ଉଚ୍ଚଶିକ୍ଷାରେ ପରିବର୍ତ୍ତନ ମଧ୍ୟ କମ୍ ବ୍ୟାପକ ନୁହେଁ । ମୋଟ୍ ନାମଲେଖା ୩.୪୨କୋଟିରୁ ୪.୪୬କୋଟିକୁ ବୃଦ୍ଧିପାଇଛି । ଏ କ୍ଷେତ୍ରରେ ୩୦.୫% ବୃଦ୍ଧି ହୋଇଛି । ବର୍ତ୍ତମାନ ସମସ୍ତ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ଛାତ୍ରୀଙ୍କ ସଂଖ୍ୟା ପ୍ରାୟ ୪୮% । ମହିଳା ପିଏଚଡି ନାମଲେଖା ୪୮ହଜାରରୁ ଦୁଇଗୁଣ ଅଧିକ ବୃଦ୍ଧିପାଇ ୧.୧୨ଲକ୍ଷ ହୋଇଛି । ବିଶେଷକରି ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି, ଅନ୍ୟାନ୍ୟ ପଛୁଆ ବର୍ଗର ଛାତ୍ରଛାତ୍ରୀଙ୍କ ପାଇଁ ନାମଲେଖାରେ ଏହି ବୃଦ୍ଧି, ଉଚ୍ଚଶିକ୍ଷା କ୍ଷେତ୍ରରେ ଅନ୍ତର୍ଭୁକ୍ତିକରଣର ଏକ ଐତିହାସିକ ସଫଳତା ।
୨୦୨୦ରେ ଭାରତ କେବଳ ଏକ ନୂଆ ନୀତି ଆପଣାଇନଥିଲା ବରଂ ଏକ ପ୍ରାଚୀନ ଆଦର୍ଶକୁ ପୁନର୍ଜୀବିତ କରିଥିଲା । ଜାତୀୟ ଶିକ୍ଷା ନୀତି (ଏନଇପି) ଜରିଆରେ ଶିକ୍ଷା ଅର୍ଜନ କରିବାକୁ ରାଷ୍ଟ୍ର ନିର୍ମାଣର ଆଧାର ରୂପେ ଗ୍ରହଣ କରାଯାଇଥିଲା । ଏହି ନୀତିକୁ ଆମ ସଭ୍ୟତାଗତ ପରମ୍ପରା ସହ ଯୋଡ଼ାଯାଇଥିଲା । ସ୍ୱର୍ଗତ ଡକ୍ଟର କେ. କସ୍ତୁରୀରଙ୍ଗନଙ୍କ ନେତୃତ୍ୱରେ ପ୍ରସ୍ତୁତ କରାଯାଇଥିବା ଏହି ନୀତି ଇତିହାସର ସବୁଠୁ ବ୍ୟାପକ ଏବଂ ଜନଭାଗିଦାରୀ ଆଧାରିତ ନୀତି ନିର୍ମାଣ ପ୍ରକ୍ରିୟା ମଧ୍ୟରୁ ଅନ୍ୟତମ ଥିଲା । ଏହା ଆମ ଶିକ୍ଷା ବ୍ୟବସ୍ଥାର ଏପରି ଏକ ଦୂରଦର୍ଶୀ ରୂପରେଖ, ଯାହା ସାଂସ୍କୃତିକ ମୂଲ୍ୟବୋଧ ସହ ଜଡ଼ିତ । ଏଥିରେ ଏପରି ଏକ ଶିକ୍ଷା ବ୍ୟବସ୍ଥାର ପରିକଳ୍ପନା କରାଯାଇଛି ଯାହା ଘୋଷିବାର ପ୍ରବୃତ୍ତି, କଠୋର ଢାଞ୍ଚା ଏବଂ ଭାଷାଗତ ଭେଦଭାବ ଠାରୁ ଊଦ୍ଧ୍ୱର୍ରେ । ଏହା ସମାବେଶୀ, ସର୍ବାଙ୍ଗୀଣ ଏବଂ ଭବିଷ୍ୟତ ପାଇଁ ପ୍ରସ୍ତୁତ ଶିକ୍ଷା ଯୋଗାଇ ଦେଇପାରିବ । ଏହି ନୀତି ଏକ ସାମଗ୍ରିକ, ସମାବେଶୀ ଏବଂ ଭବିଷ୍ୟତ ପାଇଁ ପ୍ରସ୍ତୁତ ଶିକ୍ଷା ବ୍ୟବସ୍ଥା ନିମନ୍ତେ କ୍ଷେତ୍ର ପ୍ରସ୍ତୁତ କରିଛି । ଏଥିରେ ଏପରି ଏକ ଶିକ୍ଷା ବ୍ୟବସ୍ଥା ନିମନ୍ତେ ପରିକଳ୍ପନା କରାଯାଇଛି, ଯାହା ପ୍ରତ୍ୟେକ ଶିକ୍ଷାର୍ଥୀଙ୍କୁ ଦ୍ରୁତଗତିରେ ପରିବର୍ତ୍ତିତ ବିଶ୍ୱରେ ଉନ୍ନତି ପାଇଁ ସଶକ୍ତ କରିଥାଏ ।
ପାଞ୍ଚବର୍ଷ ପରେ, ଏନଇପିର ପରିବର୍ତ୍ତନକାରୀ ପ୍ରଭାବ କେବଳ ନୀତିଗତ ସ୍ତରରେ ନୁହେଁ ବରଂ ଶ୍ରେଣୀଗୃହ, କ୍ୟାମ୍ପସ ଏବଂ ସମାଜରେ ଦୃଶ୍ୟମାନ ହେଉଛି । ଏହା ଭାରତର ଶିକ୍ଷା ବ୍ୟବସ୍ଥାର ଢାଞ୍ଚା ଏବଂ ଆତ୍ମାକୁ ପୁନଃପରିଭାଷିତ କରିଛି । ଏହାର ଆଭିମୁଖ୍ୟ ସାମଗ୍ରିକ ଏବଂ ଢାଞ୍ଚା ବିଦ୍ୟାର୍ଥୀ-କୈନ୍ଦ୍ରିକ ହୋଇଥିବାବେଳେ ଏହା ସମସ୍ତଙ୍କ ପାଖରେ ସମାନ ରୂପେ ପହଞ୍ଚୁଛି ।
ଆଜି ଏନଇପିର ପ୍ରଭାବ ପ୍ରାରମ୍ଭିକ ଶୈଶବ ଶ୍ରେଣୀଗୃହରେ ଦେଖିବାକୁ ମିଳୁଛି । ଏଠାରେ ଘୋଷାପାଠ ବଦଳରେ ଶିକ୍ଷା ଗ୍ରହଣକୁ ଅଧିକ ଆନନ୍ଦଦାୟକ ଏବଂ ଖେଳଭିତ୍ତିକ କରାଯାଇପାରିଛି । ବିଦ୍ୟାଳୟଗୁଡ଼ିକରେ ପିଲାମାନେ ସେମାନଙ୍କ ମାତୃଭାଷାରେ ସହଜରେ ପାଠ ପଢ଼ିପାରୁଛନ୍ତି । ବୃତ୍ତିଗତ ପ୍ରୟୋଗଶାଳାରେ ଷଷ୍ଠ ଶ୍ରେଣୀର ଛାତ୍ରଛାତ୍ରୀମାନେ ବାସ୍ତବ କୌଶଳ ଶିଖିପାରୁଛନ୍ତି । ଗବେଷଣା କେନ୍ଦ୍ରଗୁଡ଼ିକରେ ଭାରତର ଜ୍ଞାନପ୍ରଣାଳୀ ସହିତ ଅତ୍ୟାଧୁନିକ ବିଜ୍ଞାନର ପ୍ରୟୋଗ ଛାତ୍ରଛାତ୍ରୀଙ୍କ ଜ୍ଞାନର ଭଣ୍ଡାରକୁ ବୃଦ୍ଧି କରୁଛି । ବିଜ୍ଞାନ, ପ୍ରଯୁକ୍ତି, ଇଞ୍ଜିନିୟରିଂ ଏବଂ ଗଣିତ(ଏସଟିଇଏମ) କ୍ଷେତ୍ରରେ ମହିଳାମାନଙ୍କ ଉତ୍ଥାନ ଦେଖିବାକୁ ମିଳିଛି । ଭାରତୀୟ ଶିକ୍ଷାନୁଷ୍ଠାନଗୁଡ଼ିକର ବିଶ୍ୱବ୍ୟାପୀ ପ୍ରତିଷ୍ଠା ବୃଦ୍ଧିପାଇଛି । ବିବିଧତାକୁ ଗ୍ରହଣ କରୁଥିବା ସମାବେଶୀ ଶ୍ରେଣୀଗୃହରେ ଛାତ୍ରଛାତ୍ରୀଙ୍କ ସାମଗ୍ରିକ ବିକାଶ ହେଉଛି । ଶିକ୍ଷା ଏକ ଜୀବନବ୍ୟାପୀ ପ୍ରୟାସ ବୋଲି ଏକ ନୂତନ ବିଶ୍ୱାସ ସୃଷ୍ଟି ହୋଇଛି ।
