ପ୍ରମୂଖ ଖବର
  • ଜଳେଶ୍ୱର : ଭରସାମ୍ୟ ହରାଇ ଶ୍ରମିକ ଗାଡ଼ି ଦୁର୍ଘଟଣାଗ୍ରସ୍ତ, ୭ ଗୁରୁତର
  • ||
  • କରଞ୍ଜିଆ : ମହିଳାଙ୍କୁ ହତ୍ୟା କରି ପୋତିଦେଲା ଯୁବକ, ମାଟିତଳୁ ଉଦ୍ଧାର ହେଲା ମୃତଦେହ
  • ||
  • ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର, ୨୩ ରୁ ଖୋଲିବ ଭିତରକନିକା
  • ||
  • ୨୮ରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ, ଉତ୍କର୍ଷ ଓଡ଼ିଶା ସମ୍ମେଳନରେ ହେବେ ସାମିଲ
  • ||

ମାତୃଭାଷାର ପ୍ରଗତିରେ ସମାଜର ପ୍ରଗତି : ଧର୍ମେନ୍ଦ୍ର ପ୍ରଧାନ

Published By : Prameya | January 21, 2025 7:56 PM

ଭୁବନେଶ୍ୱର, ୨୧।୧ – ଓଡ଼ିଶା ଏକ ଜ୍ଞାନ ଆଧାରିତ ସମାଜ ଏବଂ ଭାଷା ଆମ ପ୍ରଗତିର ସବୁଠୁ ବଡ଼ ସହାୟକ । ଭାଷାର ପ୍ରଗତିରେ ହିଁ ସମାଜର ପ୍ରଗତି ଘଟିଥାଏ ବୋଲି ମଙ୍ଗଳବାର ଭୁବନେଶ୍ୱର ଠାରେ ଏଆଇସିଟିଇ ସହଯୋଗରେ ଇନ୍ଦିରା ଗାନ୍ଧୀ ବିଶ୍ୱବିଦ୍ୟାଳୟ (ଇଗ୍ନୋ)ର ଏମବିଏ ଅଧ୍ୟୟନ ପୁସ୍ତିକା ଓଡ଼ିଆ ଭାଷାରେ ଉନ୍ମୋଚନ କରିବା ଅବସରରେ କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

 ସେ କହିଛନ୍ତି ଆଜିର ପଦକ୍ଷେପ ଦ୍ୱାରା ଓଡ଼ିଶାର ଉଚ୍ଚ ଶିକ୍ଷା ତଥା ବୈଷୟିକ ଶିକ୍ଷା କ୍ଷେତ୍ରରେ ଏକ ନୂଆ ଅଧ୍ୟାୟ ଯୋଡିହେଲା ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।   ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୂରଦୃଷ୍ଟି ସମ୍ପନ୍ନ ଜାତୀୟ ଶିକ୍ଷା ନୀତିରେ ମାତୃଭାଷାକୁ ପ୍ରୋତ୍ସାହିତ କରିବା ଦିଗରେ ଏହା ଏକ ସାଧୁ ଉଦ୍ୟମ । ଭାରତରେ ବୈଷୟିକ ଏବଂ ବୃତ୍ତିଗତ ଶିକ୍ଷାର ଅଗ୍ରଗତିରେ ଏଆଇସିଟିଇର ଭୂମିକା ଅତୁଳନୀୟ । ଉଭୟ ଇଗ୍ନୋ ଏବଂ ଏଆଇସିଟିଇ ଦେଶ ତଥା ଦେଶ ବାହାରେ ବିଭିନ୍ନ ଶିକ୍ଷାର୍ଥୀଙ୍କୁ ସୁଲଭ ମୂଲ୍ୟରେ ଶିକ୍ଷଣ ସୁଯୋଗ ପ୍ରଦାନ କରି ଶିକ୍ଷା କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି । ଏଆଇସିଟିଇ ଆଜି ତାହାର ସମସ୍ତ ବୈଷୟିକ ଶିକ୍ଷାଦାନକୁ ଭାରତୀୟ ଭାଷାକୁ ଯୋଡ଼ିଛି । ଆଜି ଏହି ଦୁଇ ଅନୁଷ୍ଠାନ ମିଳିତ ଭାବରେ ଓଡ଼ିଆ ଭାଷାରେ ଏମବିଏ କୋର୍ସର ପାଠ୍ୟପୁସ୍ତକ ପ୍ରସ୍ତୁତ କରି ସାମଗ୍ରିକ ଶିକ୍ଷା ଦିଗରେ ନିଜର ସମର୍ପଣ ଭାବନାକୁ ପ୍ରମାଣିତ କରିଛନ୍ତି । ଏହି ପ୍ରୟାସ ପାଇଁ ଶ୍ରୀ ପ୍ରଧାନ ଇଗ୍ନୋ ଏବଂ ଏଆଇସିଟିଇକୁ ଧନ୍ୟବାଦ ଜଣାଇଛନ୍ତି । 

ପ୍ରଗତିଶୀଳ ରାଷ୍ଟ୍ର ଗୁଡ଼ିକରେ ଇଂରାଜୀ ଭାଷାର ବ୍ୟବହାସ କମ ହେବା ସତ୍ତ୍ୱେ ରାଷ୍ଟ୍ର ଗୁଡ଼ିକ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ବହୁତ ଉନ୍ନତ ଓ ସଶକ୍ତ । ଜନ୍ମ ନେଉଥିବା ଶିଶୁ ନିଜର ପ୍ରାରମ୍ଭିକ ଅବସ୍ଥାରେ ମାତୃଭାଷାରେ ପାଠ ପଢିଲେ ହିଁ ତା’ର ବୌଦ୍ଧିକ କ୍ଷମତାର ବିକାଶ ଘଟିଥାଏ ବୋଲି ଅନେକ ବୈଜ୍ଞାନିକ ମତ ପ୍ରକାଶ କରିଛନ୍ତି । ମୌଳିକ ଚିନ୍ତାଧାରାକୁ ବଢେଇବା ପାଇଁ ହେଲେ ଆମକୁ ମାତୃଭାଷା ଆଧାରିତ ଶିକ୍ଷା ପ୍ରଦାନ କରିବାକୁ ହେବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି । 

ଓଡିଆ ଏକ ପ୍ରାଚୀନ ଭାଷା ଯାହାର ସମୃଦ୍ଧ ଇତିହାସ ଓ ଐତିହ୍ୟ ରହିଛି । ୨୦୧୪ ମସିହାରୁ ଓଡ଼ିଆ ଏକ ଶାସ୍ତ୍ରୀୟ ଭାଷା। ଓଡ଼ିଆ ଭାଷାର ଶିକ୍ଷାକୁ ଗଭୀର କରିବା ପାଇଁ ଓଡ଼ିଶା ସରକାର ପ୍ରୟାସ ଜାରି ରଖିଛନ୍ତି। ଓଡ଼ିଆ ଭାଷା ଓ ଶିକ୍ଷାର ପରିସର ବୃଦ୍ଧି କରିବା ଆମ ପାଇଁ ଏକ ପ୍ରାଥମିକତା ଏଜେଣ୍ଡା । ଏହି ପରିପ୍ରେକ୍ଷୀରେ ଆଜିର କାର୍ଯ୍ୟକ୍ରମ ଏହି ଯାତ୍ରାରେ ଆଉ ଏକ ମାଇଲଖୁଣ୍ଟ। ଏଆଇସିଟିଇ ସହଯୋଗରେ ଇଗ୍ନୋ ଇ-କୁମ୍ଭ ପ୍ରକଳ୍ପ ଅଧୀନରେ ୧୨ଟି ଭାରତୀୟ ଭାଷାରେ ଇଗ୍ନୋର ଏମବିଏ ପାଠ୍ୟକ୍ରମ ଅନୁବାଦ କରୁଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.