ନୂଆଦିଲ୍ଲୀ,୨୪।୫: ଜାତୀୟ ସୁରକ୍ଷାକୁ ସୁଦୃଢ଼ କରିବା ଉଦ୍ଦେଶ୍ୟରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଜାତୀୟ ସୁରକ୍ଷା ପରିଷଦ (NSC)ରେ ନିଯୁକ୍ତ ୧୦୦ ଜଣ ଅଧିକାରୀଙ୍କୁ ହଟାଇବାକୁ ନିଷ୍ପତ୍ତି ନେଇଛନ୍ତି। ଆମେରିକାରେ ଡିପ୍-ଷ୍ଟେଟ୍ ଶେଷ କରିବା ପାଇଁ ଟ୍ରମ୍ପଙ୍କ ବର୍ତ୍ତମାନର ନିଷ୍ପତ୍ତିକୁ (କାର୍ଯ୍ୟକାରୀ) NSA ମାର୍କୋ ରୁବିଓଙ୍କ ଦ୍ୱାରା କାର୍ଯ୍ୟକାରୀ କରାଯାଇଛି।
ମିଳିଥିବା ସୂଚନା ଅନୁସାରେ, ଯେଉଁ ୧୦୦ ଅଧିକାରୀଙ୍କୁ ରାଷ୍ଟ୍ରୀୟ ସୁରକ୍ଷା ସମ୍ପର୍କିତ ପରିଷଦକୁ ହଟାଯାଇଛି, ସେମାନେ ସମସ୍ତେ ଇଣ୍ଡୋ-ପାସିଫିକ୍, ଇରାନ ଓ ୟୁକ୍ରେନ ସହ ଜଡିତ ଡେସ୍କରେ ମୁତୟନ ଥିଲେ। ଇଣ୍ଡୋ-ପାସିଫିକ୍ରେ ଭାରତ ଓ ଚୀନ୍କୁ ନେଇ ପୁରା ଦକ୍ଷିଣ ଏବଂ ପୂର୍ବ ଏସିଆ ସାମିଲ ରହିଛି। ନିକଟରେ ଭାରତ-ପାକିସ୍ତାନ ଭିତରେ ହୋଇଥିବା ସାମରିକ ସଂଘର୍ଷରେ ହସ୍ତକ୍ଷେପକୁ ନେଇ ଟ୍ରମ୍ପ ପ୍ରଶାସନକୁ ଜୋରଦାର ସମାଲୋଚନା କରାଯାଇଥିଲା।
‘ଅପରେସନ୍ ସିନ୍ଦୂର’ର ୪ ଦିନ ଭିତରେ ୧୦ ମଇରେ ଟ୍ରମ୍ପ ହଠାତ ଭାରତ ଓ ପାକିସ୍ତାନ ମଧ୍ୟରେ ଅସ୍ତ୍ରବିରତିର ଘୋଷଣା କରିଥିଲେ। ପରେ ଭାରତର ବୈଦେଶିକ ମନ୍ତ୍ରୀ ଏସ୍.ଜୟଶଙ୍କର କହିଥିଲେ, ଭାରତ ଓ ପାକିସ୍ତାନ ଟ୍ରମ୍ପଙ୍କ ସହ ବିବାବ( ଓ ଯୁଦ୍ଧ-ବିରତି)କୁ ନେଇ ସ୍ବାଭାବିକ ଭାବରେ ଆଲୋଚନା କରୁଥିଲେ। କିନ୍ତୁ ପ୍ରଶଂସା ପାଇଁ ପାଇଁ ଟ୍ରମ୍ପ ଅସ୍ତ୍ରବିରତି ପାଇଁ ନିଜେ ନିଜକୁ କ୍ରେଡିଟ୍ ଦେଇଥିଲେ।
ଋଷ-ୟୁକ୍ରେନ୍ ଯୁଦ୍ଧରେ ଟ୍ରମ୍ପ ଆମେରିକାର ଭୂମିକା ହଠାତ ଓଲଟାଇ ଦେଇଥିଲେ। ଟ୍ରମ୍ପ ଋଷ ବିରୋଧରେ ୟୁକ୍ରେନ୍ର ହତିଆର ଓ ଆର୍ଥିକ ସହାୟତା ସମ୍ପୂର୍ଣ୍ଣ ଭାବରେ ବନ୍ଦ କରିଦେଇଥିଲେ। ସେଭଳି ଗତ ତିନି ବର୍ଷ ହେବ ରୁଷ ବିରୋଧରେ ଯୁଦ୍ଧକୁ ଜାରି ରଖିବାରେ ଆମେରିକା ପକ୍ଷରୁ ୟୁକ୍ରେନ୍କୁ ସହାୟତା ଦିଆଯାଇଥିଲା। କିନ୍ତୁ ଟ୍ରମ୍ପ ଆମେରିକାର ରାଷ୍ଟ୍ରପତି ନିର୍ବାଚନ ଜିତିବା ପରେ ବାଇଡେନ୍ଙ୍କ ୟୁକ୍ରେନ୍ ନୀତିକୁ ସମ୍ପୂର୍ଣ୍ଣ ବଦଳାଇ ଦେଇଥିଲେ।
ନିଜର ଦ୍ବିତୀୟ ଇନିଂସରେ ଆମେରିକା ପ୍ରଶାସନର ଦାୟିତ୍ବ ସମ୍ଭାଳିବାର ମାତ୍ର କିଛି ସପ୍ତାହ ଭିତରେ ଟ୍ରମ୍ପ , NSA ମାଇକ୍ ଭାଲ୍ଟଜ୍ଙ୍କୁ ବାହାର କରିଥିଲେ। ଭାଲ୍ଟଜଙ୍କ ଉପରେ ମିଡିଲ ଇଷ୍ଟରେ ଚାଲିଥିବା ଅପରେସନ୍ର ସୂଚନା ସୋସିଆଲ ମିଡିଆ ଆପ୍ ସିଗନାଲର ଏକ ଗ୍ରୁପ୍ ଜରିଆରେ ଲିକ୍ କରିବାର ଅଭିଯୋଗ ଥିଲା। ଏହି ଗ୍ରୁପରେ ଜଣେ ସାମ୍ବାଦିକଙ୍କୁ ମଧ୍ ଭାଲ୍ଟଜ ଭୁଲରେ ଯୋଡି ଦେଇଥିଲେ। ଭାଲ୍ଟଜଙ୍କୁ NSA ଭଳି ଗୁରୁତ୍ବପୂର୍ଣ୍ଣ ପଦରୁ ହଟାଇବା ପରେ ଟ୍ରମ୍ପ ଏହି ଦାୟିତ୍ବ ବୈଦେଶିକ ସଚିବ ମାର୍କୋ ରୁବିଓଙ୍କୁ ଦେଇଥିଲେ। ରୁବିଓ ବର୍ତ୍ତମାନ ଜାତୀୟ ସୁରକ୍ଷା ପରାମର୍ଶଦାତାଙ୍କ ଅତିରିକ୍ତ ଦାୟିତ୍ୱ ତୁଲାଉଛନ୍ତି।