନିୟମକୁ କଡ଼ାକଡ଼ି କରିବା, ଦଣ୍ଡ ବୃଦ୍ଧି କରିବା ଏବଂ ଡାଟା ସାର୍ବଭୌମତ୍ୱ ଆଇନକୁ ଆଗକୁ ବଢାଇବା ପର୍ଯ୍ୟନ୍ତ ପଦକ୍ଷେପ ନେଇପାରେ। ଏହା ଆମେରିକୀୟ ଟେକ୍ ଜାଏଣ୍ଟମାନଙ୍କ ପାଇଁ ଏକ ବଡ଼ ଝଟକା ହେବ। ଶିକ୍ଷା ମଧ୍ୟ ଏକ ଶକ୍ତିଶାଳୀ ଅସ୍ତ୍ର ହୋଇପାରେ। ଭାରତ ମହଙ୍ଗା ଆମେରିକୀୟ ଉଚ୍ଚଶିକ୍ଷାରେ ସବୁଠାରୁ ଅଧିକ ଖର୍ଚ୍ଚ କରୁଥିବା ଦେଶଗୁଡ଼ିକ ମଧ୍ୟରୁ ଗୋଟିଏ। ଏହି ନିବେଶକୁ ପୁନଃନିର୍ଦ୍ଦେଶିତ କରିବା କିମ୍ବା ଦେଶ ମଧ୍ୟରେ ପ୍ରତିଭା ଏବଂ ପୁଞ୍ଜି ବଜାୟ ରଖିବା ଉପରେ ଗୁରୁତ୍ୱ ଦେଇପାରେ। ଭୂରାଜନୈତିକ ଦୃଷ୍ଟିରୁ, ସଙ୍କେତଗୁଡ଼ିକ ପୂର୍ବରୁ ଦେଖାଯାଉଛି: ଆର୍ଆଇସି (ରୁଷ-ଭାରତ-ଚୀନ୍) ର ପୁନରୁଦ୍ଧାର, ବ୍ରିକ୍ସର ଦୃଢ଼ତା ଏବଂ ଭାରତ ଭାରତ-ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରରେ ଅଧିକ ସ୍ୱର ଉତ୍ତୋଳନ। ଅର୍ଥାତ୍, ଭାରତ ପାଖରେ ବିକଳ୍ପର ଅଭାବ ନାହିଁ। ଟ୍ରମ୍ପ ମଧ୍ୟ ଏହାକୁ ବୁଝିପାରୁଛନ୍ତି। ସେଥିପାଇଁ ସେ ବାରମ୍ବାର ଶୁଳ୍କ ଲାଗୁ କରିବାର ସମୟସୀମା ବଢ଼ାଇ ଚାଲିଛନ୍ତି।
ପ୍ରମେୟ ପୃଷ୍ଠାର ଅନ୍ୟ ଗୁରୁତ୍ବପୂର୍ଣ୍ଣ ଖବର ପଢ଼ନ୍ତୁ:
ବାଦଲ ନୁହେଁ, ବରଂ ଫାଟିଥିଲା ବରଫାବୃତ୍ତ ହ୍ରଦ...ଧରାଳିରେ କିପରି ଆସିଲା ବନ୍ୟା, ଜାଣନ୍ତୁ କଣ କହିଲେ ବୈଜ୍ଞାନିକ