ଭାରତରେ ମେଦବହୁଳତାରେ ଆକ୍ରାନ୍ତଙ୍କ ସଂଖ୍ୟା ମୋଟ ଜନସଂଖ୍ୟାର ୨୦%ରୁ ଅଧିକ । ୨୦୫୦ ସୁଦ୍ଧା ଏହି ସଂଖ୍ୟା ୪୫କୋଟି ଛୁଇଁଯିବ । ଥରେ ଅନୁମାନ ଲଗାନ୍ତୁ, ଏହା ଭାରତର ସ୍ୱାସ୍ଥ୍ୟକୁ କେତେ ବିଗାଡ଼ିବ? ସ୍ୱାସ୍ଥ୍ୟ ବଜେଟ୍ ପାଇଁ ଦେଶର ରାଜକୋଷରୁ ଅଧିକ ଖର୍ଚ୍ଚ ହେବନି କି? ବେଳ ଥାଉ ଥାଉ ଆସନ୍ତୁ ଆମ ଖାଦ୍ୟାଭ୍ୟାସ ବଦଳାଇବା ।
ଆମ ହାତରେ ଆମର ସ୍ୱାସ୍ଥ୍ୟ । ନିଜକୁ ଫିଟ୍ ରଖିବାକୁ ଆମେ କେତେ କଣ କଟକଣା ଲଗାଉଛୁ । ଭଳିକି ଭଳି ଅଭ୍ୟାସ କରୁଛୁ । ହେଲେ ପାଟି ସୁଆଦକୁ ନିୟନ୍ତ୍ରଣ କରିପାରୁନୁ । ଜିଭର ଲୋଭ ଆଗରେ ହାର ମାନୁଛି ‘ଫିଟନେସ୍’ । ଖାଦ୍ୟଲୋଭ ଉପରେ ଲଗାମ ଲଗାଇବାକୁ ଏବେ ଆରମ୍ଭ ହୋଇଛି ଯୁଦ୍ଧ । ସିଙ୍ଗଡ଼ା, ଜିଲାପି, ଲଡ଼ୁ, ଗୁଲାବଜାମୁ ଭଳି ସ୍ୱାଦିଷ୍ଟ ଜଳଖିଆ ଓ ମିଷ୍ଠାନ୍ନ ଏବେ ବିବାଦ ଓ ବିତର୍କରେ । ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ଏଭଳି ଖାଦ୍ୟ ଉପରେ ଲଗାମ ଲଗାଇବାକୁ ଅଭିଯାନ ଆରମ୍ଭ ହୋଇଛି । ସେହିଭଳି ଆମ ଖାଦ୍ୟ ଥାଳିରୁ କିଭଳି ଲୁଣ, ଚିନି ଓ ତେଲର ପରିମାଣ କମିବ ତା’କୁ ନେଇ ମଧ୍ୟ ଆରମ୍ଭ ହୋଇଛି ମିଶନ । ଏବେଠୁ ଯଦି ଆମେ ନିଜ ସୁଆଦିଆ ଖାଦ୍ୟକୁ ନିୟନ୍ତ୍ରଣକୁ ନ ଆଣିବା, ଆଗକୁ ଏହା ଜାତୀୟ ସ୍ୱାସ୍ଥ୍ୟ ସମସ୍ୟା ଭାବେ ମୁଣ୍ଡ ଟେକିବ । ବେଳ ଥାଉ ଥାଉ ବନ୍ଧ ବାନ୍ଧିବା ବୁଦ୍ଧିମାନର କାମ ନୁହେଁ କି?
