ନୂଆଦିଲ୍ଲୀ, ୨୨/୦୮: ଧନୀ ଦିନକୁ ଦିନ ଆହୁରି ଧନୀ ହେଉଛନ୍ତି । ଆୟ ବଢୁଛି । ତେବେ ଆପଣ ଜାଣିଛନ୍ତି କି, ଭାରତରେ ସବୁଠାରୁ ଧନୀ କିଏ ବା ରାଜ୍ୟର ଲୋକଙ୍କ ମୁଣ୍ଡ ପିଛା ଆୟ କେତେ ? ଏକଥା ଉଠିଲେ ଦିଲ୍ଲୀ, ମୁମ୍ୱାଇ ଭଳି ସହର କଥା ସର୍ବ ପ୍ରଥମେ ଭାବନାକୁ ଆସେ । ହେଲେ ବର୍ତ୍ତମାନ ସାମ୍ନାକୁ ଆସିଥିବା ଏକ ରିପୋର୍ଟ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି । ଗତ ବର୍ଷ ଅର୍ଥାତ୍ ୨୦୨୪-୨୫ରେ ଭାରତର ପ୍ରତ୍ୟେକ ବ୍ୟକ୍ତିଙ୍କ ବାର୍ଷିକ ଆୟ ୧ଲକ୍ଷ ୧୪ ହଜାର ୭୧୦ ଟଙ୍କାରେ ପହଞ୍ଚିଛି । ୧୦ ବର୍ଷ ପୂର୍ବରୁ ଅର୍ଥାତ୍ ୨୦୧୪-୧୫ରେ ଏହି ସଂଖ୍ୟା ୭୨ ହଜାର ୮୦୫ ଟଙ୍କା ରହିଥିଲା । ଅର୍ଥାତ ବିଗତ ୧୦ ବର୍ଷରେ ପ୍ରତ୍ୟେକ ଭାରତୀୟଙ୍କ ଆୟ ପ୍ରାୟ ୪୧, ୯୦୫ ଟଙ୍କା ବୃଦ୍ଧି ପାଇଛି ।
ହେଲେ ଏହା ଠାରୁ ମଧ୍ୟ ବଡ଼ କଥା ହେଉଛି ଯେ, କେଉଁ ରାଜ୍ୟର ଲୋକଙ୍କ ଆୟ ସର୍ବାଧିକ ଏବଂ କେଉଁଠାରେ ଅଧିକ ଲକ୍ଷପତି ଅଛନ୍ତି । ଅର୍ଥାତ୍ ଯେଉଁମାନଙ୍କର ବାର୍ଷିକ ଆୟ ୧୨ ଲକ୍ଷ ଠାରୁ ଅଧିକ । ଏହା ଦ୍ୱାରା ଭାରତରେ କେଉଁଠିକାର ଲୋକ ପ୍ରକୃତରେ ମିଡିଲ କ୍ଲାସ୍ ଏବଂ କେଉଁଠାରେ ଆର୍ଥିକ ଉନ୍ନତି କେଉଁଠାରେ ଭଲ ରହିଛି,ତାହା ଜଣାପଡ଼ି ପାରିବ । ତେବେ ଆସନ୍ତୁ ଜାଣିବା ସର୍ବାଧିକ ଲକ୍ଷପତି କେଉଁ ରାଜ୍ୟରେ ଅଛନ୍ତି ।
କେଉଁ ରାଜ୍ୟରେ ଅଛନ୍ତି ସର୍ବାଧିକ ଲକ୍ଷପତି?
