ଇସ୍ଲାମାବାଦ,୨୪/୦୫: ପାକିସ୍ତାନୀ ସାଂସଦ ସୟେଦ ଅଲୀ ଜାଫର ସିନ୍ଧୁ ନଦୀ ଜଳ ସଙ୍କଟକୁ ପାଣି ବୋମା (ୱାଟର ବମ୍) କହିଛନ୍ତି । ପାକିସ୍ତାନ ସରକାରଙ୍କୁ ଏହାର ସମାଧାନ ପାଇଁ ତୁରନ୍ତ ପଦକ୍ଷେପ ନେବାକୁ ସେ ଦାବି କରିଛନ୍ତି । ନଚେତ ବହୁ ପାକିସ୍ତାନୀ ଭୋକରେ ମରିଯିବେ ବୋଲି ସେ ସତର୍କ କରାଇ ଦେଇଛନ୍ତି । ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ଙ୍କ ଦଳ ପାକିସ୍ତାନ ତହରିକ୍-ଏ-ଇନ୍ସାଫ (ପିଟିଆଇ) ପାର୍ଟିର ସାଂସଦ ଜାଫର ଶୁକ୍ରବାର ପାକିସ୍ତାନ ସଂସଦରେ ଉଦ୍ବୋଧନ ଦେଇ କହିଛନ୍ତି, ଦେଶର ପ୍ରତି ୧୦ରୁ ୯ ଜଣ ନାଗରିକ ସିନ୍ଧୁ ନଦୀର ପାଣି ଉପରେ ନିର୍ଭରଶୀଳ ।
ଦେଶର ୯୦% କୃଷି ପାଇଁ ସିନ୍ଧୁ ନଦୀ ପାଣି ବ୍ୟବହାର ହୁଏ । ଯଦି ଭାରତ ପକାଇଥଇବା ଏହି ପାଣି ବୋମା (ଜଳ ସଙ୍କଟ) କୁ ଏବେଠାରୁ ଦୂର କରା ନ ଯିବ ତେବେ ପାକିସ୍ତାନୀ ଖାଦ୍ୟ ବିନା ମରିଯିବେ । ସେଥିପାଇଁ ସିନ୍ଧୁ ତଟକୁ ପାକିସ୍ତାନର ଜୀବନରେଖା କୁହାଯାଏ । ପାକିସ୍ତାନର ତିନି ଚତୁର୍ଥାଂଶ ପାଣି ଦେଶ ବାହାରୁ ଆସିଥାଏ । ଦେଶର ବିଦ୍ୟୁତ ପ୍ରକଳ୍ପ ବି ଏହି ପାଣିରେ ଚାଲୁଛି । ତେଣୁ ଏହି ୱାଟର ବମ୍କୁ ଭଲ ଭାବେ ବୁଝି ତୁରନ୍ତ ତାକୁ ଡିଫ୍ୟୁଜ୍ କରିବାକୁ ପଡ଼ିବ । ଏହି ସମସ୍ୟାର ସମାଧାନ କରିବାକୁ ହେବ ବୋଲି ସେ କହିଛନ୍ତି ।
ପ୍ରକାଶଥାଉ କି, ଏପ୍ରିଲ ୨୨ରେ ଆତଙ୍କୀମାନେ ଜମ୍ମୁ-କାଶ୍ମୀରର ପହଲଗାମ୍ରେ ୨୮ ଜଣ ପର୍ଯ୍ୟଟକଙ୍କୁ ହତ୍ୟା କରିବା ପରେ ଭାରତ ସରକାର ପାକିସ୍ତାନ ସହ ଥିବା ୬୫ ବର୍ଷ ପୁରୁଣା ସିନ୍ଧୁ ଜଳ ଚୁକ୍ତିକୁ ସ୍ଥଗିତ ରଖିଛନ୍ତି । ପାକିସ୍ତାନ ବିଶ୍ୱସନୀୟ ଢଙ୍ଗରେ ଆତଙ୍କବାଦ ବିରୋଧରେ ପଦକ୍ଷେପ ନ ନେବା ପର୍ଯ୍ୟନ୍ତ ଏହି ଚୁକ୍ତି ସ୍ଥଗିତ ରହିବ ବୋଲି ଭାରତ ସରକାର ସ୍ପଷ୍ଟ କରିଦେଇଛନ୍ତି । ଏଥିସହ ଅଟାରି ଚେକ୍ ପୋଷ୍ଟ ବି ବନ୍ଦ କରିଦିଆଯାଇଛି । ସବୁ ପାକିସ୍ତାନୀଙ୍କ ଭିସା ବାତିଲ କରି ସେମାନଙ୍କୁ ତୁରନ୍ତ ଭାରତ ଛାଡ଼ିବାକୁ ନିର୍ଦ୍ଦେଶ ଦେଇଥିଲେ । ସିନ୍ଧୁ ନଦୀ ଜଳ ପାଣିକୁ ବନ୍ଦ କରାଯିବା ଫଳରେ ପାକିସ୍ତାନର ବିପୁଳ କ୍ଷତି ଘଟିବ । ପାକିସ୍ତାନର ୯୦ ପ୍ରତିଶତ ଚାଷଜମି ଅର୍ଥାତ ୪.୭ କୋଟି ଏକର ଜମି ଚାଷକାର୍ଯ୍ୟ ଲାଗି ସିନ୍ଧୁ ନଦୀ ଜଳ ଉପରେ ନିର୍ଭର କରେ । ପାକିସ୍ତାନର ଜାତୀୟ ଆୟରେ କୃଷିର ପରିମାଣ ହେଉଛି ୨୩ ପ୍ରତିଶତ । ଏଥିରେ ୬୮ ପ୍ରତିଶତ ଗ୍ରାମୀଣ ପାକିସ୍ତାନୀଙ୍କ ଜୀବିକା ନିର୍ବାହ ହୋଇଥାଏ ।
ତେଣୁ ସିନ୍ଧୁ ନଦୀ ଜଳ ଅଟକିବା ଫଳରେ କେବଳ ସାଧାରଣ ଜନତା ନୁହେଁ, ପାକିସ୍ତାନର ଅର୍ଥନୀତି ମଧ୍ୟ ଗଭୀର ଭାବେ ପ୍ରଭାବିତ ହେବ । ସେହିଭଳି ପାକିସ୍ତାନର ମଙ୍ଗଳ ଓ ତାରବେଳା ଜଳବିଦ୍ୟୁତ ପ୍ରକଳ୍ପ ମଧ୍ୟ ସିନ୍ଧୁ ନଦୀ ଜଳ ଉପରେ ନିର୍ଭର କରେ । ଯଦି ପାଣି ନ ମିଳିବ ତେବେ ଏହି ଦୁଇ ପ୍ରକଳ୍ପରୁ ପାକିସ୍ତାନର ବିଦ୍ୟୁତ ଉତ୍ପାଦନ ୩୦-୫୦ ପ୍ରତିଶତ ହ୍ରାସ ପାଇବ । ଏହାଫଳରେ ଶିଳ୍ପ ଓ ରୋଜଗାର ଉପରେ ପ୍ରଭାବ ପଡ଼ିବ ।