ପ୍ରମୂଖ ଖବର
  • ଗୋଲାମୁଣ୍ଡାରେ ଦୁଇଟି ଏ.ଟି.ଏମ ଅଚଳ, ଗ୍ରାହକ ହନ୍ତସନ୍ତ
  • ||
  • ରବିବାର NEET-UG ପରୀକ୍ଷା, ୨୨.୭ ଲକ୍ଷ ପିଲା ଦେବେ ପରୀକ୍ଷା
  • ||
  • ଅନୁଗୁଳ : ଗଛ ପଡି ଚାଲିଗଲା ମହିଳାଙ୍କ ଜୀବନ, ଅଳ୍ପକେ ବର୍ତ୍ତିଲା ତିନି ବର୍ଷର ଛୁଆ
  • ||
  • ପାରାଦୀପ : ହାଇୱା ଦୁର୍ଘଟଣାରେ ୨ ମୃତ, ବନ୍ଦର ଗେଟରେ ତାଲା ପକାଇ ଆନ୍ଦୋଳନ
  • ||

ୟୁକ୍ରେନ୍‌ ଯୁଦ୍ଧ ରୁଷ୍‌କୁ ପଡୁଛି ମହଙ୍ଗା, ପ୍ରତି ବର୍ଗକିମି କବ୍‌ଜାରେ ବଳି ପଡ଼ୁଛନ୍ତି ୯୯ ସୈନ୍ୟ

Published By : Harapriya Sethi | May 4, 2025 11:52 AM

ମସ୍କୋ, ୦୪/୦୫: ୟୁକ୍ରେନ୍‌ ସହ ଯୁଦ୍ଧ ରୁଷ୍‌ ସେନାକୁ ବେଶ୍‌ ମହଙ୍ଗା ପଡ଼ୁଛି । ଆକ୍ରମଣାତ୍ମକ ଭାବେ ରୁଷ୍‌ ୟୁକ୍ରେନ୍‌ର ଜମି କବ୍‌ଜା କରିବାକୁ ଉଦ୍ୟମ କରୁଥିଲେ ହେଁ ଏହାର ଗତି ଏବେ ଧିମେଇଛି । ଏହାର କାରଣ ହେଉଛି ରୁଷ୍‌ ନିଜର ବହୁସଂଖ୍ୟାରେ ସୈନ୍ୟ ହରାଇବା ଏବଂ ଅଭିଜ୍ଞତା ନ ଥିବା ଯୁବକଙ୍କୁ ଯୁଦ୍ଧଭୂମିକୁ ଠେଲିବା । ଆଇଏସ୍‌ଡବ୍ଲ୍ୟୁ (ଇନ୍‌ଷ୍ଟିଚ୍ୟୁଟ୍‌ ଫର୍‌ ଦ ଷ୍ଟଡି ଅଫ୍‌ ୱାର)ର ଏକ ରିପୋର୍ଟ ଅନୁସାରେ, ୟୁକ୍ରେନ୍‌ର ଏକ ବର୍ଗ କିଲୋମିଟର ଜମି ଅକ୍ତିଆର କରିବା ପାଇଁ ରୁଷ୍‌ ହାରାହାରି ୯୯ ସୈନ୍ୟ ହରାଉଛି । ୱାଶିଂଟନ୍‌ ସ୍ଥିତ ଏହି ଥିଙ୍କ୍‌ ଟ୍ୟାଙ୍କ୍‌ ଅନୁସାରେ, ରୁଷ୍‌ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍‌ ନିଜ ମହତ୍ତ୍ୱାକାଂକ୍ଷା ପାଇଁ ଏତେ ବଡ଼ ସଂଖ୍ୟାରେ ସୈନ୍ୟଙ୍କ ବଳିଦାନକୁ ଅଣଦେଖା କରୁଛନ୍ତି । ଏଥିସହ ୟୁକ୍ରେନ୍‌ର ଅଧିକରୁ ଅଧିକ ଜମି ଦଖଲ କରିବା ଲାଗି ସୈନ୍ୟଙ୍କ ଉପରେ ଚାପ ପକାଉଛନ୍ତି । ରିପୋର୍ଟରେ କୁହାଯାଇଛି, ୨୦୨୪ର ଶେଷ ୪ ମାସରେ ୟୁକ୍ରେନ୍‌ର ପ୍ରତି ବର୍ଗକିମି ଜାଗା ଅକ୍ତିଆର କରିବା ଲାଗି ରୁଷ୍‌ର ହାରାହାରି ୫୯ ସୈନ୍ୟଙ୍କ ଜୀବନ ଯାଉଥିଲା । କିନ୍ତୁ ଏବେ ଏଥିରେ ବୃଦ୍ଧି ଦେଖାଯାଇଛି । 