ଆମର ସର୍ବୋଚ୍ଚ ପ୍ରାଥମିକତା ହେଉଛି ଶିକ୍ଷାର ମୂଳଦୁଆକୁ ପୁନଃନିର୍ମାଣ କରିବା । ଏନଇପି ୨୦୨୦ର ପରିକଳ୍ପନା ଅନୁରୂପ ଦ୍ୱିତୀୟ ଶ୍ରେଣୀ ସୁଦ୍ଧା ସମସ୍ତ ପିଲା ମୌଳିକ ସାକ୍ଷରତା ଏବଂ ସଂଖ୍ୟା ଜ୍ଞାନ ହାସଲ କରିବା ନିଶ୍ଚିତ ରୂପେ ନିପୁଣ ଭାରତ ମିଶନର ଉଲ୍ଲେଖନୀୟ ଅବଦାନ । ଏହା ଏକ ସକାରାତ୍ମକ ପ୍ରଭାବ ଆଣିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି । ଏଏସଇଆର ୨୦୨୪ ଏବଂ ପରଖ ରାଷ୍ଟ୍ରୀୟ ସର୍ବେକ୍ଷଣ ୨୦୨୪ରେ ନିପୁଣ ଭାରତର ସଫଳତା ପ୍ରତିଫଳିତ ହୋଇଛି । ଏହା ଶ୍ରେଣୀଗୃହଗୁଡ଼ିକୁ କେବଳ ଅନୁପାଳନ ନୁହେଁ, କୌତୁହଳ ଏବଂ ବୋଧଗମ୍ୟତାର ସ୍ଥାନରେ ପରିଣତ କରିଛି ।
ବିଦ୍ୟା ପ୍ରବେଶ ଏବଂ ବାଲବାଟିକାଗୁଡ଼ିକୁ ସଂସ୍ଥାଗତ କରିବା ଭଳି ପଦକ୍ଷେପ ସାରାଦେଶରେ ପ୍ରାରମ୍ଭିକ ଶୈଶବ ଯତ୍ନ ଏବଂ ଶିକ୍ଷାକୁ ଏକୀକୃତ କରିବା ପାଇଁ ଏକ ଦୃଢ଼ ମୂଳଦୁଆ ସ୍ଥାପନ କରିଛି । ନୂତନ ଯୁଗର ପାଠ୍ୟପୁସ୍ତକ ବିକାଶ ଏବଂ ୨୨ଟି ଭାରତୀୟ ଭାଷାରେ ଜାଦୁଇ ପିଟାରା ଏବଂ ଇ-ଜାଦୁଇ ପିଟାରାର ପ୍ରଚଳନ ଏହାକୁ ଅଧିକ ସମର୍ଥନ କରୁଛି । ୧୪ଲକ୍ଷରୁ ଅଧିକ ଶିକ୍ଷକ "ନିଷ୍ଠା' ତାଲିମ ସମାପ୍ତ କରିଛନ୍ତି ଏବଂ "ଦୀକ୍ଷା' ଭଳି ପ୍ଲାଟଫର୍ମ ଦେଶବ୍ୟାପୀ ଉଚ୍ଚମାନର ଶିକ୍ଷାଦାନ ସମ୍ବଳଗୁଡ଼ିକର ପହଞ୍ଚକୁ ବିସ୍ତାର କରିଛି ।
ଶିକ୍ଷା ନୀତି ଭାଷାଗତ ମୌଳିକତା ଉପରେ ବିଶେଷ ଧ୍ୟାନ ଦେଇଛି । ଭାଷା ଏକ ବାଧା ନୁହେଁ, ବରଂ ସଶକ୍ତିକରଣର ଶକ୍ତିଶାଳୀ ମାଧ୍ୟମ ବୋଲି ଏନଇପି ସ୍ୱୀକାର କରିଛି । ୧୧୭ଟି ଭାଷା ପ୍ରାଇମର ବିକାଶ ଏବଂ ଭାରତୀୟ ସାଙ୍କେତିକ ଭାଷାକୁ ଏକ ବିଷୟ ଭାବରେ ପ୍ରଚଳନ କରିବା ସହିତ, ବହୁଭାଷୀ ଓ ସମାବେଶୀ ଶିକ୍ଷାର ଦୃଷ୍ଟିକୋଣକୁ ବ୍ୟାପକ ଭାବରେ ସାକାର କରାଯାଉଛି । ଏହି ପ୍ରୟାସଗୁଡ଼ିକ କେବଳ ଜ୍ଞାନ ବୃଦ୍ଧି କରେନାହିଁ ବରଂ ପିଲାର ସାଂସ୍କୃତିକ ପରିଚୟକୁ ସୁଦୃଢ଼ କରିଥାଏ । ଭାରତୀୟ ଭାଷା ପୁସ୍ତକ ଯୋଜନା ଏବଂ ଭାରତୀୟ ଜ୍ଞାନ ପ୍ରଣାଳୀ ପାଇଁ ଜାତୀୟ ଡିଜିଟାଲ୍ ଡିପୋଜିଟାରୀ ଭଳି ପଦକ୍ଷେପଗୁଡ଼ିକ ଭାଷାଗତ ଏବଂ ସଭ୍ୟତାଗତ ଶିକ୍ଷାର ପ୍ରବେଶକୁ ଆହୁରି ସାର୍ବଜନୀନ କରିବ।
