ନୂତନ ଶିକ୍ଷାନୀତି ଅନୁସାରେ କୃଷି ଶିକ୍ଷାକୁ ଏକୀକୃତ ଶିକ୍ଷା ପ୍ରଣାଳୀରେ ବିଦ୍ୟାଳୟ ସ୍ତରରୁ ବିଶ୍ୱବିଦ୍ୟାଳୟ ପର୍ଯ୍ୟନ୍ତ ମଜଭୁତ କରିବାକୁ ହେଲେ ଦୃଢ଼ ଇଚ୍ଛାଶକ୍ତି, ବିଦ୍ୟାଳୟମାନଙ୍କର ସଂରଚନାଗତ ପୃଷ୍ଠଭୂମି, ମାତୃଭାଷା ଓଡ଼ିଆରେ ସୁଚିନ୍ତିତ ପାଠ୍ୟ ଖସଡ଼ା, ଔଦ୍ୟୋଗିକ ପ୍ରଶିକ୍ଷଣ ତଥା ଅନୁଭବୀ ଓ ତାଲିମପ୍ରାପ୍ତ ଶିକ୍ଷକଙ୍କର ଅତ୍ୟନ୍ତ ଆବଶ୍ୟକତା ରହିଛି ।
ଭାରତ ବର୍ଷର ପ୍ରାୟ ୪୬ ଶତକଡ଼ା ଜନସଂଖ୍ୟା କୃଷି ଉପରେ ନିର୍ଭରଶୀଳ ହୋଇଥିବା ବେଳେ, ସମୁଦାୟ ଘରୋଇ ଉତ୍ପାଦନ (ଜିଡିପି)କୁ ଏହାର ଅବଦାନ ମାତ୍ର ୧୬ ଶତକଡ଼ା । ସେହିପରି ଆମ ରାଜ୍ୟ ଓଡ଼ିଶାର ପ୍ରାୟ ୪୯ ଶତକଡ଼ା ଜନସଂଖ୍ୟା କୃଷି ଉପରେ ନିର୍ଭରଶୀଳ ହୋଇଥିବା ବେଳେ, ଏହାର ଜିଡିପିକୁ ଅବଦାନ ମାତ୍ର ୨୦ ଶତକଡ଼ା । ବିଗତ ଦଶନ୍ଧିମାନଙ୍କରେ ଉଦ୍ୟୋଗ ଏବଂ ସେବା କ୍ଷେତ୍ର ତୁଳନାରେ କୃଷି କ୍ଷେତ୍ରର ବାର୍ଷିକ ବୃଦ୍ଧି ହାର ଯଥେଷ୍ଟ କମ୍ ରହୁଛି । ଏହି ପରିପ୍ରେକ୍ଷୀରେ ଜାତୀୟ ଶିକ୍ଷା ନୀତି ୨୦୨୦ ଅନ୍ତର୍ଗତ 5+3+3+4 ଖସଡ଼ାକୁ ସଫଳ ରୂପାୟନ କରାଇ କୃଷି ଶିକ୍ଷାକୁ ଏକୀକୃତ ଶିକ୍ଷା ପ୍ରଣାଳୀରେ ବିଦ୍ୟାଳୟ ସ୍ତରରେ ଦୃଢ଼ୀଭୂତ କରାଇବା ଅତ୍ୟନ୍ତ ଆବଶ୍ୟକ ହୋଇଯାଇଛି । ଜାତୀୟ ଶିକ୍ଷା ନୀତି ୨୦୨୦ରେ ଭାରତର ଶିକ୍ଷା ପ୍ରଣାଳୀରେ ବ୍ୟାପକ ପରିବର୍ତ୍ତନ କରାଯାଇଛି, ଯାହାର ଲକ୍ଷ୍ୟ ହେଉଛି ମାତୃଭାଷାକୁ ପ୍ରାଥମିକତା ଦେଇ ଶିକ୍ଷାର ଗୁଣାତ୍ମକ ମାନ ବୃଦ୍ଧି ସହିତ ପିଲାଙ୍କର ଶାରୀରିକ ଏବଂ ବୌଦ୍ଧିକ ମାନସିକ ଦକ୍ଷତାର ବିକାଶ । କିନ୍ତୁ ଏହା ଅନୁସାରେ ଫଳପ୍ରଦ କୃଷି ଶିକ୍ଷା ପାଇଁ ବିଦ୍ୟାଳୟ ସ୍ତରରେ ବ୍ୟାପକ ପରିବର୍ତ୍ତନର ଆବଶ୍ୟକତା ରହିଛି । ଏଥିପାଇଁ ଷଷ୍ଠରୁ ଅଷ୍ଟମ ଶ୍ରେଣୀ ସ୍ତରରେ ଏକ ମଜାଳିଆ ପାଠ୍ୟକ୍ରମ (Fun Course)ର ଖସଡ଼ା ପ୍ରସ୍ତୁତ କରିବାକୁ ହେବ । ଏହି ଖସଡ଼ାରେ ମୌଳିକ କୃଷି ଜ୍ଞାନ ଯଥା– ଗଛ, ମାଟି, ସ୍ଥାନୀୟ ଫସଲ, ବିଦ୍ୟାଳୟ ବଗିଚା ପ୍ରକଳ୍ପ, ଖତ ଓ ଜିଆସାର ପ୍ରସ୍ତୁତି, ସ୍ଥାନୀୟ ଗୋରୁ ଫାର୍ମ, କୁକୁଡ଼ା ଫାର୍ମ, ଉଦ୍ୟାନ କୃଷି, ମତ୍ସ୍ୟଚାଷ ଭିତ୍ତିକ ସମନ୍ୱିତ କୃଷି ଫାର୍ମ ଭ୍ରମଣ ଇତ୍ୟାଦ ଅନ୍ତର୍ଭୁକ୍ତ । ଏହି ସମୟରେ ପିଲାମାନେ ଦଶଦିନିଆ ବିନା ବସ୍ତାନି (Bag less) ଅବଧିରେ ଅଂଶଗ୍ରହଣ କରିବେ ।
ସେହିପରି ମାଧ୍ୟମିକ ସ୍ତରରେ (ନବମରୁ ଦ୍ୱାଦଶ ପର୍ଯ୍ୟନ୍ତ) କୃଷି ଓ ଆନୁସଙ୍ଗିକ ଶିକ୍ଷା ପାଠ୍ୟକ୍ରମକୁ ଧନ୍ଦାମୂଳକ ବିଷୟ ରୂପେ ରଖିବାର ବ୍ୟବସ୍ଥା ରହିଛି । ଏଥିରେ ବିସ୍ତୃତ କୃଷିବିଜ୍ଞାନ ଯଥା– ଗଛ ଓ ମାଟି ଆବଶ୍ୟକ କରୁଥିବା ପୋଷଣ ତତ୍ତ୍ୱ, ମୃତ୍ତିକା ପରୀକ୍ଷା, ବିଭିନ୍ନ ଶ୍ରେଣୀର ସାରର ପ୍ରକାର ଭେଦ, ଜୈବିକ ଖତ, ଜିଆଖତ ଇତ୍ୟାଦିର ପ୍ରସ୍ତୁତି । ବିଭିନ୍ନ ପ୍ରକାର ଫସଲ ଏବଂ ଏଥିରେ ଲାଗୁଥିବା ବିଭିନ୍ନ ରୋଗ ଓ ପୋକ ଦମନ ପାଇଁ ସମନ୍ଵିତ ବ୍ୟବସ୍ଥା, ବିଭିନ୍ନ ପ୍ରକାର ଚାରା ପ୍ରସ୍ତୁତି ଏବଂ ଏହାର ବିକ୍ରିବଟା, କୃଷି ସହିତ ପଶୁପାଳନ, ମତ୍ସ୍ୟଚାଷ, ଛତୁଚାଷ, ମହୁମାଛି ପାଳନ ଇତ୍ୟାଦିର ଜ୍ଞାନ ସମନି୍ୱତ କୃଷି, ଜୈବିକ କୃଷି, ପରିବେଶ ଉପଯୁକ୍ତ କୃଷି ଉପରେ ପ୍ରଶିକ୍ଷଣ, କୃଷି ଉଦ୍ୟୋଗିକତା, ବିପଣନ, ପ୍ରକ୍ରିୟାକରଣ, ପ୍ରଯୁକ୍ତିଭିତ୍ତିକ ଆଧୁନିକ ଜ୍ଞାନ କୌଶଳ ତଥା ଡ୍ରୋନ୍ ଇତ୍ୟାଦି ଅନ୍ତର୍ଭୁକ୍ତ ହେବ । ଏହି ବର୍ଷମାନଙ୍କରେ ଉଦ୍ୟୋଗଭିତ୍ତିକ ପ୍ରଶିକ୍ଷଣ ବାବଦରେ ସମ୍ପୃକ୍ତ ଜିଲ୍ଲାରେ ଥିବା କୃଷିବିଜ୍ଞାନ କେନ୍ଦ୍ର, ତଥା ଗବେଷଣା କେନ୍ଦ୍ର ଏବଂ ଅନ୍ୟାନ୍ୟ ସରକାରୀ କୃଷି ପ୍ରଶିକ୍ଷଣ କେନ୍ଦ୍ରମାନଙ୍କରେ ତାଲିମ ନେଇପାରିବେ । ଏହି ବ୍ୟବସ୍ଥା ଉଭୟ ଦଶମ ଓ ଦ୍ୱାଦଶ ବୋର୍ଡ଼ ପରୀକ୍ଷାର ପାଠ୍ୟ ଖସଡ଼ା ମଧ୍ୟରେ ଅନ୍ତର୍ଭୁକ୍ତ ହେବ । କୃଷି ସମ୍ବନ୍ଧୀୟ ଉପରୋକ୍ତ ପାଠ୍ୟ ଖସଡ଼ା ପାଇଁ ଥିବା ପୁସ୍ତକଗୁଡ଼ିକ ମାତୃଭାଷା ଓଡ଼ିଆରେ କରାଯିବା ଆବଶ୍ୟକ । ତେବେ ଉପରୋକ୍ତ ଢାଞ୍ଚାଗତ କୃଷି ଶିକ୍ଷା ବ୍ୟତୀତ ଆଗ୍ରହୀ ଛାତ୍ରଛାତ୍ରୀମାନେ ଦ୍ୱାଦଶ ଶ୍ରେଣୀ ପରେ ରାଜ୍ୟରେ ଥିବା ବିଭିନ୍ନ ଆଗ୍ରୋ ପଲିଟେକ୍ନିକ୍ମାନଙ୍କରେ ନାମ ଲେଖାଇ ଉଦ୍ୟାନ କୃଷି, ପଶୁପାଳନ, ମତ୍ସ୍ୟଚାଷ ଇତ୍ୟାଦିରେ ଡିପ୍ଲୋମା ହାସଲ କରି ଆତ୍ମନିଯୁକ୍ତି ତଥା କର୍ମନିଯୁକ୍ତିର ପନ୍ଥା ବାଛି ପାରିବେ ।
ଏତଦ୍ ବ୍ୟତୀତ କୃଷିରେ ରୁଚି ରଖୁଥିବା ସମସ୍ତ ଚାଷୀ ଭାଇ ଭଉଣୀମାନେ ମଧ୍ୟ ପତ୍ର ବିନିମୟ ଏବଂ ଅନଲାଇନ୍ ମାଧ୍ୟମରେ ପ୍ରମାଣପତ୍ର ପାଠ୍ୟକ୍ରମ ଦ୍ୱାରା ଶିକ୍ଷା ଗ୍ରହଣ କରି ନିଜ ନିଜର ଦକ୍ଷତା ବୃଦ୍ଧି କରିବା ସହିତ ସ୍ୱାବଲମ୍ବୀ ହୋଇପାରିବେ । କୃଷିରେ ପ୍ରମାଣପତ୍ର ଓ ତାଲିମ ହାସଲ କରିଥିବା ସମସ୍ତ ଛାତ୍ରଛାତ୍ରୀ ତଥା କୁଶଳୀ ଭାଇଭଉଣୀମାନଙ୍କୁ ରାଜ୍ୟ ସରକାରଙ୍କ ଅଧୀନସ୍ଥ ଅପିକଲ ମାଧ୍ୟମରେ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରେ ସାମିଲ କରିପାରିଲେ ସେମାନେ ଏହାର ସୁଫଳ ନେଇ ଆଗକୁ ବଢ଼ିପାରନ୍ତେ । ମାଧ୍ୟମିକ ସ୍ତରରେ କୃଷି ଓ ଆନୁସଙ୍ଗିକ ଶିକ୍ଷାକୁ ଧନ୍ଦାମୂଳକ ବିଷୟ ରଖି ଦ୍ୱାଦଶ ପାସ୍ କରିଥିବା ଛାତ୍ରଛାତ୍ରୀମାନଙ୍କ ପାଇଁ ଉଚ୍ଚଶିକ୍ଷା ଉଦ୍ଦେଶ୍ୟରେ ବିଭିନ୍ନ ବିଶ୍ୱବିଦ୍ୟାଳୟମାନଙ୍କରେ ସୁଯୋଗ ଦେବାପାଇଁ ସ୍ନାତକ ସ୍ତରରେ ଉପଲବ୍ଧ ହେଉଥିବା ସମୁଦାୟ ସ୍ଥାନର ୩୦ ଶତକଡ଼ା ପର୍ଯ୍ୟନ୍ତ ସଂରକ୍ଷଣ କରାଗଲେ ଜାତୀୟ ଶିକ୍ଷାନୀତି ଅନ୍ତର୍ଗତ ଏକୀକୃତ ଶିକ୍ଷା ପ୍ରଣାଳୀର ତାତ୍ପର୍ଯ୍ୟ ଜାରି ରହିବା ସହିତ ଏହି ବ୍ୟବସ୍ଥାରୁ ଉନ୍ନୀତ ଛାତ୍ରଛାତ୍ରୀମାନଙ୍କର କାର୍ଯ୍ୟଦକ୍ଷତା ଓ କର୍ମ ନିଯୁକ୍ତି ବୃଦ୍ଧି ପାଆନ୍ତା । ବିଗତ ଶିକ୍ଷାବର୍ଷ (୨୦୨୪-୨୫) ଠାରୁ ଓ.ୟୁ.ଏ.ଟି. ରେ ଜାତୀୟ ଶିକ୍ଷାନୀତି ଖସଡ଼ାରେ କୃଷି ଉଦ୍ୟାନ ଶିକ୍ଷା, ପଶୁପାଳନ, ମତ୍ସ୍ୟ, କୃଷି ଯନ୍ତ୍ରପାତି ବନ ବିଭାଗ ତଥା ଗୃହ ବିଜ୍ଞାନ ଇତ୍ୟାଦିରେ ସ୍ନାତକ କାର୍ଯ୍ୟକ୍ରମ ଅନୁସୃତ ହୋଇଛି ।
ତଦନୁଯାୟୀ ବିଶ୍ୱବିଦ୍ୟାଳୟ ସ୍ନାତକ କାର୍ଯ୍ୟକ୍ରମରେ ଦୀକ୍ଷାରମ୍ଭ, ପ୍ରଥମ ବର୍ଷ ପୂରଣ ପରେ ପ୍ରମାଣପତ୍ର, ଦ୍ୱିତୀୟ ବର୍ଷ ପରେ ଡିପ୍ଲୋମା, ତୃତୀୟ ଏବଂ ଚତୁର୍ଥ ବର୍ଷ ପରେ ବି.ଏସ୍ସି. ସମ୍ମାନ ଉପାଧି ମିଳିବାର ବ୍ୟବସ୍ଥା ରହିଛି । ତେବେ ବର୍ତ୍ତମାନର ପ୍ରଚଳିତ ନାମଲେଖା ପଦ୍ଧତିରେ କୃଷି ଓ ଆନୁସଙ୍ଗିକ ବୃତ୍ତିରେ ପ୍ରାକ୍ ଅନୁଭୂତି ଏବଂ ଯୋଗ୍ୟତା ତଥା ପସନ୍ଦିତାକୁ ବିଚାରକୁ ନନେବା ଫଳରେ ଆଗ୍ରହ ଓ କର୍ମ କୁଶଳତା ଅଭାବରୁ ସରକାରୀ ଚାକିରି ବ୍ୟତୀତ ଅନ୍ୟାନ୍ୟ ଆତ୍ମନିଯୁକ୍ତି ତଥା ଘରୋଇ କର୍ମ ସଂସ୍ଥାନମାନଙ୍କରେ ନିଯୁକ୍ତି ବାଧାପ୍ରାପ୍ତ ହେଉଛି । ଅନ୍ୟ ପକ୍ଷରେ ନୂତନ ଶିକ୍ଷା ନୀତି ଅନୁସାରେ କୃଷି ଶିକ୍ଷାକୁ ବିକେନ୍ଦ୍ରୀକରଣ କରାଯାଇ ଏକୀକୃତ ଶିକ୍ଷା ପ୍ରଣାଳୀରେ କୃଷି ତାଲିମପ୍ରାପ୍ତ ଛାତ୍ରଛାତ୍ରୀମାନଙ୍କୁ ବିଶ୍ୱବିଦ୍ୟାଳୟରେ ଉଚ୍ଚଶିକ୍ଷାର ସୁଯୋଗ ଦେଲେ ସେଠାରେ ସେମାନେ ଏକାଡେମିକ୍ କ୍ରେଡିଟ୍ ବ୍ୟାଙ୍କ (ଏବିସି)ର ସୁଯୋଗ ନେଇ ଇଚ୍ଛାକୃତ ଆଗମନ ଓ ପ୍ରସ୍ଥାନ ବ୍ୟବସ୍ଥା ଦ୍ୱାରା ନିଜର ଅର୍ଜିତ କ୍ରେଡିଟ୍କୁ ଭବିଷ୍ୟତରେ ଉପଯୋଗ କରିପାରନ୍ତେ । ଏହା ସହିତ ଯେଉଁ ଛାତ୍ରଛାତ୍ରୀମାନେ ଉଚ୍ଚତର ଶିକ୍ଷା ତଥା ଗବେଷଣା ପ୍ରତି ଆଗଭର ହେବେ, ସେମାନେ ସ୍ନାତକୋତ୍ତର ତଥା ଡକ୍ଟରେଟ୍ ଉପାଧି ହାସଲ କରି ବିଭିନ୍ନ ଗବେଷଣା ଅନୁଷ୍ଠାନ ତଥା ବିଶ୍ୱବିଦ୍ୟାଳୟମାନଙ୍କରେ ଅଧ୍ୟାପନାରେ ବ୍ରତୀ ହୋଇପାରିବେ । ନୂତନ ଶିକ୍ଷାନୀତି ଅନୁସାରେ କୃଷି ଶିକ୍ଷାକୁ ଉଚ୍ଚ ପ୍ରାଥମିକ (ଷଷ୍ଠରୁ ଅଷ୍ଟମ) ସ୍ତରରୁ ଉପରୋକ୍ତ ପାଠ୍ୟ ଖସଡ଼ାକୁ ଏକୀକୃତ ଶିକ୍ଷା ପ୍ରଣାଳୀରେ କାର୍ଯ୍ୟକାରୀ କରିବାକୁ ହେଲେ ରାଜ୍ୟ ସରକାରଙ୍କର ଅଧୀନସ୍ଥ ସି.ଟି. (ତାଲିମ ପ୍ରମାଣପତ୍ର) ଏବଂ ବି.ଇଡି. ସ୍ତରରେ କୃଷି ଶିକ୍ଷାର ପାଠ୍ୟକ୍ରମର ଖସଡ଼ା ପ୍ରଚଳନ କରାଇ ବିଭିନ୍ନ ବିଦ୍ୟାଳୟ ପାଇଁ ଯଥେଷ୍ଟ ଅନୁଭବୀ ଶିକ୍ଷକ ପ୍ରସ୍ତୁତ କରିବାକୁ ପଡ଼ିବ । ଏସବୁ ବିଦ୍ୟାଳୟମାନଙ୍କରେ କୃଷି ବିଶ୍ୱବିଦ୍ୟାଳୟରୁ ଉତ୍ତୀର୍ଣ୍ଣ ସ୍ନାତକମାନଙ୍କୁ ଉପଯୁକ୍ତ ତାଲିମ ପ୍ରଦାନ କରି ନିଯୁକ୍ତି ଦେବା ବିଷୟରେ ମଧ୍ୟ ଚିନ୍ତା କରାଯାଇପାରେ ।
ସେହିପରି, କୃଷିର ଧନ୍ଦାମୂଳକ ଶିକ୍ଷା ପ୍ରଚଳନ ଦିଗରେ ମୋର ନିମ୍ନଲିଖିତ ସଂପୃକ୍ତି ସମ୍ବନ୍ଧରେ ଲେଖିବା ଉଚିତ୍ ମନେ କରୁଛି । ଭୁବନେଶ୍ୱର ସ୍ଥିତ କେନ୍ଦ୍ର ସରକାରଙ୍କ ଅଧୀନରେ ଥିବା ଆଞ୍ଚଳିକ ଶିକ୍ଷା ସଂସ୍ଥାନ (Regional Institute of Education) ରେ କୃଷି ଉପରେ ଏକ ଇଚ୍ଛାଧୀନ ବିଷୟ ହିସାବରେ ଏକ ଧନ୍ଦାମୂଳକ ପାଠ୍ୟକ୍ରମ ଆରମ୍ଭ ହେଲା । କୃଷି ଫାର୍ମିଂ ନାମରେ ଥିବା ଏହି ପାଠ୍ୟକ୍ରମର ପାଠ୍ୟ ଖସଡ଼ା ପ୍ରସ୍ତୁତି ଠାରୁ ଆରମ୍ଭ କରି, ଏହା ପାଇଁ ନିଯୁକ୍ତି ହେବାକୁ ଥିବା ଶିକ୍ଷକ, ଶିକ୍ଷା ସହାୟକ ଏବଂ ଏହାର ବିଭିନ୍ନ ଖସଡ଼ା ପାଇଁ ଆବଶ୍ୟକୀୟ ଯୋଜନା ଇତ୍ୟାଦିରେ ମୋର ପ୍ରତ୍ୟକ୍ଷ ସମ୍ପୃକ୍ତି ରହିଲା । ଉତ୍କଳ ବିଶ୍ୱବିଦ୍ୟାଳୟ ଦ୍ୱାରା ଅନୁବନ୍ଧିତ ଏହି ପାଠ୍ୟକ୍ରମ ଉପରୋକ୍ତ ଶିକ୍ଷାନୁଷ୍ଠାନରେ ପ୍ରଚଳିତ ଥିବା ବି.ଇଡି. କଳା, ଏବଂ ବି.ଇଡି. ବିଜ୍ଞାନ ଛାତ୍ରଛାତ୍ରୀମାନଙ୍କ ପାଇଁ ଉଦ୍ଦିଷ୍ଟ ଥିଲା । ଦେଖାଗଲା ଯେ, ଏହି ପାଠ୍ୟକ୍ରମ ଉପରେ ପିଲାମାନଙ୍କର ଅତ୍ୟଧିକ ଆଗ୍ରହ ବୃଦ୍ଧି ହେତୁ, ପ୍ରତି ଶ୍ରେଣୀରେ ଶହେରୁ ଅଧିକ ଉପସ୍ଥାନ ରହିଲା । ଏଠାରୁ ତାଲିମପ୍ରାପ୍ତ ଛାତ୍ରଛାତ୍ରୀମାନେ ସାରା ଦେଶରେ ସେମାନେ ନିଯୁକ୍ତି ପାଉଥିବା ବିଦ୍ୟାଳୟମାନଙ୍କରେ ଏହି ପାଠ୍ୟକ୍ରମକୁ ଆରମ୍ଭ କରି କୃଷି ପ୍ରତି ଗ୍ରାମାଞ୍ଚଳରେ ଆଗ୍ରହ ସୃଷ୍ଟି କରିପାରିବେ ।
ନୂତନ ଶିକ୍ଷାନୀତି ଅନୁସାରେ କୃଷି ଶିକ୍ଷାକୁ ଏକୀକୃତ ଶିକ୍ଷା ପ୍ରଣାଳୀରେ ବିଦ୍ୟାଳୟ ସ୍ତରରୁ ବିଶ୍ୱବିଦ୍ୟାଳୟ ପର୍ଯ୍ୟନ୍ତ ମଜଭୁତ କରିବାକୁ ହେଲେ ଦୃଢ଼ ଇଚ୍ଛାଶକ୍ତି, ବିଦ୍ୟାଳୟମାନଙ୍କର ସଂରଚନାଗତ ପୃଷ୍ଠଭୂମି, ମାତୃଭାଷା ଓଡ଼ିଆରେ ସୁଚିନ୍ତିତ ପାଠ୍ୟ ଖସଡ଼ା, ଔଦ୍ୟୋଗିକ ପ୍ରଶିକ୍ଷଣ ତଥା ଅନୁଭବୀ ଓ ତାଲିମପ୍ରାପ୍ତ ଶିକ୍ଷକଙ୍କର ଅତ୍ୟନ୍ତ ଆବଶ୍ୟକତା ରହିଛି । ଏସବୁ ହୋଇପାରିଲେ, କୃଷିକ୍ଷେତ୍ରର ସାମଗ୍ରିକ ଉନ୍ନତି ହୋଇ ସମୃଦ୍ଧ ଓଡ଼ିଶା ୨୦୩୬’ର ସ୍ୱପ୍ନ ସାକାର ହେବା ସହିତ, ବିକଶିତ ଭାରତ ୨୦୪୭ ଦିଗରେ ଆମ ରାଜ୍ୟର ବଳିଷ୍ଠ ଯୋଗଦାନ ରହିପାରନ୍ତା ।