ପ୍ରମୂଖ ଖବର
  • ନନ୍ଦନକାନନ ଏକ୍ସପ୍ରେସକୁ ୨ ରାଉଣ୍ଡ ଗୁଳିମାଡ଼ କଲେ ଦୁର୍ବୃତ୍ତ, ଜିଆର୍‌ପି ପୋଲିସର ତନାଘନା
  • ||
  • ବଲାଙ୍ଗିରି: ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲା ମଲବାହି ଟ୍ରେନ, ଡୁଙ୍ଗୁରିପାଲି ରେଳ ଷ୍ଟେସନ ମଝିରେ ମାଲଗାଡି ପଛ ଓ୍ବାଗନ ଛିଣ୍ଡି ଇଞ୍ଜିନ ଆଗକୁ ଗଡି ପଳାଲା
  • ||
  • ରାଜଧାନୀରେ ସମାଜସେବୀଙ୍କୁ ଗୋଡ଼ାଇ ହାଣିଲେ, ଆତଙ୍କ ଖେଳାଇଲେ ଦୁର୍ବୃତ୍ତ: ସଙ୍କଟାପନ୍ନ ଅବସ୍ଥାରେ ଏମ୍‌ସରେ ଭର୍ତ୍ତି
  • ||
  • କାର ଧକ୍କାରେ ଆଇକନିକ୍‌ ଟ୍ରାଫିକ୍‌ ପୋଷ୍ଟ ଛିନ୍‌ଛତ୍ର, ମହିଳାଙ୍କ ସମେତ ୩ ଆହତ
  • ||
  • ସ୍ୱାମୀକୁ ଗଛରେ ବାନ୍ଧି ପତ୍ନୀଙ୍କୁ ପିଟି ପିଟି ମାରିଦେଲେ ଦୁର୍ବୃତ୍ତ, ଲୁଟି ନେଲେ ସୁନା ଗହଣା
  • ||
  • ଲକ୍ଷ୍ମୀପୁର ପୂର୍ବତନ ବିଧାୟକ ପୂର୍ଣ୍ଣଚନ୍ଦ୍ର ମାଝୀଙ୍କ ଦେହାନ୍ତ, ୪୨ ବର୍ଷ ବୟସରେ କଲେ ଶେଷ ନିଶ୍ବାସ ତ୍ୟାଗ
  • ||
  • ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ପାଇଁ ମତଦାନ, ଡୋନାଲ୍ଡ ଟ୍ରମ୍ପ ଓ କମଳା ହାରିସଙ୍କ ମଧ୍ୟରେ ଲଢ଼େଇ
  • ||

ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ପାଇଁ ମତଦାନ, ଡୋନାଲ୍ଡ ଟ୍ରମ୍ପ ଓ କମଳା ହାରିସଙ୍କ ମଧ୍ୟରେ ଲଢ଼େଇ

ୱାଶିଂଟନ୍‌,୦୫/୧୧: ବିଶ୍ୱର ସବୁଠୁ ଶକ୍ତିଶାଳୀ ରାଷ୍ଟ୍ର ଆମେରିକାରେ ଏଥର ବେଶ୍‌ ରୋଚକ ହୋଇଛି ରାଷ୍ଟ୍ରପତି ନିର୍ବାଚନ। ଉପରାଷ୍ଟ୍ରପତି ତଥା ଡେମୋକ୍ରାଟ୍‌ କମଳା ହାରିସ୍‌ ଏବଂ ପୂର୍ବତନ ରାଷ୍ଟ୍ରପତି ତଥା ରିପବ୍ଲିକାନ୍‌ ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ମଧ୍ୟରେ ଚାଲିଛି କଡ଼ା ମୁକାବିଲା । ମଙ୍ଗଳବାର ଦେଶରେ ଶେଷ  ପର୍ଯ୍ୟାୟ ଭୋଟିଂ ହେବାକୁ ଥିବାବେଳେ ଏଥର କାହା ମୁଣ୍ଡରେ ଆମେରିକାବାସୀ ସୁନାକଳସ ଢାଳୁଛନ୍ତି ତାହା ଉପରେ ସାରା ବିଶ୍ୱର ନଜର । ଏବେ ସବୁ ପ୍ରକାର ଆକଳନ ସ୍ୱିଙ୍ଗ୍‌ ଷ୍ଟେଟ୍‌ସ ବା ଝୁଲା ପ୍ରଦେଶ ଉପରେ ଅଟକି  ରହିଛି । ଉଭୟ କମଳା ଏବଂ ଟ୍ରମ୍ପ୍‌ ନିଜର ସବୁ ବଳ ପ୍ରୟୋଗ କରି ସ୍ୱିଙ୍ଗ୍‌ ଷ୍ଟେଟ୍‌ସରେ  ଜୋରଦାର ପ୍ରଚାର କରିଛନ୍ତି । ଯଦି ଚଳିତ ନିର୍ବାଚନରେ କମଳା ବାଜିମାତ୍‌ କରନ୍ତି ତେବେ  ଆମେରିକା ଭଳି ବିକଶିତ ରାଷ୍ଟ୍ରର ସେ ହେବେ ପ୍ରଥମ ମହିଳା ରାଷ୍ଟ୍ରପତି । ଏପରି କରି ସେ ଆମେରିକା ଇତିହାସରେ ନୂଆ ଫର୍ଦ୍ଦ ଯୋଡ଼ିବେ । ଟ୍ରମ୍ପ୍‌ ଜିତିଲେ କମଳା ଏହି  ରେକର୍ଡ କରିବାରୁ ବଞ୍ଚିତ ହେବେ ଏବଂ ୪୭ତମ  ରାଷ୍ଟ୍ରପତି ଭାବେ ଟ୍ରମ୍ପ୍‌ ନିଜର ଦ୍ୱିତୀୟ ପାଳି କାର୍ଯ୍ୟକାଳ ଆରମ୍ଭ କରିବେ । 

ସୂଚନା ଅନୁସାରେ, ମଙ୍ଗଳବାର ସେଠାକାର  ସମୟ ସକାଳ ୬ଟାରୁ ରାତି ୮ଟା ପର୍ଯ୍ୟନ୍ତ ଭୋଟ ଗ୍ରହଣ କରାଯିବ । ଭାରତୀୟ ସମୟ ଅନୁସାରେ  ଅପରାହ୍ନ ସାଢ଼େ ୪ଟାରୁ ବୁଧବାର ସକାଳ ସାଢ଼େ  ୬ଟା ପର୍ଯ୍ୟନ୍ତ ମତଦାନ ଚାଲିବ । ଏହାର କିଛି  ଘଣ୍ଟା ପରେ ହିଁ ଫଳାଫଳ ସାମ୍‌ନାକୁ ଆସିଯିବ । ତେବେ ଭୋଟଦାନ ପୂର୍ବରୁ ହିଁ ପ୍ରାୟ ସାଢ଼େ ୭  କୋଟି ଲୋକ ଆଗୁଆ ମତଦାନ କରିସାରିଛନ୍ତି ।  ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ଇଲେକ୍ଟୋରାଲ  କଲେଜ ପରୋକ୍ଷରେ ବିଜେତାଙ୍କ ସମ୍ପର୍କରେ ନିଷ୍ପତ୍ତି  ନେଇଥାଏ । ଏଥିରେ ବିଜୟୀ ହେବାକୁ ହେଲେ ୫୦ ରାଜ୍ୟର ମୋଟ ୫୩୮ ଇଲେକ୍ଟୋରାଲ ଭୋଟ ବା  ଇଲେକ୍ଟରଙ୍କ ମଧ୍ୟରୁ ଜଣେ ପ୍ରାର୍ଥୀ ୨୭୦ ଭୋଟ  ଆବଶ୍ୟକ କରନ୍ତି ।  

ନିର୍ବାଚନରେ ସଭିଁଙ୍କ ନଜର ସ୍ୱିଙ୍ଗ୍‌ ଷ୍ଟେଟ୍‌ସ  ଉପରେ ରହିଛି । ଏହି ରାଜ୍ୟଗୁଡ଼ିକୁ ବ୍ୟାଟେଲଗ୍ରାଉଣ୍ଡ  ବା ଯୁଦ୍ଧକ୍ଷେତ୍ର ବୋଲି ମଧ୍ୟ କୁହାଯାଏ । ଏଥର  ଆରିଜୋନା, ନେଭାଡା, ୱିସ୍‌କନ୍‌ସିନ୍‌, ମିଶିଗାନ୍‌,  ପେନ୍‌ସିଲଭାନିଆ, ନର୍ଥ କାରୋଲିନା ଏବଂ ଜର୍ଜିଆ  ସ୍ୱିଙ୍ଗ୍‌ ଷ୍ଟେଟ୍‌ ରହିଛନ୍ତି । ଆମେରିକାରେ ଅଧିକାଂଶ  ପ୍ରଦେଶ ଏକ ନିର୍ଦ୍ଦିଷ୍ଟ ପାର୍ଟିକୁ ଭୋଟ ଦେଇଥାନ୍ତି ।  କିନ୍ତୁ ସ୍ୱିଙ୍ଗ୍‌ ଷ୍ଟେଟ୍‌ସ୍‌ଗୁଡ଼ିକ ଯେ କୌଣସି ଦଳ  ଆଡ଼କୁ ଢଳିପାରନ୍ତି । ତେଣୁ ଏହି ରାଜ୍ୟଗୁଡ଼ିକରେ  ଉଭୟ ଡେମୋକ୍ରାଟ୍‌ ଏବଂ ରିପବ୍ଲିକାନ୍‌ ଦଳକୁ  କଡ଼ା ମୁକାବିଲାର ସାମ୍‌ନା କରିବାକୁ ପଡ଼ିବ । 