ପରବର୍ତ୍ତୀ ସମୟରେ, ଏନଇପି ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଜିଜ୍ଞାସା ଏବଂ ବିଶ୍ଳେଷଣ ଆଧାରିତ ଚିନ୍ତାଧାରା ଜାଗ୍ରତ କରିବା ପାଇଁ ନୂତନ ପାଠ୍ୟକ୍ରମ ଏବଂ ପାଠ୍ୟପୁସ୍ତକଗୁଡ଼ିକୁ ପୁନଃକଳ୍ପନା କରିଛି । ସ୍କୁଲଶିକ୍ଷା ପାଇଁ ଜାତୀୟ ପାଠ୍ୟକ୍ରମ ଢାଞ୍ଚା (ଏନସିଏଫ-ଏସଇ) ଏବଂ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପାଇଁ ନୂତନ ପାଠ୍ୟପୁସ୍ତକ ପୂର୍ବରୁ କାର୍ଯ୍ୟକାରୀ ହୋଇଛି, ଯାହା ଦକ୍ଷତା-ଆଧାରିତ ଶିକ୍ଷା ଏବଂ ବିଭିନ୍ନ ବିଷୟଗୁଡ଼ିକରେ ସମନ୍ୱୟକୁ ପ୍ରୋତ୍ସାହିତ କରୁଛି । ପ୍ରେରଣା ପରି ପାଠ୍ୟକ୍ରମ ପରିବର୍ତ୍ତନ ଏବଂ ଅଭିଜ୍ଞତାମୂଳକ ଶିକ୍ଷା ପଦକ୍ଷେପ ପାଇଁ ସେତୁ ସାଜିଥିବା କାର୍ଯ୍ୟକ୍ରମଗୁଡ଼ିକ ପ୍ରଚଳିତ ହୋଇଛି । ଏହାଦ୍ୱାରା ଛାତ୍ରଛାତ୍ରୀମାନେ ଯେପରି ଭାରାକ୍ରାନ୍ତ ନହୋଇ ପ୍ରତ୍ୟେକ ପର୍ଯ୍ୟାୟରେ ସକାରାତ୍ମକ ଚିନ୍ତାଧାରା ହାସଲ କରନ୍ତି ତାହା ସୁନିଶ୍ଚିତ ହୋଇଛି ।
କେନ୍ଦ୍ରୀୟ ପ୍ରାୟୋଜିତ ଯୋଜନା ଯଥା- ସମଗ୍ର ଶିକ୍ଷା ଏବଂ ପ୍ରଧାନମନ୍ତ୍ରୀ ପୋଷଣର ସକ୍ରିୟ ପ୍ରୟାସ ସହିତ ଭାରତ ପାଖାପାଖି ସାର୍ବଜନୀନ ନାମଲେଖା ଲକ୍ଷ୍ୟ ହାସଲ କରିଛି । ପ୍ରାଥମିକ ସ୍ତରରେ ଜିଇଆର ୯୧.୭% ରେ ପହଞ୍ଚିଛି ଏବଂ ମାଧ୍ୟମିକ ସ୍ତରରେ ସ୍ଥିର ବିକାଶ ମିଳିପାରିଛି। ବର୍ତ୍ତମାନ ସ୍କୁଲଶିକ୍ଷାର ସମସ୍ତ ସ୍ତରରେ ଶିକ୍ଷଣ ଫଳାଫଳକୁ ଉନ୍ନତ କରିବା ଉପରେ ଧ୍ୟାନ ଦିଆଯାଇଛି ।
