ନୂଆଦିଲ୍ଲୀ,୦୪/୦୫: ସିଙ୍ଗାପୁରରେ ଅନୁଷ୍ଠିତ ସାଧାରଣ ନିର୍ବାଚନରେ ପ୍ରଧାନମନ୍ତ୍ରୀ ଲରେନ୍ସ ୱଙ୍ଗ୍ ଏବଂ ତାଙ୍କ ପିପୁଲ୍ସ ଆକ୍ସନ ପାର୍ଟି (ପିଏପି) ଶନିବାର ବାଜିମାତ୍ ମାରିଛନ୍ତି । ଫଳରେ ୱଙ୍ଗ ପୁଣି ପ୍ରଧାନମନ୍ତ୍ରୀ ହେବେ । ପିଏପି ୯୭ ସଂସଦୀୟ ଆସନରୁ ୮୭ ହାସଲ କରିଛି । ସିଙ୍ଗାପୁରର ପ୍ରାୟ ୨୬ ଲକ୍ଷ ଭୋଟର ନିଜ ମତାଧିକାର ସାବ୍ୟସ୍ତ କରିଥିଲେ । ନିର୍ବାଚନରେ ଶାସକ ଦଳ ପିପୁଲ୍ସ ଆକ୍ସନ ପାର୍ଟି ଓ ପ୍ରମୁଖ ବିରୋଧୀ ଦଳ ୱାର୍କର୍ସ ପାର୍ଟି (ଡବ୍ଲ୍ୟୁପି) ମଧ୍ୟରେ କଡ଼ା ଟକ୍କର ହୋଇଥିଲା ।
ଏହି ଦୁଇ ଦଳ ବ୍ୟତୀତ ଦୌଡ଼ରେ ଆଉ କେତେକ କ୍ଷୁଦ୍ର ଦଳ ବି ରହିଥିଲେ । ମୋଟ ୧୧ ଦଳ ନିର୍ବାଚନ ଲଢ଼ିଥିଲେ । କିନ୍ତୁ କେବଳ ପିଏପି ହିଁ ସମସ୍ତ ୯୭ ଆସନରେ ପ୍ରାର୍ଥୀ ଦେଇଥିଲା ବେଳେ ଡବ୍ଲ୍ୟୁପି କେବଳ ୨୬ରେ ପ୍ରାର୍ଥୀ ଦେଇଥିଲା । ଛଅଟି ଦଳ ୧୦ରୁ ଅଧିକ ଆସନରେ ନିର୍ବାଚନ ଲଢ଼ିଥିଲେ । ଏହା ପୂର୍ବରୁ ୨୦୨୦ରେ ଅନୁଷ୍ଠିତ ସାଧାରଣ ନିର୍ବାଚନରେ ୯୩ ଆସନରେ ଭୋଟିଂ ହୋଇଥିଲା । ଏଥିରେ ପିଏପି ୮୩ ଆସନ ଅକ୍ତିଆର କରିଥିଲା । ଦଳକୁ ୬୧.୨୪% ଭୋଟ ମିଳିଥିଲା । ସେହିଭଳି ଡବ୍ଲ୍ୟୁପି ୧୦ଟି ଆସନରେ ବିଜୟୀ ହୋଇଥିଲା । ଏଥର ନିର୍ବାଚନରେ ଆର୍ଥିକ ବିକାଶ, ରୋଜଗାର, ଦରଦାମ ବୃଦ୍ଧି, ସ୍ୱାସ୍ଥ୍ୟ, ଶିକ୍ଷା ଏବଂ ସଂଖ୍ୟାଲଘୁ ସମୁଦାୟ ଆଦି ପ୍ରମୁଖ ପ୍ରସଙ୍ଗ ରହିଥିଲା । ପ୍ରଧାନମନ୍ତ୍ରୀ ୱଙ୍ଗ୍ ଏବଂ ପିଏପି ବିଶ୍ୱ ଅର୍ଥନୀତି ଉପରେ ଆମେରିକୀୟ ଟାରିଫ୍ କାରଣରୁ ସୃଷ୍ଟି ଅନିଶ୍ଚିତତା ମଧ୍ୟରେ ଜନତାଙ୍କୁ ଜନାଦେଶ ମାଗିଥିଲେ । ସିଙ୍ଗାପୁରରେ ୧୯୬୫ରୁ ପିଏପି କ୍ଷମତାସୀନ ରହିଆସିଛି ।