ଆଟ୍‌ଲାସ୍‌ଇଣ୍ଟେଲ୍‌ ସର୍ଭେ ରିପୋର୍ଟ ଅନୁସାରେ,  ଏଠାକାର ୪୯% ଭୋଟର ଟ୍ରମ୍ପ୍‌ଙ୍କୁ ଭୋଟ ଦେବା  ସପକ୍ଷରେ ଅଛନ୍ତି । ଏଠାରେ ଟ୍ରମ୍ପ୍‌ ପ୍ରତିଦ୍ୱନ୍ଦ୍ୱୀ  କମଳାଙ୍କ ତୁଳନାରେ ୧.୮% ଅଧିକ ଭୋଟରେ  ଆଗୁଆ ରହିବା ନେଇ ସର୍ଭେ କହୁଛି । ଆଉ ଏକ  ସର୍ଭେ ଅନୁସାରେ ମଧ୍ୟ ସମସ୍ତ ୭ ସ୍ୱିଙ୍ଗ୍‌ ଷ୍ଟେଟ୍‌ରେ  ଟ୍ରମ୍ପ୍‌ ବିଜୟୀ ହୋଇପାରନ୍ତି । ଆରିଜୋନାରେ ଟ୍ରମ୍ପ୍‌ଙ୍କ  ମାର୍ଜିନ ୫୧.୯% ଥିବାବେଳେ କମଳାଙ୍କ ୪୫.୧%  ରହିଛି । ନେଭାଡାରେ ୫୧.୪% ଲୋକ ଟ୍ରମ୍ପ୍‌ଙ୍କୁ  ଭୋଟ ଦେବେ ବୋଲି କହିଥିବା ବେଳେ ୪୫.୯%  କମଳାଙ୍କୁ ବାଛିଛନ୍ତି । ନର୍ଥ କାରୋଲିନାରେ ଟ୍ରମ୍ପ୍‌  ୫୦.୪% ଭୋଟ ପାଇବାକୁ ଥିବାବେଳେ କମଳାଙ୍କୁ  ୪୬.୮% ଭୋଟ ମିଳିପାରେ ।  

ଡେସ୍‌ ମେଇନେସ୍‌ ରେଜିଷ୍ଟର/ମିଡିଆକମ୍‌  ସର୍ଭେ ରିପୋର୍ଟ ଅନୁସାରେ, କମଳା ଆୟୋୱା  ଆସନରେ ଟ୍ରମ୍ପ୍‌ଙ୍କୁ ହରାଇପାରନ୍ତି । ୨୦୧୬ ଏବଂ  ୨୦୨୦ରେ ସେଠାକାର ଭୋଟର ଟ୍ରମ୍ପଙ୍କୁ ସମର୍ଥନ  କରିଥିଲେ । ସେଠାକାର ମହିଳା ଭୋଟର କମଳାଙ୍କ  ସପକ୍ଷରେ ଭୋଟ ଦେଇପାରନ୍ତି । ଅନ୍ୟପକ୍ଷରେ  ନ୍ୟାସନାଲ ଏକ୍‌ଜିଟ୍‌ ପୋଲ୍‌ ଅନୁସାରେ ଟ୍ରମ୍ପ୍‌  ଏବଂ କମଳାଙ୍କ ମଧ୍ୟରେ କଡ଼ା ମୁକାବିଲା ହେବ ।  

ଅକ୍ଟୋବର ୩୦ରୁ ନଭେମ୍ବର ୨ ମଧ୍ୟରେ ହୋଇଥିବା  ଏନ୍‌ବିସି ନ୍ୟୁଜ୍‌ ପୋଲ୍‌ ଅନୁସାରେ, ପ୍ରତ୍ୟେକଙ୍କ  ଭୋଟ ହାର ୪୯% ରହିବାକୁ ଥିବାବେଳେ ବାକି  ୨% ଭୋଟର ଦୁଇ ନେତାଙ୍କ ଭାଗ୍ୟ ନିର୍ଦ୍ଧାରଣ  କରିବେ । ୫୦%ରୁ ସାମାନ୍ୟ ଅଧିକ ଭୋଟର ଟ୍ରମ୍ପ୍‌ଙ୍କ  ବିଜୟ ଚାହୁଁଥିବାବେଳେ ୪୯%ରୁ ସାମାନ୍ୟ ଅଧିକ  ମତଦାତା କମଳାଙ୍କୁ ଚାହୁଁଥିବା ୟୁଏସ୍‌ଏ ଟୁଡେ  ରିପୋର୍ଟ କହୁଛି । ଏକାଧିକ ସର୍ଭେ ରିପୋର୍ଟରେ  ସ୍ୱିଙ୍ଗ୍‌ ଷ୍ଟେଟ୍‌ସରେ ମିଶ୍ରିତ ଫଳାଫଳ ରହିଛି ।  ପେନ୍‌ସିଲଭାନିଆ, ମିଶିଗାନ୍‌ରେ କଡ଼ା ଟକ୍କର ହେବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.