ସିନ୍ଧୁ ଜଳ ଚୁକ୍ତିନାମା ବାତିଲର ଭୟଙ୍କର ପରିଣତିର ଏକ ଝଲକ ୧୯୪୮ ମସିହାରେ ଦେଖିବାକୁ ମିଳିଥିଲା । ମାନସରୋବର ହ୍ରଦ ନିକଟସ୍ଥ କୈଳାସ ପର୍ବତମାଳାର ତିବ୍ଦତୀୟ ଅଞ୍ଚଳର ଏକ ହିମବାହରୁ ସିନ୍ଧୁ ନଦୀ ନିର୍ଗତ ହୋଇ ଭାରତ, ପାକିସ୍ତାନ ଅତିକ୍ରମ କରି କରାଚି ନିକଟସ୍ଥ ଆରବ ସାଗରରେ ଲୀନ ହୋଇଛି । ସିନ୍ଧୁ ନଦୀ ଅବବାହିକାର ଛଅଟି ପ୍ରମୁଖ ନଦୀ ହେଉଛି- ପୂର୍ବରେ ସତଲେଜ, ବିଜ୍, ରାବୀ ଏବଂ ପଶ୍ଚିମରେ ସିନ୍ଧୁ, ଝେଲମ ଓ ଚେନାବ ।
ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ସୁରକ୍ଷା ସଂକ୍ରାନ୍ତ କ୍ୟାବିନେଟ କମିଟି (ସିସିଏସ୍) ବୈଠକ ଅନୁଷ୍ଠିତ ହୋଇଥିଲା । ୨୦୨୫ ମସିହା ଏପ୍ରିଲ ୨୨ ତାରିଖରେ ପହଲଗାମ୍ରେ ସଂଗଠିତ ଆତଙ୍କବାଦୀ ଆକ୍ରମଣରେ ୨୫ଜଣ ଭାରତୀୟ ଏବଂ ଜଣେ ନେପାଳୀ ନାଗରିକଙ୍କ ମୃତ୍ୟୁ ସଂପର୍କରେ ବିସ୍ତୃତ ତଥ୍ୟ କମିଟିକୁ ପ୍ରଦାନ କରାଯାଇଥିଲା । ଆତଙ୍କୀ ଆକ୍ରମଣ ସହିତ ସୀମା ପାର ସଂପର୍କ ଉପରେ ସୂଚନା ଦିଆଯାଇଥିଲା। ...ସିସିଏସ୍ ଏହି ଆକ୍ରମଣକୁ କଠୋର ଶବ୍ଦରେ ନିନ୍ଦା କରିବା ସହିତ ମୃତକଙ୍କ ପରିବାରକୁ ଗଭୀର ସମବେଦନା ଓ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଥିଲେ ।
ଆତଙ୍କବାଦୀ ଆକ୍ରମଣର ଗମ୍ଭୀରତାକୁ ହୃଦୟଙ୍ଗମ କରି ସିସିଏସ୍ ନିମ୍ନ ପଦକ୍ଷେପ ନେବାପାଇଁ ନିଷ୍ପତ୍ତି ନେଇଛନ୍ତି: ୧) ପାକିସ୍ତାନ ଯେପର୍ଯ୍ୟନ୍ତ ସୀମାପାର ଆତଙ୍କବାଦକୁ ବିଶ୍ୱସନୀୟ ଏବଂ ଅପରିବର୍ତ୍ତନୀୟ ସମର୍ଥନ ପ୍ରତ୍ୟାହାର ନକରିଛି, ତୁରନ୍ତ ୧୯୬୦ ମସିହା ସିନ୍ଧୁ ଜଳ ଚୁକ୍ତିନାମା ସ୍ଥଗିତ ରହିବ ।
