ଆତ୍ମଦାହ ଘଟଣା ଓଡ଼ିଶାରେ ଦେଢ଼ମାସରେ ୪ଟି ଘଟିଲାଣି । ଶିକାର କିଏ? ନାବାଳିକା ଏବଂ ଅଳ୍ପ ବୟସର କଲେଜ ଛାତ୍ରୀ । ସମସ୍ତେ ସାଧାରଣ ଆର୍ଥିକ ବର୍ଗର । ଯେଉଁମାନେ ଜୀବନକୁ ଏଯାଏଁ ଦେଖିନାହାନ୍ତି ବା ନୂଆ ନୂଆ ଦେଖିବା ଆରମ୍ଭ କରିଛନ୍ତି, ସେମାନେ ନିଜକୁ ନିଜେ ଦାହ କରିଦବାର ଦୁଃସାହସ କରୁଛନ୍ତି । ଏମିତି କେଉଁ ଦୁଃଖ ବା ହତାଶା ଅଥବା କିଛି ଆଶା ବାକି ନଥିବାର ଦୁଃଖ ତାଙ୍କର କୁନି ଜୀବନକୁ ଆଚ୍ଛନ୍ନ କଲା ଯେ, ସେମାନେ ନିଜ ଜୀବନକୁ ହିଁ ଶେଷ କରିଦେବାର ନିଷ୍ପତ୍ତି ନେଲେ? ନା, ନିରାଶାର ଅନ୍ଧାର ଘାଇ ଭିତରକୁ କେହି ଠେଲିଦେଲେ କି? ଉତ୍ତର ନାହିଁ । ଉତ୍ତର ଦେବା ମଣିଷଟି ହିଁ ନାହିଁ । ବାକି ସବୁ ଅନୁମାନ, ଅଟକଳ, ତର୍ଜମା । ଆମେ ସମସ୍ତେ ଅନୁଭବ କରିଛୁ ନା? କଅଁଳ ଦେହରେ ନିଆଁ ଚେଙ୍କଟିଏ ଲାଗିଲେ କେମିତି ଲାଗେ? ଏମାନେ ତ ପୂରା ଶରୀରକୁ ନିଆଁରେ ଜାଳି ଦେଉଛନ୍ତି?
ମନେପକାନ୍ତୁ ଆତ୍ମାକୁ ଶିହରାଇ ଦେବା ଭଳି ଏକ ଦୃଶ୍ୟ । ଗତ ଜୁଲାଇ ୧୨ ତାରିଖ । ବାଲେଶ୍ୱର ଏଫ୍ଏମ୍ କଲେଜ ବାରଣ୍ଡାରେ ହଠାତ୍ ଦେଖାଗଲା ହୁତ୍ହୁତ୍ ଜଳୁଥିବା ଏକ ଦେହ । ବାରଣ୍ଡାରୁ କୋଠରି ଭିତରକୁ, ପୁଣି ଖୋଲା ଅଗଣାକୁ ଧାଉଁଥିବାର ସେହି ଅବିଶ୍ୱସନୀୟ ଦୃଶ୍ୟ ସମସ୍ତଙ୍କ ଛାତି ଥରାଇ ଦେଇଥିଲା । ଆତ୍ମଦାହ ଯେମିତି ଏକ ଟ୍ରେଣ୍ଡ ପାଲଟିଗଲାଣି ଆମ ରାଜ୍ୟରେ । ଏକ ଭୟାନକ ମାନସିକତା । ତର୍ଜମା କରି ଦେଖନ୍ତୁ ଅନେକଗୁଡ଼ିଏ କାରଣ ବାହାରିବ । ଆମ ପିଲାମାନେ ହୁଏତ ନିଜ ଭାବପ୍ରବଣତାକୁ ନିୟନ୍ତ୍ରଣ କରିପାରୁନାହାନ୍ତି । ଅଥବା ପରିବାର କିମ୍ବା