ଭୁବନେଶ୍ୱର ୦୮/୦୮: ଯୋଗ କରିବା ଦ୍ୱାରା ଶାରୀରିକ ଓ ମାନସିକ ସ୍ୱାସ୍ଥ୍ୟ ଠିକ୍ ରହିଥାଏ । ଯଦି ଯୋଗ ଠିକ୍ ସମୟରେ କରାଯାଏ, ତେବେ ଏହାର ଅଧିକ ଫାଇଦା ମିଳିପାରିବ । ଆଜିକାଲି ପ୍ରତ୍ୟେକ ଲୋକ ସୁସ୍ଥ ରହିବା ପାଇଁ ଶାରୀରିକ ଗତିବିଧି ଉପରେ ଅଧିକ ଗୁରୁତ୍ୱ ଦେବାକୁ ପସନ୍ଦ କରୁଛନ୍ତି । ଏପରିକି କରୋନା ପରେ ଲୋକଙ୍କ ଭିତରେ ଯୋଗକୁ ନେଇ ଆଗ୍ରହ ବଢିଚାଲିଛି । କିନ୍ତୁ ଯୋଗ କରୁଥିବା ପ୍ରାୟ ଲୋକଙ୍କ ମନରେ ଗୋଟିଏ ପ୍ରଶ୍ନ ନିଶ୍ଚୟ ଉଙ୍କି ମାରୁଥାଏ । ତାହା ହେଉଛି ଯୋଗ କରିବାର ଉପଯୁକ୍ତ ସମୟ ସକାଳ ବା ସଂଧ୍ୟା? ଚାଲନ୍ତୁ ଜାଣିବା ସେ ବିଷୟରେ…
ସକାଳ ଯୋଗ :
ଯୋଗ କରିବାର ପ୍ରକୃଷ୍ଠ ସମୟ ବ୍ୟକ୍ତିର ଜୀବନଶୈଳୀ ଓ ନିୟମିତ ରୁଟିନ୍ ଉପରେ ନିର୍ଭର କରିଥାଏ । କିନ୍ତୁ ସକାଳେ ଯୋଗ କରିବାକୁ ଗୁରୁତ୍ୱପୂର୍ଣ୍ଣ ବୋଲି ଧରି ନିଆଯାଇଛି । କାରଣ ସକାଳର ବାତାବରଣ ଶାନ୍ତ, ମନରେ ସ୍ୱଚ୍ଛତା ଓ ଶକ୍ତିରେ ଭରପୂର ରହିଥାଏ । ଏହି ସମୟରେ ପେଟ ମଧ୍ୟ ଖାଲି ରହିଥାଏ, ଯାହା ଆସନ ଓ ପ୍ରାଣାୟାମ ପାଇଁ ବେଶ୍ ପ୍ରଜ୍ଜୁଜ୍ୱ । ସକାଳେ ଯୋଗ କରିବା ଦ୍ୱାରା ଶରୀର ସତେଜ, ମାନସିକ ସ୍ୱାସ୍ଥ୍ୟ ଭଲ ରହିବା ସହ ସକାରାତ୍ମକ ଭାବନାର ବିକାଶ ହୋଇଥାଏ ।
ଫାଇଦା :
ସକାଳେ ବାୟୁମଣ୍ଡଳ ପ୍ରଦୂଷଣ ମୁକ୍ତ ରହିଥାଏ । ଶାନ୍ତ ପରିବେଶରେ ଯୋଗ କରିବା ଦ୍ୱାରା ମାନସିକ ଚିନ୍ତା ସହଜରେ ଆସି ନ ଥାଏ, ଯାହା ଯୋଗ କରିବା ସମୟରେ ଫୋକସ୍ ପାଇଁ ଖୁବ୍ ଜରୁରି । ସକାଳେ ଯୋଗ କରିବା ଦ୍ୱାରା ସାରା ଦିନ ସତେଜତା ଅନୁଭବ ହୋଇଥାଏ । ସୂର୍ଯ୍ୟ ନମସ୍କାର, ପ୍ରାଣାୟାମ ଓ ଧ୍ୟାନ କରିବା ଦ୍ୱାରା ମାନସିକ ସ୍ଥିତି ସକାରାତ୍ମକ ରହିଥାଏ । ଯୋଗ କରିବା ଦ୍ୱାରା ଶରୀର ନମନୀୟ ହେବା ସହ ପାଚନ ତନ୍ତ୍ର ଉପରେ ସକାରାତ୍ମକ ପ୍ରଭାବ ପଡିଥାଏ । ସେହିପରି ରାତିରେ ଭଲ ନିଦ ମଧ୍ୟ ହୋଇଥାଏ ।
ସଂଧ୍ୟା ଯୋଗର ଫାଇଦା :
ସଂଧ୍ୟାରେ ଯୋଗ କରିବା ମଧ୍ୟ କେତେକ ଫାଇଦା ଦେଇଥାଏ । ଯେଉଁମାନଙ୍କୁ ସକାଳେ ଯୋଗ ପାଇଁ ସମୟ ମିଳି ନଥାଏ । ସେମାନେ ସଂଧ୍ୟାରେ ଯୋଗ କରିପାରିବେ । ଫଳରେ ଦିନଯାକର ଦୌଡାଦୌଡିର ଥକ୍କାପଣ ଦୂର ହୋଇଥାଏ । ଏପରିକି ସଂଧ୍ୟାରେ ଯୋଗ କରିବା ଦ୍ୱାରା ମନ ଶାନ୍ତ ହେବା ସହ ରାତିରେ ଭଲ ନିଦ ମଧ୍ୟ ହୋଇଥାଏ । ସଂଧ୍ୟାରେ ଶରୀର ଗରମ ରହିବା ସହ ଦିନଯାକର କାମ ପରେ ମାଂସପେଶୀ ସକ୍ରିୟ ରହିଥାଏ । ଏହି ସ୍ଥିତିରେ ଯୋଗ କରିବା ଦ୍ୱାରା ମଧ୍ୟ ଶରୀରକୁ ଆରାମ ମିଳିଥାଏ । ଏପରିକି ରାତିରେ ଭଲ ନିଦ ହୋଇଥାଏ ।
ନିଷ୍କର୍ଷ :
ଯୋଗ କରିବା ପାଇଁ ଉଭୟ ସମୟ ଉପଯୁକ୍ତ । କିନ୍ତୁ ସକାଳେ ଯୋଗ କରିବା ଦ୍ୱାରା ସାରାଦିନ ଶରୀରରେ ସତେଜତା ଅନୁଭବ ହୋଇଥାଏ । ତେଣୁ ସକାଳେ ଯୋଗ କରିବା ବେଶୀ ଲାଭଦାୟକ ।