୨) ଅଟାରୀ ସମନ୍ୱିତ ଚେକ୍ପୋଷ୍ଟ ତୁରନ୍ତ ବନ୍ଦ କରାଯିବ । ଯେଉଁମାନେ ବୈଧ ଅନୁମୋଦନ ସହିତ ଅତିକ୍ରମ କରିଛନ୍ତି, ସେମାନେ ୨୦୨୫ ମଇ ମାସ ୧ ତାରିଖ ସୁଦ୍ଧା ସେହି ମାର୍ଗ ଦେଇ ଫେରିପାରିବେ । ୩) ସାର୍କ ଭିସା ରିହାତି ଯୋଜନା (ଏସଭିଇଏସ୍) ଆଧାରରେ ପାକିସ୍ତାନୀ ନାଗରିକଙ୍କୁ ଭାରତ ଆସିବା ପାଇଁ ଅନୁମତି ମିଳିବ ନାହିଁ । ଅତୀତରେ ପାକିସ୍ତାନୀ ନାଗରିକଙ୍କୁ ପ୍ରଦାନ କରାଯାଇଥିବା ଏସଭିଇଏସ ଭିସା ତୁରନ୍ତ ରଦ୍ଦ କରାଗଲା । ଏହି ଭିସା ଆଧାରରେ ଭାରତରେ ଥିବା ପାକିସ୍ତାନୀ ନାଗରିକଙ୍କୁ ଭାରତ ଛାଡ଼ିବା ପାଇଁ ୪୮ଘଣ୍ଟା ସମୟ ଦିଆଯାଉଛି ।
୪) ନୂଆଦିଲ୍ଲୀ ସ୍ଥିତ ପାକିସ୍ତାନୀ ହାଇକମିଶନରେ ଥିବା ପ୍ରତିରକ୍ଷା/ସାମରିକ, ନୌସେନା ଓ ବାୟୁ ପରାମର୍ଶଦାତାଙ୍କୁ ଅବାଞ୍ଛିତ ବ୍ୟକ୍ତି ଘୋଷଣା କରାଯାଉଛି । ଭାରତ ଛାଡ଼ିବା ପାଇଁ ସେମାନଙ୍କୁ ଗୋଟିଏ ସପ୍ତାହ ସମୟ ଦିଆଯାଉଛି । ଇସଲାମାବାଦ ସ୍ଥିତ ଭାରତୀୟ ହାଇକମିଶନରୁ ଭାରତ ନିଜସ୍ୱ ପ୍ରତିରକ୍ଷା/ବାୟୁସେନା/ନୌସେନା ପରାମର୍ଶଦାତାଙ୍କୁ ପ୍ରତ୍ୟାହାର କରିନେବ । ସଂପୃକ୍ତ ହାଇମିଶନରୁ ଏହି ପଦବିଗୁଡ଼ିକୁ ରଦ୍ଦ କରାଗଲା । ଉଭୟ ହାଇକମିଶନରୁ ସେବା ପରାମର୍ଶଦାତାଙ୍କ ପାଞ୍ଚଜଣ ସହାୟକ କର୍ମଚାରୀଙ୍କୁ ପ୍ରତ୍ୟାହାର କରି ନିଆଯିବ ।
୫) ଉଭୟ ହାଇକମିଶନର ସମୁଦାୟ ପଦବି ୨୦୨୫ ମଇ ୧ ତାରିଖରୁ ୫୫ରୁ ହ୍ରାସ କରାଯାଇ ୩୦ ରହିବ । ଚଳିତ ବର୍ଷ ପହଲଗାମ୍ରେ ସଂଗଠିତ ଆତଙ୍କବାଦୀ ଆକ୍ରମଣର ଗୋଟିଏ ଦିନ ପରେ ଅର୍ଥାତ ଏପ୍ରିଲ ୨୩ ତାରିଖରେ ଭାରତ ସରକାରଙ୍କ ପକ୍ଷରୁ ବୈଦେଶିକ ସଚିବ ବିକ୍ରମ ମିଶ୍ରିଙ୍କର ଏହି ଘୋଷଣାନାମା ପରେ ଭାରତ-ପାକିସ୍ତାନ ସଂପର୍କରେ ଯବନିକା ପଡ଼ିଥିଲା । ସିନ୍ଧୁ ଜଳ ଚୁକ୍ତିନାମାକୁ ଭାରତ ସ୍ଥଗିତ ରଖିବ- ଏହା ପାକିସ୍ତାନ କେବେ କଳ୍ପନା କରିନଥିଲା । ୧୯୬୦ ମସିହାରେ ଏହି ଚୁକ୍ତିନାମା ସ୍ୱାକ୍ଷରିତ ହେବା ପରେ ୧୯୬୫, ୧୯୭୧ ଏବଂ ୧୯୯୯ ମସିହାର ତିନିଟି ଭୟାନକ ଯୁଦ୍ଧ ଏବଂ କାଶ୍ମୀରକୁ କେନ୍ଦ୍ର କରି ଦୁଇ ଦେଶ ମଧ୍ୟରେ ସଂପର୍କରେ ତିକ୍ତତା ବୃଦ୍ଧି ପାଇଥିଲେ ମଧ୍ୟ ମାନବିକତା ଦୃଷ୍ଟିରୁ ଜଳ ଆବଣ୍ଟନ ଚୁକ୍ତିନାମା ପ୍ରତି ଭାରତ ସର୍ବଦା ସମ୍ମାନ ପ୍ରଦର୍ଶନ କରିଥିଲା । ଯଦିଓ ଚୁକ୍ତିନାମା ସ୍ୱାକ୍ଷରିତ ହେବା ପରେ ପରେ ପାର୍ଲାମେଣ୍ଟରେ ବିରୋଧୀ ଏବଂ ସରକାରୀ ଦଳ ତରଫରୁ ଏହାକୁ ଘୋର ବିରୋଧ କରାଯାଇଥିଲା । ବିଭିନ୍ନ ସମୟରେ ଚୁକ୍ତିନାମାକୁ ବାତିଲ କରିବା ପାଇଁ ଦାବି ଉଠୁଥିଲେ ମଧ୍ୟ ଛଅ ଦଶନ୍ଧିରୁ ଊଦ୍ଧ୍ୱର୍କାଳ ଏହା ତିଷ୍ଠି ରହିଥିଲା । କିନ୍ତୁ ପହଲଗାମ୍ ଆତଙ୍କୀ ଆକ୍ରମଣ, ଧୈର୍ଯ୍ୟ ଏବଂ ସହନଶୀଳତାର ସମସ୍ତ ସୀମା ଅତିକ୍ରମ କରିଗଲା ।
ସିନ୍ଧୁ ଜଳ ଚୁକ୍ତିନାମା ବାତିଲର ଭୟଙ୍କର ପରିଣତିର ଏକ ଝଲକ ୧୯୪୮ ମସିହାରେ ଦେଖିବାକୁ ମିଳିଥିଲା । ମାନସରୋବର ହ୍ରଦ ନିକଟସ୍ଥ କୈଳାସ ପର୍ବତମାଳାର ତିବ୍ଦତୀୟ ଅଞ୍ଚଳର ଏକ ହିମବାହରୁ ସିନ୍ଧୁ ନଦୀ ନିର୍ଗତ ହୋଇ ଭାରତ, ପାକିସ୍ତାନ ଅତିକ୍ରମ କରି କରାଚି ନିକଟସ୍ଥ ଆରବ ସାଗରରେ ଲୀନ ହୋଇଛି । ସିନ୍ଧୁ ନଦୀ ଅବବାହିକାର ଛଅଟି ପ୍ରମୁଖ ନଦୀ ହେଉଛି- ପୂର୍ବରେ ସତଲେଜ, ବିଜ୍, ରବି ଏବଂ ପଶ୍ଚିମରେ ସିନ୍ଧୁ, ଝେଲମ ଓ ଚେନାବ । ସିନ୍ଧୁ ଏବଂ ଏହାର ଶାଖା ନଦୀ ଝେଲମ ଓ ଚେନାବ- ଏହି ତିନିଟି ନଦୀ ପଶ୍ଚିମ ଦିଗରୁ ପ୍ରବାହିତ ହୋଇ କାଶ୍ମୀର ଦେଇ ପାକିସ୍ତାନରେ ମିଶିଛି । ମଧ୍ୟବର୍ତ୍ତୀ ପର୍ବତାଞ୍ଚଳ ଯୋଗୁଁ ଏହି ନଦୀସମୂହର ଜଳରାଶି ଅବଶିଷ୍ଟ ଭାରତରେ ପହଞ୍ଚି ପାରେନାହିଁ ।
୧୯୪୭ ମସିହାରେ ଦେଶ ବିଭାଜନ ସମୟରେ ନଦୀଗୁଡିକର ବିଭାଜନ ହୋଇନଥିଲା । ତେଣୁ ଭାରତର ପୂର୍ବ ପଞ୍ଜାବ ଓ ପାକିସ୍ତାନର ପଶ୍ଚିମ ପଞ୍ଜାବର ମୁଖ୍ୟ ଯନ୍ତ୍ରୀମାନେ ନଦୀଜଳ ଆବଣ୍ଟନ ନିମନ୍ତେ ୧୯୪୭ ମସିହା ଡିସେମ୍ବର ୨୦ ତାରିଖରେ ଏକ ଚୁକ୍ତିନାମା ପ୍ରସ୍ତୁତ କଲେ, ଯାହା ୧୯୪୮ ମସିହା ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିଲା । ଫଳରେ ପାକିସ୍ତାନରେ ରବି ଫସଲ ନିମନ୍ତେ ଜଳ ଅଭାବ ରହିଲା ନାହିଁ । କିନ୍ତୁ ଚୁକ୍ତିନାମାର ଅବଧି ଶେଷ ହେବା ପୂର୍ବରୁ ପଶ୍ଚିମ ପଞ୍ଜାବ ସରକାର ଏହା ଉପରେ ଆଲୋଚନା କରିବାକୁ ଅବହେଳା କରିଥିଲେ । ଫଳରେ ନଦୀର ଉପର ମୁଣ୍ଡରେ ଅବସ୍ଥିତ ପୂର୍ବ ପଞ୍ଜାବ ସରକାର ୧୯୪୮ ମସିହା ଏପ୍ରିଲ ୧ ତାରିଖରେ ଉପର ବାରୀ ଦୋଆବ କେନାଲ ଏବଂ ଦୀପାଲପୁର କେନାଲର ମୁଖ୍ୟ ଶାଖା ସହିତ ପାକିସ୍ତାନକୁ ପ୍ରବାହିତ ଜଳରାଶିକୁ ବନ୍ଦ କରିଦେଲେ । ହଠାତ୍ ପାଣି ବନ୍ଦ ହୋଇଯିବାରୁ ପାକିସ୍ତାନରେ ହାହାକାର ପଡ଼ିଗଲା । ଲାହୋର ସହର ସଂପୂର୍ଣ୍ଣ ଭାବେ ଏହି କେନାଲ ପାଣି ଉପରେ ନିର୍ଭରଶୀଳ ଥିଲା ।