ଏହା ସତ୍ତେ୍ୱ ପୁଟିନ୍‌ ୟୁକ୍ରେନ୍‌ ଦଖଲ ଏବଂ ନାଟୋର ଶକ୍ତିକୁ ଦୁର୍ବଳ ଦେଖେଇବା ଲାଗି ମିଶନ ଜାରି ରଖିଛନ୍ତି । ନିକଟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ୟୁକ୍ରେନ୍‌ ସହ ଖଣିଜ ଡିଲ୍‌ କରିବା ସହ ରୁଷ୍‌ ଏବଂ ୟୁକ୍ରେନ୍‌ ମଧ୍ୟରେ ଶାନ୍ତି ବୁଝାମଣାରୁ ଓହରିବା ଲାଗି ଧମକ ଦେଇଛନ୍ତି । ରୁଷ୍‌ର ଏଭଳି ଆକ୍ରମଣାତ୍ମକ ଆଭିମୁଖ୍ୟ ସତ୍ତେ୍ୱ ୟୁକ୍ରେନ୍‌ ସେନା ନିଜ ମନୋବଳ ଦୃଢ଼ ରଖି ଲଢ଼େଇ ଜାରି ରଖିଛନ୍ତି । ପ୍ରଭାବଶାଳୀ ଡ୍ରୋନ୍‌ ଟେକ୍ନୋଲୋଜି ଯୋଗୁ ୟୁକ୍ରେନ୍‌ ରାଜଧାନୀ କିଏଭ୍‌ରେ ରୁଷ୍‌ର ପହଞ୍ଚକୁ ୟୁକ୍ରେନ ସୈନ୍ୟ ଅଟକାଇପାରିଛନ୍ତି । ଆଇଏସ୍‌ଡବ୍ଲ୍ୟୁ ପକ୍ଷରୁ କୁହାଯାଇଛି, ରୁଷ୍‌ ୨୦୨୫ରେ ପ୍ରାୟ ୧,୬୨୭ ବର୍ଗକିମି ଜାଗା କବ୍‌ଜା କରିଛି । ଏହି ଜମି ମଧ୍ୟରେ ୟୁକ୍ରେନ୍‌ର ଜମି ସମେତ ୟୁକ୍ରେନ୍‌ ମାଡ଼ି ବସିଥିବା ରୁଷ୍‌ର କୁର୍ସ୍କ ଅଞ୍ଚଳ ମଧ୍ୟ ରହିଛି । ଗତବର୍ଷ ଅଗଷ୍ଟରେ ୟୁକ୍ରେନ୍‌ କୁର୍ସ୍କ ଅଞ୍ଚଳକୁ ନିୟନ୍ତ୍ରଣକୁ ନେଇଥିବା ଦାବି କରିଥିଲା । ତେବେ ଏ ସବୁ ପାଇଁ ରୁଷ୍‌ ଏହାର ୧ ଲକ୍ଷ ୬୦ ହଜାର ସୈନ୍ୟଙ୍କୁ ବଳି ପକାଇଛି । 

୦୨୦୨୪ ସେପ୍ଟେମ୍ବର ଏବଂ ଡିସେମ୍ବର ମଧ୍ୟରେ ରୁଷ୍‌ ୨,୯୪୯ ବର୍ଗକିମି ଜମି ଅକ୍ତିଆର କରିଥିଲା । ଏଥିପାଇଁ ୧ ଲକ୍ଷ ୭୪ ହଜାର ୯୩୫ ସୈନ୍ୟ ହରାଇଥିଲା । ହାରାହାରି ଦେଖିଲେ ବର୍ଗକିମି ପିଛା ପ୍ରାୟ ୫୯ ସୈନ୍ୟ ଜୀବନ ଦେଇଥିଲେ । ଏବେ ରୁଷ୍‌କୁ ନୂଆ ତଥା ଅଭିଜ୍ଞତା ନ ଥିବା ସୈନ୍ୟଙ୍କ ଉପରେ ନିର୍ଭର କରିବାକୁ ପଡ଼ୁଛି । ଫଳରେ ରୁଷ୍‌ର ଅପରେସନ ଧିମେଇଛି । ଆମେରିକା ଏବଂ ପାଶ୍ଚାତ୍ୟ ଦେଶ ଏହି ସୁଯୋଗର ଲାଭ ଉଠାଇବାକୁ ଚେଷ୍ଟା କରିପାରିବେ ବୋଲି ଆଇଏସ୍‌ଡବ୍ଲ୍ୟୁ ରିପୋର୍ଟରେ ଉଲ୍ଲେଖ କରାଯାଇଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.