ନୂଆଦିଲ୍ଲୀ: ଇଣ୍ଡୋନେସିଆରେ ଭୟଙ୍କର ଆଗ୍ନେୟଗିରି ଉଦଗୀରଣ । ମାଉଣ୍ଟ ଲୋବୋଟୋବି ଲାକି ଲାକି ଆଗ୍ନେୟଗିରି ଉଦଗୀରଣ ଯୋଗୁଁ ଅନେକ ଘର ଜଳିପୋଡ଼ି ପାଉଁଶ ହୋଇଛି । ଲାଭା ପ୍ରବାହିତ ହୋଇ ଆଖପାଖ ଅଞ୍ଚଳରେ ମାଡ଼ିଯାଇଛି । ଏଥିରେ ପ୍ରାୟ ୧୦ ଜଣଙ୍କ ମୃତ୍ୟୁ ହୋଇଥିବା ନେଇ ଇଣ୍ଡୋନେସିଆର ବିପର୍ଯ୍ୟୟ ପରିଚାଳନା ଏଜେନ୍ସି ସୂଚନା ଦେଇଛି ।
ସେପଟେ ଆଗ୍ନେୟଗିରି ଉଦଗୀରଣର ଭୟାବହତାକୁ ନଜରରେ ରଖି ଚେତାବନୀ ଜାରି କରାଯାଇଛି । ଫ୍ଲୋରେସ ଦ୍ବୀପରେ ହୋଇଥିବା ଆଗ୍ନେୟଗିରି ଉଦଗୀରଣରେ ସୃଷ୍ଟ ଧୂଆଁ ଏବଂ ପାଉଁଶ ବହୁ ଉଚ୍ଚକୁ ବ୍ୟାପିଯାଇଛି । ଏଥିରୁ ନିର୍ଗତ ଲାଭା ପାଖରେ ଥିବା ଏକ ଗାଁକୁ ଗ୍ରାସ କରିଛି । ଏକ ଚର୍ଚ୍ଚ ସମେତ ଅନେକ ଘର ଗରମ ଲାଭା ସଂସ୍ପର୍ଶରେ ଆସି ଧ୍ବଂସ ହୋଇଛି । ମୃତକଙ୍କ ସଂଖ୍ୟା ୧୦ରେ ପହଞ୍ଚିଥିବା ବେଳେ ଏହି ସଂଖ୍ୟା ବୃଦ୍ଧି ପାଇପାରେ ।
ସେପଟେ କ୍ଷୟକ୍ଷତିର ଆକଳନ କରାଯାଇ ନାହିଁ ବୋଲି ଜଣାପଡ଼ିଛି । ଯେଉଁ ସବୁ ଘର ଉପରେ ଲାଭା ମାଡ଼ିଯାଇଛି, ସେଠାରେ ଅନେକ ଲୋକ ଫସିଯାଇ ମୃତ୍ୟୁବରଣ କରିଥାଇପାରନ୍ତି ବୋଲି କୁହାଯାଉଛି । ମିଳିଥିବା ସୂଚନା ଅନୁସାରେ, ବୁଲାଂଗିଟଙ୍ଗ ଜିଲ୍ଲାରେ ହୋଇଥିବା ଜ୍ବାଳାମୁଖୀ ବିସ୍ଫୋରଣ ଯୋଗୁଁ ବହୁ ଗାଁକୁ ପ୍ରଭାବିତ ହୋଇଛି । ଏଥିରେ ପ୍ରାୟ ୧୦,୦୦୦ ଲୋକ ପ୍ରଭାବିତ ହୋଇଛନ୍ତି । ଇଣ୍ଡୋନେସିଆରେ ଗତ ଦୁଇ ସପ୍ତାହ ମଧ୍ୟରେ ଦୁଇ ଥର ଆଗ୍ନେୟଗିରି ଉଦଗୀରଣ ହୋଇଛି । ଏହା ପୂର୍ବରୁ ଅକ୍ଟୋବର ୨୭ରେ ଆଗ୍ନେୟଗିରି ଉଦଗୀରଣ ହୋଇଥିଲା ।