ଆଗାମୀ ଖରିଫ ଫସଲ କେମିତି ହେବ, ଏ ନେଇ ଚିନ୍ତା ପଡ଼ିଲା । ସେ ସମୟରେ କାଶ୍ମୀରକୁ ନେଇ ଦୁଇ ଦେଶ ମଧ୍ୟରେ ଯୁଦ୍ଧ ଲାଗିଥାଏ । ତେଣୁ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ଥିଲା । ତଥାପି ଦୁଇ ସରକାରଙ୍କ ମଧ୍ୟରେ ଆଲୋଚନା ଆରମ୍ଭ ହେଲା ଏବଂ ପଶ୍ଚିମ ପଞ୍ଜାବ ସରକାର ଜଳ ବାବଦକୁ ଅର୍ଥ ଦେବାପାଇଁ ରାଜିହେଲେ, କିନ୍ତୁ ପରେ ସେ ସର୍ତ୍ତରୁ ଓହରିଗଲେ । ପାଞ୍ଚ ସପ୍ତାହ ପରେ ଭାରତରୁ କେନାଲରେ ପାଣି ଛଡ଼ାଗଲା ଏବଂ ସେହି ସମୟରେ ପାକିସ୍ତାନ ଟାଇମସ୍ ରିପୋର୍ଟ ଆଧାରରେ "ଅନେକ ଲାହୋରବାସୀ ପାଣି ଦେଖିବା ପାଇଁ ଉତ୍ସାହ ଓ ଆଗ୍ରହର ସହିତ କେନାଲ କୂଳରେ ରୁଣ୍ଡ ହୋଇଥିଲେ' । ପାଞ୍ଚ ସପ୍ତାହରେ ପାକିସ୍ତାନର ଆର୍ôଥକ କ୍ଷତିର ପରିମାଣ ଦୁଇ କୋଟି ଟଙ୍କା ଆକଳନ କରାଯାଇଥିଲା । ଏହି ସମୁଦାୟ ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କର କୌଣସି ଭୂମିକା ନଥିଲା । ବରଂ ପାଣି ବନ୍ଦ କରିଥିବାରୁ ପ୍ରଧାନମନ୍ତ୍ରୀ ନେହେରୁ ପଞ୍ଜାବ ସରକାର ଉପରେ କ୍ଷୁବ୍ଧ ହୋଇଥିଲେ ।
ସିନ୍ଧୁ ଏବଂ ତାହାର ପାଞ୍ଚଟି ଶାଖା ନଦୀର ଜଳ ବ୍ୟବହାର କରିବା ସହିତ ଭବିଷ୍ୟତରେ ଏହିଭଳି ଅଘଟଣକୁ ଏଡ଼ାଇବା ପାଇଁ ୧୯୬୦ ମସିହା ସେପ୍ଟେମ୍ବର ୧୯ ତାରିଖରେ ବିଶ୍ୱବ୍ୟାଙ୍କ ମଧ୍ୟସ୍ଥତାରେ ଭାରତର ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁ ଏବଂ ପାକିସ୍ତାନର ରାଷ୍ଟ୍ରପତି ଆୟୁବ ଖାଁଙ୍କ ମଧ୍ୟରେ କରାଚି ଠାରେ ଏକ ଜଳ ଆବଣ୍ଟନ ଚୁକ୍ତିନାମା