ମେଦବହୁଳତା ଗ୍ରାଫ୍ ଉପରମୁହାଁ
ବ୍ୟସ୍ତତାଭରା ଜୀବନ । ମଣିଷର ଅଧା କାମ ମେସିନ୍ କରୁଛି । କମି କମି ଯାଉଛି ଶାରୀରିକ ପରିଶ୍ରମ । ସୁଆଦିଆ ଖାଦ୍ୟ ଖାଇବାକୁ କିନ୍ତୁ ମନ ଉଚ୍ଚାଟ । ଏହି ସୁଆଦିଆ ଖାଦ୍ୟ ତାଲିକାରେ ଦେଶୀ କମ୍ ବିଦେଶୀ ବେଶୀ । ଆମ ପାରମ୍ପରିକ ସ୍ୱାସ୍ଥ୍ୟକର ଖାଦ୍ୟର ସ୍ଥାନ ଏବେ ମାଡ଼ିବସିଲାଣି ବିଦେଶୀ ଖାଦ୍ୟ । ଘରେ ବସି ଅନଲାଇନ୍ ଅର୍ଡର କର । ସୁସ୍ୱାଦୁ ଖାଦ୍ୟ ଖାଅ । ଏମିତି ଏକ ଧାରା ଏବେ ବଢ଼ି ଚାଲିଛି । ଏଥିରେ ଅଛି କିନ୍ତୁ ମାତ୍ରାଧିକ ମଇଦା, ତେଲ, ଲୁଣ ଓ ଚିନି । ପାଟିକୁ ସୁଆଦିଆ ଲାଗୁଥିବା ଏସବୁ ଖାଦ୍ୟ କିନ୍ତୁ ଶରୀରକୁ କ୍ଷତି ପହଞ୍ଚାଉଛି । ଆମେ ସବୁ ଜାଣି ମଧ୍ୟ ଲୋଭର କଅଁଳ ବାଛୁରୀକୁ ବାନ୍ଧି ରଖିପାରୁନୁ । ସ୍ୱାସ୍ଥ୍ୟ ହାନି ହେଉଛି ।
ସ୍କୁଲ୍ ଓ କଲେଜ୍ କ୍ୟାଣ୍ଟିନରୁ ଆରମ୍ଭ କରି ହୋଟେଲ୍ ବା ରେସ୍ତୋରାଁ ଆଦିରେ ବ୍ୟବହାର ହେଉଛି ନିକୃଷ୍ଟ ମାନର ତେଲ । ଏହି ତେଲକୁ ବାରମ୍ବାର ଛଣାଛଣିରେ ବ୍ୟବହାର କରାଯାଇ ସିଙ୍ଗଡ଼ା ଜାତୀୟ ଖାଦ୍ୟ ପ୍ରସ୍ତୁତ ହେଉଛି । ‘ଟ୍ରାନ୍ସ ଫ୍ୟାଟ୍’ରେ ଭରପୂର ଏହି ଖାଦ୍ୟ ଶରୀରର କ୍ଷତି କରୁଛି । ଆମ ଶରୀରରେ ଏହା ମେଦ ଭାବେ ଜମି ରହେ । କିଛି ଦିନ ପରେ ମେଦବହୁଳତା, ମଧୁମେହ, ଫ୍ୟାଟି ଲିଭର, ହୃଦରୋଗ ଓ ପାନକ୍ରିଆଟାଇଟିସ୍ ଭଳି ମାରାତ୍ମକ ରୋଗ ମାଡ଼ିବସେ । ଭାରତରେ ଏବେ ମେଦବହୁଳଙ୍କ ସଂଖ୍ୟା ଦେଶର ଜନସଂଖ୍ୟାର ୨୦%ରୁ ଅଧିକ । ୨୦୫୦ ମସିହା ସୁଦ୍ଧା ଏହି ସଂଖ୍ୟା ୪୫ କୋଟି ଛୁଇଁଯିବ ବୋଲି ଅନୁମାନ କରାଯାଉଛି । ଥରେ ଅନୁମାନ ଲଗାନ୍ତୁ, ଏହା ଭାରତର ସ୍ୱାସ୍ଥ୍ୟକୁ କେତେ ବିଗାଡ଼ିବ । ଭାରତୀୟଙ୍କୁ ରୋଗାକ୍ରାନ୍ତ କରିବା ସହ ଦେଶର ସ୍ୱାସ୍ଥ୍ୟ ବଜେଟ୍ ପାଇଁ ରାଜକୋଷରୁ ଅଧିକ ଖର୍ଚ୍ଚ ହେବନି କି?
ଏପଟେ ଆମେ ମେଦ ବୃଦ୍ଧି କରୁଥିବା ଖାଦ୍ୟକୁ ଆଗ୍ରହର ସହ ଖାଉଛୁ । ଅନ୍ୟପଟେ ଓଜନ କମାଇବାକୁ ଔଷଧ ବ୍ୟବହାର କରୁଛୁ । ନିୟମିତ ବ୍ୟାୟାମ ଓ ସ୍ୱାସ୍ଥ୍ୟକର ଖାଦ୍ୟକୁ ଛାଡ଼ି ଆମେ ଔଷଧ ଆଦରିଛୁ । ଆମ ଦେଶରେ ଏଭଳି ଓଜନ ହ୍ରାସକାରୀ ଔଷଧର କାରବାର ବେଶ ବଢ଼ି ଚାଲିଛି । ଗତ ପାଞ୍ଚ ବର୍ଷରେ ଏହା ପାଞ୍ଚ ଗୁଣ ବୃଦ୍ଧି ପାଇ ୬୩୦ କୋଟି ଟଙ୍କାରେ ପହଞ୍ଚିଛି । ବର୍ଗର, ପିଜ୍ଜା ପ୍ରେମରୁ ଓଜନ କମାଇବାକୁ ଦାମୀ ଔଷଧ ପାଇଁ ପକେଟରୁ ଟଙ୍କା ଖର୍ଚ୍ଚ କରୁଛୁ । ହେଲେ ମେଦକୁ ବାଏ ବାଏ କହିବା କ’ଣ ଏତେ ସହଜ?
