ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆମେରିକୀୟ ଖବର ପ୍ରସାରଣକାରି ସଂସ୍ଥା ଫକ୍ସ ନିଉଜ ସହ ଏକ ସାକ୍ଷାତକାରରେ ଦାବି କରିଛନ୍ତି ଯେ ଇସ୍ରାଏଲ ଦ୍ୱାରା ଇରାନ ଉପରେ କରାଯାଇଥିବା ଆକ୍ରମଣ ବିଷୟରେ ତାଙ୍କୁ ଓ ତାଙ୍କ ପ୍ରଶାସନକୁ ପୂର୍ବରୁ ସୂଚନା ଥିଲା। ଏହି ଆକ୍ରମଣରେ ଇରାନର ରିଭୋଲ୍ୟୁସନାରୀ ଗାର୍ଡସ କମାଣ୍ଡର ହୋସେନ ସାଲାମି ସମେତ ଅନେକ ବ୍ୟକ୍ତି ନିହତ ହୋଇଥିଲେ। ଟ୍ରମ୍ପ କହିଛନ୍ତି, "ଏଥିରେ ଆଶ୍ଚର୍ଯ୍ୟ ହେବାର କୌଣସି କାରଣ ନଥିଲା," ଏବଂ ଏହି ଆକ୍ରମଣ ପରେ ଇରାନ ପୁନର୍ବାର ଆଲୋଚନା କରିବାକୁ ଫେରିବ ବୋଲି ସେ ଆଶା କରୁଛନ୍ତି।
ଇସ୍ରାଏଲ ଶୁକ୍ରବାର ସକାଳ ସମୟରେ ଇରାନ ବିରୁଦ୍ଧରେ 'ଅପରେସନ ରାଇଜିଂ ଲାୟନ' ନାମକ ଏକ ବୃହତ ସାମରିକ ଅପରେସନ ଜାରି କରିଥିଲା। ଯାହା ଇରାନର ପରମାଣୁ କାର୍ଯ୍ୟକ୍ରମ ଓ ସାମରିକ ନେତୃତ୍ୱକୁ ସିଧାସଳଖ ଟାର୍ଗେଟ କରିଥିଲା। ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଏହାକୁ ଏକ ପ୍ରାଥମିକ ଆକ୍ରମଣ ବୋଲି ଅଭିହିତ କରି କହିଛନ୍ତି ଯେ ଏହା ଇରାନର ପରମାଣୁ ଅସ୍ତ୍ର ବିକାଶକୁ ରୋକିବାକ ଆବଶ୍ୟକତା ଥିଲା। ଇଜ୍ରାଏଲ ଏହି କାମକୁ ଆଗକୁ ନେଉଛି। ଏହି ଆକ୍ରମଣରେ ଇରାନର ଶୀର୍ଷ ସାମରିକ ନେତା ଓ ପରମାଣୁ ବୈଜ୍ଞାନିକମାନେ ନିହତ ହୋଇଥିବା ବେଳେ ଇରାନ ଏହାର ଜବାବରେ ଏକ ନିର୍ଣ୍ଣାୟକ ପ୍ରତିଶୋଧ ନେବାକୁ ପ୍ରସ୍ତୁତି ଚଳାଇଛି।
ଟ୍ରମ୍ପ ପ୍ରଶାସନ ଏହି ଆକ୍ରମଣରେ ଆମେରିକାର ସାମରିକ ସମ୍ପୃକ୍ତି ନଥିବା ସ୍ପଷ୍ଟ କରିଛି। କିନ୍ତୁ ଟ୍ରମ୍ପ ନିଜେ ଦାବି କରିଛନ୍ତି ଯେ ତାଙ୍କୁ ଏହି ଆକ୍ରମଣ ବିଷୟରେ ପୂର୍ବରୁ ସୂଚନା ଦିଆଯାଇଥିଲା। ସେ ଇରାନକୁ ଚେତାବନୀ ଦେଇ କହିଛନ୍ତି ଯେ ପରମାଣୁ ଅସ୍ତ୍ର ବିକାଶ ତ୍ୟାଗ କରି କୂଟନୈତିକ ଆଲୋଚନା ଜାରି ରଖିବା ଦ୍ୱାରା ଏହାକୁ ରୋକା ଯାଇପାରିବ। ସେ ଆହୁରି ମଧ୍ୟ କହିଛନ୍ତି ଯେ, "ଇରାନ ପରମାଣୁ ବୋମା ରଖି ପାରିବ ନାହିଁ ଏବଂ ଆମେ ଆଶା କରୁଛୁ ଯେ ସେମାନେ ପୁଣିଖରେ ଆଲୋଚନା ଟେବୁଲକୁ ଫେରିବେ।"