ସ୍ୱାକ୍ଷରିତ ହୋଇଥିଲା, ଯାହା "ସିନ୍ଧୁ ଜଳ ଚୁକ୍ତିନାମା' ଭାବେ ଅଭିହିତ । ଏହି ଚୁକ୍ତିନାମା ବଳରେ ତିନିଟି ପୂର୍ବାଞ୍ଚଳ ନଦୀ ବିଜ୍, ରବି ଏବଂ ଶତଲେଜ ଏବଂ ସେହି ଆଧାରରେ ୪୧ ବିଲିୟନ କ୍ୟୁବିକ୍ ମିଟର ପାଣି ଭାରତ ନିୟନ୍ତ୍ରଣରେ ଏବଂ ସିନ୍ଧୁ, ଚେନାବ ଓ ଝେଲମ ସମେତ ୧୬୭ ବିଲିୟନ କ୍ୟୁବିକ୍ ମିଟର ପାଣି ପାକିସ୍ତାନ ନିୟନ୍ତ୍ରଣରେ ରହିଲା ।
ଭାରତ ପାକିସ୍ତାନ ମଧ୍ୟରେ ଜଳ ଆବଣ୍ଟନର ଅନୁପାତ ରହିଲା ୨୦:୮୦ । ଏହି ଚୁକ୍ତିନାମାକୁ କାର୍ଯ୍ୟକ୍ଷମ କରିବା ପାଇଁ ୭୦୦ କୋଟି ଟଙ୍କାର ପ୍ରକଳ୍ପ ପ୍ରସ୍ତୁତ କରାଗଲା । ସେଥିନିମନ୍ତେ ୬୨୦ କୋଟି ଟଙ୍କା ବିଦେଶୀ ଅନୁଦାନ ଏବଂ ୮୦ କୋଟି ଟଙ୍କା ଭାରତ ଦେବ ବୋଲି ସ୍ଥିରୀକୃତ ହେଲା । ପାକିସ୍ତାନ ଭାଗରେ ଅଧିକ ପାଣି ଅଥଚ ଶୂନ୍ୟ ଆର୍ଥିକ ଅବଦାନ: ଏଥିରେ ଭାରତବାସୀ କ୍ଷୁବ୍ଧ ହେବା ସ୍ୱାଭାବିକ । ପାର୍ଲାମେଣ୍ଟରେ ଏହା ଉପରେ ଆଲୋଚନା ସମୟରେ ନେହେରୁ ଚୁକ୍ତିନାମା ସପକ୍ଷରେ ଯୁକ୍ତି ବାଢ଼ି କହିଥିଲେ "କିଛି ଅଧିକ ଜଳ ଏବଂ ଟଙ୍କା ବଦଳରେ ବନ୍ଧୁତ୍ୱ ପ୍ରତିଷ୍ଠା କରି ଆମକୁ ଯେଉଁ ଶାନ୍ତି ମିଳିଛି ତାହା ଅମୂଲ୍ୟ' । ଆଲୋଚନାରେ ଅଂଶଗ୍ରହଣ କରି ପ୍ରଥମ ଥର ସାଂସଦ ଅଟଳ ବିହାରୀ ବାଜପେୟୀ କହିଥିଲେ "ଏହି ଚୁକ୍ତିନାମା ସତ୍ତେ୍ୱ ପାକିସ୍ତାନ ଆମ ସହିତ ବନ୍ଧୁ ଭଳି ବ୍ୟବହାର କରିବ, ତାହା ସନ୍ଦେହଜନକ' । ଖ୍ୟାତନାମା ସାହିତ୍ୟିକ ତଥା ଗଣତନ୍ତ୍ର ପାର୍ଟିର ସାଂସଦ ସୁରେନ୍ଦ୍ର ମହାନ୍ତି କହିଥିଲେ ‘It is a treaty of surrender’.