‘ମନ୍ କି ବାତ୍’ରେ ମୋଦିଙ୍କ ଅପିଲ୍
ଆମ ଜୀବନଶୈଳୀ, ଖାଦ୍ୟାଭ୍ୟାସ, ଖାଦ୍ୟ ରୁଚି, ସ୍ୱାସ୍ଥ୍ୟ ସଂକଟକୁ ନେଇ ଏବେ ଦେଶରେ ଆରମ୍ଭ ହୋଇଛି ବିତର୍କ । ଗଣମାଧ୍ୟମରେ ଏକ ଖବର ପ୍ରକାଶ ପାଇଲା ଯେ, ଏଣିକି ସରକାରୀ ଅଫିସ୍ ଓ ସ୍କୁଲ, କଲେଜ କ୍ୟାଣ୍ଟିନରେ ମିଳୁଥିବା ସିଙ୍ଗଡ଼ା, ଜିଲାପି ଭଳି ଜଳଖିଆ ଓ ମିଠା ଆଦିରେ ବୈଧାନିକ ସତର୍କତାମୂଳକ ଚେତାବନୀ ରହିବ । “ସ୍ୱାସ୍ଥ୍ୟ ପାଇଁ ହାନିକାରକ’ ବୋଲି ସିଗାରେଟ୍ ଖୋଳ ଭଳି ସ୍ପଷ୍ଟ ସୂଚନା ରହିବ । ସରକାର କିନ୍ତୁ ଏହାକୁ ଖଣ୍ଡନ କରି ସ୍ପଷ୍ଟ କରିଛନ୍ତି ଯେ ଏଭଳି କୌଣସି ଆଦେଶ ପ୍ରଦାନ କରାଯାଇନି । ଏ ସବୁ ଖାଦ୍ୟ ପରଷା ସ୍ଥାନରେ କେବଳ ଏସବୁର ପ୍ରସ୍ତୁତିରେ ବ୍ୟବହୃତ ଉପାଦାନଗୁଡ଼ିକର ତାଲିକା ସଚିତ୍ର ସୂଚନା ଫଳକ ରହିବ । କେବଳ ସଚେତନତା ସୃଷ୍ଟି କରିବା ଲକ୍ଷ୍ୟ ରଖାଯାଇଛି । ସରକାର ଖାଦ୍ୟାଭ୍ୟାସ ଓ ରୁଚି ଉପରେ କୌଣସି ହସ୍ତକ୍ଷେପ କରୁ ନାହାନ୍ତି ।
ଆମ ଖାଦ୍ୟ ଲୋଭକୁ ଲଗାମ ଲଗାଇବା ଉପରେ ବିଭିନ୍ନ ମହଲ ସଚେତନତା ଅଭିଯାନ ଆରମ୍ଭ କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ “ମନ କି ବାତ୍’ର ୧୧୯ତମ ସଂସ୍କରଣରେ ଦେଶବାସୀଙ୍କୁ ଦ୍ରୁତ ଗତିରେ ବଢୁଥିବା “ମୋଟା ପଣ’ ଉପରେ ଚର୍ଚ୍ଚା କରିଛନ୍ତି । ଏଥିରୁ କିପରି ମୁକ୍ତି ପାଇବେ ସେନେଇ ଟିପ୍ସ ଦେଇଛନ୍ତି । ଖାଇବା ତେଲ କମ୍ ବ୍ୟବହାର କରିବାକୁ ଅପିଲ୍ କରିଛନ୍ତି ।
ମୋଦି କହିଛନ୍ତି, ଏକ ସୁସ୍ଥ ରାଷ୍ଟ୍ର ନିର୍ମାଣ ପାଇଁ, ଆମକୁ ମୋଟାପଣ ସମସ୍ୟାର ମୁକାବିଲା କରିବାକୁ ହେବ । ପ୍ରତି ୮ ଜଣ ଭାରତୀୟଙ୍କ ମଧ୍ୟରୁ ଜଣେ ଏବେ ଏହି ମୋଟାପଣ ସମସ୍ୟାରେ ପୀଡ଼ିତ । ଚିନ୍ତାଜନକ କଥା ହେଉଛି, ପିଲାମାନଙ୍କ ମଧ୍ୟରେ ଏ ସମସ୍ୟା ଚାରି ଗୁଣ ବଢ଼ିଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ(ଡବ୍ଲ୍ୟୁଏଚ୍ଓ)ର ସୂଚନା ଅନୁସାରେ, ୨୦୨୨ ସୁଦ୍ଧା ସାରା ପୃଥିବୀରେ ପ୍ରାୟ ୨୫୦ କୋଟି ଲୋକ ମେଦବହୁଳତାର ଶିକାର ହୋଇଛନ୍ତି । ଏହି ସମସ୍ୟାରୁ ମୁକ୍ତି ପାଇବାକୁ ପ୍ରଧାନମନ୍ତ୍ରୀ ଏକ ଉପାୟ କହିଛନ୍ତି । ଖାଦ୍ୟରେ ତେଲ ପରିମାଣ ୧୦ ପ୍ରତିଶତ କମାଇବା ଉପରେ ମୋଦି ଜୋର୍ ଦେଇଛନ୍ତି । ପ୍ରତି ମାସରେ ୧୦ ପ୍ରତିଶତ କମ୍ ତେଲ ବ୍ୟବହାର କର । ଏହା ମୋଟାପଣ କମାଇବ ବୋଲି ମୋଦି ଗ୍ୟାରେଣ୍ଟି ଦେଇଛନ୍ତି ।
ବିଦେଶରେ ନିଷେଧାଦେଶ
ସମୟ ସହ ତାଳ ଦେଇ ଆମର ଖାଦ୍ୟାଭ୍ୟାସ ବଦଳୁଛି । ଆମେ ଏବେ ଶରୀର ପ୍ରତି ହାନିକାରକ ଖାଦ୍ୟକୁ ବେଶୀ ପସନ୍ଦ କରୁଛୁ । ଆମ ଯୁବପିଢ଼ି ମଧ୍ୟ ଏଭଳି ଖାଦ୍ୟ ପ୍ରେମରେ ବାଇଆ । ଭାରତ ବାହାରେ ଏଭଳି ଖାଦ୍ୟ ଉପରେ ନିଷେଧାଦେଶ ଲାଗୁ ହୋଇଛି । ସଂଯୁକ୍ତ ଆରବ ଏମିରେଟ୍ସରେ ମୋଟାପଣ ଓ ମଧୁମେହ ରୋଗ ହୁ ହୁ ହୋଇ ବଢୁଥିବାରୁ ଚିନିର ପରିମାଣ କମାଇବା ଉଦ୍ଦେଶ୍ୟରେ ସ୍ନାକ୍ସ, ମିଠା ଡ୍ରିଙ୍କସ୍ ଆଦିରେ ଅଧିକ କର ଲାଗିବ ବୋଲି ବିଜ୍ଞପ୍ତି ଜାରି ହୋଇଛି । ଆସନ୍ତା ବର୍ଷରୁ ଏହା ଲାଗୁ ହେବ । ମିଠା ଡ୍ରିଙ୍କସରେ ଚିନିର ପରିମାଣ ଅନୁସାରେ କର ଲାଗିବ । ତେଣୁ ଉତ୍ପାଦନକାରୀ ସଂସ୍ଥା କମ୍ ଚିନିଯୁକ୍ତ ଡ୍ରିଙ୍କ୍ସ ପ୍ରସ୍ତୁତ କରିବାକୁ ବାଧ୍ୟ ହେବେ ।
ଆବୁଧାବିରେ ସ୍କୁଲରେ ଜଙ୍କଫୁଡ୍ ବାରଣ ହୋଇଛି । ୟୁଏଇରେ ୪୦% ପିଲା ମୋଟାପଣର ଶିକାର । ଦୁବାଇରେ ୨୨% ମେଦ ବହୁଳତାରେ ପୀଡ଼ିତ ଥିଲା ବେଳେ ୨୦୩୫ ସୁଦ୍ଧା ଏହି ସଂଖ୍ୟା ୭୫ ଲକ୍ଷ ଛୁଇଁବ ବୋଲି ଆକଳନ କରାଯାଇଛି । ବିଶ୍ୱର ୧୦୬ ଦେଶ ମିଠା ଡ୍ରିଙ୍କସ ଉପରେ ଅଧିକ କର