ମାଦ୍ରିଦ୍,୦୫/୧୧: ସ୍ପେନ୍ର ଭାଲେନ୍ସିଆ ଅଞ୍ଚଳରେ ଭୟଙ୍କର ବନ୍ୟା ଆସିବାରୁ ବ୍ୟାପକ ଧନଜୀବନ ହାନି ହୋଇଛି । ଲୋକମାନେ ନାହିଁ ନ ଥିବା ସମସ୍ୟାର ସମ୍ମୁଖୀନ ହୋଇଛନ୍ତି । ଏଭଳି ସ୍ଥିତିରେ ବନ୍ୟା ପ୍ରଭାବିତ ଅଞ୍ଚଳ ଦେଖିବା ପାଇଁ ଯାଇଥିବା କିଙ୍ଗ୍ ଫିଲିପ୍ ଏବଂ ପତ୍ନୀ କ୍ୱିନ୍ ଲେଟିଜିଆଙ୍କ ଉପରେ ଲୋକମାନେ କାଦୁଅ ଓ ଅଣ୍ଡା ଫିଙ୍ଗିଛନ୍ତି । କାଦୁଅ ଫିଙ୍ଗିବା ସହ ସେମାନେ ‘ହତ୍ୟାକାରୀ’ ଓ ‘ଲାଜ କର’ ବୋଲି ସ୍ଲୋଗାନ ବି ଦେଇଛନ୍ତି ।
ସ୍ପେନ୍ର ରାଜା ଓ ରାଣୀଙ୍କ ସହିତ ଦେଶର ପ୍ରଧାନମନ୍ତ୍ରୀ ପେଡ୍ରୋ ସାଞ୍ଚେଜ୍ ବି ବନ୍ୟାଞ୍ଚଳ ପରିଦର୍ଶନ କରିଥିଲେ । ତାଙ୍କୁ ବି ଲୋକେ ଛାଡ଼ି ନ ଥିଲେ । ତାଙ୍କ ଗାଡ଼ି ଉପରେ ଆକ୍ରମଣ କରିଥିଲେ । ବନ୍ୟାକୁ ରୋକିବା ପାଇଁ ସରକାର କାହିଁକି ଆଗୁଆ ପଦକ୍ଷେପ ନେଲେନାହିଁ ବୋଲି ସେମାନେ ସାଞ୍ଚେଜ୍ଙ୍କୁ ପ୍ରଶ୍ନ କରିଥିଲେ । ଭିଡ଼କୁ ରୋକିବା ପାଇଁ ପୁଲିସ ଆଗକୁ ଆସିଥିଲା । କାଦୁଅ ମାଡ଼ରୁ ସୁରକ୍ଷା ଲାଗି ସେମାନେ ପାରୁପର୍ଯ୍ୟନ୍ତ ଉଦ୍ୟମ କରିଥିଲେ । କିଛି ସୁରକ୍ଷା କର୍ମୀ ଛତା ଖୋଲି ସାଞ୍ଚେଜ୍ଙ୍କୁ ସୁରକ୍ଷା ଯୋଗାଇଥିବା ଦେଖିବାକୁ ମିଳିଥିଲା ।
ଲୋକଙ୍କ ଆକ୍ରମଣରେ ଦୁଇଜଣ ସୁରକ୍ଷା କର୍ମୀ ଆହତ ହୋଇଛନ୍ତି । ସେମାନଙ୍କ ମଥାରୁ ରକ୍ତ ବାହାରୁଥିବା ଦେଖିବାକୁ ମିଳିଥିଲା । ଏହାପରେ ରାଜା-ରାଣୀ ଏବଂ ପ୍ରଧାନମନ୍ତ୍ରୀ ବାଧ୍ୟହୋଇ ନିଜ ଗସ୍ତକୁ ଅଧାରୁ ଛାଡ଼ି ରାଜଧାନୀ ମାଦ୍ରିଦ୍ ଫେରି ଆସିଥିଲେ । ପ୍ରଧାନମନ୍ତ୍ରୀ ଫେରୁଥିବା ବେଳେ ଲୋକମାନେ ତାଙ୍କ କାର ଉପରେ ଆକ୍ରମଣ କରିଥିଲେ । ବନ୍ୟା ଆସିବାର ୪ ଦିନ ପରେ ରାଜା, ରାଣୀ ଓ ପ୍ରଧାନମନ୍ତ୍ରୀ ବନ୍ୟାଞ୍ଚଳ ପରିଦର୍ଶନ କରିବାରୁ ଲୋକମାନେ କ୍ରୋଧାନ୍ୱିତ ହୋଇଥିଲେ । ତେବେ ମୁହଁ ଓ ପୋଷାକରେ କାଦୁଅ ଲାଗିଥିବା ସତ୍ତେ୍ୱ କ୍ୱିନ୍ ଲେଟିଜିଆ ବନ୍ୟା ପ୍ରପୀଡ଼ିତ ମହିଳାଙ୍କ ସହ କଥା ହେବା ବେଳେ କାନ୍ଦି ପକାଇଥିଲେ । ଲୋକଙ୍କୁ ସେ ସାନ୍ତ୍ୱନା ଦେଇଥିଲେ । ସ୍ପେନ୍ରେ ଭୟଙ୍କର ବନ୍ୟା ଯୋଗୁ ଅତିକମ୍ରେ ୨୧୭ ଲୋକଙ୍କ ମୃତ୍ୟୁ ଘଟିଛି ।