ଜୁନ୍ ପ୍ରଥମ ସପ୍ତାହ ସୁଦ୍ଧା ପାକିସ୍ତାନର ଜଳସଂପଦ ବିଭାଗ ଭାରତର ଜଳଶକ୍ତି ବିଭାଗକୁ ସିନ୍ଧୁ ଜଳ ଚୁକ୍ତିନାମା ସଂପର୍କରେ ପୁନଃବିଚାର କରିବା ପାଇଁ ଚାରୋଟି ଅନୁରୋଧ ପତ୍ର ଲେଖିଥିଲେ । ବ୍ୟସ୍ତବିବ୍ରତ ପାକିସ୍ତାନ ଜୁନ୍ ମାସରେ ଭାରତ ବିରୋଧରେ ହେଗ୍ରେ ଅବସ୍ଥିତ Court of Arbitration ଏବଂ ମିଳିତ ଜାତିସଂଘରେ ଅଭିଯୋଗ ଆଣିଥିଲା । ପାକିସ୍ତାନ ପ୍ରଧାନମନ୍ତ୍ରୀ , ସେନାଧ୍ୟକ୍ଷ ଏବଂ ବିରୋଧୀ ପାକିସ୍ତାନ ପିପୁଲସ୍ ପାର୍ଟିର ଅଧ୍ୟକ୍ଷ ଭାରତ ଉପରେ ପରମାଣୁ ଆକ୍ରମଣ ଧମକ ଦେଇଥିଲେ । ଏହି ଦୃଷ୍ଟିରୁ ଭାରତ ସରକାର, ପାକିସ୍ତାନର ନିରନ୍ତର ଆତଙ୍କବାଦ କାର୍ଯ୍ୟଧାରା ଏବଂ "ଅପରେସନ ସିନ୍ଦୂର'ର ସଫଳତା ସାରା ବିଶ୍ୱରେ କୂଟନୈତିକ ସ୍ତରରେ ପ୍ରଚାର କରିବା ପାଇଁ ମଇ ମାସରେ ୫୯ଜଣ ସର୍ବଦଳୀୟ ସାଂସଦଙ୍କୁ ୭ଟି ଗ୍ରୁପରେ ବିଭକ୍ତ କରି ୩୨ଟି ପ୍ରମୁଖ ଦେଶକୁ ପଠାଇଥିଲେ ।
ଭାରତ ନିଜ ଯୁକ୍ତିରେ ଦୃଢ଼ ରହିଛି "ଜଳ ଏବଂ ରକ୍ତ ଗୋଟିଏ ଧାରରେ ପ୍ରବାହିତ ହେବା ସମ୍ଭବ ନୁହେଁ' । ଏହି ପରିପ୍ରେକ୍ଷୀରେ ପାକିସ୍ତାନ ସିନେଟରେ ବରିଷ୍ଠ ସଦସ୍ୟ ସୟୈଦ ଅଲ୍ଲୀ ଜାଫର ଦେଶବାସୀଙ୍କ ମରମ କଥା ବଖାଣିଛନ୍ତି "ସିନ୍ଧୁ ଅବବାହିକା ହେଉଛି ଆମର ଜୀବନରେଖା । ଆମ ଆବଶ୍ୟକତାର ତିନି-ଚତୁର୍ଥାଂଶ ଜଳ ବାହାର ଦେଶରୁ ଆସିଥାଏ । ଦେଶର ପ୍ରତି ଦଶ ଜଣଙ୍କ ମଧ୍ୟରୁ ନଅ ଜଣ ଜୀବନଧାରଣ ପାଇଁ ସିନ୍ଧୁ ଅବବାହିକା ଉପରେ ନିର୍ଭର କରନ୍ତି । ଆମର ୯୦% ଫସଲ ଏବଂ ସମସ୍ତ ବିଦ୍ୟୁତ ପ୍ରକଳ୍ପ ଓ ଡ୍ୟାମ୍ ଏହି ଜଳ ଉପରେ ନିର୍ଭରଶୀଳ । ଯଦି ଜଳ ବିବାଦର ତୁରନ୍ତ ସମାଧାନ ନହୁଏ, ଆମେ ଭୋକରେ ମରିଯିବା' । ସ୍ୱାଧୀନତା ପରଠାରୁ ପାକିସ୍ତାନ ଆମ ଦେଶରେ କେତେ ବୋମା ନିକ୍ଷେପ କରି କେତେ ଧନଜୀବନ ଧ୍ୱଂସ କରିଛି, ତାହାର ହିସାବ ନାହିଁ । କିନ୍ତୁ ଆମର ଏହି ଗୋଟିଏ "ଜଳ-ବୋମା' ପାକିସ୍ତାନରେ ହାହାକାର ସୃଷ୍ଟି କରି ପାକିସ୍ତାନକୁ ଶାନ୍ତି ମାର୍ଗରେ ଚାଲିବା ପାଇଁ ବାଧ୍ୟ କରିବ, ଏଥିରେ ସନ୍ଦେହ ନାହିଁ ।