ଲଗାଇଛନ୍ତି । ଆମ ଦେଶର ବିଡ଼ମ୍ବନା ହେଲା ଯେଉଁ କଂପାନୀ ଡ୍ରିଙ୍କସରେ ଯେତେ ଚିନି ବ୍ୟବହାର କରୁ, ଟିକସ କିନ୍ତୁ ସମାନ । ଏ ବ୍ୟବସ୍ଥା ପରୋକ୍ଷରେ ଦେଶବାସୀଙ୍କ ପାଇଁ କେତେ ହାନିକାରକ ତାହା ଜଳ ଜଳ । ବର୍ଗର, ପିଜ୍ଜା, ଫ୍ରେଞ୍ଚ ଫ୍ରାଏଜ୍ ଭଳି ଖାଦ୍ୟ ସହ ମୃଦୁ ପାନୀୟ ଏବେ ଆମ ଯୁବପିଢ଼ିଙ୍କ ପସନ୍ଦ ତାଲିକାର ଶୀର୍ଷରେ । ଏଭଳି “ଅଲଟ୍ରା ପ୍ରୋସେସ୍ଡ ଫୁଡ୍’ ସହ ମୃଦୁ ପାନୀୟ ଆମ ଶରୀର ପାଇଁ ଅଧିକ କ୍ଷତିକାରକ । ସମସ୍ତେ ସବୁ ଜାଣି ମଧ୍ୟ ହାତବାନ୍ଧି ବସିଛନ୍ତି । ଆକର୍ଷଣୀୟ ବିଜ୍ଞାପନ, ଲୋଭନୀୟ ପ୍ୟାକେଟ ଓ ବୋତଲ ଏବେ ସ୍ୱାସ୍ଥ୍ୟ ସଂକଟ ପାଇଁ ସିଡ଼ି ବାନ୍ଧୁଛି । ଧୀରେଧୀରେ ଭାରତ ମେଦବହୁଳଙ୍କ ଦେଶ ହେବାକୁ ଯାଉଛି । ଆମ ଦେଶ ଆଗରେ ଏହା ଛିଡ଼ା କରାଇଛି ବଡ଼ ଚାଲେଞ୍ଜ ।
ପରିସଂଖ୍ୟାନ କହୁଛି, ଆମ ନୂଆ ପିଢ଼ି ଆଉ ଭାତ-ଡାଲମା କିମ୍ବା ରୁଟି-ଡାଲିକୁ ପସନ୍ଦ କରୁନାହାନ୍ତି । ଚର୍ବିଯୁକ୍ତ ମହମହ ବାସୁଥିବା ଖାଦ୍ୟ ଏବେ ସେମାନଙ୍କର ପସନ୍ଦ । ଅନଲାଇନ୍ରେ ପ୍ୟାକିଂ ଖାଦ୍ୟର ଆଦର ଏବେ ଉପରମୁହାଁ । ଫିକି ଓ ଡେଲଏଟ୍ର ମିଳିତ ସର୍ଭେ କହୁଛି ସହରରେ ବାସ କରୁଥିବା ଲୋକମାନେ ଏବେ ପ୍ୟାକେଜେଡ୍ ଖାଦ୍ୟ, ଅନଲାଇନ୍ ଅର୍ଡର ସହ ଘରୁ ବାହାରକୁ ଯାଇ ହୋଟେଲ୍ ଅବା ରେସ୍ତୋରାଁରେ ଖାଇବାକୁ ଅଧିକ ପସନ୍ଦ କରୁଛନ୍ତି । ସହରାଞ୍ଚଳରେ ଖାଦ୍ୟ, ପାନୀୟ ବାବଦକୁ ଖର୍ଚ୍ଚର ପ୍ରାୟ ୫୦% ଏ ବାବଦରେ ଖର୍ଚ୍ଚ ହେଉଛି । କଲେଜ ଓ ବିଶ୍ୱବିଦ୍ୟାଳୟରେ ପାଠ ପଢୁଥିବା ଛାତ୍ରଛାତ୍ରୀ ନୁଡୁଲ୍ସ ଖାଇ ଦିନ କାଟୁଛନ୍ତି । ଏଭଳି ଖାଦ୍ୟରୁଚି ସ୍ୱାସ୍ଥ୍ୟଗତ ସଂକଟକୁ ହାତ ଠାରି ଡାକୁଛି । ଏ ଅଭ୍ୟାସରେ କିଏ ତାଲା ମାରିବ? ଆପଣ, ମୁଁ ନା ଆମେ ସମସ୍ତେ?