ଅପହଞ୍ଚ ଜନସଂଖ୍ୟା ପର୍ଯ୍ୟନ୍ତ ମଧ୍ୟ ଏନଇପିର ଲାଭ ପହଞ୍ଚିପାରିଛି । ୫,୧୩୮ରୁ ଅଧିକ କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟରେ ୭.୧୨ଲକ୍ଷରୁ ଅଧିକ ଅବହେଳିତ ଗୋଷ୍ଠୀର ଝିଅ ନାମ ଲେଖାଇଛନ୍ତି । ପିଭିଟିଜି ଶିକ୍ଷାର୍ଥୀମାନଙ୍କ ପାଇଁ ୪୯୦ରୁ ଅଧିକ ଛାତ୍ରାବାସ ମଞ୍ଜୁର କରାଯାଇଛି ଏବଂ ଧରତୀ ଆବା ଜନଜାତି ଗ୍ରାମ ଉତ୍କର୍ଷ ଅଭିଯାନ (ଡିଏଜେଜିୟୁଏ) ଅଧୀନରେ ୬୯୨ ଛାତ୍ରାବାସ ମଞ୍ଜୁର ହୋଇଛି । ଏହି ପରିବର୍ତ୍ତନର ଏକ ପ୍ରମୁଖ ବାହକ ହେଉଛି ୧୪,୫୦୦ ପିଏମ ଶ୍ରୀ ସ୍କୁଲ ପ୍ରତିଷ୍ଠା । ଏହି ଆଧୁନିକ, ସମାବେଶୀ ଏବଂ ସବୁଜ ଶିକ୍ଷାନୁଷ୍ଠାନଗୁଡ଼ିକୁ ଏନଇପି ଦୃଷ୍ଟିକୋଣ ଅନୁରୂପ ଆଦର୍ଶ ବିଦ୍ୟାଳୟ ଭାବରେ ବିକଶିତ କରାଯାଉଛି । ଏସବୁ ବିଦ୍ୟାଳୟ ଭିତ୍ତିଭୂମି ଏବଂ ଶିକ୍ଷାଦାନକୁ ପୁନଃପରିଭାଷିତ କରୁଛି ଏବଂ ନବସୃଜନ ଓ ସର୍ବୋତ୍ତମ ଅଭ୍ୟାସକୁ ପ୍ରୋତ୍ସାହନ ଦେଉଛି ।
ସାମାଜିକ ସମ୍ପର୍କକୁ ପ୍ରୋତ୍ସାହିତ କରିବା ପାଇଁ ବିଦ୍ୟାଞ୍ଜଳି ପ୍ଲାଟଫର୍ମ ୮.୨ଲକ୍ଷରୁ ଅଧିକ ବିଦ୍ୟାଳୟକୁ ୫.୩ଲକ୍ଷରୁ ଅଧିକ ସ୍ୱେଚ୍ଛାସେବୀ ଏବଂ ୨୦୦୦ ସିଏସଆର ଅଂଶୀଦାରଙ୍କ ସହିତ ଯୋଡ଼ିପାରିଛି । ଏହା ୧.୭କୋଟି ଛାତ୍ରଛାତ୍ରୀଙ୍କୁ ସିଧାସଳଖ ଲାଭ ପହଞ୍ଚାଇଛି । ଏହା ଜନଭାଗୀଦାରୀର ଏକ ଅସାଧାରଣ ଉଦାହରଣ, ଯାହା ସହଭାଗୀ ଦାୟିତ୍ୱ ମାଧ୍ୟମରେ ଶିକ୍ଷା ପରିଦୃଶ୍ୟକୁ ସୁଦୃଢ଼ କରୁଛି ।
ଉଚ୍ଚଶିକ୍ଷାରେ ପରିବର୍ତ୍ତନ ମଧ୍ୟ କମ୍ ବ୍ୟାପକ ନୁହେଁ । ମୋଟ୍ ନାମଲେଖା ୩.୪୨କୋଟିରୁ ୪.୪୬କୋଟିକୁ ବୃଦ୍ଧିପାଇଛି । ଏ କ୍ଷେତ୍ରରେ ୩୦.୫% ବୃଦ୍ଧି ହୋଇଛି । ବର୍ତ୍ତମାନ ସମସ୍ତ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ଛାତ୍ରୀଙ୍କ ସଂଖ୍ୟା ପ୍ରାୟ ୪୮% । ମହିଳା ପିଏଚଡି ନାମଲେଖା ୪୮ହଜାରରୁ ଦୁଇଗୁଣ ଅଧିକ ବୃଦ୍ଧିପାଇ ୧.