ଏହି ଆକ୍ରମଣ ମଧ୍ୟପ୍ରାଚ୍ୟରେ ଉତ୍ତେଜନାକୁ ଆହୁରି ବୃଦ୍ଧି କରିଛି। ଯେଉଁଥିପାଇଁ ଆମେରିକା ଇରାକରୁ କୂଟନୀତିଜ୍ଞମାନଙ୍କୁ ପ୍ରତ୍ୟାହାର କରିଛି ଏବଂ ମଧ୍ୟପ୍ରାଚ୍ୟରୁ ସାମରିକ ପରିବାରଙ୍କୁ ସ୍ୱେଚ୍ଛାକୃତ ପ୍ରସ୍ଥାନକୁ ଅନୁମୋଦନ କରିଛି। ଇରାନର ସୁପ୍ରିମ ଲିଡର ଆୟାତୋଲ୍ଲା ଆଲି ଖାମେନେଇ ଇସ୍ରାଏଲକୁ "କଠୋର ଶାସ୍ତି" ଦେବାକୁ ଚେତାବନୀ ଦେଇଛନ୍ତି। ଯାହା ଏକ ବୃହତ୍ତର ଆଞ୍ଚଳିକ ସଂଘର୍ଷର ଆଶଙ୍କାକୁ ବୃଦ୍ଧି କରିଛି।
ଭାରତ ଏହି ଉତ୍ତେଜନାକୁ ନେଇ ଗଭୀର ଉଦବେଗ ପ୍ରକାଶ କରି ଇରାନ ଓ ଇସ୍ରାଏଲ ଉଭୟକୁ ଶାନ୍ତି ଓ ଆଲୋଚନାର ପଥ ଅବଲମ୍ବନ କରିବାକୁ ଅନୁରୋଧ କରିଛି। ଭାରତୀୟ ଦୂତାବାସଗୁଡ଼ିକ ତେହେରାନ ଓ ତେଲ ଆଭିଭରେ ଭାରତୀୟ ନାଗରିକମାନଙ୍କୁ ସତର୍କ ରହିବା ଓ ଅନାବଶ୍ୟକ ଗତିବିଧି ଏଡ଼ାଇବାକୁ ପରାମର୍ଶ ଦେଇଛି।
ଏହି ଆକ୍ରମଣ ପରେ ଇରାନର ଆକାଶସୀମା ବନ୍ଦ ହୋଇଯାଇଛି। ଏଣୁ ଅନେକ ବିମାନ ସେବା ପ୍ରଦାନକାରୀ ସଂସ୍ଥା ଇସ୍ରାଏଲ, ଇରାନ, ଇରାକ ଓ ଜୋର୍ଡାନ ଉପରେ ଉଡ଼ାଣ ବାତିଲ ବା ଡାଇଭର୍ଟ କରିଛନ୍ତି। ଏୟାର ଇଣ୍ଡିଆ ସମେତ ଅନେକ ବିମାନ ସେବା ପ୍ରଦାନକାରୀ ସଂସ୍ଥା ଏହାଦ୍ୱାରା ପ୍ରଭାବିତ ହୋଇଛନ୍ତି।
ଟ୍ରମ୍ପ ଓ ନେତାନ୍ୟାହୁଙ୍କ ମଧ୍ୟରେ ପୂର୍ବରୁ ହୋଇଥିବା ଆଲୋଚନା ସତ୍ତ୍ୱେ ଇସ୍ରାଏଲ ଏହି ଆକ୍ରମଣ କରିଥିବାରୁ ଟ୍ରମ୍ପଙ୍କ ପ୍ରଶାସନ ଏକ ଜଟିଳ ପରିସ୍ଥିତିର ସମ୍ମୁଖୀନ ହେଉଛି। ଟ୍ରମ୍ପ ପୂର୍ବରୁ ନେତାନ୍ୟାହୁଙ୍କୁ ଆକ୍ରମଣରୁ ବିରତ ରହିବାକୁ ଅନୁରୋଧ କରିଥିଲେ। କିନ୍ତୁ ଇସ୍ରାଏଲର ଏହି ପଦକ୍ଷେପ ତାଙ୍କ କୂଟନୈତିକ ପ୍ରୟାସକୁ ଜଟିଳ କରିପାରେ ବୋଲି ବିଶେଷଜ୍ଞମାନେ ସୂଚନା ଦେଇଛନ୍ତି।