ଆତ୍ମୀୟଜନଙ୍କ ଉପରେ ଭରସା କରିପାରୁନାହାନ୍ତି । ନା ପୋଲିସ ଉପରେ ବିଶ୍ୱାସ ରହିପାରୁଛି, ନା ଆଇନକାନୁନ ଅଥବା କଲେଜ/ଦପ୍ତରର ଉଚ୍ଚ ଅଧିକାରୀଙ୍କ ଉପରେ । ହୋଇପାରେ ସେମାନଙ୍କ ଆଗରେ ଉପଯୁକ୍ତ ରୋଲ ମଡେଲର ଅଭାବ । କୌଣସି ଦୁର୍ବଳ ମୁହୂର୍ତ୍ତରେ କରିଥିବା ଭୁଲ୍ ପାଇଁ ବ୍ଲାକମେଲ୍ର ଶିକାର ହେଉଛନ୍ତି, କିନ୍ତୁ ମୁକୁଳିବାର ବାଟ ମିଳୁନି ତାଙ୍କୁ ।
ସେମାନଙ୍କ ଆଗରେ ଏକମାତ୍ର ବାଟ ଦେଖାଯାଉଛି- ଆତ୍ମହତ୍ୟା! ଆମେ ବି କିଛି କମ୍ କି? କେହି ମରିଗଲା ପରେ ଆହା... ଚୁ ଚୁ... କରିବୁ, କିନ୍ତୁ ତାକୁ ସେଇ ପରିସ୍ଥିତିରୁ ଉଦ୍ଧାରିବା ପାଇଁ ସାମାନ୍ୟ ଭରସା ଟିକେ ଦେଇପାରିବୁନି । ବରଂ ଘରଠୁ ବାହାରଯାଏଁ ସଭିଏଁ ତାକୁ ପ୍ରଶ୍ନ ପଚାରିବୁ । ସେ ଝିଅଟିଏ, ତେଣୁ ସଫ୍ଟ ଟାର୍ଗେଟ । ଏମିତି କାହିଁକି କଲୁ, କାହିଁ କହିଲୁନି ଏମିତି- ଅନେକ ପ୍ରଶ୍ନ । ସନ୍ଦେହର ଭଉଁରୀ ଭିତରେ ପୂରା ସମାଜ ଝିଅଟିକୁ ଠେଲିଦେବାକୁ ତତ୍ପର ଥାଏ ସିନା, ତାକୁ କୂଳକୁ ଟାଣିଆଣିବା ପାଇଁ ଚେଷ୍ଟା କରେନା । ଆମ ଇଗୋ ଆମକୁ ରୋକେ । ତେଣୁ, ଏ ମାମଲାରେ ଆମେ ସମସ୍ତେ ଜଣେ ଲେଖାଏଁ ପରୋକ୍ଷ ଦୋଷୀ । ଭୁଲ୍ ହୁଏ । କିନ୍ତୁ ଭୁଲ୍ଟିକୁ ହୃଦୟଙ୍ଗମ କରି ଠିକ୍ ରାସ୍ତାରେ ଯିବା ପାଇଁ ସହାନୁଭୂତିର ହାତଟିଏ ଲୋଡ଼ା । ସମସ୍ତେ ମିଳିମିଶି ଆତ୍ମହତ୍ୟା/ଆତ୍ମଦାହର ଟ୍ରେଣ୍ଡଟିକୁ ଏତେ ରଙ୍ଗ ବୋଳୁଛୁ ଯେ, ପୀଡ଼ିତା ଭାବୁଛି ଆତ୍ମଗ୍ଳାନିରୁ ବଞ୍ଚିବା ପାଇଁ ମରଣ ହିଁ ଶ୍ରେଷ୍ଠ ବାଟ ।
ଗତ ସୋମବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଭିଯୋଗ ଶୁଣାଣି ପ୍ରକୋଷ୍ଠକୁ ଦୁଃଖ ଜଣାଇବାକୁ ଜଣେ ବୃଦ୍ଧ ଆସିଥିଲେ । ବୃଦ୍ଧଜଣଙ୍କ ଗୁହାରୀ ଜଣାଇବା ସହିତ କହିଲେ- ମୋ ଦୁଃଖ ନବୁଝିଲେ ମୁଁ ଆତ୍ମହତ୍ୟା କରିବି । ମୁଖ୍ୟମନ୍ତ୍ରୀ ବ୍ୟସ୍ତ ହୋଇପଡ଼ିଲେ । କହିଲେ- ସେମିତି କହନ୍ତିନି... କହିବନି । ଭଗବାନ ତୁମକୁ ସୁନ୍ଦର ଜୀବନ ଦେଇଛନ୍ତି, ଜୀବନ ନେବାକୁ ତୁମେ କିଏ? ମୁଁ ତ ଅଛି ତୁମ ଦୁଃଖ ବୁଝିବା ପାଇଁ । ତା’ ସହିତ ମୋହନ ଆଉ ଗୋଟେ ପ୍ରଶ୍ନ ବି କଲେ- ‘ଏ କଥା କହିବା ପାଇଁ କିଏ ତୁମକୁ ଶିଖାଇଛି? କା’ କଥାରେ ପଡ଼ି ତୁମେ ମୋତେ ଆତ୍ମହତ୍ୟା କରିବା କଥା କହୁଛ?’ ମୁଖ୍ୟମନ୍ତ୍ରୀ ଯେଉଁ ଦି’ପଦ କଥା କହିଲେ ତାହା ତାଙ୍କ ଅନ୍ତରର ବ୍ୟସ୍ତତାକୁ ସୂଚାଉଥିଲା । ତେଣୁ, ମନ ଛୁଇଁଗଲା । ଆତ୍ମଦାହ କରିବା ଏକ ଚରମ ନିଷ୍ପତ୍ତି । ଏମିତି କୌଣସି ପ୍ରାଣୀ ନାହିଁ ଯିଏ ସ୍ୱତଃ ମୃତ୍ୟୁବରଣ ନକରିବା ପର୍ଯ୍ୟନ୍ତ ବଞ୍ଚିବାର ଶେଷ ଚେଷ୍ଟା ଛାଡ଼ିଦିଏ । ଶେଷନିଃଶ୍ୱାସ ଟିକକ ଥିବାଯାଏଁ ମଣିଷ ବଞ୍ଚିବାକୁ ଚାହେଁ । ମୁଁ ମୃତ୍ୟୁ ଚାହେଁ କହିବା ଏକ ଛଳନା ମାତ୍ର । ‘ସେ ଏମିତି ମଲା, ତେଣୁ ମୁଁ ବି ମରିପାରିବି’ ଏହି ଚିନ୍ତାଧାରା ଅପେକ୍ଷା ‘ସମସ୍ତେ ତ ବଞ୍ଚିପାରୁଛନ୍ତି-ମୁଁ ପାରିବିନି କାହିଁକି’ ଭାବନାଟି ଲକ୍ଷେ ଗୁଣ ଭଲ । ସେ ଜୀବଜନ୍ତୁ ହେଉ ବା ମଣିଷ, ସମସ୍ତେ ନିଜ ନିଜ ସଂସାରରେ ବଞ୍ଚିରହିବାକୁ ସଂଗ୍ରାମ କରନ୍ତି । ଜୀବନରେ ଭଲ ଅଛି ମନ୍ଦ ବି, ଦୁଃଖ ଅଛି ସୁଖ ବି, ସଂଘର୍ଷ ଅଛି ଆରାମ ବି ଅଛି । ମୋଟାମୋଟି ଏସବୁ ମିଶିଲେ ହିଁ ଜୀବନ, ଏହା ମନେରହିବା ଦରକାର ।
- ଗୋପାଳକୃଷ୍ଣ ମହାପାତ୍ର
ସମ୍ପାଦକ