୧୨ଲକ୍ଷ ହୋଇଛି । ବିଶେଷକରି ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି, ଅନ୍ୟାନ୍ୟ ପଛୁଆ ବର୍ଗର ଛାତ୍ରଛାତ୍ରୀଙ୍କ ପାଇଁ ନାମଲେଖାରେ ଏହି ବୃଦ୍ଧି, ଉଚ୍ଚଶିକ୍ଷା କ୍ଷେତ୍ରରେ ଅନ୍ତର୍ଭୁକ୍ତିକରଣର ଏକ ଐତିହାସିକ ସଫଳତା । ମହିଳା ଜିଇଆର ଲଗାତାର ଛଅବର୍ଷ ଧରି ପୁରୁଷ ଜିଇଆରକୁ ପଛରେ ପକାଇଛି, ଯାହା ଏନଇପିର ସମାନତା ଦୃଷ୍ଟିକୋଣର ଏକ ପ୍ରେରଣାଦାୟକ ପ୍ରମାଣ ।
ସମାନ୍ତରାଳ ଭାବରେ, ଉଚ୍ଚଶିକ୍ଷାର ଢାଞ୍ଚାକୁ ପୁନଃଆକୃତି ଦିଆଯାଇଛି । ଏକାଧିକ ପ୍ରବେଶ ଓ ପ୍ରସ୍ଥାନ ମାର୍ଗ ବା ମଲ୍ଟିପଲ ଏଣ୍ଟ୍ରି ଆଣ୍ଡ୍ ଏକଜିଟ୍ (ଏମଇଏମଇ), ୨୧.୧୨କୋଟିରୁ ଅଧିକ ଅପାର ଆଇଡି ପ୍ରଦାନ, ଏକାଡେମିକ୍ ବ୍ୟାଙ୍କ ଅଫ୍ କ୍ରେଡିଟ୍ସ (ଏବିସି) ଏବଂ ନ୍ୟାସନାଲ୍ କ୍ରେଡିଟ୍ ଫ୍ରେମୱାର୍କ (ଏନସିଆରଏଫ)ର ପ୍ରଚଳନ ଅଭୂତପୂର୍ବ ନମନୀୟତା ଏବଂ ଗତିଶୀଳତା ପ୍ରଦାନ କରିଛି । ୧୫୩ଟି ବିଶ୍ୱବିଦ୍ୟାଳୟ ବହୁମୁଖୀ ପ୍ରବେଶ ପ୍ରଦାନ କରୁଥିବାବେଳେ ୭୪ଟି ବହୁମୁଖୀ ପ୍ରସ୍ଥାନ ସୁବିଧା ପ୍ରଦାନ କରୁଛନ୍ତି । ଫଳରେ ଶିକ୍ଷାଦାନ ଆଉ ଲିନିଅର ନୁହେଁ, ବରଂ ମଡ୍ୟୁଲାର୍, ବିଦ୍ୟାର୍ଥୀ ପରିଚାଳିତ ଏବଂ ଭବିଷ୍ୟତ ପାଇଁ ପ୍ରସ୍ତୁତ ହୋଇପାରିଛି । ଏମଇଏମଇ, ଏବିସି ଏବଂ ଏନସିଆରଏଫ ପରି ଢାଞ୍ଚାର ପ୍ରବର୍ତ୍ତନ ଭାରତକୁ ଏପରି ସମନ୍ୱିତ ଡିଜିଟାଲ୍ ଏକାଡେମିକ୍ ସିଷ୍ଟମ ମାଧ୍ୟମରେ ଜୀବନବ୍ୟାପୀ ଶିକ୍ଷାକୁ ସମର୍ଥନ କରୁଥିବା ହାତଗଣତି ଦେଶ ମଧ୍ୟରେ ଅନ୍ୟତମ କରିପାରିଛି ।
ଗବେଷଣା ଏବଂ ନବସୃଜନ ଉପରେ ଏନଇପିର ଗୁରୁତ୍ୱ ଲାଭ ପ୍ରଦାନ କରିବା ଆରମ୍ଭ କରିସାରିଛି । ଭାରତର ଗ୍ଲୋବାଲ ଇନୋଭେସନ୍ ଇଣ୍ଡେକ୍ସ ମାନ୍ୟତା ୮୧ତମ ସ୍ଥାନରୁ ୩୯ତମ ସ୍ଥାନକୁ ଉନ୍ନୀତ ହୋଇଛି । ସେହିପରି ୪୦୦ରୁ ଅଧିକ ଉଚ୍ଚ ଶିକ୍ଷାନୁଷ୍ଠାନରେ ୧୮ ହଜାରରୁ ଅଧିକ ଷ୍ଟାର୍ଟ-ଅପ୍ ସ୍ଥାପନ କରାଯାଇ ଆମର କ୍ୟାମ୍ପସଗୁଡ଼ିକୁ ଦ୍ରୁତଗତିରେ ନବସୃଜନ କେନ୍ଦ୍ରରେ ପରିଣତ କରାଯାଉଛି । ଅନୁସନ୍ଧାନ ଏନଆରଏଫ, ପୁନଃନିର୍ମିତ ପିଏମଆରଏଫ ୨.୦ ଏବଂ ୬ହଜାର କୋଟି ଟଙ୍କାର ଏକ ରାଷ୍ଟ୍ର ଏକ ସବସ୍କ୍ରିପସନ୍ ପଦକ୍ଷେପ ଗବେଷଣାର ସାର୍ବଜନୀନକରଣ ଏବଂ ବିକେନ୍ଦ୍ରୀକରଣ ପ୍ରତି ଆମର ପ୍ରତିବଦ୍ଧତାକୁ ପ୍ରଦର୍ଶନ କରେ ।