ଉଲ୍ଲେଖଯୋଗ୍ୟ, ସ୍ପେନ୍ର ପୂର୍ବ ଭାଗରେ ଥିବା ସହର ଭାଲେନ୍ସିଆରେ ଅକ୍ଟୋବର ୨୯ରେ ସାଙ୍ଘାତିକ ବର୍ଷା ହୋଇଥିଲା । ବର୍ଷକ ମଧ୍ୟରେ ସେଠାରେ ଯେତିକି ବର୍ଷା ହୁଏ, ସେତିକି ମାତ୍ର ୮ ଘଣ୍ଟାରେ ଗାଳିଥିଲା । ଏହାଦ୍ୱାରା ଅଞ୍ଚଳରେ ଅଚାନକ ଭୟଙ୍କର ବନ୍ୟା ଆସିଥିଲା । ଏତେ ଶୀଘ୍ର ସୁରକ୍ଷିତ ସ୍ଥାନକୁ ଚାଲିଯିବା ପାଇଁ ଲୋକଙ୍କୁ ସମୟ ମିଳି ନ ଥିଲା । ଫଳରେ ଅନେକ ଲୋକ ପ୍ରାଣ ହରାଇଥିଲେ । ବନ୍ୟାରୁ ଲୋକଙ୍କୁ ସୁରକ୍ଷା ଯୋଗାଇବା ପାଇଁ ସେନା ମୁତୟନ ହୋଇଥିଲେ । ୧ ହଜାରରୁ ଅଧିକ ସୈନ୍ୟ ପ୍ରତିକୂଳ ପରିସ୍ଥିତିର ସାମ୍ନା କରି ଲୋକଙ୍କୁ ଉଦ୍ଧାର କରିଥିଲେ ।
ଭାଲେନ୍ସିଆ ସାଂସଦ ଖୁଆନ ବୋର୍ଡେରା କହିଛନ୍ତି, ବର୍ତ୍ତମାନ ପରିସ୍ଥିତିରେ ରାଜା ଫିଲିପ୍ ବନ୍ୟା ପ୍ରଭାବିତ ଅଞ୍ଚଳ ଗସ୍ତ କରିବା ଏକ ବହୁତ ଖରାପ ନିଷ୍ପତ୍ତି ଥିଲା । ଲୋକମାନେ ଅତ୍ୟନ୍ତ କ୍ରୋଧିତ ଥିଲେ । ଅଧିକାରୀମାନେ ଏହାକୁ ନେଇ ସେମାନଙ୍କୁ ଚେତାବନୀ ବି ଦେଇଥିଲେ । କିନ୍ତୁ ସେମାନେ କିଛି ଶୁଣି ନ ଥିଲେ । ଫଳରେ ପ୍ରଥମ ଥର ପାଇଁ ରାଜା ଓ ରାଣୀଙ୍କ ଉପରେ ଲୋକମାନେ ଏଭଳି ଭାବେ ଆକ୍ରମଣ କରିଛନ୍ତି ।
ରିପୋର୍ଟ ମୁତାବକ, ସ୍ପେନ୍ରେ ଏହା ପୂର୍ବରୁ ୧୯୭୩ରେ ସବୁଠୁ ବଡ଼ ବନ୍ୟା ଆସିଥିଲା । ସେତେବେଳେ ୧୫୦ ଲୋକଙ୍କ ମୃତ୍ୟୁ ଘଟିଥିଲା । ତାହା ପୂର୍ବରୁ ୧୯୫୭ରେ ଭାଲେନ୍ସିଆ ସହରରେ ବଡ଼ ବନ୍ୟା ଆସିଥିଲା, ଯେଉଁଥିରେ ୮୧ ଲୋକ ପ୍ରାଣ ହରାଇଥିଲେ । ଜଳବାୟୁ ପରିବର୍ତ୍ତନ ପ୍ରଭାବରୁ ଏଭଳି ଘଟିଥିବା ବୈଜ୍ଞାନିକମାନେ ଦର୍ଶାଇଛନ୍ତି ।