ଆୟକର ରିଟର୍ଣ୍ଣ (ITR)ର ତଥ୍ୟ ଏବଂ କରଦାତାଙ୍କ ଅନୁପାତ ଅନୁଯାୟୀ, କର୍ଣ୍ଣାଟକ ଏହି ଲିଷ୍ଟରେ ସବୁଠାରୁ ଆଗରେ ରହିଛି । ଏଠିକାର ୨୦.୬ପ୍ରତିଶତ କରଦାତା ଏପରି ଅଛନ୍ତି, ଯେଉଁମାନଙ୍କ ବାର୍ଷିକ ଆୟ ୧୨ ଲକ୍ଷରୁ ୫୦ ଲକ୍ଷ ମଧ୍ୟରେ ରହିଛି । ସେହିପରି ଦ୍ୱିତୀୟ ସ୍ଥାନରେ ତେଲେଙ୍ଗାନା ରହିଛି । ଯେଉଁଠାରେ ୧୨ ଲକ୍ଷରୁ ୫୦ ଲକ୍ଷ ମଧ୍ୟରେ ଆୟ ଥିବା ଲୋକଙ୍କ ସଂଖ୍ୟା ୧୯.୮ ପ୍ରତିଶତ ରହିଛି । ଏହା ପରେ ଝାଡ଼ଖଣ୍ଡରେ ୧୯.୫ ପ୍ରତିଶତ, ତାମିଲନାଡ଼ୁରେ ୧୮.୮ ପ୍ରତିଶତ ଏବଂ ଦିଲ୍ଲୀରେ ୧୭.୬ ପ୍ରତିଶତ ଅଛନ୍ତି । ଅର୍ଥାତ୍ ଭାରତର ୧୪.୧ ପ୍ରତିଶତ କରଦାତା ୧୨ ଲକ୍ଷରୁ ୫୦ ଲକ୍ଷ ଆୟ ରେଞ୍ଜରେ ଆସୁଛନ୍ତି । ଗୁଜରାଟ ଏବଂ ବିହାର ଭଳି ରାଜ୍ୟ ଏହି ଲିଷ୍ଟରେ ତଳେ ରହିଛନ୍ତି । ଯାହା ପ୍ରମାଣ କରୁଛି ଯେ, ଧନୀ ଗଣନା କରାଯାଉଥିବା କିଛି ରାଜ୍ୟରେ ଆୟ ଧୀରେ ଧୀରେ କମୁଛି ।
କେଉଁ ରାଜ୍ୟରେ ସର୍ବାଧିକ ଲୋକ ଟ୍ୟାକ୍ସ ଭରନ୍ତି?
ମହାରାଷ୍ଟ୍ରରେ ସର୍ବାଧିକ ୪୬ ଲକ୍ଷ ଲୋକ ଟ୍ୟାକ୍ସ ଭରିଛନ୍ତି । ହେଲେ ଜନସଂଖ୍ୟା ଦୃଷ୍ଟିରୁ ଦେଖିଲେ, ଦିଲ୍ଲୀ ସବୁଠାରୁ ଆଗରେ ରହିଛି । ଏଠିକାର ୫.୯ ପ୍ରତିଶତ ଲୋକ ଟ୍ୟାକ୍ସ ଭରନ୍ତି । ଉତ୍ତରପ୍ରଦେଶର ଜନସଂଖ୍ୟା ଦେଶର ଅନ୍ୟ ରାଜ୍ୟମାନଙ୍କ ତୁଳନାରେ ଅଧିକ ରହିଥିବା ବେଳେ ସେଥିମଧ୍ୟରୁ ମାତ୍ର ୧.୫ ପ୍ରତିଶତ ଲୋକ ଟ୍ୟାକ୍ସ ଭରୁଛନ୍ତି । ସେହିପରି ବିହାରରେ ମାତ୍ର ୦.୮ ପ୍ରତିଶତ ଲୋକ ଟ୍ୟାକ୍ସ ଦେଉଛନ୍ତି । କେନ୍ଦ୍ର ସରକାରଙ୍କ ତଥ୍ୟ ଅନୁଯାୟୀ, ରାଜ୍ୟଗୁଡ଼ିକରେ ମୁଣ୍ଡପିଛା ଆୟରେ ଏହି ପାର୍ଥକ୍ୟ ଆର୍ଥିକ ବିକାଶର ସ୍ତର, ଶାସନର ଗୁଣବତ୍ତା, ଶିଳ୍ପ ସଂଖ୍ୟା, ନିଯୁକ୍ତି ସୁଯୋଗ ଏବଂ ସାମାଜିକ ଗଠନ ଭଳି କାରଣ ଯୋଗୁଁ ହୋଇଛି।