ପ୍ରଯୁକ୍ତିବିଦ୍ୟା ଏକ ପ୍ରେରଣାଦାୟକ ଶକ୍ତି ହୋଇ ରହିଛି । ସ୍ୱୟମ ଏବଂ ସ୍ୱୟମ-ପ୍ଲସ୍ ଭଳି ପ୍ଲାଟଫର୍ମଗୁଡ଼ିକ ମିଳିତ ଭାବରେ ୫.୩କୋଟିରୁ ଅଧିକ ପଞ୍ଜୀକରଣ ରେକର୍ଡ କରିଛନ୍ତି । ଦୀକ୍ଷା ଏବଂ ପିଏମ୍ ଇ-ବିଦ୍ୟା ଭଳି ପଦକ୍ଷେପର ସମର୍ଥନରେ ୨୦୦ରୁ ଅଧିକ ଡିଟିଏଚ ଚ୍ୟାନେଲ ସହିତ ସାରା ଦେଶରେ ଶିକ୍ଷାର୍ଥୀମାନଙ୍କ ପାଇଁ ଉଚ୍ଚମାନର ପାଠ୍ୟ ବିଷୟବସ୍ତୁ ଉପଲବ୍ଧ ହେଉଛି । ଦ୍ୱିବାର୍ଷିକ ପ୍ରବେଶ, ଦ୍ୱୈତ ଡିଗ୍ରୀ ନିୟମାବଳୀ ପ୍ରଚଳନ ସୁବିଧା ଥିବା ଭାରତର ଡିଜିଟାଲ୍ ଶିକ୍ଷା ଇକୋସିଷ୍ଟମର ସଫଳତା ଉଚ୍ଚଶିକ୍ଷାକୁ ଅଧିକ ସମାବେଶୀ, ଆନ୍ତଃବିଭାଗୀୟ ଏବଂ ଶିଳ୍ପ-ପ୍ରାସଙ୍ଗିକ କରିଛି ।
ଭାରତର ବୃଦ୍ଧିପାଉଥିବା ଶୈକ୍ଷିକ ସ୍ଥିତି ବର୍ତ୍ତମାନ ବିଶ୍ୱସ୍ତରରେ ପ୍ରତିଫଳିତ ହେଉଛି । କ୍ୟୁଏସ ବିଶ୍ୱ ବିଶ୍ୱବିଦ୍ୟାଳୟ ମାନ୍ୟତା ୨୦୨୬ରେ ୫୪ଟି ଭାରତୀୟ ଶିକ୍ଷାନୁଷ୍ଠାନ ସ୍ଥାନ ପାଇଛନ୍ତି । ୨୦୧୪ରେ ମାତ୍ର ୧୧ଟି ଶିକ୍ଷାନୁଷ୍ଠାନକୁ ସ୍ଥାନ ମିଳିଥିଲା । ଡାଇକିନ୍, ୱୋଲୋଙ୍ଗୋଙ୍ଗ ଏବଂ ସାଉଥାମ୍ପଟନ୍ ଭଳି ବିଶ୍ୱସ୍ତରୀୟ ବିଶ୍ୱବିଦ୍ୟାଳୟ ଏକସଙ୍ଗେ ଭାରତରେ ସେମାନଙ୍କର କ୍ୟାମ୍ପସ ସ୍ଥାପନ କରିଛନ୍ତି । ଏହା ଆମର ବର୍ଦ୍ଧିତ ବିଶ୍ୱସନୀୟତା ଏବଂ ମହତ୍ତ୍ୱାକାଂକ୍ଷାର ପ୍ରମାଣ ।
ଏହି ପରିବର୍ତ୍ତନମୂଳକ ଯାତ୍ରାକୁ ଅଖିଳ ଭାରତୀୟ ଶିକ୍ଷା ସମାଗମ ମାଧ୍ୟମରେ ପାଳନ କରାଯାଉଛି । ତେବେ ଅଧିକ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଏହାକୁ ଲକ୍ଷ ଲକ୍ଷ ଶିକ୍ଷାର୍ଥୀ, ଶିକ୍ଷକ ଏବଂ ଅଭିଭାବକଙ୍କ ଆତ୍ମବିଶ୍ୱାସ ଜରିଆରେ ମପାଯାଉଛି । ଏନଇପି ୨୦୨୦ କେବେବି ଏକ ଘୋଷଣା ନଥିଲା । ଏହା ହେଉଛି ଏକ ଉଦୀୟମାନ ନବଜାଗରଣ । ଏହା କୋଳାହଳ ଦ୍ୱାରା ନୁହେଁ ବରଂ ଗଭୀରତା ଦ୍ୱାରା, ଗତି ଦ୍ୱାରା ନୁହେଁ ବରଂ ପରିମାଣ ଦ୍ୱାରା ଚିହ୍ନିତ । ତଥାପି, ଆମେ ଆଗକୁ ପଡ଼ିଥିବା ମାର୍ଗ ପ୍ରତି ସଚେତନ ରହିଛୁ । ଆମକୁ ଆମର କ୍ୟାମ୍ପସକୁ ସବୁଜ କରିବା, ଗୁରୁତ୍ୱପୂର୍ଣ୍ଣ ଗବେଷଣା ଭିତ୍ତିଭୂମିକୁ ବିସ୍ତାର କରିବା, ଅଗ୍ରଣୀ ପ୍ରଯୁକ୍ତିବିଦ୍ୟା ଜରିଆରେ ପ୍ରତିଭାକୁ ପ୍ରୋତ୍ସାହିତ କରିବା ଏବଂ ପ୍ରତ୍ୟେକ ଜିଲ୍ଲାରେ ଶିକ୍ଷାର ଫଳାଫଳକୁ ଗଭୀର କରିବା ଜାରି ରଖିବାକୁ ପଡିବ । ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ଦୂରଦୃଷ୍ଟିପୂର୍ଣ୍ଣ ନେତୃତ୍ୱରେ, ଆମେ ଅନୁଭବ କରିଛୁ ଯେ ଶିକ୍ଷା କେବଳ ନୀତି ନୁହେଁ, ଏହା ଆମର ସର୍ବୋତ୍ତମ ଜାତୀୟ ନିବେଶ, ଆମର ନୈତିକ ଦିଗଦର୍ଶକ ଏବଂ ଭବିଷ୍ୟତ ପାଇଁ ଆମର ସାମୂହିକ ପ୍ରତିଶ୍ରୁତି ।
୨୦୨୦ ମସିହାରେ ପ୍ରଜ୍ଜ୍ୱଳିତ ହୋଇଥିବା ଏହି ଜ୍ୟୋତି ଏବେ ଆମ ଶିକ୍ଷା ବ୍ୟବସ୍ଥାର ପ୍ରତ୍ୟେକ କୋଣକୁ ଆଲୋକିତ କରୁଛି । କିନ୍ତୁ ଏହାର ପ୍ରକୃତ ଉଦ୍ଦେଶ୍ୟ ହେଉଛି ଲକ୍ଷ ଲକ୍ଷ ଲୋକଙ୍କ ଘର, ହୃଦୟ ଏବଂ ଦିଗନ୍ତକୁ ପ୍ରଜ୍ଜ୍ୱଳିତ କରିବା । "ୟତ୍ର ବିଦ୍ୟା, ତତ୍ର ପ୍ରଗତି': ଅର୍ଥାତ୍- ଯେଉଁଠାରେ ବିଦ୍ୟା ଅଛି, ସେଠାରେ ପ୍ରଗତି ଅଛି । ୧୦୦ କୋଟିରୁ ଅଧିକ ମନ, ଅବିଚଳିତ ଏବଂ ସଶକ୍ତ । ଏହା କେବଳ ଏକ ଜନସଂଖ୍ୟାଗତ ଲାଭାଂଶ ନୁହେଁ, ବରଂ ଏକ ନୂତନ ଭାରତର ଉଜ୍ଜ୍ୱଳ ନକ୍ଷତ୍ର । ଏହା ହେଉଛି ନୂତନ ଭାରତର ସଂକଳ୍ପ, ଯାହା ପ୍ରତ୍ୟେକ ଦିନ ଆମ ପିଲାମାନଙ୍କର ଉଜ୍ଜ୍ୱଳ ସ୍ୱପ୍ନରେ ପ୍ରକାଶିତ ହେଉଛି । ମୂଳଦୁଆକୁ ଆଧାର କରି ଶିଖର ଛୁଇଁବା ଏବଂ ଏକ ବିକଶିତ ଭାରତ ନିର୍ମାଣ କରିବାର ବିଶ୍ୱାସ ଆମ ପିଲାମାନଙ୍କ ମନରେ ରହିଛି ।